ରବି କାନୁନ୍ଗୋ I think God, in creating man, somewhat overestimated his ability.- Oscar Wild ନାମ ଭଜନ ସଂକୀର୍ତ୍ତନ - ବ୍ୟସନ ରୋଦନ ସେବନ। ଏତିକି ହେଲା ଭଗବାନ ଏବଂ ଭାଷା - ଏ ଦୁଇଟିଯାକର ସାରତତ୍ତ୍ବ- ଏକାପରି ଭିଟାମିନ୍ ଓ ଏକାପରି ପଏଜନ୍। ପ୍ରଥମ ବର୍ଗର ଅାଇଟମଗୁଡ଼ିକ ଠାକୁର ଠାକୁରାଣୀଙ୍କ ପାଖରେ ଯେତେ ଅଧିକ ପରିମାଣରେ ମିଳେ, ସେମାନଙ୍କ ମହିମା ସେତେ ଅଧିକ ବଢ଼ୁଥାଏ। ଦ୍ବିତୀୟ ବର୍ଗ ଶବ୍ଦଚୟ ସବୁ ସେଠି ମିଳନ୍ତି। ମାତ୍ର ଭିଟାମିନ୍ ବା କୀଟନାଶକ ପରି ଭକ୍ତ ପାଇଁ ଯଦି କିଛି ବ୍ୟସନର ଇଚ୍ଛା ନ ଥାଏ, ରୋଦନର ଅବସ୍ଥା ନ ଉପୁଜେ ସେ କାହିଁକି ଠାକୁରଙ୍କ ପାଖକୁ ଯିବ ବା କଲ୍ୟାଣ-ପ୍ରସାଦ ସେବନ କରିବାକୁ ହୁକୁହୁକୁ ହେବ ଯେ? ତେଣୁ ଭାବିବା ସହଜ ଲାଗେ ଯେ ସେଗୁଡ଼ିକ ଯେତେ ଅଧିକ ମିଳନ୍ତି, ଠାକୁରମାନେ ସେତେ ପ୍ରଭାମୟ ହୋଇ ପାରନ୍ତି। ଭଗବାନଙ୍କ ସଂପର୍କରେ ଅାମର ଜ୍ଞାନ କି ଧାରଣା କିଛି ନାହିଁ - ଯାହା ବାହ୍ୟ-ଜ୍ଞାନ ଦି’ ଧାଡ଼ି ଥିବ, ଉପରେ କହିଚୁ। ଭାଷା ବିଷୟରେ କିଛି କହିପାରିବୁ, କାରଣ ଛୁଅାଦିନୁଁ ୟା’କୁ ଛୁଇଁ ଛୁଇଁ ବଞ୍ଚିଚୁ ଏବଂ ବଢ଼ିଚୁ। ବୋଉକୁ ଜର ହେଲେ ନିଜକୁ ଯେମିତି ଲାଗେ - ସେହିପରି ଅାତ୍ମୀୟତା ସହିତ ଭାଷାର। ନରଖର ଓ ବିଡ଼ମ୍ବନା ଅନୁଭବ କରିଛୁ। ଏ ଅଭିଜ୍ଞତା ସାର୍ ପଢ଼େଇବା ପାଠରେ ମିଳିବା ସମ୍ଭବ ନୁହେଁ। କାରଣ ଏଇ ମାଟିରେ ଅଣ-ଓଡ଼ିଆଙ୍କ ତାତ୍ସଲ୍ୟ ଶୁଣି ଅାମେ ବଢ଼ିଚୁ। ସେତେବେଳେ ପ୍ରତିବାଦ କରିବା ଜୁ ନଥିଲା। ଏବେ ସେ ଅବସ୍ଥାର ଖାସ୍ କିଛି ପରିବର୍ତ୍ତନ ହୋଇନି। ପାଖରେ ନିଜ ଭାଷାର ପରିଚୟ ନଥିଲେ ହୁଏତ କେଉଁଠି ଲୀନ ହୋଇ ଯାଇଥାନ୍ତୁ। ଏବେ ଭାବୁଚି, ନିଜେ ବଞ୍ଚିଚି - ଏହା ପ୍ରମାଣ କରେ ଯେ ସାଙ୍ଗରେ ମୋ ମାତୃଭାଷା ବି ବଞ୍ଚିଚି। ଏହା ମୋ ପାଇଁ ଅବସାଦ ନୁହେଁ; ଗୌରବ ନୁହେଁ ବା ସେବା ବି ନୁହେଁ। ଅାଗକୁ ‘ଭାରତ’ କ’ଣ ଓ କିପରି ହେବ ଏ କଳ୍ପନାର ବ୍ଲୁ-ପ୍ରିଣ୍ଟ୍ ଯେତେବେଳେ ତିଅାରି ହୋଇ ନଥିଲା, ସେତେବେଳେ ସ୍ବର ଉଠିଲା- ଭାଷା ଚିହ୍ନଟରେ ଓଡ଼ିଶା ତିଅାରି ହେଉ। ଉନ୍ନବିଂଶ ଶତାବ୍ଦୀ ଲେଖକ ଜି.କେ. ଚେଷ୍ଟରଟନ ଶବ୍ଦ ପ୍ରୟୋଗର ବିପତ୍ତି ବିଷୟରେ କହିଛନ୍ତି। ‘ଜଣେ ଯଦି ନିଜ ମା’କୁ ପାଞ୍ଚ ଶହ ଗଜ ଦୂରରୁ ଗୋଟିଏ ଗୁଳିରେ ମାରି ପାରିଲା ସେ ଜଣେ ଭଲ ଶିକାରୀ ହୋଇପାରେ - ହେଲେ ମାତ୍ର ଭଲ ମଣିଷ ହୋଇ ପାରିବନି। ଏଠି ‘ଭଲ’ ଶବ୍ଦର ଦୋଷ କ’ଣ?’ ‘ମାତୃଭାଷା’ ସେମିତି ଏକ ଶବ୍ଦ। କୁଳ-ସଣ୍ଠଣା, ଧର୍ମ ଓ ଜାତି ପରି ଏହା ବି ସ୍ପର୍ଶକାତର। ନିରପେକ୍ଷତା ଏବଂ ସାଧୁତା ସହ ଶବ୍ଦ ଅପେକ୍ଷା ଅର୍ଥ ବୁଝିବାକୁ ପ୍ରାର୍ଥନା। ବିଦ୍ୟାଳୟ ପାଠ୍ୟ ଖସଡ଼ାରେ ଯାହାକୁ ‘ମାତୃଭାଷା’ ବୋଲି କୁହାଯାଏ - ତାହା ସତରେ କାହା ‘ଭାଷା’ ଅାମେ ଜାଣିନୁ ସବୁ ଭୋଦୁଅ ରବିବାର ଢିଙ୍କିକି ଭାଲୁକୁଣୀ କହି ଦଣ୍ଡବତ କରୁଛୁ ଯେ କରୁଛୁ! ସ୍କୁଲରେ ଯେଉଁ ଶବ୍ଦର ପାଠ ନାଁ- ଏମ.ଅାଇ.ଏଲ୍. (ମଡର୍ଣ୍ଣ ଇଣ୍ଡିଅାନ୍ ଲାଙ୍ଗୁଏଜ୍) ବୋଲି ଶୁଣିଥିଲୁ ଏବେ ତା’ରି ସରକାରୀ ନାଁ ହେଲା - ମାତୃଭାଷା! ଅାମ ବିଶ୍ବାସରେ, ଅାଧୁନିକ ଓଡ଼ିଆ ଅସ୍ମିତାର ପ୍ରଥମ ପରିଚୟ ଜଗନ୍ନାଥ ଓ ଦ୍ବିତୀୟ ଭାଷା, ଖାରବେଳ ନୁହନ୍ତି କି ବୁଦ୍ଧଦେବ ନୁହନ୍ତି। ଭୂମିର ଇତିହାସ ଓ ଭାଷାର ଇତିହାସ ଭିତରେ ଥିବା ତାରତମ୍ୟ ନବୁଝିଲେ ଯେ ଏମିତି ହୁଏ, ଏଥିରେ ସନ୍ଦେହ ନାହିଁ। ଏହି ପରିପ୍ରେକ୍ଷୀରେ କେତୋଟି ଉଦାହରଣ ଶୁଣିବା। ଦିନେ ଇଂଲିଶ ହାକିମ ମଧୁବାବୁଙ୍କୁ ପଚାରିଲେ (୧୯୨୮), ‘ଯଦି ମହାରାଣୀଙ୍କ ସରକାର ସ୍ବତନ୍ତ୍ର ପ୍ରଭିନ୍ସ ପାଇଁ ହଁ କରନ୍ତି ତା’ହେଲେ କେଉଁ ଅଞ୍ଚଳର ନାଁ ‘ଓଡ଼ିଶା’ ହେବ?’ ତାଙ୍କ ଉତ୍ତର ଥିଲା - ଯେଉଁଠି ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’, ଜଗନ୍ନାଥ ଦାସଙ୍କ ‘ଭାଗବତ’ ପଢ଼ା ହୁଏ ଓ ଯେଉଁଠି ଜଗନ୍ନାଥଙ୍କ ମାହାର୍ଦ୍ଦ ପୂଜା ହୁଏ ସେ ଭୂଇଁର ନାଁ ଓଡ଼ିଶା। ସତକୁ ସତ, ସେଇଠୁ ଭୂଗୋଳ ଓ ସାଧାରଣଜ୍ଞାନ ଓଲଟ ପାଲଟ ହୋଇଗଲା। ମଧୁବାବୁ ଠିକ୍ କହିଥିଲେ। ସେଦିନ ନଥିବା ଓଡ଼ିଶା ବାନ୍ଧି ହୋଇ ରହିଥିଲା ଭାଷାର ଫାନ୍ଦରେ। ସେତେବେଳେ ସାକ୍ଷରତା କଥା ପଚାରେ କିଏ? ପାଠୁଅାଙ୍କ ସଂଖ୍ୟା କେତେ ବା ଥିଲା? ଏବେ ସେ ଭାଷାର ମାନେ ହେଲା – ୧. ରାଜ୍ୟର ପାଠୁଅା ଲୋକେ ଯେଉଁ ଭାଷା ଅାବଶ୍ୟକ ମାତ୍ରାରେ ବ୍ୟବହାର ନକରୁଥିବାରୁ ଅାମେ କହୁ- ‘ମାତୃଭାଷା’ ମରିଗଲା, ତାହା ହେଉଛି ଓଡ଼ିଆ। ୨. ମା’ ବୁଝିବାକୁ ସୁଗମ ହେବ ବୋଲି ଜଗନ୍ନାଥ ଦାସ ଯେଉଁ ଭାଷାରେ ଭାଗବତ ଲେଖିଥିଲେ, ତାହା ଥିଲା ଓଡ଼ିଆ। ୩. ସ୍ବତନ୍ତ୍ର ରାଜ୍ୟ ନିର୍ମାଣର ଅଶୀ ବର୍ଷ ପରେ ଏବେ ଯେଉଁ ଭାଷା ‘ସରକାରୀ’ ହେଉ ବୋଲି ‘ଭାଷା ଅାନ୍ଦୋଳନ, ଓଡ଼ିଶା’ ପକ୍ଷରୁ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅଶୀ ଦିନ ହେଲା ରାଜଧାନୀର ରାଜପଥରେ ଯେଉଁ କଳାପତାକା ଅାନ୍ଦୋଳନ ଚାଲୁଚି, ତାହା ବି ଓଡ଼ିଆ। ୪. କେହି ଗୁହାରି କରି ନଥିଲେ, ମାତ୍ର ଅାମ ରାଜ୍ୟ ସରକାର ଓ ଏକ ରାଜନୈତିକ ଦଳ ନିଜ ନିଜ ବାହାଦୁରି ମପେଇହେବାକୁ ଯେଉଁ ଭାଷା ପାଇଁ ‘ଶାସ୍ତ୍ରୀୟ ମାନ୍ୟତା’ ନାମକ ଗୋଟିଏ ମାଲ୍ଦାର ମେଡାଲ୍ ଅାଣିଛନ୍ତି ବୋଲି କୁହାଟ ଛାଡ଼ୁଛନ୍ତି, ତା’ ନାଁ ଓଡ଼ିଆ। ୫. ଓଡ଼ିଶାର ଲୋକେ ଯେଉଁ ଭାଷାକୁ ଘୃଣା କରନ୍ତି ଓ ଘରର ନିମନ୍ତ୍ରଣପତ୍ର ବି ଛାପନ୍ତିନି, ତା’ ନାଁ ବି ଓଡ଼ିଆ।