ଭୋଟ ବ୍ୟାଙ୍କରେ ତାଲା ପଡ଼ିବ କି?

ଭୋଟ ବ୍ୟାଙ୍କରେ ତାଲା ପଡ଼ିବ କି?

Share :

ଗୋଲଖ ଚନ୍ଦ୍ର ଦାସ   ଆମକୁ ନ୍ୟାୟ ଦିଅ। ଆମେ ଦଳିତ, ଆମେ ହରିଜନ। ଆମକୁ ଉଚିତ ନ୍ୟାୟ ଦିଅ। ଏହାଥିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଥିବା ଶହଶହ ହରିଜନଙ୍କ ଆର୍ତ୍ତଚିତ୍କାର। ହେଲେ ସେହି ଆର୍ତ୍ତ ଚିତ୍କାରକୁ କେହି ଶୁଣିଲେ ନାହିଁ। ସେମାନଙ୍କର ଦାବୀକୁ ନେଇ ନଦୀରେ ବିସର୍ଜନ କରିଦେଲେ। ବାଧ୍ୟ ହୋଇ ସେହି ହରିଜନ ମହିଳାମାନେ ସ୍ଥାନୀୟ ଥାନା ଘେରାଉ କରିବା ସହିତ ବିରୋଧ ପ୍ରଦର୍ଶନ ପୂର୍ବକ ରାସ୍ତାରୋକ କରିଥିଲେ। ପଟ୍ଟାମୁଣ୍ଡାଇ ହରିଜନ ମହିଳାଙ୍କୁ ସମର୍ଥନ କରିବାକୁ ଆଗେଇ ଆସିଥିଲେ ଆଖପାଖ ଅଂଚଳର ହରିଜନମାନେ। ହେଲେ ସେହି ହରିଜନମାନଙ୍କୁ ସ୍ୱରକୁ ଚପାଇ ଦିଆଗଲା। ଏଘଟଣା ସମସ୍ତଙ୍କୁ ଜଣା। ଏଘଟଣାକୁ ଦବାଇ ଦେବା ଏବଂ ଯେଉଁମାନେ ହରିଜନମାନଙ୍କୁ ବିରୋଧ କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ତାହା ସମସ୍ତଙ୍କୁ ବିସ୍ମିତ କରିଥିଲା। ଏହା ହେଉଛି ଦୁଇଟି ଭୋଟ ବ୍ୟାଙ୍କ ଦୋକାନର ଘଟଣା। ସରକାର ଯେଉଁ ଦୋକାନକୁ ନେଇ ବେଶୀ ବେପାର କରି ପାରିବେ ତାଙ୍କ ପକ୍ଷରେ ରହିଲେ ଏବଂ ଏଘଟଣାକୁ ଆପୋଷ ମିଳାମିଶା କରିଦେଇ ବାହା ବାହା ନେଲେ।   ସେପ୍ଟେମ୍ୱର ୧୧ ତାରିଖ ସକାଳ ୧୦ ଘଟିକା ସମୟରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ସହରର  ୧୧ ନମ୍ୱର ୱାର୍ଡ଼ ପୋଖରିପଡା ହରିଜନ ବସ୍ତିରୁ ଖୁଦୁରୁକୁଣୀ ବିସର୍ଜନ ପାଇଁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରୁଥିବା ବେଳେ ମସଜିଦ‌୍‍ ସମ୍ମୁଖରେ ବିରୋଧ କରିଥିଲେ ଅନେକ ମୁସଲମାନ। କହିଲେ ଏହି ଶୋଭାଯାତ୍ରା ଏ ରାସ୍ତା ଦେଇ ଯାଇ ପାରିବ ନାହିଁ। ମୁସଲମାନମାନଙ୍କ ଏପରି ବିରୋଧ ଦେଖି ହରିଜନ ବସ୍ତିର ଲୋକମାନେ ଭୟଭିତ ହୋଇଗଲେ। ପ୍ରଶାସନ ମୁସଲମାମାନଙ୍କ ଜିଦ‌୍‍ ଦେଖି ଭୋଟ ଭିକାରୀଙ୍କ ସହାୟତା ନେଇ ହରିଜନ ସାହିର ମେଢକୁ ଅନ୍ୟ ପଥ ଦେଇ ନେଇ ବିସର୍ଜନ  କରିଦେଇଥିଲେ।  ଏହା ତ କଲେ ପୁଣି ମଙ୍ଗଳା ଓଷା ପାଇଁ ହରିଜନ ବସ୍ତିର କଳସ ଶୋଭାଯାତ୍ରାକୁ ମଧ୍ୟ ୧୪୪ ଧାରା ଲଗାଇ ବନ୍ଦ କରିଦେଲେ। ଶାନ୍ତି କମିଟିର ସମସ୍ତ ଶାନ୍ତି ପ୍ରସ୍ତାବକୁ ସମ୍ମାନ ଦେଉଥିବା  ବଳରାମ ମଲ୍ଲିକ, ରଂଜନ ମଲ୍ଲିକ, ବ୍ରହ୍ମାନନ୍ଦ ମଲ୍ଲିକ, ଉତ୍ତମ ମଲ୍ଲିକ, ଦଲ୍ଲୀପ ମଲ୍ଲିକ, କଳ୍ପତରୁ ମଲ୍ଲିକ ଆଦି ଶହ ଶହ ହରିଜନ ଲୋକଙ୍କର ଆସ୍ଥା ଉପରେ ଆଘାତ ଦେଇଥିବା ମୁସଲମାନ ଓ ପ୍ରଶାସନକୁ ବିରୋଧରେ କହିବାକୁ କାହାର ସାହସ ହେଲା ନାହିଁ। ଶାନ୍ତି କମିଟିର ଶାନ୍ତି ପ୍ରସ୍ତାବକୁ ମୁସଲମାନମାନେ ଫୋପାଡିଦେଲେ ଏବଂ ଶେଷରେ ନିଷ୍ପତ୍ତି ନିଆଗଲା ଏବେ ଯାହା ହେଲା ହେଲା ସେମାନଙ୍କୁ ମାଫ‌୍‍ କରାଗଲା ଆଉ ଏଭଳି କାଣ୍ଡ ଆଗକୁ ହେବ ନାହିଁ।   ଅନେକ ଦିନ ହେବ ଦଳିତମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଜୋର ରାଜନୀତି ଚାଲିଛି। ସମସ୍ତଙ୍କ ମନରେ ଏହା ଆଘାତ ଦେଇଛି। କେଉଁଠି ହରିଜନଙ୍କ ଗୋଡରେ କଣ୍ଟା ବାଜିଗଲେ ଭୁବନେଶ୍ୱରରେ ନବୀନ ପଟ୍ଟନାୟକଙ୍କୁ ଯେତିକି କଷ୍ଟ ହୁଏ ତାହାଠାରୁ ବେଶୀ କଷ୍ଟ ହୁଏ ରାହୁଳ ଗାନ୍ଧିଙ୍କୁ ଦିଲ୍ଲୀରେ। ପଟ୍ଟାମୁଣ୍ଡାଇର ହରିଜନମାନେ କ’ଣ ଦଳିତ ନୁହଁନ୍ତି ନା ହରିଜନ ନୁହଁନ୍ତି? ଯଦି ହରିଜନ, ତେବେ କ’ଣ ପାଇଁ କାହାରି ପାଟିରୁ ଓ ପଦଟିଏ ବାହାରିଲା ନାହିଁ? କୌଣସି ସଂଗଠନ ତା’ର ପ୍ରତିବାଦ କରିବାକୁ ବାହାରିଲେ ନାହିଁ? ସମସ୍ତେ ଦଳିତ ଦଳିତ ବୋଲି ବାଉଳି ହେଉଛନ୍ତି।  ସମସ୍ତଙ୍କୁ ଚକ୍ଷୁରୁ ଦଳିତ ଓ ହରିଜନମାନଙ୍କ ପାଇଁ ଲୋତକ ଧାର ଧାର ହୋଇ ବୋହି ଯାଉଛି,ଯଦି ସତସତିକା ହରିଜନମାନଙ୍କ ପାଇଁ କାନ୍ଦୁଛନ୍ତି, ହରିଜନମାନଙ୍କ ଉପରେ ଟିକିଏ ଆଂଚ ଆସିଲେ ସେମାନଙ୍କୁ ପିଡା ଲାଗୁଛି ତେବେ ପଟ୍ଟମୁଣ୍ଡାଇର ହରିଜନମାନଙ୍କ ଉପରେ ହୋଇଥିବା ଅନ୍ୟାୟ ବିରୋଧରେ  ନିରବ କାହିଁକି ?   ହରିଜନମାନେ ବୁଝିସାରିଲେଣି। ଦଳିତମାନେ ବୁଝିସାରିଲେଣି କଣ ପାଇଁ ତଥାକଥିତ ଆତ୍ମଘୋଷିତ ମାନବବାଦୀମାନେ କାହିଁକି ଦଳିତ ପ୍ରେମ ଦେଖାନ୍ତି। ଦଳିତମାନଙ୍କ ଭୋଟ ଉପରେ ନଜର ରଖି ତୁତୁ ମେଁମେଁ ହୁଅନ୍ତି।  ପଟ୍ଟାମୁଣ୍ଡାଇ ଘଟଣା ବିଷୟରେ ଆମେ ଜଣେ ରାଜନେତାଙ୍କ ସହିତ କଥା  ହେଲୁ, ପଚାରିଲୁ ଭାଇ ଆପଣତ ସବୁବେଳେ କୁହନ୍ତି ହରିଜନ ପାଇଁ ଜୀବନ ଦେଇଦେବି ପଛେ ତାଙ୍କ ଆସ୍ଥା ଉପରେ ଆଞ୍ଚ ଆସିବାକୁ ଦେବେ ନାହିଁ। ହେଲେ ପଟ୍ଟାମୁଣ୍ଡାଇ ଘଟଣାରେ ଚୁପ ରହିଲେ କାହିଁକି। ସେ ବନ୍ଧୁ ଜଣକ କହିଲେ ଏବେ ପରା ଦଳିତ ଭୋଟ ବ୍ୟାଙ୍କରେ ତାଲା ଝୁଲିବା ଆରମ୍ଭ ହୋଇ ଯାଇଛି। ଦଳିତ ଭୋଟ ବ୍ୟାଙ୍କ ଦୋକାନରେ ଏବେ ସମରସତା ତାଲା ଝୁଲିଲାଣି। ସମରସତା ମାଧ୍ୟମରେ ଦଳିତ ଭୋଟ ବ୍ୟାଙ୍କଗୁଡିକ ବନ୍ଦ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ସଂଗଠନ ଦ୍ୱାରା ସମରସତା ଅଭିଯାନ ଆରମ୍ଭ ହୋଇ ଯାଇଛି। ଦଳିତ ଭୋଟ ବ୍ୟାଙ୍କ ଦୋକାନରେ ସମରସତା ତାଲା ପକାଇବା ପାଇଁ କେବଳ ସେହି ଗେରୁଆ ପତାକା ଉଡାଉଥିବା ସଂଘବାଲା ହିଁ ଦାୟୀ। ଆମର ବେପାର ଏବେ ବନ୍ଦ ହେବା ଉପରେ।   କେବଳ ରାଜନୈତିକ ନେତାମାନେ ସମରସତାର ତାଲାକୁ ନେଇ ରାଗୁ ନାହାଁନ୍ତି ଯେଉଁମାନେ ହରିଜନମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଧର୍ମାନ୍ତରୀତ କରୁଥିଲେ ସେମାନେ ମଧ୍ୟ ବେଶୀ ରାଗୁଛନ୍ତି। ବିଗତ କିଛି ବର୍ଷ ଧରି ରାଜ୍ୟର ଅନେକ ବନବାସୀ ବହଳ ଜିଲ୍ଲାରେ ଗତ ଦୁଇଟି ଜନଗଣନା ମଧ୍ୟରେ ଖ୍ରୀଷ୍ଟିଆନଙ୍କ ଜନସଂଖ୍ୟା ଢେର ଅଧିକ ବଢିଛି। କେଉଁ ଜିଲ୍ଲାରେ ଏହି ସଂପ୍ରଦାୟର ଲୋକଙ୍କ ସଂଖ୍ୟା ଶହେ ପ୍ରତିଶତରୁ ଅଧିକ ବଢିଛି ତ ଆଉ କେଉଁଠି ୫୦ରୁ ୮୦ ପ୍ରତିଶତ। ମୋଟା ମୋଟି ଭାବେ ଗତ ଦୁଇ ଜନଗଣନା ମାଧ୍ୟମରେ ରାଜ୍ୟର ଜନସଂଖ୍ୟା ମାତ୍ର ୧୪.୦୫ ପ୍ରତିଶତ ବଢିଥିବା ବେଳେ ହିନ୍ଦୁ, ମୁସଲମାନ, ଶିଖ, ବୌଦ୍ଧ, ଜୈନ ଆଦିଙ୍କ ଜନସଂଖ୍ୟା  ଅଭିବୃଦ୍ଧି ହାର କ୍ଷେତ୍ରରେ ଖ୍ରୀଷ୍ଟିଆନମାନେ ଢେର ପଛରେ ପକାଇ ଦେଇଛନ୍ତି। ଦେଶରେ ହୋଇଥିବା ଧର୍ମ ଭିତ୍ତିକ ଜନଗଣନା ପରିପ୍ରେକ୍ଷୀରେ ଓଡିଶାର ସ୍ଥିତି ସଂକ୍ରାନ୍ତରେ ଶେଷ ସମୀକ୍ଷାରୁ ଜଣାପଡିଛି ଯେ ୨୦୦୧ରୁ ୨୦୧୧ ଜନଗଣନା ମଧ୍ୟରେ ବୌଦ୍ଧ ଜିଲ୍ଲାରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୧୧୮.୪୧ ପ୍ରତିଶତ ବଢିଥିବା ବେଳେ ହିନ୍ଦୁଙ୍କ ସଂଖ୍ୟା ବଢିଛି ୧୭.୭୬ ପ୍ରତିଶତ। ସୁବର୍ଣ୍ଣପୁର ଜିଲ୍ଲାରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ଏହି ଦୁଇ ଜନଗଣନା ବର୍ଷରେ ୭୦.୦୬ ପ୍ରତିଶତ ବଢିଥିବା ବେଳେ ହିନ୍ଦୁଙ୍କ ସଂଖ୍ୟା ବଢିଛି ୧୨.୪୦ ପ୍ରତିଶତ। ଗଞ୍ଜାମ ଜିଲ୍ଲାରେ ଏହି ସମୟ ଭିତରେ ହିନ୍ଦୁ ଜନସଂଖ୍ୟା ୧୧.୨୮ ପ୍ରତିଶତ ବଢିଥିବା ବେଳେ ଖ୍ରୀଷ୍ଟିଆନ ଜନସଂଖ୍ୟା ବଢିଛି ୬୧.୮୦ ପ୍ରତିଶତ। ସେହିଭଳି ଉକ୍ତ ସମୟ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାରେ ଖ୍ରୀଷ୍ଟିଆନ ଜନସଂଖ୍ୟା  ୬୪.୫୬ ପ୍ରତିଶତ ବଢିଥିବା ବେଳେ ମୁସଲମାନମାନଙ୍କ ସଂଖ୍ୟା ବଢିଛି ୨୭.୫୦ ପ୍ରତିଶତ। ତେବେ ଏହି ଜିଲ୍ଲାରେ ଦୁଇଟି ଜନଗଣନା ଭିତିରେ ହିନ୍ଦୁଙ୍କ ସଂଖ୍ୟା ବଢିଛି ମାତ୍ର ୧୩.୬୩ ପ୍ରତିଶତ।   କଳାହାଣ୍ଡି ଜିଲ୍ଲାରେ ଏହି ୧୦ ବର୍ଷରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୬୧.୨୦ ପ୍ରତିଶତ ବଢିଥିବା ବେଳେ ହିନ୍ଦୁ ଜନସଂଖ୍ୟା ବଢିଛି ମାତ୍ର ୯.୯୬ ପ୍ରତିଶତ। ମାଲକାନଗିରି ଜିଲ୍ଲାରେ ଗତ ଦୁଇ ଜନଗଣନା ମଧ୍ୟରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା  ୫୯.୩୫ ପ୍ରତିଶତ ବଢିଥିବା ବେଳେ ହିନ୍ଦୁଙ୍କ ସଂଖ୍ୟା ବଢିଛି ୨୧.୧୨ ପ୍ରତିଶତ। ରାୟଗଡା ଜିଲ୍ଲାରେ ଉକ୍ତ ଦଶନ୍ଧିରେ ଖ୍ରୀଷ୍ଟିଆନ ଜନସଂଖ୍ୟାରେ ୫୩.୭୮ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ  ମୁସଲମାନ ଜନସଂଖ୍ୟାରେ ୧୩.୪୮ ପ୍ରତିଶତ ଓ ହିନ୍ଦୁ ଜନସଂଖ୍ୟାରେ ମାତ୍ର ୧.୩୬ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଢେଙ୍କାନାଳ ଜିଲ୍ଲାରେ ଏହି ଅବଧିରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୫୫.୩୪ ପ୍ରତିଶତ ବଢିଥିବା ବେଳେ ହିନ୍ଦୁଙ୍କ ସଂଖ୍ୟା ବଢିଛି ୧୧.୭୪ ପ୍ରତିଶତ। ଗଜପତି ଜିଲ୍ଲାରେ ଏହି ଦୁଇ ଜନଗଣନା ବର୍ଷରେ  ହିନ୍ଦୁ ଜନସଂଖ୍ୟାରେ  ୩.୪୭ ପ୍ରତିଶତ  ଅଭିବୃଦ୍ଧି  ଘଟିଥିବା ବେଳେ ଖ୍ରୀଷ୍ଟିଆନ ଜନସଂଖ୍ୟା ବଢିଛି ୨୬.୩୮ ପ୍ରତିଶତ। ତେବେ ଏହି ଜିଲ୍ଲାରେ ଆଶ୍ଚର୍ଯ୍ୟଜନକ ଭାବେ ଉକ୍ତ ସମୟ ମଧ୍ୟରେ ମୁସଲମାନଙ୍କ ଜନସଂଖ୍ୟା ୪.୧୩ ପ୍ରତିଶତ ହ୍ରାସ  ପାଇଛି।   ଅନ୍ୟ ପକ୍ଷରେ କଳାହାଣ୍ଡି ଜିଲ୍ଲାରେ ଉକ୍ତ ଦୁଇ ଜନଗଣନା  ଭିତିରେ ମୁସଲମାନ ଜନସଂଖ୍ୟା  ୩୮.୫୦ ପ୍ରତିଶତ ବଢିଥିବା ବେଳେ କେନ୍ଦୁଝରରେ ବଢିଛି ୩୬.୧୧ ପ୍ରତିଶତ। ବଲାଙ୍ଗୀର ଜିଲ୍ଲାରେ ଏହି ସମୟ ଭିତରେ ହିନ୍ଦୁମାନଙ୍କ ସଂଖ୍ୟା ସର୍ବାଧିକ ୨୩.୩୫ ପ୍ରତିଶତ ବଢିଛି। ମୋଟା ମୋଟି ଭାବେ ୨ଟି ଜନଗଣନା ଭିତିରେ ବୌଦ୍ଧରେ ଖ୍ରୀଷ୍ଟିଆନ, କଳାହାଣ୍ଡିରେ ମୁସଲମାନ ଓ ବଲାଙ୍ଗୀରରେ ହିନ୍ଦୁଙ୍କ ସଂଖ୍ୟା ସର୍ବାଧିକ  ବଢିଛି। ଦୁଇଟି ଜନଗଣନା ଭିତିରେ ଓଡିଶାରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟାରେ ୨୯.୩୯ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ହିନ୍ଦୁଙ୍କ ସଂଖ୍ୟାରେ ଅଭିବୃଦ୍ଧି ପଟିଛି ୧୩.୧୭ ପ୍ରତିଶତ। ବରଗଡ, ସୁନ୍ଦରଗଡ, ଜଗତସିଂହପୁର, ଗଜପତି ଓ କନ୍ଧମାଳ ଭଳି ଜିଲ୍ଲାରେ ହିନ୍ଦୁ ଜନସଂଖ୍ୟାର ଅଭିବୃଦ୍ଧି ହାର ୧୦ରୁ କମ‌୍‍ ରହିଛି। ତେବେ ଜନସଂଖ୍ୟା ବିଶ୍ଲେଷକମାନେ ମତ ଦେଇଛନ୍ତି ଯେ ଖ୍ରୀଷ୍ଟିଆନ ପରିବାରରେ ଏହି ଦଶ ବର୍ଷ ଭିତରେ ଯେତେ ଜନ୍ମ-ମୃତ୍ୟୁ ହୋଇଛି ତାହା ତୁଳନାରେ ଉକ୍ତ ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ଢେର ଅଧିକ ଗୁଣ ବୃଦ୍ଧି ପାଇଥିବାରୁ ଏହା ପଛରେ ଧର୍ମାନ୍ତରୀକରଣ ଅନ୍ୟତମ କାରଣ କି ନୁହେଁ ସେ ସଂକ୍ରାନ୍ତରେ ଗଭୀର ଅନୁଶୀଳନ ହେବା ଆବଶ୍ୟକ। ସେମାନେ ଆହୁରି ଦ୍ରୁତ ଗତିରେ ଧର୍ମାନ୍ତରିକରଣ କରିଥାନ୍ତେ କିନ୍ତୁ ଏହି ସମରସତାର ତାଲା ସେମାନଙ୍କର ଦୋକାନକୁ ବନ୍ଦ କରିଦେଇଛି।   ଧର୍ମାନ୍ତରିକରଣ ଯୋଗୁଁ ସେମାନଙ୍କ ସଂଖ୍ୟା ବଢିଛି। ସେଥିପାଇଁ ହିନ୍ଦୁ ସମାଜ ହିଁ ଦାୟୀ। ଆମେ ଆମର ପରିବାର, ପୁଅ  ଓ ଝିଅମାନଙ୍କ ପାଖରେ ଘରେ ବସି ରହିଲୁ। ପାଖରେ ଥିବା ହରିଜନ ବସ୍ତିର ଲୋକଙ୍କ ନିକଟକୁ ଗଲୁ ନାହିଁ। ସେମାନଙ୍କର ଅଭାବ ଅସୁବିଧା କଥା ବୁଝିଲୁ ନାହିଁ। ସେମାନଙ୍କୁ ଅଛୁଆଁ କହି ଘୃଣାକଲୁ। ଯାହା ଫଳରେ ସେମାନେ ଅନ୍ୟ ଧର୍ମର ପ୍ରଲୋଭନର ଶିକାର ହୋଇ ଧର୍ମାନ୍ତରିତ ହେଲେ। ଆମ ଭିତରେ ଥିବା ସାମାଜିକ ବିଷମତା ହିଁ ଏହାର ପ୍ରଧାନ କାରଣ ଅଟେ, ଏହା ଆମକୁ ସ୍ୱୀକାର କରିବାକୁ ପଡିବ। ବର୍ଣ୍ଣଭେଦ, ଜାତିଭେଦ ଓ ଅସ୍ପୃଶ୍ୟତା  ଏ ସାମାଜିକ ବିଷମତାରୁ ହିଁ ଆବିଷ୍କାର ହୋଇଛି। ଆଜି ମଧ୍ୟ ଆମ ସମାଜରେ ବିଚରଣ କରିବା ସମୟରେ ଏହି ପ୍ରଶ୍ନ ଆମକୁ କୁଠାର ଘାତ କରୁଛି, ଏହା ଆମେ ସମସ୍ତେ ଅନୁଭବ କରିଥିବା ଆମ ସମାଜରେ ବିଷମତାର ଏକ ଅତ୍ୟନ୍ତ ଦୁଃଖଦ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ଆରମ୍ଭ ଅସ୍ପୃଶ୍ୟତା କାରଣରୁ ହୋଇଥିଲା। ବହୁ ବିଚାରବନ୍ତ ଲୋକ କୁହନ୍ତି ଯେ, ପ୍ରାଚୀନ କାଳରେ ଏହାର ଅସ୍ତିତ୍ୱ ନଥିଲା। କିନ୍ତୁ କାଳର ପ୍ରବାହରେ ସମାଜରେ ଏହା ଏକ ଅନାହୂତ ବିଷୟ ଭଳି ପ୍ରବେଶ କରି ଏକ ଋଢିବାଦୀ ପ୍ରଥାରେ ପରିଣତ ହୋଇଗଲା। ବାସ୍ତବିକତା ଯାହାବି ହେଉ ଆମକୁ କିନ୍ତୁ ସ୍ୱୀକାର କରିବାକୁ ପଡିବ ଯେ, ଅସ୍ପୃଶ୍ୟତା ଏକ ଭୟଙ୍କର ଭୁଲ ଅଟେ ଏବଂ  ଏହାର ସଂପୂର୍ଣ୍ଣ ମୂଳୋତ୍ପାଟନର ଆବଶ୍ୟକତା ଅଛି।   ଏଣୁ ଆମ ସମସ୍ତଙ୍କ ମନରେ ସାମାଜିକ ବିଷମତାର ମୂଳୋତ୍ପାଟନ ପାଇଁ ଲକ୍ଷ ରହିବା ନିହାତି ଦରକାର। ଆମେ ଲୋକମାନଙ୍କ ସମ୍ମୁଖରେ ଏହା ସ୍ପଷ୍ଟ ରୂପେ ରଖିବା ଯେ, ବିଷମତା କାରଣରୁ ଆମ ସମାଜରେ କି  ପ୍ରକାର ଦୁର୍ବଳତା ଆସିଛି। ଏହାର ବିଘଟନ ହୋଇଛି। ଏହାକୁ ଦୂର କରିବା ପାଇଁ ଉପାୟ ବାହାର କରିବା ଦରକାର। ଏବଂ ଏହି କାମରେ ପ୍ରତ୍ୟେକ ବ୍ୟକ୍ତି ନିଜର ଯୋଗଦାନ ଦେବା ଉଚିତ। ଅନେକ ଦୋଷ ଭିତରେ ବି ହିନ୍ଦୁମାନଙ୍କର କିଛି ବିଶେଷତା ଅଛି। ଜୀବନ ସମ୍ୱନ୍ଧରେ ସେମାନଙ୍କର କିଛି କଳ୍ପନା ଅଛି ଏବଂ ଧାରଣା ମଧ୍ୟ ଅଛି। ବିଶ୍ୱର ବିଚାରଶୀଳ ଲୋକମାନେ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଏହି ସମାଜ କିଛି ଶାସ୍ୱତ ମୂଲ୍ୟ ସ୍ଥାପନ କରିପାରିଛି। ତେଣୁ ଏହି ଜୀବନ ମୂଲ୍ୟକୁ ମାନୁଥିବା ଏବଂ ତଦନୁଯାୟୀ ଆଚରଣ କରୁଥିବା, ଏକରସରେ ଆବଦ୍ଧ ଏବଂ ସମତା ଯୁକ୍ତ ହିନ୍ଦୁ ସମାଜ ଯଦି ଠିଆ ହୋଇ ପାରିଲା, ତେବେ ଏହି ବିଶେଷତା ବଂଚି ରହିବ ଏବଂ ସମଗ୍ର ବିଶ୍ୱ ପାଇଁ ଏହା ଉପଯୋଗ ସିଦ୍ଧ ହୋଇ ପାରିବ। ସମସ୍ତ ବ୍ୟକ୍ତି ଇଶ୍ୱରଙ୍କ ପୁତ୍ର ଅଟନ୍ତି, କେବଳ ଏତିକ ନୁହେଁ, ଆଉଟିକେ ଆଗକୁ ଯାଇ ଏକଥା ମଧ୍ୟ କୁହାଯାଇଛି ଯେ, ସମସ୍ତେ ଇଶ୍ୱରଙ୍କ ଅଂଶ ଅଟନ୍ତି। ଏଭଳି ମାନସିକତା ଥିବା ହିନ୍ଦୁ ଧର୍ମରେ ଉଚ୍ଚନୀଚ୍ଚ ଭାବନା ରହିବା ସମ୍ୱନ୍ଧରେ ଡା: ଆମ୍ୱେଦକର ଅତ୍ୟନ୍ତ ଦୁଃଖରେ ନିଜର ବେଦନା ପ୍ରକାଶ କରିଥିଲେ। ବାସ୍ତବରେ ସମାନତାର ସାମ୍ରାଜ୍ୟ ପ୍ରତିଷ୍ଠା କରିବା ପାଇଁ ଏହାଠାରୁ ବଡ ଆଧାର କ’ଣ ହୋଇପାରେ ? ଏଣୁ ହିନ୍ଦୁମାନଙ୍କ ଭିତରେ ଏକତାର ଆବଶ୍ୟକତା ଅଛି ଏବଂ ଏହି ଏକତାର ଆଧାର ସାମାଜିକ ସମତା ହିଁ ହୋଇ ପାରେ - ଏହି ବିଚାର ସମସ୍ତ ବନ୍ଧୁମାନେ କରିବା ଉଚିତ। ଏବଂ ଏହି ରାଷ୍ଟ୍ରକୁ ସଂଗଠିତ ଏବଂ ଶକ୍ତିଶାଳୀ କରିବା ପାଇଁ ସେମାନେ ଆଗକୁ ଆସିବା ଉଚିତ।   ଦେଶର ସମସ୍ତ ପ୍ରାନ୍ତରେ ଏବେ ସମରସତା ମଞ୍ଚ ମୁଣ୍ଡ ଟେକିଲାଣି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏବଂ ତାର ଆନୁସଂଗିକ ସଂଗଠନମାନେ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାର ଦେଖାଯାଉଛି। ସମରସତା ଭୋଜି, ବିବାହ ସମାରୋହରେ ସମସ୍ତ ବର୍ଗର ଲୋକମାନେ ସାମିଲ, ମନ୍ଦିର ପ୍ରବେଶ, ଶ୍ମଶାନ, କୂଅ, ନଳକୂଅ ଆଦି ସମସ୍ତଙ୍କ ପାଇଁ  ସମାନ ଭାବରେ ଉପଲବ‌୍‍ଧ କରାଯିବା ପାଇଁ ଆନ୍ଦୋଳନ ଚାଲିଛି। ଗତ କିଛି ଦିନ ତଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ଡ. ମୋହନ ରାଓ ଭାଗବତ ଓଡିଶା ଆସିଥିବା ଅବସରରେ ସେ ସମରସତା ଉପରେ ଗୁରୁତ୍ୱ ଦେଇଥିଲେ। ସଂଘ ଆରମ୍ଭ ହେବା ମୂଳରେ ସମରସତା ଥିଲା। ସମରସତା ହେଉଛି ସଂଘର ମୂଳମନ୍ତ୍ର। ଶାଖାରେ ହେଉଥିବା ସମସ୍ତ କାର୍ଯ୍ୟ ଦ୍ୱାରା ସମରସତାର ଭାବ ନିର୍ମାଣ ହୋଇଥାଏ। ଭାରତ ଆଜି ଯେଉଁ ବିଶାଳ ରଜୁରେ ବାନ୍ଧି ହୋଇ ରହିଛି ତାହା ହେଉଛି ସମରସତା। ସମରସତା ରୂପୀ ରକ୍ତ ପ୍ରବାହ ସମାଜରେ ବନ୍ଦ ହୋଇଗଲେ ଦେଶ ଖତମ ହୋଇଯିବ। ଟ୍ରେନ, ପୋଲ ଓ ବିଜୁଳୀ ମାଧ୍ୟମରେ ଦେଶ ତିଆରି ହୋଇ ପାରିବ ନାହିଁ। ଦେଶର ଭାଗ୍ୟ ସମରସତା ଦ୍ୱାରା ତିଆରି ହେବ। ଏକ ଇଶ୍ୱର ଏବଂ ଏକ ଆମିାକୁ ମାନୁଥିବା ହିନ୍ଦୁ ସମାଜ କାଳାନ୍ତରରେ ଛୁଆଁ ଅଛୁଆଁ  ଏବଂ ଭେଦଭାବ ପରି କୁରୀତିର ଶିକାର ହୋଇଛି। ଏହାକୁ ଲୋପ କରିବାକୁ ହେବ। ସମସ୍ତଙ୍କ ହୃଦୟରେ ଭଗବାନ ଏକ। ସମସ୍ତ ଭାରତୀୟ ନିଜ ଜୀବନରେ ଏହାକୁ ମାନି ଚଳିଲେ ,  ଉଚ୍ଚାରଣକୁ ଆଚରଣରେ କରିଦେଖାଇବା ସହିତ ଜାଗରଣ ସୃଷ୍ଟି କଲେ ଆମର ଉଦ୍ଦେଶ୍ୟ ସାଧନ ହେବା ସହିତ ଛୁଆଁ ଅଛୁଆଁ  ମୁକ୍ତ ସମାଜ ଗଠନ ହୋଇ ପାରିବ।   ମାଧବ ଭବନ, ଘିଗିଡିଆ, ବାରୁଅ, କେନ୍ଦ୍ରାପଡା, ମୋ-୯୮୬୧୦୨୮୫୫୩

Share :