ମହାନଦୀ ଧୂଆଁବାଣ

ମହାନଦୀ ଧୂଆଁବାଣ

Share :

ରବି କାନୁନ୍‌ଗୋ   ଧାଁ ଧଉଡ଼ ପୂରା ଗୋଟିଏ ବର୍ଷ। ବିଫଳତା ମାତ୍ର ଗୋଟିଏ ଧାଡ଼ି।   ପ୍ରାୟ ବର୍ଷାଧିକ କାଳ ରାଜ୍ୟରେ ଶାସକ ବିଜୁ ଜନତା ଦଳ ଛତିଶଗଡ଼ ଓ ଓଡ଼ିଶା ଭିତରେ ହୀରାକୁଦ-ମହାନଦୀ ଜଳ ବିବାଦକୁ ନେଇ ରାଜନୀତି ଖେଚୁଡ଼ି ତିଅାରି କରିବାକୁ ଚୂଲି ଜଳେଇ ରଖିଥିଲା। ଗଲା ରବିବାର ବା ସେପ୍ଟେମ୍ବର ୧୮ ତାରିଖ ଦିନ ସେଥିରେ ପାଣି ପଶିଗଲା।   ସେପ୍ଟେମ୍ବର 17 ତାରିଖ ଦିନ ଏକ ତ୍ରିପକ୍ଷୀୟ ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବାବେଳେ ଦଳ ତରଫରୁ ତାଙ୍କୁ ଯେପରି ଅାଡ଼ମ୍ବରରେ ଭୁବନେଶ୍ବର ବିମାନବନ୍ଦର ପର୍ଯ୍ୟନ୍ତ ଉଚ୍ଛ୍ବସିତ ବିଦାୟ ସମ୍ବର୍ଦ୍ଧନା ଦିଅାଗଲା, ଏ ଅାଖଡ଼ା ରିହର୍ସାଲକୁ କେବଳ ଢୋଲ ବାଦକମାନଙ୍କ ଛଡ଼ା ଅାଉ କେହି ଉଦାରତା ସହକାରେ ବିଶ୍ବାସ କରିନଥିଲେ। କାରଣ, ଦୁଇ-କେ-ଦୁଇ, ଦି’-ଦୁଣେ-ଚାରି ପରି ପରାଜୟର ପଣିକିଅା ଅାଗରୁ ପ୍ରସ୍ତୁତ ଥିଲା।   ଅାଶଙ୍କା ସତ ହେଲା। ଛତିଶଗଡ଼ କଦଳୀ ଖାଇ ଚୋପା ଧରେଇଦେଲା ଓଡ଼ିଶାକୁ। ଭୁବନେଶ୍ବର ଫେରି ମୁଖ୍ୟମନ୍ତ୍ରୀ କହିଲେ – ‘ଦୁର୍ଭାଗ୍ୟଜନକ’ ଭାବେ କେନ୍ଦ୍ର ପାତରଅନ୍ତର କରିଛି। ତାହା କେବେ କେମିତି ହେଲା, ବିସ୍ତାରିତ ଭାବେ ବର୍ଣ୍ଣନା ନ କରି କେନ୍ଦ୍ର ସରକାର ଛତିଶଗଡ଼ ପ୍ରକଳ୍ପଗୁଡ଼ିକୁ ତୁରନ୍ତ ବନ୍ଦ କରୁ ବୋଲି ଅାମ ମୁଖ୍ୟମନ୍ତ୍ରୀଙ୍କ ବରାଦକୁ କେନ୍ଦ୍ର ଓ ଉକ୍ତ ସରକାର ସେଇ ବୈଠକରେ ମନା କରିଦେଲେ।   ମୁଖ୍ୟମନ୍ତ୍ରୀ ଅାହୁରି କହିଲେ ଯେ ସେ ପ୍ରଧାନମନ୍ତ୍ରୀଙ୍କୁ ଏ କଥା ଜଣାଇଛନ୍ତି। ଭଲ କଥା ଯେ, ମାତ୍ର ଏ ପ୍ରଧାନମନ୍ତ୍ରୀ ତ ପଦ ଭାର ଗ୍ରହଣ କରିଛନ୍ତି ମାତ୍ର ଦୁଇ ବର୍ଷ ଚାରି ମାସ ତଳେ। ହେଲେ, ଛତିଶଗଡ଼ ତ ସଂଘୀୟ ଶୃଙ୍ଖଳା ବିପର୍ଯ୍ୟସ୍ତ କାର୍ଯ୍ୟ ଅାରମ୍ଭ କରିଛି ପ୍ରାୟ ଦଶ ବର୍ଷ ତଳୁ। ସେତେବେଳଠାରୁ ଏଯାଏଁ ଏକା ଦଳ ଓ ସମାନ ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟରେ ଶାସନ କରୁଛନ୍ତି।   ବରଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଲେ - 57% ମହାନଦୀ ପାଣି ଓଡ଼ିଶା ବାଟେ ସମୁଦ୍ରକୁ ବୋହିଯାଉଚି, ତାକୁ ଅଟକାଉନା କାହିଁକି? ଶେଷରେ ତ୍ରିପକ୍ଷ ମିଶି ରାଜିରୁଜା ହେଲେ ଯେ - ହୀରାକୁଦ ଜଳଭଣ୍ଡାରକୁ ଯେମିତି ଜଳ ପ୍ରବାହ ନ କମିବ, ତାହା ନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଏକ ନୂତନ ଜଳ-ମାପ କେନ୍ଦ୍ର ସ୍ଥାପନ କରିବେ ମାପ-କେନ୍ଦ୍ର ଜଳ ତିଅାରି କରେ କି?   ଅାମ ସରକାର ଦେଇଥିବା ଗୋଟିଏ ଅଳୀକ ପ୍ରସ୍ତାବ ଯଥା : କେନ୍ଦ୍ର ଜଳ ସଂପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ମନ୍ତ୍ରାଳୟ ଅଧୀନରେ ମହାନଦୀ ଜଳ ବିବାଦ ତଦାରଖ କରିବାକୁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ। ଏ କମିଟିର ଅନୁମୋଦନ ବିନା ଉଭୟ ଓଡ଼ିଶା ଓ ଛତିଶଗଡ଼ରେ କେଉଁ କେଉଁ ପ୍ରକଳ୍ପ ନିର୍ମାଣ ହୋଇଛି ଏହି କମିଟି ତାହା ଅନୁଧ୍ୟାନ କରିବ। ଅାଉ ଗୋଟିଏ ହେଲା - ମହାନଦୀ ଜଳ ପରିଚାଳନା ସକାଶେ ସବୁ ନଦୀ ବନ୍ଧ ଉପରେ ଅଧ୍ୟୟନ କରି ରିପୋର୍ଟ ଦେବାକୁ ରୁର୍କିସ୍ଥିତ କେନ୍ଦ୍ରୀୟ ଜଳ ବିଜ୍ଞାନ ସଂସ୍ଥାନକୁ ଦାୟିତ୍ବ ଦିଅାଯାଇଛି। ଭବିଷ୍ୟତରେ ଗଠନ ହେବ ବିଶେଷଜ୍ଞ କମିଟି ତା’ ରିପୋର୍ଟ ଉପରେ ତର୍ଜମା କରି ଏଣିକି କୁଅାଡ଼େ ନିଷ୍ପତ୍ତି ନିଅାଯିବ।   ଏଇଠି ଧାଡ଼ିଏ ଛତିଶଗଡ଼ ଦାବି କରେ ଯେ ସର୍ବଦା ତାହା ସବୁ ସର୍ତ୍ତ ମୁକମ୍ମଲ୍ କରିଚି; କରିନି ଓଡ଼ିଶା।   ନାଟକର ଦ୍ବିତୀୟ ଦୃଶ୍ୟ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇ ସାରିଲାଣି। ଚଟାପଟ୍ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଲା ଯେ - ଅାମେ ଛାଡ଼ିବୁନି! ଅାଇନରେ ଲଢ଼ିବୁ।   ଏଠି ମନେ ପକେଇବା ଯେ ଅାମ ସରକାର ପୋଲାଭରମ୍ ପ୍ରକଳ୍ପ ବନ୍ଦ କରିବାକୁ 2008ରୁ ସୁପ୍ରିମକୋର୍ଟରେ ଅର୍ଜି ଦାଖଲ କରି ବସିିଛନ୍ତି ଏବଂ ଅାନ୍ଧ୍ର ସରକାର ସେଠୁ ରହିତାଦେଶ ହାସଲ କରି ଡ୍ୟାମ କେନ୍ଦ୍ର ଦ୍ବାରା ‘ଜାତୀୟ ପ୍ରକଳ୍ପ’ ଘୋଷଣା କରାଇ, ତହିଁର ନିର୍ମାଣ କାର୍ଯ୍ୟ ସାରିବାକୁ ବସିଲେଣି।   ଏତେ ଅବଲୟ ହେଉଥିଲା କାହିଁକି ବା ଭବିଷ୍ୟତରେ ହେବାକୁ ଅଛି କ’ଣ?   ଏପର୍ଯ୍ୟନ୍ତ ମହାନଦୀ ଓଡ଼ିଶାର ଜୀବନରେଖା ଭାବେ ତ ରହିଛି, ଅାଗକୁ ତାହା ଫାଶୀ ଦଉଡ଼ି ହେବନି ତ?

Share :