ମହାନଦୀ ଓ ମହାମୁର୍ଖଙ୍କ ମହାତର୍କ

ମହାନଦୀ ଓ ମହାମୁର୍ଖଙ୍କ ମହାତର୍କ

Share :

ରତ୍ନେଶ୍ବର ସାହୁ   ବର୍ତ୍ତମାନ ସବୁଆଡେ ଗୋଟିଏ କଥା ! ମହାନଦୀ ଜଳ ଐ ଯେହେତୁ ଏହା ଗୋଟିଏ ଜାତିର ପ୍ରାୟ ୨ କୋଟି  ଜୀବନ ଓ ଜୀବିକା ସହ ଯୋଡି ହୋଇଛି। ତେଣୁ ଏହା ନିଶ୍ଚିତ ପକ୍ଷେ ଗୁରୁତ୍ବ ବହନ କରୁଛି। ତେବେ ଓଡ଼ିଶା ସରକାର ଓ ତାଙ୍କ କଥାକୁ ସମର୍ଥନ କରୁଥିବା କେତେକ ଦଳ ଓ ପକ୍ଷ ମହାନଦୀ ନେଇ ଅନ୍ଧାରରେ ବାଡ଼ି ବୁଲାଇବା ପରି ବୋଧ ହେଉଛି। ଏମାନଙ୍କ ପାଖେର ମହାନଦୀ ନେଇ କିଛି ତଥ୍ୟ ଥିଲା ପରି ଲାଗୁ ନାହିଁ। ତଥ୍ୟ ଥିଲେ ସେମାନେ ନିର୍ଦ୍ଦିଷ୍ଟ ଭାବରେ କହିପାରନ୍ତେ ଛତିଶଗଡ଼ ବ୍ୟାରେଜ ଯୋଗୁଁ ଓଡ଼ିଶାର ଏଇ ଏଇ କ୍ଷତି ହେବ। କିନ୍ତୁ ସେମାନେ ତାହା କହୁ ନାହାନ୍ତି। ଖାଲି କହୁଛନ୍ତି ମହାନଦୀ ଓଡ଼ିଶାର ଜୀବନ ରେଖା। ମହାନଦୀ ଶୁଖିଯିବ। ଓଡ଼ିଶାର କ୍ଷତି ହେବ। ଏ କଥା ଯୁକ୍ତିକୁ ପାଏନି। ଯୁଦ୍ଧକୁ ପାଇବ ନାହିଁ।   ମାନ୍ୟବର ମୁଖ୍ୟମନ୍ତ୍ରୀ ଯେତେବେଳେ ବିଭିନ୍ନ ମହଲରୁ ନିଜ ନିଜ ମତ ଓ ତଥ୍ୟ ଦେବାକୁ ଆହ୍ବାନ କଲେ ଅନେକ ଲୋକ ମତ ଦେବା ପାଇଁ ଆଗକୁ ଆସିଲେ। ଆମେ ଆଗରୁ କହି ଆସୁଛୁ ଯେ କିଏ କହୁଛି ତାହା ଗୁରୁତ୍ବ ବହନ କରୁଛି। ଯେହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନ୍ୟମାନଙ୍କର ମତ ଲୋଡିଲେ ତେଣୁ ଯାହା ପାଖରେ ଯାହା ତଥ୍ୟ ଥିଲା ସେମାନେ ଦେଲେ। ଆମେ ନିଜେ ଗତ ଦିନମାନଙ୍କରେ ବିଭିନ୍ନ ସମ୍ବାଦ ପତ୍ରଗୁଡିକୁ ନିଜର ମତ ଦେଇଛୁ। କିନ୍ତୁ ଆମେ ସେମିତି କିଛି ଗୁରୁତ୍ବପୁର୍ଣ୍ଣ ସୂଚନା ଏବଂ ତଥ୍ୟ ପାଇପାରି ନ ଥିଲୁ।   ତେବେ ସେ ଯାହାହେଉ ବିଭିନ୍ନ ଗୋଷ୍ଠୀ ପାଖରେ ଯାହା ସବୁ ତଥ୍ୟ ଥିଲା ସେଗୁଡିକ ଏବେ ସରକାରୀ ତଥ୍ୟ ଆକାରରେ ପ୍ରମାଣିତ ହୋଇ ପାରିବ କି? ଦ୍ବିତୀୟ କଥା ହେଲା, କିଏ କହିଦେଲେ ତାହା ସରକାରୀ ସ୍ତରରେ ଗ୍ରହଣୀୟ ହେବ କି? ଯଦି ହେବ ତାହାହେଲେ କେଉଁ ଆଧାରରେ? ଏଥିପାଇଁ ଯଦି କିଛି ଗବେଷଣା ଭିତ୍ତିକ ତଥ୍ୟ ଥିବ ତାହାହେଲେ କିଛି ମାତ୍ରାରେ ଗ୍ରହଣ କରାଯାଇ ପାରେ। କାରଣ ଯେଉଁ ବ୍ୟକ୍ତି ବିଶେଷ ଗବେଷଣା କରିଥିବେ ସେ କିଛି ଅଞ୍ଚଳକୁ ନମୁନା ଭାବେ ନେଇ ବିଶ୍ଲେଷଣ କରିଥିବେ।   କିନ୍ତୁ ଏଠାରେ ଆମେ ଓଡିଶାର ଅଧା କଥା ଚିନ୍ତା କରୁଛେ। ତାହାର ହିସାବ କିପରି ଆକଳନ କରାଯାଇ ପାରିବ? ଯଦି ଅଧିକ ପରିମାଣର ଆକଳନ ହୋଇ ପାରିବ ନାହିଁ ତାହାହେଲେ ଆମେ ନିଜକୁ ନ୍ୟାୟ ଦେଇ ପାରିବା କି? କଥା ହେଉଛି କେତେ ଜଳ ଆସୁଛି? କେତେ ପରିମାଣରେ ଏହି ଜଳକୁ ବ୍ୟବହାର ହୋଇ ପାରୁଛି? କେତେ ଜମି ଏହାଦ୍ବାରା ଉପକୃତ ହୋଇ ପାରୁଛି? ଯଦି ଉପର ମୁଣ୍ଡରେ ପାଣି ଆସିବ ତାହାହେଲେ ଅତିକମରେ କେତେ ପରିମାଣରେ ଆସିବ?   କେତେ ଜମି ଜଳସେଚିତ ହୋଇ ପାରିବ? ଏହା ଦ୍ବାରା ଶିଳ୍ପ ଜଗତ କେତେ ପରିମାଣରେ କ୍ଷତି ହେବ? ଶିଳ୍ପ ମଧ୍ୟ ରାଜ୍ୟର ଅର୍ଥନୀତି ଉପରେ ପ୍ରଭାବ ପକାଉଛି ତେଣୁ ଏହାଦ୍ବାରା ଉଭୟ କୃଷି ଏବଂ ଶିଳ୍ପ କେତେ କ୍ଷତି ସହିବେ? ବିକଳ୍ପ କ’ଣ ହୋଇ ପାରେ? ଯଦି ଉପର ମୁଣ୍ଡରେ ଡ୍ୟାମ ହେବ ତାହାହେଲେ ଓଡିଶା ସରକାର କେନାଲ ଦ୍ବାରା ଜଳ ପାଇ ପାରିବେ କି? ଏହା ଫଳରେ ଓଡିଶାର କେଉଁ ଅଞ୍ଚଳ ନୁତନ ଭାବେ ଜଳସେଚନ ଯୋଜନା ଦ୍ବାରା ଉପକୃତ ହୋଇ ପାରିବ? ଆମକୁ ମହାନଦୀ ଦ୍ବାରା ଅତିକମରେ କେତେ ପରିମାଣରେ ଜଳ ଆବଶ୍ୟକ? ଏହା କିପରି ନିଶ୍ଚିତ ହୋଇ ପାରିବ? ଏହିସବୁ ବିଷୟ ପ୍ରତି ନଜର ଦିଆ ଯାଇଛି ତ? ଓନିଶା ସରକାରଙ୍କ ପାଖେ ଏସବୁ ତଥ୍ୟ ଅଛି ଟି? ଯଦି ନାହିଁ ତେବେ ଓଡ଼ିଶାର ଯନ୍ତ୍ରୀ ଓ ବିଶେଷଜ୍ଞ ଲଗାଇ ଆଗ ତଥ୍ୟ ସ୍ଥିର କରୁ ନାହାନ୍ତି କାହିଁକି?   କେବଳ ଏକ ପାକ୍ଷିଆ ଭାବେ ଭାବାବେଗ ହୋଇ କହିଦେଲେ ଏହାର କିଛି ମୂଲ୍ୟ ରୁହେ ନାହିଁ। କାରଣ ସବୁ ପାଇଁ ତଥ୍ୟ ଏବଂ ଯୁକ୍ତି ଦରକାର। ବେଳେବେଳେ କିଛି ସମୟରେ ଚୁକ୍ତି କଥା ଉଠିଲେ କିଛି ଗ୍ରହଣଯୋଗ୍ୟ ହୋଇ ପାରେ। କିଛି ଜିନିଷ ପ୍ରତି ସାଲିସ୍ କରାଯାଇ ନ ପାରେ। ଏହିଭଳି ପ୍ରସ୍ତାବ ରହିଛି କି? ଯଦି ହଁ ତେବେ, କେଉଁ କଥାଗୁଡିକୁ ବିଭିନ୍ନ ସଂଗଠନ ମତ ଦେଇଛନ୍ତି? କେଉଁ ଜିନିଷଗୁଡିକୁ ଧ୍ୟାନ ଦିଆ ଯାଇଛି? କେଉଁ ଦିଗ ଗୁଡିକରେ ସାଲିସ୍ କରଯାଇ ପାରେ? କେଉଁ ଦିଗ ପ୍ରତି ଆମେ କଠୋର ରହିଛୁ? ସେଗୁଡିକ ସର୍ବସାଧାରଣ ଜାଣି ପାରିବେ କି?   ଆମେ ସମସ୍ତେ ଧ୍ୟାନ ରଖିବା ଉଚିତ୍ ଯେ ଆମେ ଏକ ସଂଘୀୟ ଗଣତନ୍ତ୍ରର ଅଂଶ। ତେଣୁ ଯଦି ଆମେ ରାଜ୍ୟ ରାଜ୍ୟ ଭିତରେ ଝଗଡା ଲାଗିବା ତାହାହେଲେ ଆମେ ବିଦେଶୀମାନଙ୍କ ଦ୍ବାରା ଆରାମରେ ପୁଣିଥରେ ଶାସିତ ହେବା।

Share :