ଖତ ହେଉଛି ୪ ଲକ୍ଷ ସାନିଟାରୀ ନାପକିନ‌୍‍

ଖତ ହେଉଛି ୪ ଲକ୍ଷ ସାନିଟାରୀ ନାପକିନ‌୍‍

Share :

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଆଶ୍ରମ ସ୍କୁଲ, କସ୍ତୁରବା ସ୍କୁଲର କିଶୋରୀ ଏବଂ ପ୍ରସୂତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସାନିଟାରୀ ନାପକିନ୍‌ ବିଭିନ୍ନ ଡାକ୍ତରଖାନାରେ ଖତ ଖାଉଛି। ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା କିଶୋରୀ ଯତ୍ନ ଏବଂ ପ୍ରସୂତି ମହିଳାଙ୍କ ସୁରକ୍ଷା ପାଇଁ ମାଗଣା ଏବଂ ସୁଲଭ ମୁଲ୍ୟରେ ସରକାରୀ ଖର୍ଚ୍ଚରେ ସାନିଟାରୀ ନାପକିନ‌୍‍ ଯୋଗାଇ ଦିଆଯାଉଛି। ହେଲେ ବିଭାଗୀୟ ଅବହେଳା ଓ ଅପାରଗତା ଯୋଗୁଁ ଏହାକୁ ନବାଣ୍ଟି ନଷ୍ଟ କରାଯାଉଛି।   ମହିଳା ଓ କିଶୋରୀମାନେ ମାସିକ ଋତୁଶ୍ରାବ ସମୟରେ ସାଧାରଣ କପଡା ବ୍ୟବହାର କରି ବିଭିନ୍ନ ସଂକ୍ର‌୍‍ମଣର ଶିକାର ହୋଇ ଅନେକ ହଇରାଣ ହୋଇଥାନ୍ତି। ମହିଳା ଓ କିଶୋରୀଙ୍କ ଏଭଳି ସମସ୍ୟା ଦୂର ପାଇଁ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ଆର୍ଥିକ ସହାୟତାରେ ଓଡିଶା ସରକାର କଳାହାଣ୍ଡିରେ ବଣ୍ଟନ ପାଇଁ ୩ ଲକ୍ଷ ୭୫ ହଜାର ସାନିଟାରୀ ନାପକିନ୍‌ ଯୋଗାଇ ଦେଇଥିଲେ। ଏହାକୁ ବଣ୍ଟନ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତ ୦୬.୦୫.୨୦୧୬ରେ ବୋର୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୩୪,୫୬୦, ନର୍ଲାକୁ ୨୨୨୯୨, ଥୁ.ରାମପୁରକୁ ୧୮୬୧୭, କଲମପୁରକୁ ୧୪୩୬୮, କର୍ଲାମୁଣ୍ଡାକୁ ୧୩,୭୩୭, ମଦନପୁର ରାମପୁରକୁ ୧୯୨୬୧, ଚପୁରିଆକୁ ୩୦୭୬୨, ଜୟପାଟଣାକୁ ୩୦୭୨୦, କୋକସରାକୁ ୨୭୮୪୦, ପର୍ଲାକୁ ୩୩୩୬, ଜୁନାଗଡକୁ ୩୯୩୬୦, ପାଷ୍ଟିକୁଡିକୁ ୨୮୭୦୪ ଏବଂ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୩୨୪୦୦ ସାନିଟାରୀ ନାପକିନ୍‌ ଯୋଗାଇ ଦିଆଯାଇଥିଲା।   ଏସବୁ ନାପକିନ‌୍‍କୁ ଅଙ୍ଗନୱାଡି କର୍ମୀ ଓ ଆଶାକର୍ମୀଙ୍କ ଜରିଆରେ ବଣ୍ଟାଯିବା କଥା। କିନ୍ତୁ ଉକ୍ତ ନାପକିନ ସବୁ ସଂପୃକ୍ତ ମେଡିକାଲରେ ନାପକିନ‌୍‍କୁ ଗଦାକରି ରଖା ଯାଇଛି। ବର୍ଷା ଦିନ ହେତୁ ସେଥିରୁ ଅନେକ ଖରାପ ହୋଇଗଲାଣି। ସାନିଟାରୀ ନାପକିନ୍‌ ଖୋଳରେ ମାଗଣା ବଣ୍ଟନ ପାଇଁ ଲେଖା ଯାଇଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷ ଗୋଟିଏ ନାପକିନ୍‌କୁ ୬ ଟଙ୍କାରେ ବିକ୍ରି କରାଯିବ ବୋଲି କହୁଛନ୍ତି। ଏହାକୁ ନେଇ ଦ୍ୱନ୍ଦ୍ବ ଥିବାରୁ ନାପକିନ‌୍‍ ବଣ୍ଟନ କରାଯାଇ ପାରୁନାହିଁ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସଫେଇ ଦେଇଥିବା ବେଳେ ହିତାଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ସାନିଟାରୀ ନାପକିନ୍‌ ସବୁ ନଷ୍ଟ ହେବାକୁ ଯାଉଛି।

Share :