ଓଡ଼ିଆ ଓ ସରକାରୀ ମୁଷ୍ଟିକ

ଓଡ଼ିଆ ଓ ସରକାରୀ ମୁଷ୍ଟିକ

Share :

ସୁଭାଷ ଚନ୍ଦ୍ର ପଟ୍ଟନାୟକ   କଂସର କାରାଗାରରେ ବନ୍ଦିନୀ ଥିବା ମା’ ଦେବକୀଙ୍କୁ ଦେଖିବା ପାଇଁ, ଜନ୍ମ କାଳରୁ ବିଚ୍ଛିନ୍ନ ହୋଇ ରହିଥିବା ଶ୍ରୀକୃଷ୍ଣ ଯେତେବେଳେ ଅଗ୍ରସର ହେଉଥିଲେ, ତାଙ୍କ ଉପରକୁ କୁଦି ପଡ଼ିଥିଲେ ସେହି ଏକଛତ୍ରବାଦୀ ଅସୁର ରାଜାର ନିରାପତ୍ତାରକ୍ଷୀ ଚାଣୁର ଓ ମୁଷ୍ଟିକମାନେ, କୃତ୍ତାନ୍ତ ପରି।   ଠିକ‌୍‍ ସେମିତି, ଓଡ଼ିଆ ଭାଷା ଜନନୀକୁ ଇଂରାଜୀ ଭାଷାଧିପତ୍ୟ କବଳରୁ ମୁକ୍ତ କରିବା ପାଇଁ ‘ଭାଷା ଆନ୍ଦୋଳନ, ଓଡ଼ିଶା’ ଯେଉଁ କଳାପତାକା ଅଭିଯାନ ଚଳାଇଛି ତାହା ଉପରକୁ କୁଦି ପଡ଼ିଛନ୍ତି ଓଡ଼ିଆ ଭାଷାକୁ ଅଚଳ କରିପକାଇଥିବା ସରକାରର ମୁଷ୍ଟିମେୟ ମୁଷ୍ଟିକ। ତହିଁରୁ ଦି’ଜଣ ସାହିତ୍ୟ ଜଗତର ବ୍ୟକ୍ତି ଓ ଜଣେ ସରକାରୀ ଦଳର ନେତା। ସାହିତ୍ୟ ଜଗତର ଏହି ଦୁଇଜଣ ବ୍ୟକ୍ତି ହେଲେ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ହରପ୍ରସାଦ ଦାସ। ସରକାରଙ୍କ ଆଚରଣରେ ୮୪ ପ୍ରତିଶତ ଓଡ଼ିଆ ଖୁବ‌୍‍ ଖୁସୀ ବୋଲି ଏକ ମିଥ୍ୟା ବୟାନ ଦେଇ (ସମାଜ, ଅଗଷ୍ଟ ୨୨, ୨୦୧୬) ଦେବୀବାବୁ ଭାଷା ଆନ୍ଦୋଳନର ଗୁରୁତ୍ୱ ହ୍ରାସ ପାଇଁ ଚେଷ୍ଟା କରିଥିବା ବେଳେ, ‘ସରକାର-ବାଡ଼ିଆ ବନ୍ଦ ହେଉ’ (ସମାଜ, ସେପ୍ଟେମ୍ୱର ୪-୫, ୨୦୧୬) ବୋଲି ଚିତ୍କାର କରି ହରବାବୁ ଭାଷା ଆନ୍ଦୋଳନ ସପକ୍ଷବାଦୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି। ସୁଖର କଥା, ଓଡ଼ିଶାର ସାହିତ୍ୟିକ ମହଲ ଏହି ଉଭୟଙ୍କୁ ସମାଲୋଚନା କରିଛି ସିନା, ସମର୍ଥନ କରି ନାହିଁ।   ଏପରି ସ୍ଥଳେ ସରକାରଙ୍କ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହକର୍ମୀ ବୈଷ୍ଣବ ଚରଣ ପରିଡ଼ା। ‘ଭାଷା ଆୟୋଗ’ ଗଠନ ପାଇଁ ଗତ ସପ୍ତାହରେ ଏକ ସାମ୍ୱାଦିକ ସମ୍ମିଳନୀରେ ସେ ଦାବି କରିଛନ୍ତି। କିନ୍ତୁ କୌତୁହଳର କଥା, ଭାଷା ଆନ୍ଦୋଳନର ଏହି ଦାବିକୁ ସେ ଆପଣାଇ ଥିବା ବେଳେ ଭାଷା ଆଇନ ଉଲ୍ଲଂଘନକାରୀଙ୍କୁ ଦଣ୍ଡ ବିଧାନ ପାଇଁ ଏହି ସଙ୍ଗଠନର ଦାବି ଠାରୁ ଦୂରେଇ ରହିଛନ୍ତି। ଯାହାଙ୍କ ଅନଶନ ହେତୁ ଭାଷା ଆଇନର କାର୍ଯ୍ୟକାରିତା ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠିତ ହୋଇଥିଲା, ସେହି ଗଜାନନ ମିଶ୍ର ଏହାଙ୍କୁ ଦି’ମୁଣ୍ଡିଆ ବ୍ୟକ୍ତି ବୋଲି କହିଛନ୍ତି (ସମାଜ ୧୦.୦୮.୧୫)।   ସେପ୍ଟେମ୍ୱର ୧୮ ତାରିଖରେ ଏକ ସାମ୍ୱାଦିକ ସମ୍ମିଳନୀରେ ଭାଷା ଆନ୍ଦୋଳନର ସଭାପତି ପ୍ରଦ୍ୟୁମ୍ନ ଶତପଥୀ ଖୋଲି ଦେଇଛନ୍ତି ବୈଷ୍ଣବ ବାବୁଙ୍କ ମୁଖା। ୨୦୧୫ ସେପ୍ଟେମ୍ୱର ୩ ତାରିଖରେ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଯେଉଁ ନିୟମାବଳୀର ଚିଠା ଦେଇଥିଲେ, ଯାହାକି ସରକାରୀ େୱବ‌୍‍ସାଇଟ‌୍‍ odia.odisha.gov.in ରେ ସ୍ଥାନିତ ହୋଇଛି ଓ ସେହି କମିଟିର ଜଣେ ସଭ୍ୟ ଭାବେ ଯାହା ବୈଷ୍ଣବ ବାବୁଙ୍କୁ ଜଣା, ସେହି ନିୟମାବଳୀର ଧାରା ୧୧(୧)ରେ ପ୍ରସ୍ତାବିତ ହୋଇଥିବା ଭାଷା କମିଟି ଗଠନ ପ୍ରସ୍ତାବକୁ ଭାଷା ଆୟୋଗ ବୋଲି କହିବାରେ ଲାଗିଛନ୍ତି ବୈଷ୍ଣବ ବାବୁ।   ଯେଉଁ ଅବଧାରଣାକୁ ଆପଣାଇ ସେ ଏହି ଭାଷା ଆୟୋଗ ଦୁହା ତୋଳୁଛନ୍ତି ତାହାକୁ ବି ସେ ଠିକ‌୍‍ ଭାବେ ବୁଝି ନାହାନ୍ତି। ଉପରୋକ୍ତ ନିୟମାବଳୀର ତିନୋଟି ଧାରା ଏ କ୍ଷେତ୍ରରେ ପ୍ରାସଙ୍ଗିକ। ସେଗୁଡ଼ିକ ହେଲେ- ୯, ୧୦ ଓ ୧୧। କୌଣସି କାର୍ଯ୍ୟାଳୟରେ ଓଡ଼ିଆ ଭାଷାରେ ଦାପ୍ତରିକ କାର୍ଯ୍ୟ ନ ହେଲେ, ସେଥିପାଇଁ କେଉଁ ପଦାଧିକାରୀଙ୍କୁ ଦାୟୀ କରାଯିବ ତାହା ଖୋଦିତ ହୋଇଛି ଧାରା ୯ରେ। ସେହି ଦାୟୀ ବ୍ୟକ୍ତିଙ୍କୁ କେଉଁ ପରିମାଣର ଅର୍ଥଦଣ୍ଡ ଦିଆଯିବ ତାହା ଲିଖିତ ହୋଇଛି ଧାରା ୧୦ରେ। ମାତ୍ର ଦାୟିତ୍ୱ ନିର୍ଦ୍ଧାରଣ କରିବା ଏବଂ ଦଣ୍ଡ ପ୍ରଦାନ କରିବା - ଉଭୟ ଯେହେତୁ ବିଚାର ସାପେକ୍ଷ, ସେହେତୁ ଧାରା ୧୧ରେ ତହିଁର ସବିଶେଷ ବ୍ୟବସ୍ଥା ପ୍ରଦାନ କରାଯାଇଛି। ଏହି ଧାରାର ଉପଧାରା (୧)ରେ କୁହାଯାଇଛି ଯେ, ସଂସ୍କୃତି ସଚିବ ପଦ ପ୍ରଯୁକ୍ତ ଅଧ୍ୟକ୍ଷ ଥାଇ ଓଡ଼ିଶାର ଯେକୌଣସି ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷାରେ ସର୍ବୋଚ୍ଚ ଅଧ୍ୟାପକ ଥିବା ଜଣେ ବିଷୟ ବିଶାରଦ ଓ ଅନ୍ୟୁନ ସହକାରୀ ଦୌରାଜଜ‌୍‍ ପାହ୍ୟାର ଜଣେ ବିଚାରପତିଙ୍କୁ ନେଇ ‘ଭାଷା କମିଟି’ ଗଠିତ ହେବ, ଯାହା ଉପଧାରା (୨) ବଳରେ ସ୍ୱତଃ ବା ଯେକୌଣସି ବ୍ୟକ୍ତିଠାରୁ ଓଡ଼ିଆ ଭାଷାରେ ଦାପ୍ତରିକ କାର୍ଯ୍ୟ ନହେଉଥିବାର ଅଭିଯୋଗ ପାଇଲେ ଧାରା-୯ରେ ଦାୟିତ୍ୱ ନିର୍ଦ୍ଧାରଣ ଓ ଧାରା-୧୦ରେ ଦଣ୍ଡ ବିଧାନ କରିବେ। ଏହା କେବଳ ଆର୍ଥିକ ଦଣ୍ଡବିଧାନ ହୋଇଥିବା ହେତୁ, ଏଥିରୁ ଉପଲବ୍ଧ ଅର୍ଥ ରାଶି ଉପଧାରା (୪) ଅନୁସାରେ ଗଠିତ ହେବାକୁ ଥିବା ‘ଭାଷା ପାଣ୍ଠି’ରେ ଜମା ହେବ। ଭାଷା ଯେହେତୁ ସଂସ୍କୃତି ବିଭାଗ ଅନ୍ତର୍ଗତ, ସେହେତୁ ଏହି ବିଭାଗ ଏକ କୋଟି ଟଙ୍କା ପରିମାଣର ଏକ ପ୍ରାଥମିକ ପାଣ୍ଠି ସୃଷ୍ଟି କରିବ ଉପଧାରା (୫) ବଳରେ। ଏହି ପାଣ୍ଠିର ବିନିଯୋଗ ଧାରା-୮ ଅନୁସାରେ ଓଡ଼ିଆ ଭାଷାର ସବିଶେଷ ବିକାଶ ପାଇଁ ବ୍ୟୟିତ ହେବ। ଉପଧାରା (୬)ବଳରେ ଏହି ଭାଷା କମିଟି ମାସକୁ ଅନ୍ୟୁନ ଥରେ ବସି ଓଡ଼ିଶା ସରକାରୀ ଭାଷା ଆଇନ ୧୯୫୪ର ଉଲ୍ଲଂଘନ ବିରୁଦ୍ଧରେ ବିଚାର କରିବ ଓ ଦଣ୍ଡ ବିଧାନ କରିବ। ଏହି ଦଣ୍ଡବିଧାନ ବିରୁଦ୍ଧରେ ଦଣ୍ଡିତ ପଦାଧିକାରୀ ଭୁବନେଶ୍ୱରସ୍ଥ ଜିଲ୍ଲା ଜଜ‌୍‍ଙ୍କ ଅଦାଲତରେ ଅପିଲ କରିପାରିବେ ବୋଲି ଉପଧାରା (୭)ରେ ବ୍ୟବସ୍ଥା ରହିଛି। ଉପଧାରା (୮) ନିର୍ଦ୍ଦିଷ୍ଟ କରିଛି କି, ଭାଷା କମିଟି ଓ ଜିଲ୍ଲା ଜଜ‌୍‍ ନିଜ ନିଜ ପାଖରେ ଥିବା ଅଭିଯୋଗ ଓ ଅପିଲର ବିଚାର ଯଥାକ୍ରମେ ୬ ମାସ ଓ ୩ ମାସ ଭିତରେ ସାରିବେ।   ମାତ୍ର ଏ ସମସ୍ତ କଥା ହୋଇପାରିବ, ଯଦି ଭାଷା ଆଇନ ଉଲ୍ଲଂଘନ ପାଇଁ ଦଣ୍ଡ ବିଧାନର ବ୍ୟବସ୍ଥା ରହେ। ଯଦି ଦଣ୍ଡବିଧାନ ନାହିଁ, ଭାଷା କମିଟି ବା ଭାଷା ଆୟୋଗ ଗଠନର କୌଣସି କାରଣ ହିଁ ରହିବ ନାହିଁ। ଆମେ ଦେଇଥିବା ଏହି ନିୟମାବଳୀରୁ ଅବଧାରଣା ଆପଣାଇ ଭାଷା ଆୟୋଗ ଦାବି କରୁଥିବା ବୈଷ୍ଣବ ଚରଣ ପରିଡ଼ା ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ପାଇଁ କ’ଣ ଆବଶ୍ୟକ ତାହା ନଜାଣି, ହୁଏତ ଅନ୍ଧାରରେ ବାଡ଼ି ବୁଲାଉଛନ୍ତି ତା ନହେଲେ, ଦୁରଭିସନ୍ଧି ରଖି ଏପରି ଆଚରଣ କରୁଛନ୍ତି। ଏହି ଅଭିସନ୍ଧି ହେଲା, ଭାଷା ଆଇନର ଉଲ୍ଲଂଘନ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ପାଇଁ ଆଇନ ପ୍ରଣୟନ କରିବାକୁ ସାରା ଓଡ଼ିଆ ଜାତି ଏବେ ଯେଉଁ ଦାବି ସପକ୍ଷରେ ଠିଆ, ସେହି ଦାବି ଉପରେ ବିଭ୍ରାନ୍ତିର ଆଭରଣ ସୃଷ୍ଟି କରିବା।   ଆନନ୍ଦର କଥା, ଏହି ଅଭିସନ୍ଧିକୁ ଓଡ଼ିଶାର ଜନସାଧାରଣ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି ଭାଷା ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ଭାଷା ଆନ୍ଦୋଳନ ପ୍ରତି ସମର୍ଥନର ଯେଉଁ ସ୍ରୋତ ପରିଦୃଶ୍ୟମାନ, ତହିଁରୁ ଗୋଟିକରେ କୁହାହୋଇଛି, ‘ଶକୁନି ସବୁଠାରେ ରହିବେ, ତଥାପି ଜୟ ହେବ’ (ବିଜୟରାମ ସେନାପତି); ଅନ୍ୟ ଗୋଟିକରେ କୁହାହୋଇଛି, ‘ଭାଷା ଆନ୍ଦୋଳନ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ପ୍ରତ୍ୟେକ ଓଡ଼ିଆ ଏହାର ଗୁରୁତ୍ୱ ଅବଗତ ହେବା ଉଚିତ’ (ଜୟନ୍ତ କୁମାର ଦାସ, ସୂଚନା ଅଧିକାର ଦିଗ‌୍‍ଗଜ)। ବିଶିଷ୍ଟ କବି ଉମାକାନ୍ତ ରାଉତ (ଅରୂପ) ଲେଖିଛନ୍ତି, ‘ଆରେ ବେଇମାନ ଶିଖି ମନାଇବ ଦଳ / କଳିପାରୁ ନାହଁ ତମରି ଛାତିରେ ଚଢ଼ି ଚାଲୁଥିବା କଳା ପତାକାର ବଳ ?’ ସେ ପୁନଶ୍ଚ ଲେଖିଛନ୍ତି,  ‘ଆମରି ଭାଷାରେ ଆମରି ଶାସନ ଆମ ନାଯ୍ୟ ଅଧିକାର / ଆମ ମାତୃଭାଷା ରକ୍ଷା ପାଇଁ ହାତେ କାଳିଆ ପତାକା ଧର // ଭାଷାହନ୍ତାଙ୍କୁ ସାବାଡ଼ କରିବ କାଳିଆବାହିନୀ ଦଳ / ସେ ପତାକା ଧରି ଆସ ହେ ଗାଇବା ଜୟ ଜୟ ଉତ୍କଳ’।  ବିଖ୍ୟାତ ସାହିତ୍ୟିକ ଓ ସାମ୍ୱାଦିକ ଶ୍ରୀ ଅସିତ ମହାନ୍ତି ଲେଖିଛନ୍ତି ‘ଓଡ଼ିଆ ପ୍ରାଣ ନବକୃଷ୍ଣ ଚୌଧୁରୀ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରବଳ ଇଚ୍ଛାଶକ୍ତି ଓ ଉଦ୍ୟମ ସତ୍ତ୍ୱେ ଯାହା ହୋଇପାରି ନାହିଁ, ଓଡ଼ିଆ ବିରୋଧୀ ନବୀନଙ୍କ ଶାସନରେ, ବିନା ଦଣ୍ଡବିଧାନରେ ଯେ ତାହା ହୋଇଯିବ, ଏହା ଏକ ଆକାଶ କୁସୁମ ମାତ୍ର। ବିଜୁବାବୁ ଦୁଇ ଦୁଇ ଥର ଓଡ଼ିଆ ଭାଷାକୁ ରାଣୀରୁ ଦାସୀ କରିଥିଲେ। ତାଙ୍କ ଶତବାର୍ଷିକୀ ବର୍ଷରେ ନବୀନ ବାବୁ ତାହାକୁ ଅନ୍ତତଃ ‘ମିଛ ରାଣୀ ସତ ଦାସୀ’ କରିବା ଖେଳରୁ ନିବୃତ୍ତ ରହନ୍ତୁ। ଭାଷା ଆଇନ ଉଲ୍ଲଂଘନକାରୀଙ୍କ ପ୍ରତି ଦଣ୍ଡ ବିଧାନର ବ୍ୟବସ୍ଥା କରି ବିଜୁ ବାବୁଙ୍କର ଦୁଇ ଦୁଇ ଥରର ଭୁଲ‌୍‍ର ସଂଶୋଧନ କରନ୍ତୁ।’ (ସମ୍ୱାଦ ଅଗଷ୍ଟ ୨୬, ୨୦୧୬) ସରକାରୀ ଭାଷା ମୁଷ୍ଟିକମାନେ ଏଥିରୁ ଶିକ୍ଷାଲାଭ କରିବେ ବୋଲି ଆଶା କରାଯାଇପାରେ।

Share :