ଗିରିଜା କୁମାର ବଳୀୟାରସିଂହ ଅକ୍ଷରର ଆଷାଢ଼ରେ, ଅବାରିତ ଶବ୍ଦର ଶ୍ରାବଣେ ତୁମକୁ ତିଂତାଉଥିବି ତିଳୋତ୍ତମା, ତିଳରୁ ତ୍ରିକାଳ... ମୋ ତୃଷ୍ଣାର ତାରାସବୁ ତୋଳୁଥିବି ତୁମ ତାଳବଣେ ସୁନ୍ଥାରେ ସଜାଉଥାଅ- ମୋ ରକ୍ତର ରଙ୍ଗୀନ ସକାଳ! ସମୟର ସେପାରିରୁ ତୁମେ ଆସ ସ୍ୱରବର୍ଣ୍ଣ ସାଜି ବ୍ୟଞ୍ଜନବର୍ଣ୍ଣର ବ୍ୟଥା ଭୁଲିଯାଉ-ଏ ଜନ୍ମର ପ୍ରେତ... ଭାଷାତୀତ ଭାଦ୍ରବରେ, ଆଶାତୀତ ଆଶ୍ୱିନରେ ଆଜି ମୋ ମୋକ୍ଷର ମହାନଦୀ... ଆସ ଡେଇଁ ବିପଦସଂକେତ! ତୁମର ଆବର୍ତ୍ତ ହେଉ ଆଦିଗନ୍ତ ଆଲିଙ୍ଗନଟିଏ ଭାସିଯାଉ ଭୟଭ୍ରାନ୍ତି ଭୂତପୂର୍ବ ଭଲ ପାଇବାର... ତୁମେ ଯଦି ଇଚ୍ଛା କର, ତୁମକୁ ବା ବାନ୍ଧିପାରେ କିଏ? ଓଠେ ମୋ ଓହ୍ଲାଇଆସ ଓତପ୍ରୋତ ଓଜଃର ଓଁକାର! ମହୋଦଧି ମନେ ମୋର ମିଶିଯାଅ, ମହାନଦୀ ଢେଉ! ପ୍ରେମର ଏ ପ୍ରଳୟରେ ବିଶ୍ୱାସ ହିଁ ବଟପତ୍ର ହେଉ!!