ଓଡିଶାର ସଂଖ୍ୟାଧିକ ଲୋକ କୃଷି ଉପରେ ନିର୍ଭର କରୁଥିବାବେବେଳେ ରାଜ୍ୟର ଜିଡିପିରେ କୃଷି ସମୁଦାୟର ଯୋଗଦାନ ହେଉଛି ସବୁଠୁଁ କମ। ଏହା ହିଁ ଓଡ଼ିଶାର ଦାରିଦ୍ର୍ୟର ମୂଳ କାରଣ ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ଡ. ଅରବିନ୍ଦ ପାନାଗାରିଆ କହିଛନ୍ତି। ଓଡିଶା ବିକାଶ କନକ୍ଲେଭର ଉଦଘାଟନ କରି ଡ. ପାନାଗାରିଆ ଏହା କହିଛନ୍ତି। ପାନଗାରିଆ କହିଛନ୍ତି ଯେ ରାଜ୍ୟର ୫୬ ପ୍ରତିଶତ ଲୋକ ସିଧା ସିଧା କୃଷି କ୍ଷେତ୍ରରେ କାମ କରୁଥିବା ବେଳେ ଜିଏସଡିପିରେ ଯୋଗଦାନ ମାତ୍ର ୧୮ ପ୍ରତିଶତ। ତେଣୁ ଓଡିଶାର କୃଷକମାନଙ୍କ ମଧ୍ୟରେ ଗଭୀର ଦାରିଦ୍ର୍ୟ ରହିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଓଡିଶାଭଳି ରାଜ୍ୟରେ ରାଜ୍ୟର ବଜେଟ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ପରିଛନ୍ନତା ପାଇଁ ବହୁତ କମ ବୋଲି ଅଭିଯୋଗ ହେଉଛି। ମାତ୍ର ଓଡିଶାର ଜିଡିପି ନ ବଢିଲେ ରାଜ୍ୟର ଟିକସ ବଢିବ ନାହିଁ। ଟିକସ ନ ବଢିଲେ ଶିକ୍ଷା, ସ୍ୱାସ୍ଥ୍ୟ ବଜେଟ ବଢି ପାରିବ ନାହିଁ। ସମାଧାନର ରାସ୍ତା ବାହାର କରି ପାନଗାରିଆ କହିଛନ୍ତି ଯେ କୃଷି ଉପରେ ନିର୍ଭରଶୀଳ ଲୋକମାନଙ୍କୁ ଶିଳ୍ପ ଓ ସେବା କ୍ଷେତ୍ରକୁ ନେବାର ପ୍ରକ୍ରିୟା ହେବା ଅତ୍ୟନ୍ତ ଜରୁରୀ। ଓଡିଶାରେ କୃଷି ପ୍ରକ୍ରିୟାକରଣ ଶିଳ୍ପ ବିକାଶ ପାଇଁ ପ୍ରଶସ୍ତ ସୁଯୋଗ ରହିଛି। କୃଷିରୁ ଲୋକ ଅତି ସହଜରେ କୃଷି ଆଧାରିତ ଶିଳ୍ପକୁ ଆସିପାରିବେ। କୃଷି ଓ ଶିଳ୍ପର ଉଭୟ ସମୃଦ୍ଧ ହେବ। ଓଡିଶାର ବିସ୍ତୀର୍ଣ୍ଣ ବେଳାଭୂମିକୁ ଓଡିଶାର ଅମୂଲ୍ୟ ସମ୍ପଦ ବୋଲି କହିଥିଲେ ପାନଗାରିଆ। ତାଇବାନ, ସାଉଥ କୋରିଆ ଓ ଚୀନର ଉଦାହରଣ ଦେଇ ପାନଗାରିଆ କହିଥିଲେ ଯେ ଏହି ଦେଶ ଗୁଡିକର ବିକାଶ ସେମାନଙ୍କର ବେଳାଭୂମି ଆଧାରିତ ବିକାଶ ଯୋଗୁଁ ସମ୍ଭବ ହୋଇଛି। ଶିଳ୍ପ ପର୍ଯ୍ୟଟନ, ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟ ସମୁଦ୍ର ପଥରେ ସମ୍ଭବ ହୋଇଛି। ଭାରତର ମହାରଷ୍ଟ୍ର ଓ ଗୁଜରାଟ ମଧ୍ୟ ସମୁଦ୍ର ଆଧାରିତ ଅର୍ଥନୀତି ମାଧ୍ୟମରେ ବିକାଶ କରିଛନ୍ତି। ଓଡିଶାକୁ ତାର ଏହି ଅମୂଲ୍ୟ ସଂପଦର ସଦୁପଯୋଗ କରିବାକୁ ରାସ୍ତା ବାଛିବାକୁ ପଡିବ। କୃଷି ଆଧାରିତ ଶିଳ୍ପ ଓ ବେଳାଭୂମି ଆଧାରିତ ଅର୍ଥନୀତି ସାଧାରଣ ଲୋକଂକର ମୁଂଡ ପିଛା ଆୟକୁ ବୃଦ୍ଧି କରିବ। ତାହା ରାଜ୍ୟର ଜିଡିପିକୁ ବଢାଇବ। ଏହା ଦ୍ୱାରା ଲୋକ ତାଙ୍କର ପକେଟରୁ ବଜାରରେ ଖର୍ଚ କରିବେ। ଅର୍ଥନୀତି ରିଲିଫ ମଡେଲ ଉପରେ ନିର୍ଭର କରିବାକୁ ପଡିବ ନାହିଁ। ରାଜ୍ୟର ରାଜକୋଷକୁ ଅର୍ଥ ଯିବ। ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ସରକାର ଯୋଗାଇ ଦେଲେ ଅର୍ଥନୀତି ଆହୁରି ଗତିଶୀଳ ହେବ। ଓଡିଶାର ଅମାପ ସମ୍ଭାବନାକୁ ପ୍ରଗତିର ରୂପ ଦେବା ପାଇଁ ଏହା ପ୍ରକୃଷ୍ଟ ସମୟ ବୋଲି ସେ କହିଛନ୍ତି। ଉତ୍ସବରେ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର କୋଣ ଅନୁକୋଣରେ କାମ କରୁଥିବା ଉପାନ୍ତ ଅଂଚଳରେ ବର୍ଷ ବର୍ଷ ଧରି କାମ କରୁଥିବା ସାମାଜିକ କାର୍ଯ୍ୟକର୍ତ୍ତାମାନଙ୍କର ଅନୁଭବକୁ ଶୁଣିବା ପାଇଁ ବିକାଶ କନକ୍ଲେଭର ଏକ ସୁଯୋଗ ଦେଇଥିବାରୁ ଆୟୋଜକମାନଙ୍କୁ ଧନ୍ୟବାଦ ଦେଇଥିଲେ। ବିକାଶ କନକ୍ଲେଭର ସୁପାରିଶଗୁଡିକୁ ଧରି ସାମାଜିକ ସଂଗଠନଗୁଡିକର ପ୍ରତିନିଧି ମାନେ ନୂଆଦିଲ୍ଲୀ ଠାରେ ଓଡିଶାର ବିକାଶ ରୋଡ ମ୍ୟାପ ଉପସ୍ଥାପନା କରିବା ଆବଶ୍ୟକ ଓ ନୀତି ଆୟୋଗର ଉପାଧ୍ୟକ୍ଷ ଏହାକୁ ଶୁଣିବା ଦରକାର ବୋଲି ସେ କହିଥିଲେ। ଚତୁର୍ଦଶ ଅର୍ଥ କମିଶନରେ ୧୧ ପ୍ରତିଶତ ଅଧିକ କେନ୍ଦ୍ରୀୟ ଟିକସ ରାଜ୍ୟକୁ ଆସିଥିବା ବେଳେ ୭ ହଜାର କୋଟି ଟଙ୍କାର କାମ୍ପା ପାଂଠି ଓଡିଶା ପାଇଛି ଯାହା ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କୃଷି ଓ ଜଳ ସେଚନକୁ ଅଧିକ ପାଂଠି ପ୍ରଦାନର ଆବଶ୍ୟକତା ରହିଥିବା ଦର୍ଶାଇଥିଲେ। ନାଲକୋ ସିଏମଡି ତଥା ସିଆଇଆଇ ଓଡିଶା ଚାପ୍ଟରର ମୁଖ୍ୟ ତପନ ଚାନ୍ଦ ଏହି ଅବସରରେ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମର ପରିଚାଳନା ସିବାଇଏସଡିର ସଦସ୍ୟ ସଚିବ ଜଗଦାନନ୍ଦ କରିଥିଲେ। ସୂଚନା ଯୋଗ୍ୟ ଯେ ଆର୍ଥିକ ଅନ୍ତଭୁର୍କ୍ତିକରଣ, ଖାଦ୍ୟ ଓ ପୁଷ୍ଟି ନିରାପତ୍ତା, ବୃଷ୍ଟିପୁଷ୍ଟ କୃଷି, ବିଦ୍ୟାଳୟ ଶିକ୍ଷା ଏବଂ ଗୁଣାତ୍ମକ ପାଠପଢ଼ା, ସ୍ୱାସ୍ଥ୍ୟ, ଜଳ, ପରିମଳ ଓ ପରିଚ୍ଛନ୍ନତା, ଆଦିବାସୀ ବିକାଶ ଓ ସଶକ୍ତିକରଣ, ଚିରନ୍ତନ ବିକାଶର ଅଂଶୀଦାର ବିପର୍ଯ୍ୟୟ ଏବଂ ଜଳବାୟୁ ପରିବର୍ତନ ପ୍ରଭାବର ମୁକାବିଲା ଏବଂ ନିଯୁକ୍ତି, ଦକ୍ଷତା ଏବଂ ସ୍ଥାନାନ୍ତର ଆଦି ୧୧ଟି ପୃଥକ ପୃଥକ ଥିମ୍କୁ ନେଇ ରାଜଧାନୀର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଦିନ ସାରା ସମାନ୍ତର ଅଧିବେଶନର ଆୟୋଜନ କରାଯିବ। ସିୱାଇଏସ୍ଡି, ଆର୍ସିଡିସି, ଏଚ୍ଡିଏଫ୍ ବସୁନ୍ଧରା, ଲିଭିଂ ଫାର୍ମ, ପ୍ରାକ୍ଟିକାଲ୍ ଆକ୍ସନ, ପିଏଚଏଫଆଇ, ଏଡ ଆଟ ଆକ୍ସନ, ସିଡିମାସ, ଗ୍ରାମ ବିକାଶ, ଏସଏଲସିଏସ, ଓଡିଶା ଆରଟିଇ ଫୋରମ ଏବଂ ସିଆଇଆଇ ଭଳି ସାମାଜିକ ସଙ୍ଗଠନର ମିଳିତ ଉଦ୍ୟମରେ ଆୟୋଜିତ ବିକାଶ କନ୍କ୍ଲେଭର ଦ୍ୱିତୀୟ ଦିନରେ ସମାନ୍ତର ଅଧିବେଶନମାନ ହୋଟେଲ୍ ସୂର୍ଯ୍ୟାଂଶ, ସିୱାଇଏସଡି, ଏନ୍ସିଡିଏସ୍, ଇଗ୍ନୋ, ହୋଟେଲ୍ ସାଣ୍ଡି ଟାୱାର, ରିଜିଓନାଲ୍ ମ୍ୟୁଜିୟମ୍ ଅଫ୍ ନ୍ୟାଚୁରାଲ୍ ହିଷ୍ଟ୍ରି, ଅନୁସୂଚିତ ଜାତି ଓ ଜନଜାତି ପ୍ରଶିକ୍ଷଣ ପ୍ରତିଷ୍ଠାନ, ଜାଭିୟର୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଂଟ ଏବଂ ସ୍ୱସ୍ତି ପ୍ରିମିୟମ୍ ଠାରେ ଆୟୋଜିତ ହେଉଅଛି। ରାଜ୍ୟ ତଥା ଜାତୀୟ ସ୍ତରର ବହୁ ଅଭିଜ୍ଞ ସମାଜସେବୀ, ପଦାଧିକାରୀ, ନୀତି ନିର୍ଦ୍ଧାରକ, ଗବେଷକ ଓ ବିଶେଷଜ୍ଞମାନେ ଏଥିରେ ଯୋଗଦାନ କରୁଛନ୍ତି।