ପୁଣି ଭାଙ୍ଗିବ ପାକିସ୍ଥାନ!

ପୁଣି ଭାଙ୍ଗିବ ପାକିସ୍ଥାନ!

Share :

ଗୋଲଖ ଚନ୍ଦ୍ର ଦାସ   ପାକିସ୍ଥାନର ବେଲୁଚିସ୍ଥାନ ଓ ସିନ୍ଧୁ ପ୍ରଦେଶ ସ୍ବାଧୀନ ହେବା ପାଇଁ ଆନ୍ଦୋଳନ ତୀବ୍ର କରିଛନ୍ତି। ସେଥିପାଇଁ ପାକିସ୍ଥାନ ନିଜେ ଦାୟୀ। ନିଜର ଦୋଷ ଯୋଗୁଁ ଆଜି ପାକିସ୍ଥାନ ଖଣ୍ଡ ଖଣ୍ଡ ହେବାକୁ ଯାଉଛି। ପାକିସ୍ଥାନର ଅନେକ ପ୍ରାନ୍ତରେ ଭାରତୀୟତାର ଝଲକ ଦେଖିବାକୁ ମିଳୁଛି। ଏଥିରୁ ପ୍ରତୀୟମାନ ହେଉଛି ଯେ ପାକିସ୍ଥାନ ଏବେ ବି ଭାରତର ଅବିଚ୍ଛେଦ୍ୟ ଅଙ୍ଗ।   ପାକିସ୍ଥାନ ବାରମ୍ୱାର କାଶ୍ମୀର କାଶ୍ମୀର ବାଉଳି ହେଉଥିଲା, ଭାରତ ସବୁବେଳେ ସହି ଯାଉଥିଲା। ସହିବାର ସୀମା ଅଛି। ସୀମା ଟପିଲେ ଯାହା ହୁଏ ଏବେ ତାହା ହେବାକୁ ଯାଉଛି। ପାକିସ୍ତାନ ଦ୍ୱାରା ବେଲୁଚିସ୍ଥାନ, ଗିଲଗିଟ-ବଲଟିସ୍ଥାନରେ ହେଉଥିବା ମାନବାଧିକାର ଉଲ୍ଲଙ୍ଘନକୁ ଜାତିସଂଘ ଆଗରେ ଉପସ୍ଥାପନ କରାଯିବା ଦରକାର ବୋଲି ଭାରତ ଥରେ ମୁହଁ ଖୋଲିବାରୁ ଏବେ କେବଳ ପାକିସ୍ଥାନ କାହିଁକି ଚୀନର ମଧ୍ୟ ନିଦ ହଜିଯାଇଛି। ସେମାନେ କେବେ ସ୍ୱପ୍ନରେ ବି ଭାବି ନଥିଲେ ଦିନେ ଏଭଳି ହେବ ବୋଲି। ପାକ ଅଧିକୃତ କଶ୍ମୀରର ଗିଲଗିଟ-ବାଲଟିସ୍ଥାନ ଓ ବେଳୁଚିସ୍ଥାନ ଦେଇ ପାକିସ୍ଥାନର ଗ୍ୱାଦର ବନ୍ଦର ପର୍ଯ୍ୟନ୍ତ ଯେଉଁ ଅର୍ଥନୈତିକ କରିଡର ତିଆରି ହେଉଛି ତାହକୁ ନେଇ ସ୍ଥାନୀୟ ଅଂଚଳର ଲୋକମାନେ ତୀବ୍ର ବିରୋଧ କରୁଛନ୍ତି। ଏହି ବିରୋଧ ଓ ପ୍ରତିବାଦର ସ୍ୱର ୟୁରୋପ ଓ ଆମେରିକାରେ ମଧ୍ୟ ଶୁଣିବାକୁ ମିଳିଲାଣି। ତେଣୁ ଏଥିରେ ଭୟଭୀତ ହୋଇ ପଡିଛନ୍ତି ପାକିସ୍ଥାନ ଓ ଚୀନ।   ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଲୁ କୋଙ୍ଗ କହିଛନ୍ତି  ଯେ, ବେଲୁଚିସ୍ଥାନରେ ପାକିସ୍ଥାନ ଆମକୁ କରିଡର ଓ ବନ୍ଦର ପ୍ରକଳ୍ପ ପାଇଁ ୨୦୦୦ ଏକର ଜମି ଦେଇଛି। ଏଥିପାଇଁ ଆମେ ୪୬୦୦ କୋଟି ଡଲାର ଖର୍ଚ୍ଚ କରୁଛୁ। ଭାରତ ଏହାକୁ ବିରୋଧ ନ କରୁ। ବେଲୁଚିସ୍ଥାନ ଜଷ୍ଟିସ ପାର୍ଟିର ମୁଖ୍ୟ ଫଜଲ ରବି କହିଛନ୍ତି ଯେ, ଚୀନ ଏବେ ପାକିସ୍ଥାନର ପ୍ରଶ୍ରୟ କ୍ରମେ ବେଲୁଚିସ୍ଥାନକୁ ଅଧିଗ୍ରହଣ କରିବାକୁ ଚାହୁଁଛି। ଯେଭଳି ପିଓକେର କିଛି ଅଂଶ ପାକିସ୍ତାନ ଚୀନକୁ ଉପହାରରେ ଦେଇଦେଇଛି ଠିକ ସେହିଭଳି ବେଲୁଚିସ୍ଥାନ ସହ କରିବାକୁ ଯାଉଛି। ତେଣୁ ଏହାକୁ ବେଲୁଚିସ୍ଥାନର ଅଧିବାସୀମାନେ ତୀବ୍ର ବିରୋଧ କରୁଛନ୍ତି। ସେମାନେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢେଇ କରିବେ ଓ ଚୀନକୁ ଏଠାରେ ପୂରାଇ ଦେବେ ନାହିଁ ବୋଲି କହିଛନ୍ତି।   ଏବେ ପାକିସ୍ଥାନ ଓ ଆଫଗାନିସ୍ଥାନ ସଂପର୍କରେ ମଧ୍ୟ ତିକ୍ତତା ଆସିଛି। ବିଡ ଡୁରଣ୍ଡ ଲାଇନରେ ପାକିସ୍ଥାନ ପକ୍ଷରୁ ବାଡ଼ ଲଗାଯିବାକୁ ଆଫଗାନିସ୍ଥାନ ବିରୋଧ କରିବାରୁ ପସ୍ତୁନ ଆଦିବାସୀଙ୍କ ବିରୋଧରେ ବ୍ୟାପକ ସାମରିକ ଅଭିଯାନ ଚଳାଇଛି ପାକିସ୍ଥାନୀ ସେନା। ଖାଇବର ଓ ଉତ୍ତର ୱଜିରସ୍ତାନରେ ପାକ୍‌ ଯୁଦ୍ଧ ବିମାନରୁ ବୋମା ମାଡ଼ କରିବା ଦ୍ୱାରା ବାସସ୍ଥାନ ହରାଇଲେଣି ୧୫ ଲକ୍ଷରୁ ଅଧିକ ପସ୍ତୁନ ଆଦିବାସୀ । ଏକ ଲକ୍ଷରୁ ଅଧିକ ପସ୍ତୁନ ଆଦିବାସୀ ଆଫଗାନିସ୍ଥାନକୁ ପଳାଇ ଯାଇ ସେଠାରେ ଅସ୍ତ୍ରଶସ୍ତ୍ର ଧରି ପାକିସ୍ଥାନ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏସବୁକୁ କିପରି ସାମନା କରାଯିବ ସେ ବିଷୟକୁ ନେଇ ଇସଲାମବାଦର ମୁଣ୍ଡ ବିଗିଡି ଯାଇଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଲୁଚିସ୍ଥାନ ବକ୍ତବ୍ୟ  ପାକିସ୍ଥାନ ମୁଣ୍ଡରେ ବଜ୍ରପାତ ପରି ହୋଇଛି।  ଭାରତରୁ ଜାମ୍ମୁ-କାଶ୍ମୀରକୁ ଅଲଗା କରିବାକୁ ଷଡଯନ୍ତ୍ର କରୁଥିବା ପାକିସ୍ଥାନର ନିଜ ଘରେ ଏବେ ନିଆଁ ଲାଗିଯାଇଛି।   ପାକିସ୍ଥାନୀ ସେନାର ବେଲଚିସ୍ଥାନରେ ମାନବାଧିକାର ଉଲ୍ଲଙ୍ଘନକୁ କିଛି ଲୋକ ଖୋଲାଖୋଲି ବିରୋଧ କରୁଛନ୍ତି। ସେମାନେ କହିଛନ୍ତି ଆମେ ପାକିସ୍ଥାନ ସହିତ ରହିବାକୁ ଚାହୁଁନୁ;  ସ୍ୱାଧୀନତା ଚାହୁଁଛୁ। ବାରମ୍ୱାର ପାକିସ୍ଥାନ ସହିତ ଭାଗ୍ୟ ପରୀକ୍ଷା କରି ପ୍ରତାରଣାର ଶିକାର ହେବାକୁ ଚାହୁଁନୁ। ଆଉ କିଛି ଲୋକ ପାକିସ୍ଥାନ ସେନାର ଦମନଲୀଳା ଭୟରେ ନିରବ ରହିଥିଲେ ମଧ୍ୟ ପଛରେ ସମର୍ଥନ କରୁଛନ୍ତି। ପିଓକେ, ଗିଲଗିଟ-ବାଲଟିସ୍ଥାନରେ ଲୋକମାନେ ପାକିସ୍ଥାନ-ଚୀନ କରିଡରକୁ ତୀବ୍ର ବିରୋଧ କରୁଛନ୍ତି। ସଂଗ୍ରାମୀମାନେ ଭାରତର ଜାତୀୟ ପତାକାକୁ ଉଡାଉଥିବାବେଳେ ପାକିସ୍ଥାନ ଓ ଚୀନର ଜାତୀୟ ପତାକାକୁ ପାଦରେ ଦଳି ଦେଉଥିବା ଦେଖାଯାଉଛି। ସେମାନେ କହୁଛନ୍ତି ଯେ, ମୋଦି କଦମ ବଢାଓ, ହମ ତୁହ୍ମାରେ ସାଥ ହୈଁ। ପାକିସ୍ଥାନ ଏ ଅଞ୍ଚଳର ନାଗରିକଙ୍କ ଭାବନା ପ୍ରତି ଅଣଦେଖା କରିବାରୁ ଏ ପରିସ୍ଥିତି ସୃଷ୍ଟି ହୋଇଛି। ଭାରତରେ ବ୍ୟକ୍ତିକୁ ଯେପରି ବାକ‌୍‍ ସ୍ୱାଧୀନତା ମିଳିଛି ଯଦି ପାକିସ୍ଥାନରେ ସେହି ସ୍ୱାଧୀନତା ସମସ୍ତଙ୍କୁ ମିଳିଥାନ୍ତା ତେବେ ଆଜି ସାରା ପାକିସ୍ଥାନରେ ବିରୋଧର ସ୍ୱର ଶୁଣାଯାଉଥାନ୍ତା। ସିନ୍ଧୁ ଓ ବେଲୁଚିସ୍ଥାନ ପରି ଏବେ ପାକିସ୍ଥାନର ପଞ୍ଜାବରେ ମଧ୍ୟ ସ୍ୱାଧୀନତାର ସ୍ୱର ଉଠିଲାଣି। ଅଗଷ୍ଟ ୨୯ ତାରିଖ ଦିନ ସିନ୍ଧୁ ଦେଶ ଗଠନ ଲାଗି ମୀରପୁରରେ ସ୍ଥାନୀୟ ଲୋକ ଏକ ବିରାଟ ପଟୁଆରରେ ବାହାରି ‘ସିନ୍ଧ ମାଗୁଛି ସ୍ୱାଧୀନତା’, ‘ସିନ୍ଧୁଦେଶ-ସିନ୍ଧୁଦେଶ’ ସ୍ଲୋଗାନ ଦେଇ ସ୍ୱାଧୀନ ରାଷ୍ଟ୍ର ମାନ୍ୟତା ଦାବି କରିଥିଲେ। ସେହିପରି ଆଜିବି ପାକିସ୍ତାନ ପଞ୍ଜାବର ଅନେକ ଲୋକ ନିଜକୁ ଭାରତୀୟବୋଲି ସ୍ୱୀକାର କରୁଛନ୍ତି, ନିଜକୁ ପାକିସ୍ଥାନୀ ବୋଲି ମାନୁନାହାଁନ୍ତି। ଭାରତୀୟ ସଂସ୍କୃତିର ମୋହକୁ ସେମାନେ ଛାଡି ପାରିନାହାଁନ୍ତି। ସେମାନଙ୍କର ଚାଲି ଚଲଣ, ଆଚାର ବ୍ୟବହାର ଓ ସଂସ୍କୃତି ପରମ୍ପରାରେ ଏବେ ବି ଭାରତୀୟତାର ଛବି ପ୍ରସ୍ପୁଟିତ ହେଉଛି।   ପାକିସ୍ଥାନରେ ଆଜି ଯେଉଁ ସମସ୍ୟା ଛିଡାହୋଇଛି କେବଳ ସେଥିପାଇଁ ପାକିସ୍ତାନ ସରକାର ଓ ଆତଙ୍କବାଦୀ ସଂଗଠନ ଗୁଡିକ ଦାୟୀ। ପାକିସ୍ଥାନ ହେଉଛି ଆତଙ୍କବାଦର ଅନ୍ତୁଡିଶାଳ। ପାକିସ୍ଥାନ ସରକାରର ମୁଖିଆମାନେ ଆତଙ୍କବାଦୀମାନେଙ୍କୁ ଯେଉଁ ପ୍ରକାର ପ୍ରୋତ୍ସାହନ ଦେଉଛନ୍ତି ସେହି ପ୍ରକାର ସାଧାରଣ ଜନତାଙ୍କ ପ୍ରତି କରୁନାହାନ୍ତି। ଏଠାରେ ସାଧରଣ ଜନତା ଭୋକ ଉପବାସରେ ଷଢୁଛନ୍ତି, ବେରୋଜଗାରୀ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି, ଏସବୁ ସମସ୍ୟା ପ୍ରତି ପାକିସ୍ତାନ ସରକାର ଧ୍ୟାନ ଦେଉନାହାନ୍ତି। ଏବେ ଯଦି ପାକିସ୍ତାନ ଆତଙ୍କବାଦୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁଛି ତାହା ସମ୍ଭବ ହୋଇ ପାରୁନାହିଁ, ଓଲଟା ଆତଙ୍କବାଦୀମାନେ ପାକିସ୍ତାନ ନାଗରିକମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ପାକିସ୍ଥାନ ଯେଉଁ ବିଷଧର ସର୍ପମାନଙ୍କୁ ପୋଷିଥିଲା ଏବେ ସେହିମାନେ ତାକୁ ଦଂଶନ କରିବାରେ ଲାଗିଛନ୍ତି। ପାକିସ୍ତାନ ଜନତାଙ୍କର ଭାବନାକୁ ଯଦି କୌଣସି ଦେଶ ବୁଝିପାରି ସେମାନଙ୍କୁ ସମର୍ଥନ ଦେବ ତେବେ ସେମାନେ ବିଳମ୍ୱ ନକରି ସେମାନଙ୍କ ସହିତ ଚାଲିଯିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେଇ ପଦେ ମନ୍ତବ୍ୟରେ ଏହା ପ୍ରମାଣିତ ହୋଇଯାଇଛି। ଲମ୍ୱା ସମୟଧରି ପାକିସ୍ତାନ ଜନତା ସରକାରଙ୍କ ନିଷ୍ଠୁର ଅତ୍ୟାଚାରକୁ ସହି ଆସିଛନ୍ତି, ସେମାନଙ୍କୁ ଲାଗିଲା ମୋଦି ତାଙ୍କର ଭାବନାକୁ ବୁଝି ପାରିଛନ୍ତି। ତେଣୁ ସେମାନେ ଯେଉଁଠି ଅଛନ୍ତି ନିଜକୁ ସ୍ୱାଧୀନ କରିବା ପାଇଁ ପାକିସ୍ଥାନ ବିରୋଧରେ ଆନ୍ଦୋଳନ କରିବା ସହିତ ଭାରତର ଜୟଗାନ କରୁଛନ୍ତି। ଏଥିରୁ ପ୍ରମାଣିତ ହୋଇଯାଉଛି ଆତଙ୍କବାଦ କାରଣରୁ ପାକିସ୍ଥାନୀମାନେ ପାକିସ୍ଥାନ ବିରୋଧରେ ଛିଡା ହୋଇଛନ୍ତି।   ପାକିସ୍ଥାନ ନିଜ ମୁଣ୍ଡବିନ୍ଧା ଉପଶମ କରିବା ପାଇଁ ଅଗଷ୍ଟ ୨୩ ତାରିଖ ଦିନ ମୋଦିଙ୍କ ବିରୋଧରେ ପାକିସ୍ଥାନ ଅନ୍ତର୍ଗତ ପଞ୍ଜାବ ବିଧାନସଭାରେ  ପ୍ରସ୍ତାବ ଗୃହୀତ କରାଇଛି। ଭାରତ ସହିତ ପାକିସ୍ଥାନ ସମସ୍ତ ବ୍ୟବସାୟିକ ସଂପର୍କ ଚ୍ଛିନ୍ନ କରୁ ବୋଲି ପ୍ରସ୍ତାବରେ କୁହାଯିବା ସହିତ ପାକିସ୍ଥାନର ଆଭ୍ୟନ୍ତରୀଣ ମାମଲାରେ ଭାରତ ହସ୍ତକ୍ଷେପ କରୁଛି ବୋଲି  ଜାତିସଂଘ ଓ ଅନ୍ୟ ଅନ୍ତର୍ଜାତୀୟ ମଂଚରେ ଉଠାଯାଉ ବୋଲି କୁହାଯାଇଛି। ଅଗଷ୍ଟ ୨୮ ତାରିଖ ଦିନ ପାକିସ୍ଥାନ ବେଲୁଚିସ୍ଥାନ ବିଧାନସଭାରେ ମୋଦିଙ୍କ ବିରୋଧରେ ମଧ୍ୟ ଏକ ନିନ୍ଦା ପ୍ରସ୍ତାବ ଗୃହୀତ କରାଇଛି। ଏହା ବ୍ୟତୀତ ମୋଦିଙ୍କୁ ସମର୍ଥନ କରିଥିବା ବେଲୁଚିସ୍ଥାନ ନେତା ବ୍ରହମଦାଗ ବୁଗତି, ହରବିୟାର ମାରି ଓ ବାନୁକ କରିମା ବାଲୋଚଙ୍କ ବିରୋଧରେ  ପାକିସ୍ତାନ ସରକାର ଅଗଷ୍ଟ ୨୨ ତାରିଖ ଦିନ ପାକିସ୍ତାନ ପିଙ୍ଗଳ କୋଡର ଧାରା ୧୨୦, ୧୨୧, ୧୨୩ ଓ ୩୫୩ରେ ଦେଶଦ୍ରୋହ ମାମଲା ରୁଜୁ କରିଛି।   ପାକିସ୍ଥାନ ବେଲୁଚିସ୍ଥାନରେ ଭାରତର ହସ୍ତକ୍ଷେପ କଥା ଜାତିସଂଘରେ ଉଠାଇବ କଣ ଓଲଟା ପିଓକେ ଓ ବେଲୁଚିସ୍ଥାନରେ ପାକିସ୍ତାନ ସେନାର ମାନବାଧିକାର ଉଲ୍ଲଙ୍ଘନକୁ ନେଇ ଆମେରିକା ଉଦବେଗ ପ୍ରକାଶ କରିଛି। ଆମେରିକା ବୈଦେଶିକ ବିଭାଗର ଉପମୁଖପାତ୍ର ମାର୍କ ଟୋନର କହିଛନ୍ତି ଆମ ମାନବାଧିକାର ରିପୋର୍ଟରେ ଅନେକ ବର୍ଷ ହେବ ପିଓକେ ଘଟଣା ଉଲ୍ଲେଖ କରିଆସିଛୁ। ପାକିସ୍ଥାନର ସମସ୍ତ ରାଜନୈତିକ ଦଳ ଏହା ଉପରେ ଆଲୋଚନା କରନ୍ତୁ। ପିଓକେରେ ମାନବାଧିକାର ଉଲ୍ଲଙ୍ଘନକୁ ନେଇ ଆମେ ଚିନ୍ତିତ ବୋଲି ଟୋନର କହିଛନ୍ତି। ଆମେରିକାଠାରୁ ମିଳୁଥିବା ସାମରିକ ସହଯୋଗକୁ ଆତଙ୍କବାଦୀଙ୍କ ବିରୋଧରେ ବ୍ୟବହାର ନକରି ଭାରତ ବିପକ୍ଷରେ ଲଗାଉଥିବାରୁ ପାକିସ୍ଥାନକୁ ଆମେରିକା ସହଯୋଗ କମାଇ ଦେଇଛି। ୨୦୧୧ରୁ ପାକିସ୍ତାନକୁ ଆମେରିକାର ସାମରିକ ସହଯୋଗରେ ୭୩ ପ୍ରତିଶତ ହ୍ରାସ ଘଟିଛି ବୋଲି ‘କଂଗ୍ରେସନଲ ରିସର୍ଚ୍ଚ ସର୍ଭିସ’ର ରିପୋର୍ଟ ପ୍ରକାଶ ପାଇଛି।   ବେଲୁଚିସ୍ଥାନରେ ପାକିସ୍ତାନ ସରକାରଙ୍କ ଦ୍ୱାରା ହେଉଥିବା ମାନବାଧିକାର ଉଲ୍ଲଙ୍ଘନ ପ୍ରସଙ୍ଗକୁ ଆନ୍ତର୍ଜାତିକ ସ୍ତରରେ ଉଠାଇବା ଲାଗି ବେଲୁଚି ବିଦ୍ରୋହୀମାନେ ବିଶ୍ୱ ସମୁଦାୟର ସହଯୋଗ ଲୋଡିଛନ୍ତି। ପାକିସ୍ତାନର ଗଣମାଧ୍ୟମ ‘ଡନ’ର ସୂଚନା ଅନୁଯାୟୀ ଆଫଗାନିସ୍ଥାନରେ ଉଠିଛି ପାକିସ୍ଥାନ ବିରୋଧୀ ସ୍ୱର। ଆଫଗାନିସ୍ଥାନର ବହୁସଂଖ୍ୟକ ନାଗରିକ ବେଲୁଚିସ୍ଥାନର ଚମନରେ ‘ଫ୍ରେଣ୍ଡସିପ ଗେଟ’ ପାଖରେ ଜମା ହୋଇ ପାକିସ୍ଥାନ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ ଗେଟ ଉପରକୁ ପଥର ମାଡ଼ କରିଥିଲେ। ସେମାନେ ପାକିସ୍ତାନ ବିରୋଧୀ ଲେଖା ଥିବା ଅନେକ ପ୍ଲାକାର୍ଡ ଓ ବ୍ୟାନର ଧରିଥିଲେ।  ବେଲୁଚିସ୍ତାନ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ବୟାନ ଦେଇଥିଲେ ତାହାକୁ ସମର୍ଥନ କରି  ଆଫଗାନିସ୍ତାନ ନାଗରିକମାନେ ଭାରତ ସପକ୍ଷରେ ମଧ୍ୟ ସ୍ଲୋଗାନ ଦେଇଛନ୍ତି।                 ଅଗଷ୍ଟ ୨୭ ତାରିଖ ଦିନ ଜର୍ମାନୀର ଲିପଜିଗ ସହରରେ ବେଲୁଚି ବିଦ୍ରୋହୀମାନେ ବେଲୁଚିସ୍ଥାନର ରାଷ୍ଟ୍ରବାଦୀ ନେତା ସହିଦ ଆକବର ବୁଗତିଙ୍କ ୧୦ମ ଶ୍ରାଦ୍ଧ ଦିବସ ଉପଲକ୍ଷେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  ବ୍ରହୁମଦାଗ ବୁଗତି ଏବେ ବେଲୁଚିସ୍ଥାନ ଆନ୍ଦୋଳନର ନେତୃତ୍ୱ ନେଉଥିବାରୁ ବିକ୍ଷୋଭକାରୀମାନେ ତାଙ୍କ ପ୍ରତି ମଧ୍ୟ ସମର୍ଥନ ଜଣାଇଛନ୍ତି। ବ୍ରହୁମଦାଗ ବୁଗତି ହେଉଛନ୍ତି ଆକବର ବୁଗତିଙ୍କ ନାତି। ଅଗଷ୍ଟ ୨୯ ତାରିଖ ଦିନ ବ୍ରିଟେନର ରାଜଧାନୀ ଲଣ୍ଡନର ଚୀନ ଦୂତାବାସ ଆଗରେ ଚୀନ-ପାକିସ୍ଥାନ ଅର୍ଥନୈତିକ କରିଡରକୁ ବିରୋଧ କରି ବିକ୍ଷୋଭ  ପ୍ରଦର୍ଶନବେଳେ ବେଲୁଚିସ୍ଥାନ ଓ ସିନ୍ଧୁ ପ୍ରଦେଶର  ନାଗରିକ ‘ପାଦ ବଢାଅ ମୋଦିଜୀ; ଆମେ ତୁମ୍ଭ ସହିତ ଅଛୁ’ ଏବଂ ‘ବେଲୁଚିସ୍ଥାନରୁ ଚୀନ ଫେରିଯାଉ’ ସ୍ଲୋଗାନ ଦେଇଥିଲେ।   ବେଲୁଚିସ୍ତାନ ପାକିସ୍ଥାନ ଠାରୁ ସ୍ୱାଧୀନ ହେବା ପାଇଁ ଆନ୍ଦୋଳନ କରୁଛି କାହିଁକି? ସ୍ୱାଧୀନତା ସମୟରେ ବେଲୁଛିସ୍ତାନକୁ ଅଲଗା ଦେଶର ମାନ୍ୟତା ମିଳିଥିଲା। ଏହା ପାକିସ୍ଥାନର ଅଙ୍ଗ ନୁହେଁ। ପାକିସ୍ଥାନ ଆକ୍ରମଣ କରି ଜୋରଜବରଦସ୍ତି ବେଲୁଚିସ୍ଥାନକୁ ନିଜ ଅକ୍ତିଆରକୁ ଆଣିଛି। କିନ୍ତୁ ବେଲୁଚିସ୍ଥାନବାସୀ ଏହାକୁ ମାନିବାକୁ ନାରାଜ। ସେବେଠାରୁ ପାକିସ୍ଥାନ ବିରୋଧରେ  ସ୍ୱରଉତ୍ତୋଳନ କରୁଛନ୍ତି। ବେଲୁଚିସ୍ଥାନରେ ଖଣିଜ ସମ୍ପଦ ଭରପୂର ହୋଇ ରହିଛି। ବେଲୁଚିସ୍ଥାନର ଚଗାଇ ଜିଲାରେ ସୁନା ଓ ତମ୍ୱାର ଖଣି ରହିଥିବାରୁ  ଚୀନ-ପାକିସ୍ଥାନ ଅର୍ଥନୈତିକ କରିଡର ଅନ୍ତର୍ଗତ ସଡ଼କ ନିର୍ମାଣ କରି ଚୀନ ସେମାନଙ୍କ ଖଣିଜ ସମ୍ପଦକୁ ଲୁଟି ନେଇଯିବ ବୋଲି ବେଲୁଚିସ୍ଥାନ ଲୋକେ ବିରୋଧ କରୁଛନ୍ତି। ପାକିସ୍ଥାନ ଅଭିଯୋଗ କରୁଛି ଯେ ଏହି ଇଲାକାରେ ଭାରତୀୟ ଗୁଇନ୍ଦା ଏଜେନ୍ସି ‘ର’ ଓ ଆଫଗାନିସ୍ତାନ ମିଶିକରି ବିଦ୍ରୋହୀଙ୍କୁ ଉସୁକାଉଛନ୍ତି। ସେସବୁ ଭୁଲ କଥା।   ଭାରତ ବଙ୍ଗଳାଦେଶକୁ ସହଯୋଗ ଦେଇ ପାକିସ୍ତାନ ଠାରୁ ଅଲଗା କରି ସ୍ୱାଧୀନ କରାଇଥିଲା। ଏବେ ପ୍ରଶ୍ନ ଉଠୁଛି ବେଲୁଚିସ୍ତାନ ଓ ସିନ୍ଧ ପାକିସ୍ତାନ ଠାରୁ ଅଲଗା ହୋଇ ସ୍ୱାଧୀନ ହେବାକୁ ଯେଉଁ ଆନ୍ଦୋଳନ କରୁଛନ୍ତି ସେଥିରେ ଭାରତର ଭୂମିକା କ’ଣ ରହିବ? ପାକିସ୍ଥାନର ବିଭିନ୍ନ ପ୍ରାନ୍ତ ସ୍ୱାଧୀନ ରାଷ୍ଟ୍ର ମାନ୍ୟତା ଦାବି କରି  ଯେଉଁ ଆନ୍ଦୋଳନ ଓ ବିରୋଧ କରୁଛନ୍ତି, ସେହି ସବୁ ଆନ୍ଦୋଳନରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ପାକିସ୍ଥାନ ଭବିଷ୍ୟତରେ ତିନି ଚାରି ଭାଗରେ ଖଣ୍ଡ ଖଣ୍ଡ ହୋଇଯିବ। ପାକିସ୍ଥାନ ଯଦି ଚାରି ଭାଗରେ ବିଭକ୍ତ ହୋଇଯାଏ ତେବେ ବେଲୁଚିସ୍ଥାନ, ଅଧିକୃତ କାଶ୍ମୀର, ଗିଲଗିଟ-ବଲଟିସ୍ଥାନ ଓ ସିନ୍ଧୁ ପ୍ରଦେଶ ପାକିସ୍ଥାନ ବିରୋଧରେ ରହିବେ। ତେଣୁ ପାକିସ୍ଥାନ ଦୁର୍ବଳ ହୋଇ ପଡିବ ଏବଂ ନିଜେ ସୃଷ୍ଟି କରିଥିବା ଭସ୍ମାସୁର ଆତଙ୍କବାଦୀମାନଙ୍କୁ ପୋଷି ନପାରି ତାଙ୍କ ଦ୍ୱାରା ପୋଡିଜାଳି ପାଉଁଶ ହୋଇଯିବ।   ମାଧବ ଭବନ, ଘିଗିଡିଆ, ବାରୁଅ, କେନ୍ଦ୍ରାପଡା, ମୋ-୯୮୬୧୦୨୮୫୫୩

Share :