ପାକିସ୍ତାନକୁ ମୋଦିଙ୍କ ବାକ୍ୟବାଣ

ପାକିସ୍ତାନକୁ ମୋଦିଙ୍କ ବାକ୍ୟବାଣ

Share :

ପାକିସ୍ତାନକୁ ସମ୍ମୁଖ ଯୁଦ୍ଧର ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେରଳର କୋଝିକୋଡ଼ରେ ଆୟୋଜିତ ଭାରତୀୟ ଜନତା ପାର୍ଟି ବୈଠକରେ ସେ କହିଛନ୍ତି ଯେ ସାହସ ଅଛି ତ ସାମ୍ନାରୁ ଯୁଦ୍ଧ କର। ଏହା ସହିତ ସେ ପାକିସ୍ତାନୀ ଲୋକମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ସେମାନେ ସେମାନଙ୍କ ସରକାରଙ୍କୁ ପଚାରନ୍ତୁ, ଏକା ସମୟରେ ସ୍ୱାଧୀନତା ପାଇଥିଲେ ବି ଭାରତ କାହିଁକି ସଫ୍ଟେୱଆର ରପ୍ତାନୀ କରୁଛି, ପାକିସ୍ତାନ କାହିଁକି ଆତଙ୍କବାଦ ରପ୍ତାନୀ କରୁଛି?   ଉରି ସେନା ଶିବିର ଉପରେ ପାକ୍ ତାଲିମପ୍ରାପ୍ତ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପ୍ରଥମ ଥର ପାଇଁ ଏକ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପାକିସ୍ତାନକୁ ଲକ୍ଷ କରି ସେ କହିଛନ୍ତି ଯେ ତୁମେ ପୂର୍ବ ବଙ୍ଗକୁ ସମ୍ଭାଳି ପାରିଲ ନାହିଁ। ଏବେ ଅଧିକୃତ କାଶ୍ମୀରକୁ ସମ୍ଭାଳି ପାରୁନାହଁ। ଗିଲଗିଟ‍୍‌, ପାଖତୁନଖାୱାକୁ ସମ୍ଭାଳି ପାରୁ ନାହିଁ। ତୁମେ ବେଲୁଚିସ୍ତାନକୁ ସମ୍ଭାଳି ପାରୁ ନାହିଁ। ଅଥଚ କାଶ୍ମୀର ନେବାକୁ କହୁଛ?   ଏକବିଂଶ ଶତାବ୍ଦୀ ହେଉଛି ଏସିଆର ଶତାବ୍ଦୀ। କିନ୍ତୁ କେବଳ ଗୋଟିଏ ଦେଶ ପାଇଁ ଏସିଆ ପଛେଇ ଯାଉଛି। ଏହି ଦେଶଟି ଯୋଗୁଁ ଏସିଆର ଅନେକ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏହି ଦେଶଟି ଅଲ‍୍‌ କାଏଦା ଆତଙ୍କବାଦୀ ସଂସ୍ଥାର ମୁଖ୍ୟ ବିନ‍୍‌ ଲାଦେନକୁ ଆଶ୍ରୟ ଦେଇଥିଲା। ଏସିଆ ଓ ବିଶ୍ୱର ଅନ୍ୟ ଅନେକ ଦେଶରେ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପ ପଛରେ ଏଇ ଦେଶର କୌଣସି ନା କୌଣସି ଭୂମିକା ରହିଛି।   ପାକିସ୍ତାନକୁ ସମ୍ମୁଖ ସମରକୁ ଆସିବାର ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୦୦୦ ବର୍ଷ ଯୁଦ୍ଧ କରିବ ବୋଲି କହୁଥିଲ। ସମ୍ମୁଖ ଯୁଦ୍ଧ କରୁ ନାହଁ କାହିଁକି? ପାକିସ୍ତାନୀ ନେତାମାନେ ଆତଙ୍କବାଦୀଙ୍କ ଲିଖିତ ଭାଷଣ ପଢ଼ୁଛନ୍ତି ବୋଲି ତାତ୍ସଲ୍ୟ କରି ସେ କହିଛନ୍ତି ଯେ ପାକିସ୍ତାନୀ ଲୋକମାନେ ତାଙ୍କ ସରକାରକୁ ପଚାରନ୍ତୁ, ଏକା ଦିନରେ ଉଭୟ ଦେଶ ସ୍ୱାଧୀନ ହୋଇଥିଲେ, କିନ୍ତୁ ଭାରତ ବିଦେଶକୁ ସଫ୍ଟେୱଆର ରପ୍ତାନୀ କରୁଥିବାବେଳେ ପାକିସ୍ତାନ ଆତଙ୍କବାଦ ରପ୍ତାନୀ କରୁଛି କାହିଁକି?   ଯୁଦ୍ଧ କରିବାର ଅଛି ତ ଦାରିଦ୍ର୍ୟ, ନିରକ୍ଷରତା ଓ ବେକାରୀ ବିରୋଧରେ ଲଢ଼େଇ କରନ୍ତୁ। ଉଭୟ ଭାରତ ଓ ପାକିସ୍ତାନରେ ଦାରିଦ୍ର୍ୟ ଅଛି। ଦେଖିବା କିଏ ଆଗ ଦାରିଦ୍ର୍ୟ ଦୂର କରୁଛି? କିଏ ନିରକ୍ଷରତା ଓ ବେକାରୀ ଦୂର କରିପାରୁଛି? କେଉଁ ଦେଶ ଆଗ ଶିଶୁ ଓ ମାତୃମୃତ୍ୟୁ ହାର କମାଇ ପାରୁଛି?   ତେବେ ଉରିରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ହୋଇଥିବା ୧୮ ଯବାନଙ୍କୁ ଭାରତବାସୀ ଭୁଲି ପାରିବେ ନାହିଁ ବୋଲି ସେ ଦୃଢ଼ ଘୋଷଣା କରିଛନ୍ତି। ସମଗ୍ର ବିଶ୍ୱରେ ପାକିସ୍ତାନକୁ ଏକଘରିକିଆ କରିଦିଆଯିବ। ସୀମାପାର ଆତଙ୍କବାଦର ଉପଯୁକ୍ତ ମୁକାବିଲା କରାଯିବ ବୋଲି ସେ ଘୋଷଣା କରିଛନ୍ତି।

Share :