ଶାସକ ଦଳର ସାରଥୀ ସାଜିଛି ପୋଲିସ‌୍‍!

ଶାସକ ଦଳର ସାରଥୀ ସାଜିଛି ପୋଲିସ‌୍‍!

Share :

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବର୍ତ୍ତମାନ ଗଂଜାମ ଜିଲ୍ଲା ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି। ଶାସକ ବଜେଡ଼ି, ବିରୋଧୀ କଂଗ୍ରେସ ଏବଂ ବିଜେପି ପକ୍ଷରୁ ଜିଲ୍ଳାର ବିଭିନ୍ନ ବ୍ଲକ‌୍‍ ସ୍ତରରେ ବୈଠକ କରି କର୍ମକର୍ତ୍ତାମାନଙ୍କୁ ଜାଗ୍ରତ କରାଯାଉଛି। ବ୍ରହ୍ମପୁରରେ ନିକଟରେ ବିଜେଡ଼ି, କଂଗ୍ରେସ ଏବଂ ବିଜେପି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବିରୋଧୀ କଂଗ୍ରେସ ଏବଂ ବିଜେପି ଦଳ କିଭଳି ନିଜର ସଂଗଠନକୁ ମଜବୁତ କରିବା ସହ ସରକାରଙ୍କ ଦୋଷ ଦୁର୍ବଳତାକୁ ହତିଆର କରି ଆସନ୍ତା ପଞ୍ଚାୟତ ନିର୍ବାଚନରେ ପତିଆରା ଜାହିର କରିପାରିବେ ସେନେଇ ରଣନୀତି ପ୍ରସ୍ତୁତ କରିଛନ୍ତି। ଦଳର କର୍ମକର୍ତ୍ତାମାନଙ୍କୁ ସେମାନଙ୍କ ଦାୟିତ୍ୱ ବଣ୍ଟନ କରାଯାଇଛି।   କଂଗ୍ରେସ ନିକଟରେ ଜିଲ୍ଲାର ୧୩ଟି ବ୍ଲକ‌୍‍ର ନୁତନ ସଭାପତିଙ୍କ ନାମ ଘୋଷଣା କରିଛି। ପଞ୍ଚାୟତ ନିର୍ବାଚନର ଫଳାଫଳ ଆଗାମୀ ସାଧାରଣ ନିର୍ବାଚନର ଭାଗ୍ୟ ନିର୍ଦ୍ଧାରଣ କରିବ। ତେଣୁ ସମସ୍ତ ଦଳ ପ୍ରାଣପଣେ ଲାଗିପଡ଼ିଲେଣି। ଅନ୍ୟପକ୍ଷରେ ଶାସକ ଦଳ ପୋଲିସ ଏବଂ ପ୍ରଶାସନକୁ ହାତବାରିସି ଭାବେ ବ୍ୟବହାର କରୁଥିବା ବିରୋଧୀ ଦଳମାନେ ଅଭିଯୋଗ କରୁଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ରହିଥିଲେ ମଧ୍ୟ ଏକ ସ୍ପର୍ଶକାତର ଜିଲ୍ଲାରେ ଖାଲିଥିବା ବ୍ରହ୍ମପୁର ଏସ‌୍‍ପି ପଦରେ କାହାକୁ ନିଯୁକ୍ତି ଦିଆଯାଉନାହିଁ। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଗଂଜାମ ଏସପି ଆଶିଷ ସିଂହଙ୍କୁ ବ୍ରହ୍ମପୁର ଏସ‌୍‍ପି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ଶୁଣିବାକୁ ମିଳୁଛି। ପଞ୍ଚାୟତ ନିର୍ବାଚନ ପରେ ବ୍ରହ୍ମପୁର ଏସପି ନେଇ କୌଣସି ନିଷ୍ପତ୍ତି ନିଆଯିବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।   ଏସ‌୍‍ପି ଆଶିଷ ସିଂହଙ୍କ ଅପରେସନ‌୍‍ କ୍ଲିନ‌୍‍, ଏନ‌୍‍କାଉଣ୍ଟର ସବୁକିଛି ବିଜେଡ଼ିର ନିର୍ବାଚନୀ ପୂର୍ବ ପ୍ରସ୍ତୁତି ବୋଲି ବର୍ତ୍ତମାନ ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି। ଆଜିସୁଦ୍ଧା ଅପରେସନ‌୍‍ କ୍ଲିନ‌୍‍ରେ ବିଜେଡ଼ି ଦଳର କୌଣସି ବ୍ୟକ୍ତି ଗିରଫ ହୋଇନଥିବା ବେଳେ କଂଗ୍ରେସ ଦଳର ମଙ୍ଗୁଆଳ ସାଜିଥିବା ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ବିଭିନ୍ନ ମାମଲାରେ ଜେଲ‌୍‍ରେ ଭର୍ତ୍ତି ହୋଇଛନ୍ତି। ବିଜେପିର ମଙ୍ଗ ଧରିଥିବା ପୂର୍ବତନ ମେୟର ଶିବଶଙ୍କର ଦାଶ(ପିଣ୍ଟୁ) ମଧ୍ୟ ବିଭିନ୍ନ ମାମଲାରେ ଜେଲ‌୍‍ରେ ଭର୍ତ୍ତି ହୋଇଛନ୍ତି। ଯାହାଫଳରେ ଗିରଫ ଭୟରେ ଏମାନଙ୍କ ସମର୍ଥକମାନେ ମଧ୍ୟ ଆତ୍ମଗୋପନ କରିଛନ୍ତି।   ସେହିଭଳି ଯେଉଁ ଅପରାଧୀମାନେ ଗିରଫ ଏବଂ ଏନ‌୍‍କାଉଣ୍ଟର‌୍‍ର ଶିକାର ହୋଇଛନ୍ତି, ସେମାନେ ସବୁ କଂଗ୍ରେସ ଏବଂ ବିଜେପି ଦଳର ସମର୍ଥକ ବୋଲି ଚର୍ଚ୍ଚା ହୋଇ ଆସୁଛି। ବିରୋଧୀ ଦଳକୁ ମୂଳପୋଛ କରିବା ନିମନ୍ତେ ରମେଶ ଏବଂ ଶିବଶଙ୍କରଙ୍କୁ ଜେଲ‌୍‍ରେ ଭର୍ତ୍ତି କରାଯାଇଥିବା ଅଭିଯୋଗ ହେଉଛି। କାରଣ ଉଭୟ ରମେଶ ଏବଂ ଶିବଶଙ୍କରଙ୍କ ନାମରେ ଯାହା ଅପରାଧିକ ମାମଲା ରହିଛି ସେସବୁ ବର୍ଷବର୍ଷ ଧରି ରହିଥିବା ବେଳେ ନିର୍ବାଚନ ପୂର୍ବରୁ ହଠାତ‌୍‍ ଏମାନଙ୍କ ଫାଇଲ‌୍‍କୁ ପୁଣି ଖୋଲିବା ଏବଂ ଉଭୟଙ୍କୁ ଗିରଫ କରି ସେମାନଙ୍କ ନାମରେ ନୂଆ ମାମଲା ଯୋଡ଼ାଯିବା ଘଟଣା ସବୁକଥା ପଦାରେ ପକାଇ ଦେଇଛି। ପଞ୍ଚାୟତ ନିର୍ବାଚନ ପାଇଁ ଏହା ଶାସକ ଦଳର ଯୋଜନା ବୋଲି ଉଭୟ ରମେଶ ଏବଂ ଶିବଶଙ୍କର ମଧ୍ୟ ପୂର୍ବରୁ କହିଥିଲେ। ରମେଶ ଏବଂ ଶିବଶଙ୍କର ଥିଲେ ଶାସକ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ହେବ ବୋଲି ଭୟରେ ବିଜେଡ଼ି ଦଳ ପୋଲିସ‌୍‍କୁ ବ୍ୟବହାର କରି ନିର୍ବାଚନ ବୈତରଣୀ ପାର କରିବାକୁ ଚେଷ୍ଠା କରୁଥିବା ଅଭିଯୋଗ ହେଉଛି।   ବିରୋଧୀ ଦଳର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ଆଶାୟୀ ପ୍ରାର୍ଥୀମାନେ ଗିରଫ ଭୟରେ ନିର୍ବାଚନରେ ଲଢ଼ିବାକୁ ଭୟ କରୁଥିବା ମଧ୍ୟ ଅଭିଯୋଗ ହେଉଛି। ତେଣୁ ଗଂଜାମ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ପୋଲିସର ପ୍ରମୁଖ ଭୂମିକାରେ ପଞ୍ଚାୟତ ନିର୍ବାଚନ ଏକତରଫା ବିଜେଡ଼ିର ପଲ୍ଲାଭାରୀ ରହିଥିବା ରାଜନୈତିକ ସମୀକ୍ଷକମାନଙ୍କ ମଧ୍ୟରେ ପ୍ରକାଶ ପାଉଛି। ନିର୍ବାଚନ ପୂର୍ବରୁ ଅପରାଧୀମାନଙ୍କୁ ଗିରଫ କରିବା ସ୍ୱାଗତଯୋଗ୍ୟ। କିନ୍ତୁ ଏକତରଫା କାର୍ଯ୍ୟାନୁଷ୍ଠାନକୁ ନେଇ ସରକାରଙ୍କ ନିରପେକ୍ଷ ନିର୍ବାଚନ ପରିଚାଳନା ଦାବି କେବଳ ପ୍ରହସନ ବୋଲି ଚର୍ଚ୍ଚାର ବିଷୟ ହୋଇଛି।

Share :