ଜନଧନ ଯୋଜନା ଜନହିତକର କି ?

ଜନଧନ ଯୋଜନା ଜନହିତକର କି ?

Share :

  ଦେଶର ସବୁ ଗାଁ ଓ ପଞ୍ଚାୟତରେ ଜାତୀୟକରଣ କିମ୍ବା ଘରୋଇ ବ୍ୟାଙ୍କର ଶାଖା ଖୋଲିବା ଏବଂ ଦେଶର ସମସ୍ତ ପରିବାର ବ୍ୟାଙ୍କରେ ଜମାଖାତା ଖୋଲିବା ଦ୍ବାରା କ’ଣ ଲୋକମାନଙ୍କର ଆର୍ଥିକ ଶକ୍ତି ବୃଦ୍ଧି ପାଇବ ? ଗରୀବ କୃଷକ ପରିବାର ବ୍ୟାଙ୍କରେ ଜମାଖାତା ଖୋଲିବା ଦ୍ବାରା କି ଉପକାର ପାଇବେ ? ତଦ୍ବାରା ତାଙ୍କର ପରୋକ୍ଷରେ କିଛି କ୍ଷତି ହେବ କି ? ପାଉଥିବା ଲାଭ ଓ କ୍ଷତି ମଧ୍ୟରେ ଆନୁପାତିକ ବ୍ୟବଧାନ କେତେ ? ପରୋକ୍ଷ କ୍ଷତିକୁ କେହି ସ୍ବୀକାର କରିବେ ନାହିଁ | ପ୍ରତ୍ୟକ୍ଷ ଲାଭକୁ ନେଇ ସମସ୍ତେ ପ୍ରଚାର କରିବେ | ପରୋକ୍ଷ କ୍ଷତି କ’ଣ ହେବ ତାହା ବୁଝିବାକୁ ଗରୀବ କୃଷକ ଓ କାରିଗର ଶ୍ରେଣୀ ନିକଟରେ ଶିକ୍ଷା ଓ ସଚେତନତା ପହଂଚି ନାହିଁ | ପ୍ରଧାନମନ୍ତ୍ରୀ କହୁଛନ୍ତି ମାନେ ଦେଶ ଓ ଜନତାଙ୍କ ଭଲ ପାଇଁ କହୁଛନ୍ତି ବୋଲି ବିଶ୍ବାସ କରିବା ଠିକ୍ ନୁହେଁ | ଲୋକମାନେ ନିଜନିଜ ବୁଦ୍ଧି, ଜ୍ଞାନ ଓ ଅନୁଭୂତିର ମାପକାଠିରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ଅନୁଶୀଳନ କରିବା ପରେ ଯାଇଁ ବ୍ୟାଙ୍କରେ ଜମାଖାତା ଖୋଲନ୍ତୁ | କାହାରି କଥାରେ ଭାସିଯାଇ ପୁଞ୍ଜିପତିଙ୍କୁ ଶୋଷଣ କରିବାକୁ ଅଧିକ ଆର୍ଥିକ କ୍ଷମତା ଯୋଗାଇ ଦେବାରେ ସହାୟକ ହେଲେ ତାହାର ପରିଣତି ଏ ଦେଶର ଗରୀବ କୃଷକ ଓ କାରିଗରମାନଙ୍କୁ ହିଁ ଭୋଗିବାକୁ ପଡ଼ିବ | ଗ୍ରାମାଞ୍ଚଳରେ ବ୍ୟାଙ୍କ ଖାତା ଖୋଲିଥିବା କେତେ କୃଷକ ଓ କାରିଗରଙ୍କର ସମ୍ବଳ ଓ ସଂପତ୍ତି ବୃଦ୍ଧି ପାଇଛି, କ୍ରୟଶକ୍ତି ବଢ଼ିଛି, ଋଣ ପରିଶୋଧ କରିବାର କ୍ଷମତା ବୃଦ୍ଧି ପାଇଛି-ଏସବୁ ପ୍ରଶ୍ନ ଉପରେ ବିଚାର କରାଯିବା ଉଚିତ | ୨୦୧୫ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲା ଉପରୁ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂଆ ଯୋଜନା ଘୋଷଣା କରିଥିଲେ | ଏହି ଯୋଜନାର ନାମ ହେଉଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା | ସହି ମାସ ୨୮ ତାରିଖରେ ସେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ | ଏହି ଯୋଜନା ଫଳରେ ଦେଶର ଗରୀବ କୃଷକ ଓ କାରିଗର ଶ୍ରେଣୀର ଲୋକମାନେ ସହଜରେ ବ୍ୟାଙ୍କ ଋଣ ସୁବିଧା ପାଇବେ, ସାହୁ ଓ ମହାଜନଙ୍କ ଶୋଷଣର ଶିକାର ହେବେ ନାହିଁ, ସେମାନଙ୍କର ଆର୍ଥିକ ଶକ୍ତି ବୃଦ୍ଧି ପାଇବ ବୋଲି ସରକାରଙ୍କ ତରଫରୁ ଇତିମଧ୍ୟରେ ଅନେକ ପ୍ରଚାର କରାଯାଇଛି | ଏହି ଯୋଜନା ଜରିଆରେ ଦେଶର ସବୁ ଲୋକଙ୍କ ନିକଟରେ ବ୍ୟାଙ୍କ ସେବା ଓ ସୁବିଧା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି | ଦେଶରେ ଯେପରି ମୋବାଇଲ୍ ଫୋନ୍ ଏକ ବିପ୍ଳବ ଆଣିଛି ବ୍ୟାଙ୍କ କ୍ଷେତ୍ରରେ ମଧ୍ୟ ସେହିପରି ବିପ୍ଳବ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବପ୍ନ ଦେଖିଛନ୍ତି | ଦେଶରେ ଯେତେ ଲୋକ ମୋବାଇଲ୍ ବ୍ୟବହାର କରୁଛନ୍ତି ସମସ୍ତଙ୍କ ନିକଟରେ ବ୍ୟାଙ୍କ ଜମାଖାତା ନାହିଁ | ଦେଶର ୨୪୭ ନିୟୁତ ପରିବାରରୁ ବ୍ୟାଙ୍କରେ ଜମାଖାତା ଖୋଲିଥିବା ପରିବାର ସଂଖ୍ୟା ହେଉଛି ୧୪୫ ନିୟୁତ | ଦେଶର ୭୩ ପ୍ରତିଶତ କୃଷକଙ୍କ ନିକଟରେ ବ୍ୟାଙ୍କ ଜମାଖାତା ନାହିଁ | ବ୍ୟାଙ୍କ ସେବା ଓ ସୁବିଧାରୁ ବଂଚିତ ରହିଥିବା ଏହି ଜନ ସମୁଦାୟକୁ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏହି ଯୋଜନା ଆରମ୍ଭ କରିଛନ୍ତି | ୨୦୧୮ ମସିହା ସୁଦ୍ଧା ଦେଶର ଆଉ ୭୫ ନିୟୁତ ପରିବାର ଯେପରି ବ୍ୟାଙ୍କରେ ଜମାଖାତା ଖୋଲିପାରିବେ ସେହି ଲକ୍ଷ୍ୟରେ ବ୍ୟାଙ୍କ ଓ ସରକାରୀ ସଂସ୍ଥାଗୁଡ଼ିକ କାର୍ଯ୍ୟ କରିବେ | ଏହି ଯୋଜନା ପାଇଁ ଆଧାର କାର୍ଡ଼ ଆବଶ୍ୟକତା ଉପରେ ମଧ୍ୟ ଜୋର୍ ଦିଆଯାଇଛି | ଏହା ଫଳରେ ଲୋକମାନେ ଉଭୟ ଆଧାର କାର୍ଡ଼ ଓ ବ୍ୟାଙ୍କ ଜମା ଉପରେ ଅଧିକ ଗୁରୁତ୍ବ ଦେବେ | କିନ୍ତୁ ବ୍ୟାଙ୍କ ଜମାଖାତା ଜରିଆରେ ଦେଶରେ କି ପ୍ରକାର ଆର୍ଥିକ ବିପ୍ଳବ ସଙ୍ଘଟିତ ହେବ ? ବ୍ୟାଙ୍କ ଜରିଆରେ ଜମାଖାତା ଖୋଲିବା ଓ ଡାକ ବିଭାଗରେ ଜମାଖାତା ଖୋଲିବା ମଧ୍ୟରେ କି ପାର୍ଥକ୍ୟ? ଡାକସେବା ଏବେ ବି ପ୍ରାୟ ପ୍ରତ୍ୟେକ ଗାଁରେ ଉପଲବ୍ଧ | ପ୍ରାୟ ପ୍ରତି ପଞ୍ଚାୟତରେ ରହିଛି ଡାକଘର | ପ୍ରଧାନମନ୍ତ୍ରୀ ଯଦି ସତରେ ଗରୀବ କୃଷକ ଓ କାରିଗରମାନଙ୍କର ଆର୍ଥିକ ସଶକ୍ତିକରଣ ପାଇଁ ଲକ୍ଷ୍ୟ ରଖିଥାନ୍ତେ ତେବେ ଡାକ ଅଫିସରେ ଜମାଖାତା ଖୋଲିବାର ଆହ୍ବାନ ନଦେଇ ବ୍ୟାଙ୍କରେ ଜମାଖାତା ଖୋଲିବାକୁ କାହିଁକି ଗୁରୁତ୍ବ ଦେଲେ ? ଦେଶର କେତେ ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିଛି ? ଦେଶର ସବୁ ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବାକୁ କେତେ ଦିନ ଲାଗିବ ? କେତେ ଟଙ୍କା ଖର୍ଚ୍ଚ ହେବ ? ସେସବୁ ବ୍ୟଙ୍କରେ ସର୍ବନିମ୍ନ କେତେ ଟଙ୍କା ଜମା ରହିଲେ ତାହା ବ୍ୟାଙ୍କ ପାଇଁ ଲାଭଜନକ ସାବ୍ୟସ୍ତ ହେବ ? ଖାଲି ଜମାଖାତାରେ କ’ଣ ବ୍ୟାଙ୍କ ଚାଲେ ? ଲାଭ ତୁଳନାରେ ଖର୍ଚ୍ଚ ବଢ଼ିଗଲେ କେଉଁ ବ୍ୟାଙ୍କ ଅଚଳ ଶାଖା ଚଳାଇ ରଖିବାକୁ ଆଗ୍ରହ ପ୍ରକାଶ କରିବ ? ବ୍ୟାଙ୍କରେ ଅଧିକ ଜମାଖାତା ଓ ଅଧିକ ଜମାରାଶି କାହା କାର୍ଯ୍ୟରେ ଲାଗେ ? ଅଧିକ ଲୋକ ଅଧିକ ଟଙ୍କା ଜମା କଲେ ଅଧିକ ଲାଭ ଆଶାରେ ବ୍ୟାଙ୍କଗୁଡ଼ିକ ତାହାକୁ କେଉଁ ବର୍ଗର ଲୋକମାନଙ୍କୁ ଋଣ ଦିଅନ୍ତି ? ଶିଳ୍ପ, ଉଦ୍ୟୋଗ ଓ ବ୍ୟାବସାୟିକ ସଂସ୍ଥାଗୁଡ଼ିକ ବ୍ୟାଙ୍କଗୁଡ଼ିକରୁ କେତେ ଟଙ୍କା ଋଣ ଦିଆଯାଇଛି ? ତା’ ତୁଳନାରେ କୃଷକ ଓ କାରିଗରମାନଙ୍କୁ କେତେ ଋଣ ମିଳିଛି ? ବ୍ୟାଙ୍କଗୁଡ଼ିକ କେତେ ଗରୀବ ଲୋକଙ୍କୁ ଗୃହଋଣ ଦେଇଛନ୍ତି ? କେତେ ଛୋଟ ଦୋକାନୀ ବ୍ୟାଙ୍କରୁ ଋଣ ନେଇ ବେପାର ଖୋଲିଛନ୍ତି ? ଏସବୁ ପ୍ରଶ୍ନ ଉପରେ ବିଚାର କରାଯିବା ଉଚିତ | ଜାତୀୟ ସ୍ତରରେ ମଧ୍ୟ ଏସବୁ ପ୍ରଶ୍ନର ଉତ୍ତର ଖୋଜାଯିବା ଦରକାର | ଗରୀବ ଲୋକମାନେ ବ୍ୟାଙ୍କରେ ଜମା କରୁଥିବା ଟଙ୍କା ନେଇ ବଡ଼ ବଡ଼ କମ୍ପାନୀ ଯେଉଁ ଉତ୍ପାଦ ବଜାରକୁ ଛାଡ଼ୁଛନ୍ତି ତା’ ଉପରେ କେତେ ପ୍ରତିଶତ ଲାଭ ନିଆଯାଉଛି ? ସେମାନଙ୍କ ଲାଭ ଓ ବ୍ୟାଙ୍କର ସୁଧ ହାର ମଧ୍ୟରେ କେତେ ପାର୍ଥକ୍ୟ? ଲୋକମାନଙ୍କୁ ସାଧାରଣ ଜମାରାଶି ଉପରେ କେତେ ପ୍ରତିଶତ ସୁଧ ମିଳୁଛି ? ସେହି ସୁଧ ହାର ଓ ସେମାନେ ଶିଳ୍ପପତି ଓ ବ୍ୟବସାୟୀଙ୍କୁ ଦେଉଥିବା ଲାଭ ହାର ମଧ୍ୟରେ ପାର୍ଥକ୍ୟ କେତେ ? ବ୍ୟାଙ୍କରେ ଜମାଖାତା ଖୋଲୁଥିବା ସବୁ ଲୋକଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ଆବଶ୍ୟକ ସ୍ଥଳେ ବିନା ବନ୍ଧକରେ ଋଣ ଯୋଗାଇବାର ଗ୍ୟାରେଣ୍ଟି ନଥିବାବେଳେ ଏ ଜନଧନ ଯୋଜନାର ମାନେ କ’ଣ ? କୃଷକ, କାରିଗର ଓ ଛୋଟ ଦୋକାନୀଙ୍କୁ ବ୍ୟାଙ୍କ ଜରିଆରେ ଋଣ ଦିଆ ନଯାଇ ଡାକ ଅଫିସ ଜରିଆରେ ଦିଆଯାଇ ପାରିବ ନାହିଁ କି ? ବ୍ୟାଙ୍କ କର୍ମଚାରୀମାନେ ଯେଉଁ ହାରରେ ଦରମା ନେଉଛନ୍ତି ତାହା କେଉଁଠୁ ଆସୁଛି ? ଲୋକଙ୍କ ଜମା ଟଙ୍କା ଉପରୁ ନା ସରକାରୀ ସବ୍ସିଡ଼ିରୁ ? ଏଭଳି ଅନେକ ପ୍ରଶ୍ନ ରହିଛି ଯାହାର ଉତ୍ତର ବ୍ୟାଙ୍କ ବ୍ୟବସାୟକୁ ଜନ ବିରୋଧୀ ଭାବେ ସାବ୍ୟସ୍ତ କରିବା ପାଇଁ ଯଥେଷ୍ଟ | ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ବ୍ୟାଙ୍କ ଖାତା ଉପରେ ଗୁରୁତ୍ବ ଦିଆଯାଇ ନଯାଇ ସରକାରୀ ବ୍ୟବସ୍ଥା ଡାକଖାତା ଉପରେ ଗୁରୁତ୍ବ ଦିଆଗଲେ ଏବଂ ସେହି ଡାକଖାତା ଜରିଆରେ ଲୋକମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତାଦି ସମସ୍ତ ଭତ୍ତା, ସରକାରୀ ଯୋଜନାର ରିହାତି ବା ସବ୍ସିଡ଼ି ଏବଂ କୃଷିଋଣ ଇତ୍ୟାଦି ଯୋଗାଇ ଦିଆଗଲେ ଏହି ବୁଡ଼ି ଯାଉଥିବା ବିଶାଳ ସେବା ବ୍ୟବସ୍ଥାଟି ସକ୍ରିୟ ହେବା ସହିତ ଲୋକ ଓ ସରକାରଙ୍କର ଅଶେଷ ଉପକାର ସାଧିତ ହୋଇପାରିବ |

Share :