ବିକାଶ ଏକ ମିଳିତ ପ୍ରୟାସ

ବିକାଶ ଏକ ମିଳିତ ପ୍ରୟାସ

Share :

  ବିକାଶର ଶେଷ ଧାଡିରେ ଥିବା ବ୍ୟକ୍ତି ପାଖରେ ଯୋ ଜନାର ସୁଫଳ ପହଂଚିବା ହିଁ ପ୍ରକୃତ ବିକାଶ ଓ ଏହା ବହୁ ପକ୍ଷର ମିଳିତ ଉଦ୍ୟମରେ ସମ୍ଭବ ବୋଲି ଓଡିଶା ବିକାଶ କନ‌୍‍କ୍ଲେଭର  ଏହି ଦର୍ଶନକୁ ଭାରତ ସରକାର ଓ ଓଡିଶା ସରକାର ସମ୍ମତି ଦେଇଛନ୍ତି ବୋଲି ତ୍ରିଦିବସୀୟ ସମ୍ମିଳନୀର ଉଦଯାପନ ଉତ୍ସବରେ  ଆୟୋଜକ ତଥା ସିବାଇଏସଡିର ସଦସ୍ୟ ସଚିବ ଜଗଦାନନ୍ଦ କହିଛନ୍ତି। ଶ୍ରୀ ଜଗଦାନନ୍ଦ କହିଛନ୍ତି ଯେ ଓଡିଶାର ଉପାନ୍ତ ଜିଲ୍ଲା ସମେତ ରାଜ୍ୟ ସରକାର ଓ ପ୍ରଶାସନର ବରିଷ୍ଠ  ଅଧିକାରୀ, ବ୍ୟକ୍ତିବିଶେଷ, ଭାରତ ସରକାର, ଦେଶର ବିଭିନ୍ନ ରାଜ୍ୟ ସରକାର, ସାମାଜିକ କାର୍ଯ୍ୟକର୍ତ୍ତା, ବିଦ୍ୱାନ ତଥା କର୍ପୋରେଟ ସେକ୍ଟରର ପ୍ରତିନିଧିମାନେ ତିନି ଦିନ ଧରି ୧୧ଟି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଓ ବିଭିନ୍ନ ସ୍ଥାନରେ ଯେଉଁ ଚମତ୍କାର ଆଲୋଚନା କରି ସେମାନଙ୍କର ସୁପାରିଶ ଦେଇଛନ୍ତି ତାହା ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷ ଆଲୋଚନା କରିବାକୁ ଆମନ୍ତ୍ରଣ କରିଛନ୍ତି।    ନୀତି ଆୟୋଗ ଉପାଧ୍ୟକ୍ଷ ଡ. ଅରବିନ୍ଦ ପାନାଗାରିଆ ନୂଆଦିଲ୍ଲୀଠାରେ ଓଡିଶା ବିକାଶ କନ‌୍‍କ୍ଲେଭର ସୁପାରିଶ ଆଧାରରେ ଏକ ବିଶେଷ ଆଲୋଚନା କରି କେବଳ ଓଡିଶା ନୁହେଁ ଅନ୍ୟ କେଉଁ ରାଜ୍ୟକୁ ଏଥିରୁ ସୁଫଳ ମିଳିବ ସେଥିପାଇଁ ବିଚାର ଆଲୋଚନା କରାଯିବ ବୋଲି କହିଛନ୍ତି। ସେହିପରି ଓଡିଶାର ଉନ୍ନୟନ କମିଶନର ଆର. ବାଲକୃଷ୍ମନ ମଧ୍ୟ ସମ୍ମିଳନୀର ସୁପାରିଶ ଆଧାରରେ ଓଡିଶାର ବିକାଶ ପ୍ରସଙ୍ଗ ଆଲୋଚନା କରିବା ପାଇଁ ନିମନ୍ତ୍ରଣ ଜଣାଇଛନ୍ତି। ଯେହେତୁ ବିକାଶ କେବଳ ସରକାରଙ୍କର କାମ ନୁହେଁ, ବିକାଶ କନକ୍ଲେଭର ପ୍ରମୁଖ ଉଦ୍ଦେଶ୍ୟକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ମାନେ ସମ୍ମତି ଦେଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।   ଉଦଯାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଶିଳ୍ପ ତଥା ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ୨୦୦୦ରୁ ୨୦୧୬ ମସିହା ମଧ୍ୟରେ ରାଜ୍ୟ ପ୍ରତ୍ୟେକ  ବିକାଶ ମାପଦଣ୍ଡରେ ଦୃତ ଅଗ୍ରଗତି କରିଥିବା ଦର୍ଶାଇଥିଲେ। ବିକାଶ କାମରେ ସିଭିଲ ସୋସାଇଟିର ଯୋଗଦାନର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ରାଜ୍ୟ ସରକାର ନିଜର ଯୋଜନା ଓ ସମନ୍ୱୟ ବିଭାଗର ନାମ ପରିବର୍ତ୍ତନ କରି ଯୋଜନା ଓ କନଭର୍ଜେନ୍ସ ବିଭାଗ ଭାବରେ ନାମିତ କରି ଯୋଜନା ଓ କ୍ରିୟାନ୍ୱୟନରେ ସମାଜର ବିଭିନ୍ନ ଶ୍ରେଣୀର ଲୋକଙ୍କ ଭାଗିଦାରୀକୁ ଆହ୍ୱାନ କରାଯାଇଛି ବୋଲି କହିଥିଲେ।   ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଆର. ବାଲକୃଷ୍ଣନ ଯୋଗ ଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ଅର୍ଥାତ ୨୦୩୬ ମସିହାରେ ଓଡିଶାର ରୂପରେଖ କ’ଣ ହେବ ସେଥିପାଇଁ ରାଜ୍ୟ ସରକାର ଏକ ଦୀର୍ଘ ମିଆଦୀ ଯୋଜନାରେ ଓଡିଶାର ସବାର୍ଙ୍ଗୀନ ବିକାଶର ପ୍ରୟାସର ଯୋଜନାର ସୂଚନା ଦେଇଥିଲେ। ରାଜ୍ୟରେ ନଗଡାର ସ୍ଥିତି ଓ ଏହାର ବିକାଶ ପ୍ରତୀକାତ୍ମକ ହୋଇଥିବା ବେଳେ ରାଜ୍ୟର ପଛୁଆ ଅଂଚଳ ମଧ୍ୟରେ ଆହୁରି ପଛୁଆ ରହିଥିବା ଅଂଚଳକୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଜିଲ୍ଲା ପ୍ରଶାସନର ସକ୍ରିୟ ଯୋଗଦାନରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ଯୋଜନାକୁ ସେ ବର୍ଣ୍ଣନା କରିଥିଲେ।   ଉଦଯାପନ କାର୍ଯ୍ୟକ୍ରମ ପୂର୍ବରୁ ୧୧ଟି ବିଭିନ୍ନ ପ୍ରସଙ୍ଗ ଯଥା ଆର୍ଥିକ ଅନ୍ତଭୁର୍କ୍ତିକରଣ, ଖାଦ୍ୟ ଓ ପୁଷ୍ଟି ନିରାପତ୍ତା, ବୃଷ୍ଟିପୁଷ୍ଟ କୃଷି, ବିଦ୍ୟାଳୟ ଶିକ୍ଷା ଏବଂ ଗୁଣାତ୍ମକ ପାଠପଢ଼ା, ସ୍ୱାସ୍ଥ୍ୟ, ଜଳ, ପରିମଳ ଓ ପରିଚ୍ଛନ୍ନତା, ଆଦିବାସୀ ବିକାଶ ଓ ସଶକ୍ତିକରଣ, ଚିରନ୍ତନ ବିକାଶର ଅଂଶୀଦାର ବିପର୍ଯ୍ୟୟ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବର ମୁକାବିଲା ଏବଂ ନିଯୁକ୍ତି, ଦକ୍ଷତା ଏବଂ ସ୍ଥାନାନ୍ତର ଆଦି ପ୍ରସଙ୍ଗ ଉପରେ ସମ୍ମିଳନୀର ନିର୍ଯ୍ୟାସକୁ ପ୍ରସ୍ତୁତ କରାଯାଇଥିଲା।   ଏହି ସମ୍ମିଳନୀର ମୁଖ୍ୟ ଆୟୋଜକ ସିବାଇଏସ‌୍‍ଡି ଥିବା ବେଳେ  ଆର‌୍‍ସିଡିସି, ଏଚ‌୍‍ଡିଏଫ‌୍‍ ବସୁନ୍ଧରା, ଲିଭିଂ ଫାର୍ମ, ପ୍ରାକ୍ଟିକାଲ‌୍‍ ଆକ୍ସନ, ପିଏଚଏଫଆଇ, ଏଡ ଆଟ ଆକ୍ସନ, ସିଡିମାସ, ଗ୍ରାମ ବିକାଶ, ଏସଏଲସିଏସ, ଓଡିଶା ଆରଟିଇ ଫୋରମ ଏବଂ ସିଆଇଆଇ  ପ୍ରଭୃତି ସଂଗଠନ ମାନେ ସହଯୋଗ କରିଥିଲେ।

Share :