କୁମାରୀ ମନେ ବିଚାରଇ, ସଙ୍ଗ ଗହଳେ ନାଶ ଯାଇ !

କୁମାରୀ ମନେ ବିଚାରଇ, ସଙ୍ଗ ଗହଳେ ନାଶ ଯାଇ !

Share :

ଓଡ଼ିଶାର ଘରେ ଘରେ ପୂଜା ପାଉଥିବା ଶ୍ରୀମଦ ଭାଗବତରେ ଗୋଟିଏ ଭଲ କଥା ଅଛି | ବ୍ୟାସକୃତ ମୂଳ ଭାଗବତରେ ଏ କଥା ଥିଲା କି ନାହିଁ ତାହା ଆମକୁ ଜଣା ନାହିଁ | କିନ୍ତୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତରେ ଏହା ବେଶ୍ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରାଯାଇଛି | ଅବଧୂତଙ୍କ ୨୪ ଗୁରୁ ପ୍ରସଙ୍ଗରେ ଏହି କଥା | ଅବଧୂତଙ୍କର ୨୪ ଗୁରୁଙ୍କ ମଧ୍ୟରେ ଥିଲେ ଜଣେ ଅନୂଢ଼ା କୁମାରୀ | ସେଇ କୁମାରୀ କିପରି ଅବଧୂତଙ୍କର ଗୁରୁ ହେଲେ ସେଇ ପ୍ରସଙ୍ଗରେ ଏ ଗପ | ଅବଧୂତ ଥରେ ଜନପଦ ପରିକ୍ରମା କରୁ କରୁ ଜଣେ ଗୃହୀଙ୍କ ଘରେ ପହଂଚିଲେ | ଗୃହକର୍ତ୍ତା ଘରେ ନଥିଲେ | ତାଙ୍କ ପତ୍ନୀ ଅବଧୂତଙ୍କୁ ସେମିତି ଫେରାଇବାକୁ ଚାହିଁଲେ ନାହିଁ | ସେତେବେଳେ ତ’ ଲୋକଙ୍କ ଧର୍ମ ଥିଲା, ଅତିଥି ଦେବୋ ଭବ ! ତେଣୁ ସେ ଗୃହିଣୀ ଜଣକ ଅବଧୂତଙ୍କ ସେବାପୂଜା କରିବା ସହିତ ତାଙ୍କ ପାଇଁ ଅନ୍ନ ଭୋଜନ ବ୍ୟବସ୍ଥା କରିବାକୁ ଚାହିଁଲେ | କିନ୍ତୁ ଦେଖିବା ବେଳକୁ ତଣ୍ଡୁଳ ଅର୍ଥାତ ଚାଉଳ ନାହିଁ | ଗୃହକର୍ତ୍ତୀ କ’ଣ କରିବେ ? ଅତିଥିଙ୍କୁ ଫେରାଇଦେଲେ ପାପ ! ସେ ସାଙ୍ଗେସାଙ୍ଗେ ତାଙ୍କ ଅବିବାହିତା ଝିଅକୁ ଡାକି କହିଲେ, ଝିଅ ଲୋ ! ଘରେ ଅତିଥି | ଧାନ ଗଣ୍ଡେ କୁଟି ଦେ, ସେଇ ଚାଉଳରେ ଅନ୍ନ ପ୍ରସ୍ତୁତ କରି ତାଙ୍କୁ ଦେବି | ଝିଅ ହେମଦସ୍ତା ଭିତରେ ଅଳ୍ପ କିଛି ଧାନ ପୂରେଇ କୁଟିବାକୁ ଲାଗିଲା | ତା’ ହାତରେ ତ’ ମୁଠେ ଲେଖା ପାଣି କାଚ | ହେମଦସ୍ତା ବାଡ଼ିରେ ଧାନ କୁଟିବାବେଳେ କାଚକୁ କାଚ ବାଜି ଝଣଝଣ ହେଉଥାଏ | ଝିଅକୁ ଲାଜ ମାଡ଼ୁଥାଏ | କାଚ ଝଣଝଣ ହେଲେ ବାହାର ଘରେ ବସିଥିବା ଅତିଥି ଜାଣିଯିବେ, ତାଙ୍କୁ ଘରେ ବସେଇ ଧାନକୁଟା ଯାଉଛି ବୋଲି ! ତେଣୁ ସେ କ’ଣ କଲା ନା ଦି’ ହାତରୁ ପଟେ ପଟେ କାଚ ବାହାର କରିଦେଲା | ମାତ୍ର, ତଥାପି କାଚ ଝଣଝଣ ହେଲା | ସେ ପୁଣି ପଟେ ପଟେ କାଢ଼ି ଦେଲା | ତେବେ ବି ଝଣଝଣ ବନ୍ଦ ହେଲା ନାହିଁ | ଏମିତି କରି କରି ଯେତେବେଳେ ଦି’ ହାତରେ ପଟେ ପଟେ କାଚ ରହିଲା ସେତେବେଳେ ତାହା ଆଉ ବାଜିଲା ନାହିଁ | ଏଇ ସ୍ଥିତିରେ ଜଗନ୍ନାଥ ଦାସ ଲେଖିଛନ୍ତି- କୁମାରୀ ମନେ ବିଚାରଇ, ସଙ୍ଗ ଗହଳେ ନାଶ ଯାଇ || ଓଡ଼ିଶା ଶାସନ ମୁଖ୍ୟଙ୍କର ଏବେ ବୋଧହୁଏ ଏଇ ପରିସ୍ଥିତି | କିନ୍ତୁ ଭାଗବତର ସହି କୁମାରୀଙ୍କ ଚେତନା ତାଙ୍କର ଏଯାଏଁ ଆସିନାହିଁ | କେତେକ ଭୁଲ ସାଙ୍ଗଙ୍କ ଯୋଗୁଁ ସେ ଓ ତାଙ୍କ ସରକାର ବିଭିନ୍ନ ଦୁର୍ନୀତି ଓ ବିବାଦରେ ଛନ୍ଦି ହୋଇପଡ଼ିଲେଣି | ସେ ଯଦି ଭାଗବତର ସେହି କୁମାରୀ ପରି ଆଚରଣ ପ୍ରଦର୍ଶନ ନକରିବେ ତେବେ ତାଙ୍କ କଥା ଲୋକେ ଜାଣିଯିବାର ଆଶଙ୍କା ଅଧିକ | କୁମାରୀ ଝିଅଟି ହାତରୁ ପଟେ ପଟେ କରି କାଚ କାଢ଼ିଦେଲା ବୋଲି ତାହା ଆଉ ପରସ୍ପର ସହ ବାଜି ଝଣଝଣ ହେଲା ନାହିଁ | ତାଙ୍କରି ପରି ଓଡ଼ିଶା ଶାସନ ମୁଖ୍ୟ ଯଦି ଦୁର୍ନୀତି ବିବାଦରେ ଛନ୍ଦି ହୋଇଥିବା ନେତାମାନଙ୍କୁ ନିଜ ସାଙ୍ଗ ମଣ୍ଡଳିରୁ ଅର୍ଥାତ କ୍ଷମତା ପରିସରରୁ ବାହାର ନକରିବେ ତେବେ ସେମାନଙ୍କ ସମେତ ତାଙ୍କର ଓ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କର ନାଁ ବରବାଦ ହେବା ନିଶ୍ଚିତ | ସେ ତାଙ୍କ ଶାସନ କାଳରେ ଯେଉଁମାନଙ୍କୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି, ସର୍ବାଧିକ କ୍ଷମତା ଦେଇଛନ୍ତି, ଯେଉଁମାନଙ୍କ ପରାମର୍ଶରେ ସର୍ବାଧିକ ରାଜନୀତିକ ଓ ପ୍ରାଶାସନିକ କାର୍ଯ୍ୟ କରିଛନ୍ତି ସେହି ଲୋକମାନଙ୍କ ପାଇଁ ହିଁ ଆଜି ତାଙ୍କ ସରକାର ବିରୋଧରେ ଅନେକ ଅଭିଯୋଗ, ଅନେକ ତଦନ୍ତ, ଅନେକ କମିଶନ | ଖଣି ଦୁର୍ନୀତି ହେଉ କି ଜମି ଦୁର୍ନୀତି, ଚିଟ୍ ଫଣ୍ଡ ଦୁର୍ନୀତି ହେଉ କି ଘର ଓ ପ୍ଲଟ୍ ଆବଣ୍ଟନ ଦୁର୍ନୀତି- ଏସବୁ ବେଆଇନ କାର୍ଯ୍ୟର ଜଡ଼ କେଉଁଠି ? ପନ୍ଦର ବର୍ଷ ଧରି ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ବି ଏଯାଏଁ ତାଙ୍କ ଦେହରେ କେହି କଳଙ୍କର ଛିଟା ଲଗାଇ ପାରି ନାହାନ୍ତି | ଲୋକଙ୍କ ମଧ୍ୟରେ ତାଙ୍କର ବ୍ୟକ୍ତିଗତ ଭାବମୂର୍ତ୍ତି ଏବେ ବି ସ୍ବଚ୍ଛ ଓ ନିର୍ମଳ | ସେଥିପାଇଁ କ୍ରମାଗତ ଚତୁର୍ଥ ଥର ପାଇଁ ଲୋକେ ତାଙ୍କୁ ବିପୁଳ ପରିମାଣରେ ଭୋଟ୍ ଦେଇ ବିଜୟୀ କରାଇଛନ୍ତି | ମାତ୍ର, ଏଇ ଚତୁର୍ଥ ଦଫାର ଅଳ୍ପ କେଇ ଦିନ ଭିତରେ ଯେଭଳି ଭାବେ ତାଙ୍କ ସରକାର ବିରୋଧରେ ନାନାଦି ଦୁର୍ନୀତି ଅଭିଯୋଗ ଉଠିଛି ତାହା ପୂର୍ବରୁ କେବେ ହୋଇ ନଥିଲା | ଖଣି ଦୁର୍ନୀତି ନେଇ ଶାହା କମିଶନଙ୍କ ରିପୋର୍ଟ ଓ ସିଇସିଙ୍କ ତଦନ୍ତରେ ଯେମିତି ଅନେକ ଦୋଷତ୍ରୁଟି ଧରା ପଡ଼ିଛି ସେହିପରି ଚିଟ୍ ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତରୁ ମଧ୍ୟ ଅନେକ କଥା ପଦାକୁ ଆସୁଛି | ସରକାରୀ ସଂସ୍ଥାରୁ ପ୍ଲଟ୍ ଓ ଘର ଆବଣ୍ଟନ ଏବଂ ଜମି ଜବରଦଖଲ ବିବାଦରେ ମଧ୍ୟ ସରକାରଙ୍କ ଭାବମୂର୍ତ୍ତି ଉଜ୍ଜ୍ବଳ ହୋଇନାହିଁ | ସେ ଯଦି ନିରପେକ୍ଷ ଓ ନିରାସକ୍ତ ଭାବେ ଅନୁଧ୍ୟାନ କରିବେ ତେବେ ନିଶ୍ଚୟ ଜାଣି ପାରିବେ କେଉଁ କେଉଁ ସାଙ୍ଗ ଅର୍ଥାତ ସହଯୋଗୀମାନଙ୍କର ଭୁଲ ପରାମର୍ଶ ଓ ଭୁଲ କାର୍ଯ୍ୟ ଯୋଗୁଁ ଆଜି ତାଙ୍କ ସରକାର ବିରୋଧରେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି | ଯେଉଁଥି ପାଇଁ ତାଙ୍କୁ ଏତେ ଭଲ ପାଉଥିବା ଓଡ଼ିଶାର ଲକ୍ଷଲକ୍ଷ ଲୋକଙ୍କ ମନରେ ତାଙ୍କ ପ୍ରତି ନହେଲେ ବି ତାଙ୍କ ସରକାରଙ୍କ ପ୍ରତି ସନ୍ଦେହ ସୃଷ୍ଟି ହୋଇପାରେ | ଏହା ତାଙ୍କ ଦଳ ପାଇଁ ଭଲ ନୁହେଁ | ତାଙ୍କ ବାପାଙ୍କ ଖ୍ୟାତି ପାଇଁ ବି ଭଲ ନୁହେଁ | ମୋଟ ଉପରେ ଏହା ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ ମଧ୍ୟ ଭଲ ନୁହେଁ | ତେଣୁ ଯେଉଁମାନେ ତାଙ୍କର ଓ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ବାସ ମୂଳରେ କୁଠାରଘାତ କରି ଲକ୍ଷଲକ୍ଷ କୋଟି ଟଙ୍କାର ଖଣିଜ ପଦାର୍ଥ ଲୁଟ୍ କରିଛନ୍ତି, ହଜାର ହଜାର ଏକର ସାଧାରଣ ଜମି ହଡ଼ପ କରିଛନ୍ତି, ନାନାଦି ସରକାରୀ ଯୋଜନାକୁ ଚଳୁ କରି ଅନୈତିକ ଅର୍ଥ ଉପାର୍ଜନ କରିଛନ୍ତି ସେମାନଙ୍କ ବିରୋଧରେ ସେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ | ପୂର୍ବରୁ ସେ ଯେଉଁଭଳି ଭାବେ ଦୁର୍ନୀତିର ଛାଇ ପଡ଼ିଥିବା ନେତାମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ଲୋକେ ତାହାକୁ ବାଃ ବାଃ ଦେଉଥିଲେ ଓ ସେ ଜଣେ ସାହସୀ ଓ ସଚ୍ଚୋଟ ନେତା ବୋଲି ବିଶ୍ବାସ କରୁଥିଲେ | କିନ୍ତୁ ଏବେ ସେ ପୂର୍ବ ପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଲୋକମାନଙ୍କ ମନରେ ତାଙ୍କ ପ୍ରତି ସନ୍ଦେହ ସୃଷ୍ଟି ହୋଇପାରେ | ଲୋକେ ତାଙ୍କୁ ସନ୍ଦେହ କଲେ ବା ଅନ୍ୟମାନଙ୍କ ସହିତ ସମାନ ବିଚାର କଲେ, ଅନ୍ୟମାନଙ୍କ ଦୋଷ ପାଇଁ ତାଙ୍କ ଭାବମୂର୍ତ୍ତି କ୍ଷତିଗ୍ରସ୍ତ ହେବା ନିଶ୍ଚିତ | ତାହା ତାଙ୍କ ଦଳ ପାଇଁ କ୍ଷତିକାରକ | ତେଣୁ ଭାଗବତର ସେହି କୁମାରୀଙ୍କଠାରୁ ମୁଖ୍ୟମନ୍ତ୍ରୀ କିଛି ନୀତିଶିକ୍ଷା କରିବା ଉଚିତ | କୁସଙ୍ଗ ଓ ଦୁର୍ଜନମାନଙ୍କଠାରୁ ଦୂରେଇ ରହିଲେ ସେ ଓଡ଼ିଶାର ବାସ୍ତବ ସମୃଦ୍ଧି ଓ ସ୍ବାଭିମାନର ସଂସ୍ଥାପନା କରିପାରିବେ | ନହେଲେ ଲୁଟେରାମାନେ ଓଡ଼ିଶାକୁ ଲୁଟି ନେଇ ତାଙ୍କ ମୁଣ୍ଡରେ ଅଠା ବୋଳି ଖସିଯାଇ ପାରନ୍ତି | ଏହି ପରିପ୍ରେକ୍ଷୀରେ ଆଚାର୍ଯ୍ୟ ଚାଣକ୍ୟଙ୍କ ବାଣୀ ପ୍ରଣିଧାନଯୋଗ୍ୟ- ଦୁର୍ଜନଃ ପରିହର୍ତ୍ତବ୍ୟ ବିଦ୍ୟୟାଳଙ୍କୃତୋ଼ପି ସନ୍, ମଣିନାଃ ଭୂଷିତ ସର୍ପଃ କିମସୌ ନ ଭୟଙ୍କର ? 

Share :