ଏମଫିଲ୍ ଛାତ୍ର ମୃତ୍ୟୁ- ଦୁର୍ଘଟଣା ନା ହତ୍ୟା?

ଏମଫିଲ୍ ଛାତ୍ର ମୃତ୍ୟୁ- ଦୁର୍ଘଟଣା ନା ହତ୍ୟା?

Share :

  ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏମ‌୍‍ଫିଲ‌୍‍ ଛାତ୍ର ମୃତ୍ୟୁ ଘଟଣା ରହସ୍ୟ ମଧ୍ୟରେ ରହିଛି। ସେପ୍ଟେମ୍ବର ୨୦ ତାରିଖ ମଙ୍ଗଳବାର ରାତିରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗରେ ଏମ‌୍‍ଫିଲ‌୍‍ ଛାତ୍ର କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ପରମାନନ୍ଦ ବେହେରାଙ୍କ ପୁଅ ନୀଳକଣ୍ଠ ବେହେରା  ବିଶ୍ୱବିଦ୍ୟାଳୟର ବାହୁଦା ହଷ୍ଟେଲ‌୍‍ର ୩ ମହଲା ଛାତ ଉପରୁ ପଡ଼ି ମୃତ୍ୟୁ ବରଣ କରିଥିବା ସୂଚନା ମିଳିଥିଲେ ସୁଦ୍ଧା ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବୀ କରିଛନ୍ତି। ଛାତ୍ର ଜଣକ ଅତି ଭଲ ଏବଂ ସରଳ ସ୍ୱଭାବର ଓ ସମସ୍ତଙ୍କ ପ୍ରିୟ ଥିଲେ ବୋଲି ବୋଲି ସାଥୀ ଛାତ୍ରଛାତ୍ରୀମାନଙ୍କ ଠାରୁ ଶୁଣିବାକୁ ମିଳୁଛି।   ଇଂରାଜୀ ବିଭାଗୀୟ ମୁଖ୍ୟ ଡ଼ଃ ସ୍ମ୍ମୃତି ଦାସଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ସେ ୩ ମହଲା ଉପରେ ଛାତ ପାଚେରୀ ଉପରେ ବସି ଫୋନ‌୍‍ରେ କଥାବାର୍ତ୍ତା କରିବା ସମୟରେ ଛାତରୁ ଖସିପଡ଼ିଥିଲେ। ସେ ଅତି ଭଲ ଛାତ୍ର ହୋଇଥିବା ବେଳେ ଭଲ ପାଠ ମଧ୍ୟ ପଢ଼ୁଥିଲେ। ସେହିଭଳି ସେ କୌଣସି ଛାତ୍ର ରାଜନୀତିରେ ମଧ୍ୟ ସଂପୃକ୍ତ ନଥିଲେ। ତେବେ ଛାତ୍ର ଜଣକ ୩ ମହଲା ଛାତରୁ ଖସିପଡ଼ିବା କୁହାଯାଇଥିଲେ ସୁଦ୍ଧା ଛାତ୍ରର କେବଳ ନାକରୁ ରକ୍ତ ବାହାରୁ ଥିବା ବେଳେ କପାଳରେ ସାମାନ୍ୟ ଆଘାତ ଲାଗିଛି। କିନ୍ତୁ ଶରୀରର ଅନ୍ୟ କୌଣସି ସ୍ଥାନରେ ବଡ଼ ଧରଣର ଆଘାତ ଲାଗିବା ଦେଖିବାକୁ ମିଳିନାହିଁ। ଯାହାକି ଏହି ଦାବିକୁ ସନ୍ଦେହ ଘେରକୁ ଟାଣି ନେଇଛି।   ସେ ଜଣେ ଭଲଛାତ୍ର ଭାବେ ସମସ୍ତଙ୍କ ପ୍ରିୟ ଥିଲେ। ବିଶେଷ କରି ଛାତ୍ରୀମାନେ ତାଙ୍କୁ ପସନ୍ଦ କରୁଥିବା ଶୁଣିବାକୁ ମିଳୁଛି। ତେଣୁ ଏହା କୌଣସି ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି। ବାୟୁସେନାରେ ଯନ୍ତ୍ରୀ ଭାବେ କାମ କରୁଥିବା ମୃତ ନୀଳକଣ୍ଠଙ୍କ ଭାଇ ରାମକୃଷ୍ଣ ବେହେରାଙ୍କ କହିବାନୁଯାୟୀ ନୀଳକଣ୍ଠ ରବିବାର ଭୁବନେଶ୍ୱର ଯାଇଥିବା ବେଳେ ସୋମବାର ଫେରିଥିଲେ। ମଙ୍ଗଳବାର ସକାଳେ ଏବଂ ସନ୍ଧ୍ୟାରେ ଭାଇ ସହ କଥାବାର୍ତ୍ତା ମଧ୍ୟ ହୋଇଥିବା ସେ ସୂଚନା ଦେଇଥିଲେ। ନୀଳକଣ୍ଠ ସନ୍ଧ୍ୟା ସାଢ଼େ ୮ ଘଣ୍ଟା ସମୟ ପର୍ଯ୍ୟନ୍ତ ରୁମ‌୍‍ରେ ଥିବା ବେଳେ ପରିବା କାଟିବା ସମୟରେ ଏକ ଫୋନ‌୍‍କଲ‌୍‍ ଆସିବାରୁ ସେ ବାହାରକୁ ଯାଇଥିଲେ। ଏହାପରେ ସେ ରୁମ‌୍‍କୁ ଫେରି ନଥଲେ। କିନ୍ତୁ କେହି ତାଙ୍କୁ ଖୋଜି ନଥିବା ଜଣାପଡ଼ିଛି।   ସେହିଭଳି ଶରୀରରେ କୌଣସି ଗୁରୁତର ଆଘାତ ନଥିବାରୁ କେହି ଫୋନ୍‌ କରି ଡାକି ନେଇ ହଷ୍ଟେଲ‌୍‍ ତଳେ ହିଁ ହତ୍ୟାକରି ପକାଇଥିବା ମଧ୍ୟ ସନ୍ଦେହ ଘେରକୁ ଯାଉଛି। ତେବେ ନୀଳକଣ୍ଠଙ୍କ ମୋବାଇଲ‌୍‍ରୁ ଶେଷ ଫୋନ‌୍‍ କାହା ନମ୍ୱରରୁ ଆସିଥିଲା ଏବଂ କେଉଁ ଉଦ୍ଦେଶ୍ୟରେ ଆସିଥିଲା ତାହା ପୋଲିସ‌୍‍ ତଦନ୍ତ ପରିସରଭୂକ୍ତ କଲେ ପ୍ରକୃତ ସତ୍ୟ ପଦାକୁ ଆସିବ।   ନୀଳକଣ୍ଠଙ୍କ ପାଇଁ ହଷ୍ଟେଲ‌୍‍ ରୁମ‌୍‍ ଆଲଟ‌୍‍ମେଣ୍ଟ ହୋଇନଥିବା ବେଳେ ସେ ହଷ୍ଟେଲ‌୍‍ରେ ରହୁଥିଲେ। କିନ୍ତୁ ଇଂରାଜୀ ବିଭାଗ ମୁଖ୍ୟ ଡ଼ଃ ସ୍ମ୍ମୃତି ଦାସ ଏହାକୁ ଅସ୍ବୀକାର କରିବା ସହ ସେ ହଷ୍ଟେଲ‌୍‍ରେ ରହୁନଥିଲା ବରଂ ସାଥୀମାନଙ୍କ ସହ ପାଠ ପଢ଼ିବା ପାଇଁ ଯାଇଥିଲା ବୋଲି କହିଥିଲେ। କିନ୍ତୁ ନୀଳକଣ୍ଠ ହଷ୍ଟେଲ‌୍‍ରେ ରହୁଥିବା ତାଙ୍କ ଭାଇ ସୂଚନା ଦେଇଥିଲେ। ତେଣୁ ସେ କିଭଳି ହଷ୍ଟେଲ‌୍‍ରେ ରହୁଥିଲେ ତାହାର ତଦନ୍ତ ହେବ ବୋଲି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର‌୍‍ ରାଜେନ୍ଦ୍ର ପ୍ରସାଦ ଦାଶ ସୂଚନା ଦେଇଥିଲେ।   ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଷ୍ଟମର୍ଟମ‌୍‍ ରିପୋର୍ଟ ପାଇଁ ଅପେକ୍ଷା କରିଛି ଗୋପାଳପୁର ପୋଲିସ‌୍‍। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ହଷ୍ଟେଲ‌୍‍ରେ ଜଣେ ଛାତ୍ରୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ଏ ସଂପର୍କରେ କେସ‌୍‍ ନଂ ୧୩/୧୬ ରେ ଏକ ଅପମୃତ୍ୟୁ ମାମଲା ରହିଛି।

Share :