କପା କୀଟଗ୍ରସ୍ତ, ଚିନ୍ତାରେ ଚାଷୀ

କପା କୀଟଗ୍ରସ୍ତ, ଚିନ୍ତାରେ ଚାଷୀ

Share :

  ୨୦୧୫ ବର୍ଷ କଳାହାଣ୍ଡି ଜିଲ୍ଲାରେ ମରୁଡି ଯୋଗୁଁ କପା ଚାଷୀ ବେହାଲ ହୋଇପଡିଥିବା ବେଳେ ଏବେ ରୋଗ ପୋକ ଯୋଗୁଁ ବ୍ୟୟବହୁଳ କପା ଚାଷ ସଙ୍କଟରେ ପଡିଯାଇଛି। ଫଳରେ ଚାଷୀ ଉତ୍ପାଦନ ହ୍ରାସ ନେଇ ଚିନ୍ତିତ ହୋଇପଡିଛି।   ପ୍ରଥମେ ବିଳମ୍ୱିତ ବର୍ଷା ଯୋଗୁଁ କପା ଚାଷୀ ଦୁଇ ଥର କପା ମଞ୍ଜି ଲଗାଇ ଖର୍ଚ୍ଚାନ୍ତ ହୋଇଥିଲା। ଏବେ ଲଗାଣ ବର୍ଷା ଯୋଗୁଁ କପାରେ ରୋଗପୋକ ଲାଗିଲାଣି। କପା ବଲ‌୍‍ ବାହାରିଲା ବେଳକୁ ପ୍ରବଳ ରୋଗ ପୋକ ହେଉଥିବା ଯୋଗୁଁ ଚାଷୀ ଔଷଧ ଛିଂଚି ଛିଂଚି ନୟାନ୍ତ ହେଲାଣି। ତଥାପି ଚାଷର ଅବସ୍ଥା ସୁଧୁରୁନି।   ଧଳା ସୁନାର ଜିଲ୍ଲା ଭାବେ କଳାହାଣ୍ଡି ପରିଚିତ। ହେଲେ ଗତ ଦୁଇ ତିନି ବର୍ଷ ହେଲା କଳାହାଣ୍ଡିର କପା ଚାଷୀ ସଙ୍କଟରେ ପଡିଯାଇଛି। ଜିଲ୍ଲାରେ ୫୩ ହଜାର ହେକ୍ଟରରେ କପା ଚାଷ ହୋଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ କପା ଗଛରେ କୀଟ ଲାଗି ଉତ୍ପାଦନ ହ୍ରାସ ହେବାକୁ ବସିଲାଣି। ଚାଷୀ ରୋଗ ପୋକ ଦାଉରୁ ରକ୍ଷା ପାଇବା ପାଇଁ ଔଷଧ ଛିଞ୍ଚିଲେ ବି କାମ କରୁନଥିବାରୁ ଚାଷୀର ଅବସ୍ଥା ବେହାଲ ହୋଇପଡିଛି।   ଗତ ବର୍ଷ ମରୁଡି ଯୋଗୁଁ ଏ ବର୍ଷ କପା ଚାଷ କୁ ଅଧିକ ଗୁରୁତ୍ୟ ଦିଆଯାଇ ୫୫ ହଜାର ହେକ୍ଟର ଜମିରେ କପା ଚାଷ ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ୫୩ ହଜାର ହେକ୍ଟର ଚାଷ ଜମିରେ ଚାଷ ହୋଇଥିଲା।   କପା ଚାଷର ନଷ୍ଟ ନେଇ ଚାଷୀ ଚିନ୍ତିତ ହୋଇ ପଡିଛି। କପା ଚାଷରେ ହେକ୍ଟରକୁ ତିନି ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ରୋଗ ପୋକ ଲାଗି ହେକ୍ଟର ପିଛା ଆହୁରି ହଜାରେ ଟଙ୍କା ଖର୍ଚ୍ଚ ହେଉଛି। ଏମିତିକି କୃଷି ବିଭାଗର ଔଷଧ ଛିଞ୍ଚିଲେ ମଧ୍ୟ ରୋଗ ନିୟନ୍ତ୍ରଣ ହେଉନାହି। ଫଳରେ ସଙ୍କଟରେ ପଡିଯାଇଛି କଳାହାଣ୍ଡିର ଧଳାସୁନା।   କୃଷି ବିଭାଗ କୌଣସି କୀଟନାଶକ ଦିଏ ନାହିଁ। ସରକାରର ମାନ ହିସାବରେ ଚାଷୀମାନେ ବଜାରରୁ କୀଟନାଶକ କିଣନ୍ତି। ବର୍ଷା ଅଭାବ ଯୋଗୁଁ କପା ଚାଷ ପ୍ରଭାବିତ ହୋଇଥିବା ସ୍ୱୀକାର କରିଛନ୍ତି କପା ବିଶେଷଜ୍ଞ ନାରାୟଣ ଉପାଧ୍ୟୟ।   କଳାହାଣ୍ଡିର ଧଳାସୁନା ଚାଷୀର ସମସ୍ୟା ପ୍ରତି ଗୁରୁତ୍ବ ଦିଆଯାଇ ସମାଧାନ କରାଯିବା ପାଇଁ ଦାବି ଜୋର ଧରିଛି।

Share :