ଜରାଶ୍ରମର ଆବଶ୍ୟକତା

ଜରାଶ୍ରମର ଆବଶ୍ୟକତା

Share :

ଇନ୍ଦୁମତି ରଥ   ଭାରତବର୍ଷରେ ପୁରାତନ ଯୁଗର ଅନେକ ପରମ୍ପରା, ଚାଲିଚଳନ, ଖାଦ୍ୟପେୟ, ପୋଷାକ ପରିଚ୍ଛେଦ ଆଦି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଜନବସତି ବୃଦ୍ଧି ସଂଗେସଂଗେ ମଣିଷର ପାରିପାର୍ଶ୍ବିକ ଅବସ୍ଥାରେ ମଧ୍ୟ ପରିବର୍ତ୍ତନ ଆସିଛି। ପାଶ୍ଚାତ୍ୟ ଦେଶର ଅତି ଆଧୁନିକ ପ୍ରଣାଳୀ ଆମ ଦେଶର ସଂସ୍କୃତିର ଅଗ୍ରଗତିରେ ଏକ ପ୍ରତିବନ୍ଧକ ସୃଷ୍ଟି କରିଛି। ବିଜ୍ଞାନ ଆଧୁନିକ ପଦ୍ଧତିରେ ଅନେକ ଜଟିଳ ସମସ୍ୟା ଦୂର କରିପାରିଛି। ମନୁଷ୍ୟ ମଧ୍ୟରେ ଥିବା ଭାଇଚାରା ସମ୍ପର୍କରେ ଅବକ୍ଷୟ ଘଟିଛି। କିଛିବର୍ଷ ପୂର୍ବେ ଆମ ଦେଶରେ ପ୍ରାୟତଃ ଯୌଥ ପରିବାର ଦେଖାଯାଉଥିଲା। ଯୌଥ ପରିବାର ଜେଜେବାପା, ଜେଜେମା, ଦାଦା, ଖୁଡୀ, ବଡ଼ବାପା, ବଡ଼ମା, ଭାଇଭଉଣୀ, ନାତି, ନାତୁଣୀ ଆଦି ସମସ୍ତଙ୍କୁ ନେଇ ଗଠିତ ଥିଲା। ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କର୍ମକ୍ଷେତ୍ରକୁ ବାହାରକୁ ଯାଉଥିଲେ ଓ ସମସ୍ତ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଏକ ଦୃତ ସମ୍ପର୍କ ରହିପାରୁଥିଲା। ପାଞ୍ଚ ଆଙ୍ଗୁଳି କେବେ ସମାନ ନଥାଏ। ପ୍ରତି ଆଙ୍ଗୁଠି ଯେପରି ଭିନ୍ନଭିନ୍ନ କାମ କରିବାରେ ନିପୁଣ ଥାଏ କିନ୍ତୁ ପାଞ୍ଚ ଆଙ୍ଗୁଠି ମିଶ୍ରଣରେ ହାତମୁଠାଟି ଶକ୍ତ ହୋଇଥାଏ ସେପରି ଯୌଥ ପରିବାର ଏକ ଅପୂର୍ବ ଶକ୍ତିଭରା ପରିବାର ଥିଲା। ଏକ ପରିବାରର ୫/୬ ଜଣ ଭାଇଭଉଣୀ ଥିଲେ, ଜଣେ, ଦୁଇ ଜଣ ସରକାରୀ ଚାକିରି କଲେ, ଅନ୍ୟ ଜଣେ ଚାଷବାସ କଲେ ଓ ଅନ୍ୟ ଜଣେ ବ୍ୟବସାୟ କରି ପରିବାରକୁ ସାହାଯ୍ୟ କରୁଥିଲେ ଏବଂ ବାପା, ମା, ଦାଦା, ଖୁଡୀ ସମସ୍ତ ପରିବାରର ସଦସ୍ୟଙ୍କୁ ଏକତ୍ର ବାନ୍ଧି ରଖିବାରେ ସହାୟକ ହେଉଥିଲେ ଓ ପିଲାମାନେ ପାଠ ପଢ଼ିବା ସଂଗେସଂଗେ ଉପଯୁକ୍ତ ଶିକ୍ଷା ଓ ସଂସ୍କୃତି ବିଷୟରେ ଅବଗତ ଥିଲେ।   ମାତ୍ର ସମୟ ଅନୁସାରେ ଶିକ୍ଷାଗତ ଯୋଗ୍ୟତା ସମସ୍ତଙ୍କ ପାଇଁ ଜରୁରୀ ହୋଇପଡିଛି ଓ ମା, ବାପାମାନେ ଉଚ୍ଚଶିକ୍ଷା ଓ ଉତ୍ତମ ଚାକିରୀ ପାଇବା ପାଇଁ ଗାଁ ଗଣ୍ଡା ଛାଡି ସହରକୁ ଆସିବାକୁ ବାଧ୍ୟ ହେଉଛନ୍ତି, ତଦ୍ୱାରା ପରିବାରର ସମସ୍ତେ ସମସ୍ତଙ୍କଠାରୁ ଆସ୍ତେ ଆସ୍ତେ ଅଲଗା ହୋଇଯାଉଛନ୍ତି। ଫଳରେ ଆର୍ଥିକ ମାନଦଣ୍ଡ ଓ ପରସ୍ପର ପରସ୍ପରକୁ ସାହାଯ୍ୟ ଓ ସଦିଚ୍ଛା କ୍ରମଶଃ ଦୁର୍ବଳ ହୋଇପଡୁଛି। ମନୁଷ୍ୟ ଏକାଏକା ସମସ୍ତ ପରିସ୍ଥିତିକୁ ସାମ୍ନା କରି ନପାରି ମାନସିକ ଭାରସାମ୍ୟ ହରାଇବସୁଛି।   ମଧ୍ୟବିତ୍ତ ପରିବାର ଓ ନିମ୍ନ ମଧ୍ୟବିତ୍ତ ପରିବାରର ମା’ବାପାମାନେ ଉଚ୍ଚଶିକ୍ଷା ପାଇଁ ପିଲାମାନଙ୍କୁ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନକୁ ପଠଇବାରେ ତାଙ୍କର ସମସ୍ତ ସମୟ ଓ ପୁଞ୍ଜି ବିନିଯୋଗ କରୁଛନ୍ତି। ପିଲାମାନେ ଦେଶ ବିଦେଶରେ ଚାକିରୀ କଲାପରେ ମା’ବାପା ଏକା ହୋଇଯାଉଛନ୍ତି। ବୃଦ୍ଧା ଅବସ୍ଥାରେ ଦେଖାଯାଉଛି ଅଧିକାଂଶ ପରିବାରର ପିଲାମାନେ ବାହାରକୁ ଯାଇ ପୁଣି ନିଜ କାମରେ ଏତେ ବ୍ୟସ୍ତ ରହିଯାଉଛନ୍ତି ଯେ ବାପାମାଙ୍କ କଥା ବୁଝିବାକୁ, ଦେଖିବାକୁ ତାଙ୍କ ପାଖରେ ସମୟ ନାହିଁ। କେବଳ ଟଙ୍କା ପଠାଇବା ଛଡା ପାଖରେ ରହି ଦେଖାଶୁଣା କରିବା ପିଲାମାନଙ୍କ ପାଖରେ ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡୁଛି।   ପିଲାଟି ଜନ୍ମହେଲା ପରେ ବାପା-ମା/ବଡ଼ମାନଙ୍କ ସହାୟତାରେ ଛିଡାହୁଏ, ଚାଲି ଶିଖେ ଓ ବାପାମା’, ଭାଇଭଉଣୀ ସଂଗେ ଖେଳି ସମୟ କଟାଏ। ପର ମୂହୁର୍ତ୍ତଟି ଶିକ୍ଷା ପାଇଁ ସ୍କୁଲ, କଲେଜରେ କଟିଥାଏ। ପୁଣି ଚାକିରୀ କିମ୍ୱା ବ୍ୟବସାୟ କରି ଏକ ଅଭିଭାବକର ଦାୟିତ୍ୱ ତୁଲାଇ ଥାଏ। ତା’ପରେ ପୁଣି ନିଜ ପିଲାଙ୍କ ଦାୟିତ୍ୱ ବୁଝୁବୁଝୁ ପରିଣତ ବୟସରେ ପଦାର୍ପଣ କରିଥାଏ। ଏହା ଏକ ସମାଜର ବାସ୍ତବଚିତ୍ର। ୬୦ ବର୍ଷ ପରେ ବୃଦ୍ଧ ନାଗରିକ ଭାବେ ସରକାରଙ୍କ ନିୟମ ଅନୁଯାୟୀ ଗଣତି କରାଯାଏ । କିନ୍ତୁ ଏହି ସମୟରେ ପ୍ରକୃତ ବାର୍ଦ୍ଧକ୍ୟ ଆସି ନଥାଏ। ପିଲାମାନଙ୍କୁ ଶିକ୍ଷାଦୀକ୍ଷା ଦେଇ କାର୍ଯ୍ୟକ୍ଷେତ୍ରକୁ ଛାଡିଦେଲା ପରେ ସେମାନେ ପୁଣି ନିଜର ସଂସାରକୁ ନିଜେ ଚଳାଇଥାନ୍ତି। ସ୍ୱାମୀ, ସ୍ତ୍ରୀ ଉପରେ ଏବଂ ସ୍ତ୍ରୀ ସ୍ୱାମୀ ଉପରେ ନିର୍ଭରଶୀଳ ହୋଇ ବୟସ ଅତିକ୍ରମ କରି ଚାଲନ୍ତି। ବୃଦ୍ଧ ଦମ୍ପତିମାନଙ୍କ ସୁରକ୍ଷା କ୍ରମେ ହ୍ରାସ ପାଇବାରେ ଲାଗିଛି। ତେଣୁ ସେମାନଙ୍କ ମନୋବଳ ଦିନକୁ ଦିନ ଭାଙ୍ଗି ପଡୁଛି। ଭାବର ଆଦାନ ପ୍ରଦାନ କରିବା କଷ୍ଟକର ହୋଇପଡୁଛି ଏବଂ ଯୁବପିଢ଼ିଙ୍କର ଦୈନିକ ଚାଲିଚଳନରେ ନିଜକୁ ଖାପଖୁଆଇ ଚଳିବା କଷ୍ଟକର ହୋଇପଡୁଛି।   ବୃଦ୍ଧ ବୟସରେ ମନୁଷ୍ୟ ଉତ୍ତମ ଖାଦ୍ୟ ସହ, ଯୋଗ, ପ୍ରଣାୟମ, ବ୍ୟାୟାମ କରିବା ଦ୍ୱାରା ମାନସିକ ସ୍ଥିରତା ଆସିଥାଏ। ଏ ସମସ୍ତ କାର୍ଯ୍ୟ ଆମେ ବୃଦ୍ଧାଶ୍ରମରେ ସୁନଚିନ୍ତିତ ଉପାୟରେ କରିପାରିବା। ଏଥିପାଇଁ ଜରାନିବାସ ଅତ୍ୟନ୍ତ ଜରୁରୀ ହୋଇପଡିଲାଣି। ଆଜିକାଲିର ଯୁବପିଢ଼ିି ଯଦି ସୁ‌୍‍ସ୍ଥମନରେ ଚିନ୍ତା କରିବେ ତେବେ ବୃଦ୍ଧ ପିତାମାତାଙ୍କର ଏକ ନିରାପଦ ଏବଂ ଉତ୍ତମ ଜୀବନରେ ବଞ୍ଚିବାର ରାହା ଦେଖିପାରିବେ। ବୃଦ୍ଧାଶ୍ରମ ଏପରି ଏକ ଦିବ୍ୟପରିକଳ୍ପନା ଯାହା ସମସ୍ତ ପିଢ଼ୀଙ୍କୁ ଏକ ନିଶ୍ଚିତ ଓ ସୁସ୍ଥ ଜୀବନଯାପନ ଗଠନ ପ୍ରଣାଳୀରେ ସହାୟକ ହେବ। ଏପରି ଏକ ଯୋଜନା ଯାହା ମାନସିକ ଓ ଶାରୀରିକ ସ୍ତରରେ ବ୍ୟକ୍ତିକୁ ସୁଦୃଢ଼ କରିଥାଏ। ଶରୀରକୁ ସମସ୍ତ ଚାପରୁ ମୁକ୍ତ କରାଇଥାଏ। ଶରୀର ମଧ୍ୟରେ ଥିବା ଅନାବଶ୍ୟକ ବାହ୍ୟ ଉତ୍ତେଜନା, ମାନସିକ ଦୁର୍ଭାବନାକୁ ଫିଙ୍ଗିଦେଇ ପରବର୍ତ୍ତିତ ବୋଧଶକ୍ତି ଆହରଣରେ ସାହାଯ୍ୟକରେ। ୬୦ ବର୍ଷବୟସକୁ ପରିଣତ ବୟସ ନଭାବି ଆସନ୍ତୁ ଆଗାମୀ ବର୍ଷଗୁଡିକରେ ନିଜର ବଞ୍ଚିବା ଶୈଳୀରେ ବଞ୍ଜିବାକୁ ହେଲେ ଆମେ ସମସ୍ତେ ଏକାଠି ହୋଇ ନିଜର କିଛିଶ୍ରମ, ସମୟ ଓ ଅର୍ଥ ଦେଇ ପରସ୍ପର ପରସ୍ପରର ମୁହଁରେ ହସ ଫୁଟାଇ ପାରିବା। ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀରେ ଥିବା ଶ୍ରୀସାଇ ସେବା ଟ୍ରଷ୍ଟ ତରଫରୁ ଖୋର୍ଦ୍ଧାର ଗଡ଼ମାଣିତ୍ରି ଗାଁରେ ଗଢ଼ିଉଠିଛି ଏକ ସାଇ ଆଶ୍ରୟ ବୃଦ୍ଧାଶ୍ରମ। ଭୁବନେଶ୍ୱରଠାରୁ ଯଦିବା ୫୦ କିଲୋମିଟର ଦୂରତାରେ ଏହା ଅବସ୍ଥିତ କିନ୍ତୁ ଏକ ସୁନ୍ଦରଗ୍ରାମ ପରିବେଶରେ ଏଇ ବୃଦ୍ଧାଶ୍ରମରେ ସହରର ସମସ୍ତସୁବିଧା ସୁଯୋଗକୁ ଅନୁଭବ କରିହେଉଛି। ପରିଶେଷରେ ସାଇସେବା ଟ୍ରଷ୍ଟ ସମସ୍ତ ପାଠକପାଠିକାମାନଙ୍କୁ ଅନୁରୋଧ କରୁଛି ଯେ, ସେମାନଙ୍କ ପାଖାପାଖିରେ ଥିବା ବରିଷ୍ଠ ନାଗରିକମାନଙ୍କୁ ଏ ସଂପର୍କରେ ଅବଗତ କରାନ୍ତୁ।   ମେମ୍ୱର, ଶ୍ରୀସାଇସେବା ଟ୍ରଷ୍ଟ, ଭୁବନେଶ୍ୱର, ଦୂରଭାଷ- ୯୪୩୭୫୭୬୦୮୪

Share :