ଶାସନର ବୌଦ୍ଧିକ ଦେବାଳିଆମି ଉତ୍କଟ!

ଶାସନର ବୌଦ୍ଧିକ ଦେବାଳିଆମି ଉତ୍କଟ!

Share :

ଓଡ଼ିଶାର ରାଜନୈତିକ ଓ ପ୍ରଶାସନିକ ବ୍ୟବସ୍ଥାରେ ବଢ଼ି ଚାଲିଥିବା ଦେବାଳିଆ ଅବସ୍ଥା ଘେନି ଉତ୍କଳ ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରାଯିବା ସଙ୍ଗେ ସଙ୍ଗେ ଏହାର ପ୍ରତିକାର ଉପରେ ଗୁରୁତ୍ବାରୋପ କରାଯାଇଛି।   ବିଭିନ୍ନ ରାଜନୈତିକ ଦଳ ଓ ସେଗୁଡ଼ିକର ବହୁ ନେତାଙ୍କ ମଧ୍ୟରେ ଅସହିଷ୍ଣୁତା, ହିଂସା, ଦ୍ବେଷ, ଅର୍ଥ ଲୁଟ୍ କରିବାର ପ୍ରବୃତ୍ତି, ଅହଙ୍କାର ଓ ଔଦ୍ଧତ୍ୟ ବଢ଼ି ଚାଲିଥିବାରୁ ରାଜ୍ୟର ଅନଗ୍ରସରତା ଓ ଦାରିଦ୍ର୍ୟ ଦୂର ହୋଇପାରୁ ନାହିଁ। ଏଥିପାଇଁ ରାଜନୈତିକ ଓ ପ୍ରଶସାନିକ କ୍ଷେତ୍ରରେ ବୌଦ୍ଧିକତାର ବିକାଶ ଲାଗି ପଦକ୍ଷେପ ନେବା ପାଇଁ ଗାନ୍ଧୀ ସ୍ମାରକ ନିଧିର ସଭାପତି ପ୍ରହଲାଦ କୁମାର ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିବା ସହିତ ରାଜ୍ୟର ସମସ୍ତ ମନ୍ତ୍ରୀ ଓ ଦଳମତ ନିର୍ବିଶେଷରେ ବିଧାୟକମାନେ ଏ ଦିଗରେ ଦୃଷ୍ଟି ଦେବାକୁ କହିଛନ୍ତି।   ନିକଟରେ ରାଜ୍ୟ ବିଧାନସଭାରେ ଜାତୀୟ ସଙ୍ଗୀତ ଗାନ କରାଯାଉଥିବା ବେଳେ ବାଚସ୍ପତି, ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ଉପସ୍ଥିତିରେ କିଛି ବିଧାୟକ ଯେଭଳି ଏହାର ଖୋଲାଖୋଲି ଅବମାନନା ଓ ଅସମ୍ମାନ କଲେ ତାହା ଦେଶପ୍ରେମୀମାନଙ୍କୁ ନିଶ୍ଚିତ ଭାବେ ବ୍ୟଥିତ କରିଛି। ବିଧାନସଭାରେ ବିଧାୟକ ଯଦି ଏଭଳି ଆଚରଣ କରିବେ ତା’ହେଲେ ସ୍କୁଲ କଲେଜର ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ସେମାନଙ୍କ ଠାରୁ କ’ଣ ଅନୁକରଣ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିଭଳି ସମ୍ପ୍ରତି ବିଧାନସଭାରେ ଉତ୍ତର ରଖି ମହିଳା ସ୍ବାଧୀନତା ସଂଗ୍ରାମୀଙ୍କ ତାଲିକାରୁ ସଂସ୍କୃତି ମନ୍ତ୍ରୀ ଯେପରି ପ୍ରାତଃ ସ୍ମରଣୀୟା ମାଳତି ଚୌଧୁରୀ, ସୁଭଦ୍ରା ମହତାବ, ଅନ୍ନପୂର୍ଣ୍ଣା ମହାରଣା, ଗୋଦାବରୀ େଦବୀ, କିରଣଲେଖା ମହାନ୍ତି, ଶକୁନ୍ତଳା ଦାସ, ମଙ୍ଗଳା ସେନଗୁପ୍ତା, କୃଷ୍ଣକାମିନୀ େଦବୀ, ରତ୍ନମାଳି ଜେମା ଆଦିଙ୍କୁ ବାଦ୍ େଦଇଛନ୍ତି ତାହା ସ୍ବାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କ ପ୍ରତି ସରକାରଙ୍କ ଚରମ ଅସମ୍ମାନ ବୋଲି ସେ ଉଲ୍ଲେଖ କରିଛନ୍ତି।   ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ମାତା ସ୍ବର୍ଗୀୟା ଜ୍ଞାନ ପଟ୍ଟନାୟକଙ୍କୁ ସ୍ବାଧୀନତା ସଂଗ୍ରାମୀ ଭାବେ ପୂର୍ବରୁ ବର୍ଣ୍ଣନା କରି ତାଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସରକାର ନିର୍ମାଣ କରି ରାଜଧାନୀରେ ସ୍ଥାପନ କରିବେ ବୋଲି ପୂର୍ବରୁ ସଂସ୍କୃତି ମନ୍ତ୍ରୀ କହିଥିବା ବେଳେ ଏବେ ତାଙ୍କ ନାମକୁ ମହିଳା ସ୍ବାଧୀନତା ସଂଗ୍ରାମୀଙ୍କ ତାଲିକାରେ ସରକାର ନ ରଖିବା ସ୍ବର୍ଗୀୟା ପଟ୍ଟନାୟକଙ୍କ ପ୍ରତି ସମ୍ମାନ ନା ଅସମ୍ମାନ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିଭଳି ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ନାମରେ ନାମିତ ରାଜଧାନୀର ଏକ ରାସ୍ତାକୁ ସନ୍ଥ ମଦର ଟେରେସାଙ୍କ ନାମରେ ପୁନଃନାମିତ କରି ସରକାର କବି ଅଭିମନ୍ୟୁ ବଧ ପାଇଁ ଉଦ୍ୟମ କରିବା ଉଭୟ ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ବୌଦ୍ଧିକ ଦାରିଦ୍ର୍ୟର ପରିପ୍ରକାଶ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।   ରାଜ୍ୟର ଉଭୟ ସରକାରୀ ଓ ବିରୋଧୀ ଦଳ ସଂଯମତା ଭୁଲି ଯେପରି ପରସ୍ପରକୁ ବିରୋଧ କରିବା ପାଇଁ ଅଣ୍ଡା ଓ ଠେଙ୍ଗା ମାଡ଼ କରୁଛନ୍ତି ଏବଂ କେତେକ ମନ୍ତ୍ରୀ ଓ ବିଧାୟକ ନିଜ ପଦ ମର୍ଯ୍ୟାଦା ଭୁଲି ହିଂସାକାଣ୍ଡକୁ ଉସ୍‌କାଉଛନ୍ତି ସେଥିରେ ରାଜ୍ୟର କ’ଣ ଲାଭ ହେଉଛି ବୋଲି ଶ୍ରୀ ସିଂହ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି। ସାମ୍ବିଧାନିକ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ସହିତ ରାଜ୍ୟର ସରକାରୀ ଭାଷା ହୋଇଥିଲେ ମଧ୍ୟ ଏହାକୁ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ଉପେକ୍ଷା କରାଯିବା ବୌଦ୍ଧିକ େଦବାଳିଆମିର ପରିଚାୟକ ବୋଲି ସେ କହିଛନ୍ତି। ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗରେ ରାଜ୍ୟର କେତେକ ରାଜନେତା ଓ ଅଧିକାରୀ ଦାୟିତ୍ବହୀନ ମନ୍ତବ୍ୟ େଦଉଛନ୍ତି। ତାହା ଓଡ଼ିଶା ସ୍ବାର୍ଥର ପରିପନ୍ଥୀ ହୋଇଥିବା ବେଳେ ଏମାନଙ୍କ ବୌଦ୍ଧିକ ଦାରିଦ୍ର୍ୟ ପରିସ୍ଫୁଟନ କରୁଛି।   ନିଶା ପ୍ରସାର ଘେନି ସରକାରଙ୍କର ବିପଜ୍ଜନକ ଆଭିମୁଖ୍ୟ ମଧ୍ୟ ଏହାର ଅନ୍ୟ ଏକ ନମୁନା। ସରକାରୀ କଳ ଓ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସେବା, ତ୍ୟାଗ ଓ ସମର୍ପଣ ଭାବର ଅଭାବ ତଥା ସାଂସ୍କୃତିକ, ରାଜନୈତିକ, ସାମାଜିକ, ନୈତିକ ଓ ଅର୍ଥନୈତିକ ତାଲିମ୍ର ଅଭାବ ଯୋଗୁ ଏଭଳି ବୌଦ୍ଧିକ େଦବାଳିଆମି ବଢ଼ି ଚାଲିବା ଫଳରେ ଆମ େଦଶ ଓ ରାଜ୍ୟର ଗୁରୁତର କ୍ଷତି ହେବା ସଙ୍ଗେ ସଙ୍ଗେ କଷ୍ଟଲବ୍ଧ ସ୍ବାଧୀନତା ବିପନ୍ନ ହେବାକୁ ଯାଉଛି। ଏ ପରିପ୍ରେକ୍ଷୀରେ ଦଳମତ ନିର୍ବିଶେଷରେ ବୌଦ୍ଧିକ ସମୃଦ୍ଧି ପ୍ରତି ଉଭୟ ସରକାର ଓ ସଚେତନ ଜନସାଧାରଣ ଗୁରୁତ୍ବ େଦବା ପାଇଁ ଗାନ୍ଧୀ ସ୍ମାରକ ନିଧିର ସଭାପତି ନମ୍ର ନିବେଦନ କରିଛନ୍ତି।

Share :