ଶାସନ ବୁଝୁ ଲୋକଙ୍କ ଆଶା, ଆକାଂକ୍ଷା

ଶାସନ ବୁଝୁ ଲୋକଙ୍କ ଆଶା, ଆକାଂକ୍ଷା

Share :

ନିକଟରେ ଶେଷ ହୋଇଥିବା ଓଡିଶା ବିକାଶ କନକ୍ଲେଭର ସଫଳତା ପରେ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ଓ ଆଂଚଳିକ ସ୍ତରରେ ବିକାଶ କନକ୍ଲେଭ ମାନ ଆୟୋଜନ କରିବା ପାଇଁ ଯୋଜନା କରାଯାଉଥିବା ଏହି କନକ୍ଲେଭର ମୁଖ୍ୟ ଆୟୋଜକ ତଥା ସିୱାଇଏସଡିର ମାର୍ଗଦର୍ଶକ ଜଗଦାନନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।   ସେ କହିଛନ୍ତି ଯେ ରାଜ୍ୟର ତୃଣମୂଳ ସ୍ତରରେ ଲୋକମାନଙ୍କର ଆଶା, ଆକାଂକ୍ଷା, ସୁବିଧା, ଅସୁବିଧା, ବ୍ୟବସ୍ଥାକୁ ପ୍ରଶଂସା ବା ସମାଲୋଚନା ଏହାର  ପ୍ରକୃତ ଚିତ୍ର ତୃଣମୂଳ ସ୍ତରର ଲୋକମାନଙ୍କର ସହଭାଗିତା ବିନା ସମ୍ଭବ ନୁହେଁ।   ଜିଲ୍ଲା ଓ ଆଂଚଳିକ ସ୍ତରର ବିକାଶ କନକ୍ଲେଭଗୁଡିକ ତୃଣମୂଳ ସ୍ତରରେ ଯୋଜନାର ସଫଳତା, ବିଫଳତା ତଥା ଉପଯୁକ୍ତ କ୍ରିୟାନ୍ୱୟନ ସାମନାରେ ଥିବା ଆହ୍ୱାନ ଓ ଏହାର ସମାଧାନର ଦିଗ ଉପରେ ଯୋଜନା ଯେଉଁ ମାନଙ୍କ ପାଇଁ ଉଦ୍ଦିଷ୍ଟ ସେମାନଙ୍କର ଅନୁଭବ ଓ ମତକୁ ଏପରି କାର୍ଯ୍ୟକ୍ରମ ପରିପ୍ରକାଶ କରି ସମାଧାନର ରାସ୍ତା କାଢିବାରେ ସହାୟକ ହେବ ବୋଲି ଜଗଦାନନ୍ଦ କହିଛନ୍ତି।   ଗତ କିଛି ବର୍ଷ ଧରି ଅର୍ଥନୈତିକ ଅଭିବୃଦ୍ଧି ହାର ବଢିବା ସହ ସରକାର ମାନଙ୍କର ବଜେଟ ଆକାର ମଧ୍ୟ ବହୁ ବଡ ହୋଇଛି। ନୂଆ ନୂଆ ଯୋଜନା ତିଆରି ହୋଇଛି। ଏହା ସହ ଦୁର୍ନୀତିର ମାତ୍ରା ମଧ୍ୟ ବଢିଛି। ବିକାଶ ସିଡିର ଶେଷ ପାହାଚରେ ଥିବା ବ୍ୟକ୍ତିଟି ପାଖରେ ଯୋଜନାର ସୁଫଳ ପହଂଚାଇବା ଏକ ବଡ ଆହ୍ୱାନର ରୂପ ନେଇଛି।   ଏହି ପରିପ୍ରେକ୍ଷୀରେ ତୃଣମୂଳ ସ୍ତରରେ ଲୋକମାନେ ହିଁ ବ୍ୟବସ୍ଥାର ଉତ୍ତରଦାୟିତ୍ୱ ସୁନିଶ୍ଚିତ କରି ପାରିବେ। ସେଥିପାଇଁ ସାଧାରଣ ଲୋକମାନଙ୍କୁ ବିକାଶର ଅଙ୍ଗ ଭାବରେ ସେମାନଙ୍କର ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରାଯିବ ବୋଲି ଜଗଦାନନ୍ଦ କହିଛନ୍ତି।   ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡିଶା ବିକାଶ କନକ୍ଲେଭ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନୀତି ଆୟୋଗର ଉପାଧ୍ୟକ୍ଷ ଡ. ଅରବିନ୍ଦ ପାନାଗାରିଆଙ୍କ ସମେତ କେନ୍ଦ୍ର ଓ ରାଜ୍ୟର ମନ୍ତ୍ରୀ, ଓଡିଶା ତଥା ଓଡିଶା ବାହାରୁ ପ୍ରଶାସକ, ବିଶେଷଜ୍ଞ, ସାମାଜିକ କାର୍ଯ୍ୟକର୍ତ୍ତା ଓ କର୍ପୋରେଟ ସେକ୍ଟର ପ୍ରତିନିଧି ଯୋଗ ଦେଇଥିଲେ। ୧୧ଟି ବିଭିନ୍ନ ସ୍ଥାନରେ ବିକାଶର ପ୍ରମୁଖ ବିଷୟକୁ ନେଇ ଚର୍ଚା ଆଲୋଚନା କରାଯିବା ପରେ ଏହି ପ୍ରସଙ୍ଗ ଗୁଡିକରେ ସରକାରଙ୍କ ପାଇଁ ସୁପାରିଶ ପ୍ରସ୍ତୁତ କରାଯାଇଥିଲା। ରାଜ୍ୟର ଦୂରଦୂରାନ୍ତରୁ ଆସିଥିବା ଏବଂ ତୃଣମୂଳ ତଥା ଦୁର୍ଗମ ଅଂଚଳରେ କାର୍ଯ୍ୟରତ ସାମାଜିକ କର୍ମୀମାନଙ୍କୁ ସେମାନଙ୍କର ସକ୍ରିୟ ଯୋଗଦାନ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି।

Share :