ନବୀନ ନୀତି- ଦୁର୍ନୀତି ତଥ୍ୟ ଦିଅନା!

ନବୀନ ନୀତି- ଦୁର୍ନୀତି ତଥ୍ୟ ଦିଅନା!

Share :

ପ୍ରଦୀପ ପ୍ରଧାନ   ୨୦୧୬ ଅଗଷ୍ଟ ୧୧ ତାରିଖରେ ରାଜ୍ୟ ସରକାରଙ୍କର ସୂଚନା ଓ ଲୋକସଂପର୍କ ବିଭାଗ ଏକ ସରକାରୀ ବିଜ୍ଞପ୍ତି ଜାରି କରି ସୂଚନା ଅଧିକାର ଆଇନ‌୍‍ର ଧାରା ୨୪(୪) ଅନୁଯାୟୀ ସାଧାରଣ ପ୍ରଶାସନ (ଦୁର୍ନୀତି ନିବାରଣ) ବିଭାଗ ତଥା ରାଜ୍ୟ ଭିଜିଲାନ୍ସକୁ ବାଦ‌୍‍ ଦିଆଗଲା ବୋଲି ଦର୍ଶାଇଛନ୍ତି। ଏହି ନିଷ୍ପତ୍ତିର ଯୁକ୍ତିଯୁକ୍ତତା ସଂପର୍କରେ ବିଜ୍ଞପ୍ତିରେ କିଛି ଉଲ୍ଲେଖ ନାହିଁ। ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତିକୁ ସବୁ ମହଲରେ ବିରୋଧ କରାଗଲା ପରେ ସୂଚନା ଓ ଲୋକସଂପର୍କ ବିଭାଗର ସଚିବ ଏହି ବିଜ୍ଞପ୍ତିକୁ ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ଯୁକ୍ତି ଦର୍ଶାଇଛନ୍ତି ଯେ ସୂଚନା ଆଇନ ବଳରେ ଦୁର୍ନୀତିର ତଦନ୍ତ ସଂପର୍କୀତ ତଥ୍ୟ ଉନ୍ମୋଚନ ଯୋଗୁଁ ତଦନ୍ତ ପ୍ରକ୍ରିୟା ବହୁତ ବାଧାପ୍ରାପ୍ତ ହୋଇଥିଲା, ଯାହାକି ଭିଜିଲାନ୍ସ ପାଇଁ ବଡ ସମସ୍ୟା ସୃଷ୍ଟି କରୁଥିଲା। ସେଥିପାଇଁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ। ସଚିବଙ୍କ ଏପରି ଯୁକ୍ତି କେବଳ ହାସ୍ୟାସ୍ପଦ ନୁହେଁ, ଅପ୍ରାସଙ୍ଗିକ ମଧ୍ୟ।   ସୂଚନା ଅଧିକାର ଆଇନର ଧାରା ୨୪ରେ ଉଲ୍ଲେଖ ରହିଛି ଯେ କେନ୍ଦ୍ର ବା ରାଜ୍ୟ ସରକାର ସେମାନଙ୍କ ଅଧୀନରେ ଥିବା ଗୁଇନ୍ଦା ଓ ସୁରକ୍ଷା ସଂଗଠନମାନଙ୍କୁ ସରକାରୀ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଅଧିକାର ଆଇନ ପରିସରରୁ ବାଦ ଦେଇ ପାରିବେ। ଏହି ଆଧାରରେ ୨୦୦୫ ମସିହାରେ କେନ୍ଦ୍ର ସରକାର ଇଣ୍ଟେଲିଜେନ୍ସ ବ୍ୟୁରୋ, ନାର‌୍‍କୋଟିକ‌୍‍ କଣ୍ଟ୍ରୋଲ‌୍‍ ବ୍ୟୁରୋ, ଆସାମ ରାଇଫଲ୍ସ, ନ୍ୟାସ‌୍‍ନାଲ‌୍‍ ସିକ୍ୟୁରିଟି ଗାର୍ଡ, ସ୍ପେସାଲ‌୍‍ ପ୍ରୋଟେକ‌୍‍ସନ‌୍‍ ଗ୍ରୁପ‌୍‍ ଆଦି ୨୨ଟି ଗୁଇନ୍ଦା ଏବଂ ସୁରକ୍ଷା ସଂସ୍ଥାଙ୍କୁ ସୂଚନା ଆଇନରୁ ବାଦ ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସିବିଆଇକୁ ମଧ୍ୟ ଏକ ଗୁଇନ୍ଦା ସଂସ୍ଥା ଦର୍ଶାଇ କେନ୍ଦ୍ର ସରକାର ମଧ୍ୟ ସୂଚନା ଆଇନ ପରିସର ବାହାରେ ରଖିଥିଲେ। ସେହିପରି ରାଜ୍ୟ ସରକାର ମଧ୍ୟ ରାଜ୍ୟର ପ୍ରମୁଖ ୫ଟି ସଂସ୍ଥା ଯଥା ଷ୍ଟେଟ‌୍‍ ସ୍ପେସିଆଲ‌୍‍ ବ୍ରାଞ୍ଚ, ସ୍ପେସିଆଲ‌୍‍ ଅପରେସନ‌୍‍ ଉଇଙ୍ଗ, ସ୍ପେସାଲ‌୍‍ ଅପରେସନ‌୍‍ ଗ୍ରୁପ‌୍‍, କ୍ରାଇମ‌୍‍ ବ୍ରାଞ୍ଚ, ଡିଷ୍ଟ୍ରିକ୍ଟ ଇଣ୍ଟେଲିଜେନ୍ସ ବ୍ୟୁରୋକୁ ବାଦ ଦେଇଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଏହି ଧାରାରେ ପୁଣି ଉଲ୍ଲେଖ ରହିଛି ଯେ, ଏହି ସବୁ ଗୁଇନ୍ଦା ଏବଂ ସୁରକ୍ଷା ସଂସ୍ଥାଗୁଡିକ ସୂଚନା ଆଇନ ପରିସରରୁ ସଂପୂର୍ଣ୍ଣ ବାଦ ନୁହଁନ୍ତି। ଯଦି ଏହି ସବୁ ସଂସ୍ଥାରେ ଦୁର୍ନୀତି ଏବଂ ମାନବିକ ଅଧିକାର ଉଲଙ୍ଘନ ହୋଇଥାଏ ତେବେ ଉକ୍ତ ସଂସ୍ଥାଗୁଡିକ ଏଥି ସଂପର୍କୀତ ତଥ୍ୟ ସୂଚନା ଆଇନ ଅନୁଯାୟୀ ଦେବାକୁ ବାଧ୍ୟ।   ରାଜ୍ୟ ଭିଜିଲାନ୍ସ ଏକ ଗୁଇନ୍ଦା ସଂସ୍ଥା ନୁହେଁ କିମ୍ୱା ସୁରକ୍ଷା ପ୍ରଦାନକାରୀ ସଂସ୍ଥା ମଧ୍ୟ ନୁହେଁ। ଏହି ସଂସ୍ଥା ରାଜ୍ୟ ସରକାରଙ୍କ ପାଇଁ ଗୁପ୍ତ ତଥ୍ୟ ସଂଗ୍ରହ କରେ ନାହିଁ ବା କାହାରିକୁ ସୁରକ୍ଷା ପ୍ରଦାନ କରେ ନାହିଁ। ଏହା ଏକ ଦୁର୍ନୀତି ନିବାରଣ ସଂସ୍ଥା। ବିଭିନ୍ନ ଯୋଜନାରେ ହେଉଥିବା ଦୁର୍ନୀତି, ଅନିୟମିତତା, ଲାଞ୍ଚ କାରବାରର ତଦନ୍ତ କରିବା ଏବଂ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉକ୍ତ ସଂସ୍ଥାର ପ୍ରମୁଖ କାର୍ଯ୍ୟ। ତେଣୁ ସୂଚନା ଆଇନର ଧାରା ୨୪ ଅନୁଯାୟୀ ରାଜ୍ୟ ଭିଜିଲାନ୍ସକୁ ଆଇନର ପରିସରରୁ ବାଦ ଦେବାର କୌଣସି ଯଥାର୍ଥତା ନାହିଁ।   ରାଜ୍ୟ ଭିଜିଲାନ୍ସକୁ ସୂଚନା ଆଇନରୁ ବାଦ ଦେବା ପ୍ରସଙ୍ଗରେ ସୂଚନା ଓ ଲୋକସଂପର୍କ ବିଭାଗର ସଚିବ ଯେଉଁ ଯୁକ୍ତି ଦର୍ଶାଇଛନ୍ତି ତାହା ଅଦୌ ଗ୍ରହଣୀୟ ନୁହେଁ। କାରଣ ନାଗରିକମାନଙ୍କୁ କେଉଁ ସୂଚନା ପ୍ରଦାନ କରାଯିବ ଏବଂ କେଉଁ ସୂଚନା ପ୍ରଦାନ କରାଯିବ ନାହିଁ ତାହା ଆଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ସୂଚନା ଅଧିକାର ଆଇନର ଧାରା ୮(ଶ)ରେ ଉଲ୍ଲେଖ ରହିଛି ଯେ ‘ଯେଉଁ ସୂଚନାର ପ୍ରକଟନ ଫଳରେ କୌଣସି ବ୍ୟକ୍ତିର ଜୀବନ ବା ଶାରୀରିକ ନିରାପତ୍ତା ବିପନ୍ନ ହୋଇପାରେ ବା ଆଇନର କାର୍ଯ୍ୟକାରିତା ବା ନିରାପତ୍ତା ରକ୍ଷା ଉଦ୍ଦେଶ୍ୟରେ ଗୋପନରେ ମିଳିଥିବା ତଥ୍ୟ ବା ସହାୟତାର ଉତ୍ସ ଚିହ୍ନା ପଡିଯାଇପାରେ’ ଉକ୍ତ ତଥ୍ୟ ଆବେଦନକାରୀଙ୍କୁ ଦିଆଯାଇପାରିବ ନାହିଁ। ପୁଣି ଧାରା ୮(ଷ)ରେ ବ୍ୟବସ୍ଥା ଅଛି ଯେ ‘ଅପରାଧୀ ମାନଙ୍କର ତଦନ୍ତ, ଗିରଫ ବା ପ୍ରସିକ୍ୟୁସନ‌୍‍ର ପ୍ରକ୍ରିୟାକୁ ବ୍ୟାହତ କଲାଭଳି ସୂଚନା କାହାରିକୁ ପ୍ରଦାନ କରାଯିବ ନାହିଁ।’ ଏଠାରେ ଉଲ୍ଲେଖ କରିବା ଯଥାର୍ଥ ଯେ ରାଜ୍ୟ ଭିଜିଲାନ୍ସ ଆଇନର ଏହି ବ୍ୟବସ୍ଥାକୁ ସୂଚାଇ ଦୁର୍ନୀତି ସଂପର୍କୀତ ତଥ୍ୟ ହାସଲ ପାଇଁ ଆବେଦନ କରାଯାଇଥିବା ଅନେକ ଦରଖାସ୍ତକୁ ଖାରଜ କରିଛନ୍ତି। ରାଜ୍ୟ ଭିଜିଲାନ୍ସଙ୍କ ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରି ଆବେଦନକାରୀମାନଙ୍କ ତରଫରୁ ଶହ ଶହ କେସ‌୍‍ ସୂଚନା କମିଶନ ନିକଟରେ ଦାଖଲ ହୋଇଛି ଯାହାକି ବିଚାରାଧୀନ ଅଛି। ସୂଚନା ଆଇନରେ ମଧ୍ୟ ଜନସୂଚନା ଅଧିକାରୀମାନଙ୍କୁ ଏକ ଦରଖାସ୍ତକୁ କାରଣ ଦର୍ଶାଇ ଖାରଜ କରିଦେବାର ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଛି।   ଆଇନରେ ଏତେ ସବୁ ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ ରାଜ୍ୟ ସରକାର ଭିଜିଲାନ୍ସ ବିଭାଗକୁ ସୂଚନା ଆଇନ ପରିସରରୁ ବାଦ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କଲେ କାହିଁକି? ବିଗତ କିଛି ବର୍ଷ ଧରି ବହୁ ଜନମତ ଆଧାରରେ କ୍ଷମତାକୁ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ, ବିଧାୟକ ଏବଂ ଉଚ୍ଚ ପଦସ୍ତ ଅଧିକାରୀଙ୍କ ଦ୍ୱାରା ବ୍ୟାପକ ଦୁର୍ନୀତି, ଅନିୟମିତତା ରାଜକୋଷରୁ ଲୁଟତରାଜ ଚାଲିଛି ଏବଂ ବହୁ ଦୁର୍ନୀତି ଅତ୍ୟନ୍ତ ନଗ୍ନଭାବେ ହେଉଛି। ଯେଉଁ ପରିମାଣରେ ଦୁର୍ନୀତି ବଢୁଛି, ସେହି ପରିମାଣରେ ସୂଚନା ଆଇନ ବଳରେ ଏହି ଦୁର୍ନୀତିର ଖୁଲାସା ହୋଇଚାଲିଛି। ଖଣି ଦୁର୍ନୀତି, ଚିଟ୍ ଫଣ୍ଡ ଦୁର୍ନୀତି, କଂପାନୀମାନେ ବର୍ଷ ବର୍ଷ ଧରି ଜଳକର ନଦେବା, ଓକେସିଏଲ‌୍‍ ଗଠନରେ ଜାଲିଆତି, ଭୁବନେଶ୍ବର ଏବଂ କଟକରେ ମନ୍ତ୍ରୀ, ବିଧାୟକ, ଅଫିସର ଏବଂ ବେସରକାରୀ ଶିକ୍ଷାନୁଷ୍ଠାନଙ୍କ ଦ୍ୱାରା ହଜାର ହଜାର କୋଟି ଟଙ୍କାର ଜମି ଦୁର୍ନୀତି, ଇନ୍ଦିରା ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା ଏବଂ ଏନ୍‌ଆରଇଜିଏ ଆଦି ଯୋଜନାରେ ହେଉଥିବା ବ୍ୟାପକ ଜାଲିଆତି, ଆଇସିଡିଏସ‌୍‍ ଯୋଜନାରେ ଶିଶୁମାନଙ୍କ ପାଇଁ ଆସୁଥିବା ଅଣ୍ଡା ଏବଂ ଶିଶୁଖାଦ୍ୟ ଆତ୍ମସାତ, ସରକାରୀ ପ୍ରୟୋଜିତ ମିଥ୍ୟା ପ୍ରଚାର ସଂପର୍କୀତ ବାସ୍ତବ ତଥ୍ୟ ଇତ୍ୟାଦି ଲୋକଲୋଚନକୁ ଆସିବାରେ ଲାଗିଛି। ଉକ୍ତ ତଥ୍ୟଗୁଡିକୁ ଭିତ୍ତି କରି ସୂଚନାଧିକାର କର୍ମୀମାନଙ୍କ ତରଫରୁ ଲଗାତାର ଅଭିଯୋଗ ରାଜ୍ୟ ଭିଜିଲାନ୍ସରେ ଦାଖଲ କରାଯାଇ ଏହାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଉଛି।   ରାଜ୍ୟରେ ଲୋକପାଳ ଅଫିସ‌୍‍ରେ ତାଲାପଡିବା ଏବଂ ବର୍ଷ ବର୍ଷ ଧରି ଲୋକାୟୁକ୍ତ ନିଯୁକ୍ତି ନହେବା ଯୋଗୁଁ ଆପାତତଃ ସମସ୍ତେ ଦୁର୍ନୀତି ସଂପର୍କୀତ ଅଭିଯୋଗ ରାଜ୍ୟ ଭିଜିଲାନ୍ସରେ ହିଁ ଦାଖଲ କରିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟ ଭିଜିଲାନ୍ସରେ ଶହ ଶହ କେସ‌୍‍ ବର୍ଷ ବର୍ଷ ଧରି ପଡିରହୁଛି ଯାହାର ତଦନ୍ତ ହେଉନାହିଁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ରାଜ୍ୟ ସରକାର ମଧ୍ୟ ଦୁର୍ନୀତିରେ ସଂପୃକ୍ତ ନିଜର ମନ୍ତ୍ରୀ, ବିଧାୟକ ବା ଅଫିସରମାନଙ୍କୁ ସୁରକ୍ଷା ଦେବା ପାଇଁ ତଦନ୍ତ ପ୍ରକ୍ରିୟାକୁ ଚାପି ଦେଉଛନ୍ତି। ଅପର ପକ୍ଷରେ ବହୁ ସଚ୍ଚୋଟ ଅଫିସରଙ୍କୁ ଜବତ କରିବା ବା ହଇରାଣ କରିବା ପାଇଁ ରାଜ୍ୟ ଭିଜିଲାନ୍ସକୁ ଲଗାଇ ସେମାନଙ୍କ ବିରୁଦ୍ଧରେ ମିଥ୍ୟା କେସ‌୍‍ କରାଯାଉଛି। ପୂର୍ବତନ ପୋଲିସ‌୍‍ ମହାନିଦ୍ଦେର୍ଶକ ପ୍ରକାଶ ମିଶ୍ରଙ୍କ ବିରୁଦ୍ଧରେ ହୋଇଥିବା ମିଥ୍ୟା ଭିଜିଲାନ୍ସ ମକଦ୍ଦମା ଏହାର ଏକ ଜ୍ୱଳନ୍ତ ଉଦାହରଣ। ସେହିପରି ରାଜ୍ୟ ଭିଜିଲାନ୍ସ ଅନେକ ଉଚ୍ଚ ପଦସ୍ଥ ଆଇଏଏସ‌୍‍, ଆଇପିଏସ‌୍‍ ଏବଂ ଆଇଏଫ‌୍‍ଏସ‌୍ ଓ ଓଏଏସ‌୍‍ ଅଫିସରଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନ ମିଳିବାରୁ ଏହାର ତଦନ୍ତ ହୋଇପାରୁ ନାହିଁ।   ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ହାରାହାରି ୧୨ ଜଣ ଆଇଏଏସ‌୍‍ ଅଫିସରଙ୍କ ବିରୁଦ୍ଧରେ ଦୁର୍ନୀତି ସଂପର୍କୀତ ତଥ୍ୟଗତ ପ୍ରମାଣପତ୍ର ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନମିଳିବାରୁ ରାଜ୍ୟ ଭିଜିଲାନ୍ସ ତଦନ୍ତ କରିପାରି ନାହିଁ। ସେହିପରି ଅନେକ କେସ‌୍‍ ତଦନ୍ତ ନହୋଇ ବର୍ଷ ବର୍ଷ ଧରି ପଡିରହିବା ପରେ ରାଜ୍ୟ ଭିଜିଲାନ୍ସ ବାଧ୍ୟ ହୋଇ ଏହାର ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରି କେସ‌୍‍ ବନ୍ଦ କରି ଦେଉଛନ୍ତି। ସ୍ୱର୍ଗତ ପୂର୍ବତନ ମନ୍ତ୍ରୀ କଳ୍ପତରୁ ଦାସଙ୍କ କୋଣାର୍କ ଟିଭି ଦୁର୍ନୀତି ସଂପର୍କରେ ରାଜ୍ୟ ଭିଜିଲାନ୍ସ ବହୁବର୍ଷ ଧରି ତଦନ୍ତ କଲାନାହିଁ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିଦ୍ଦେର୍ଶ କ୍ରମେ ୨୦୧୨ ମସିହାରେ ତାଙ୍କୁ ମନ୍ତ୍ରୀ କରାଯିବା ପୂର୍ବରୁ ରାଜ୍ୟ ଭିଜିଲାନ୍ସ ଉକ୍ତ କେସ‌୍‍ର ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରିବାକୁ ବାଧ୍ୟ ହୋଇଥିଲେ।   ରାଜ୍ୟ ଭିଜିଲାନ୍ସରେ ଦୁର୍ନୀତି ସଂପର୍କୀତ ଅଭିଯୋଗ ତଦନ୍ତ ନହେବା, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଚାପିଦେବା, ଦୁର୍ନୀତିଗ୍ରସ୍ତ ଉଚ୍ଚପଦସ୍ଥ ଅଫିସରଙ୍କୁ ସୁରକ୍ଷା ପ୍ରଦାନ କରିବା ଇତ୍ୟାଦି ତଥ୍ୟକୁ ଲୋକଲୋଚନକୁ ଆଣିବାକୁ ସୂଚନା ଆଇନର ବ୍ୟାପକ ବ୍ୟବହାର ସରକାରଙ୍କୁ ବିବ୍ରତ କରି ପକାଇଛି। ଏହା ସହିତ ସୂଚନାଧିକାର କର୍ମୀମାନଙ୍କ ତରଫରୁ ଆଇନ ବ୍ୟବହାର କରି ବିଭିନ୍ନ କେସ‌୍‍ର ତଦନ୍ତ ସଂପର୍କରେ ମନିଟରିଙ୍ଗ ହେବା ଏବଂ ଉକ୍ତ ତଥ୍ୟ ଗଣମାଧ୍ୟମରେ ବାରମ୍ୱାର ପ୍ରକାଶିତ ହେବା ଯୋଗୁଁ ରାଜ୍ୟ ପ୍ରଶାସନର ଅସଲ ମୁଖା ଖୋଲିଯାଇଛି। ତେଣୁ ରାଜ୍ୟ ଭିଜିଲାନ୍ସର କାର୍ଯ୍ୟକଳାପକୁ ଲୋକମାନଙ୍କ ଆଢୁଆଳରେ ରଖିବା ପାଇଁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି କେବଳ ଆଇନ ବିରୋଧୀ ନୁହେଁ, ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି କୁଠାରଘାତ ମଧ୍ୟ। ପ୍ରଶାସନିକ ବ୍ୟବସ୍ଥାକୁ ସ୍ୱଚ୍ଛ, ନିର୍ମଳ ଏବଂ ଉତ୍ତରଦାୟୀ କରିବା ପାଇଁ ସୂଚନା ଅଧିକାର ଆଇନ ପ୍ରଣୟନ କରାଯାଇଛି। ପ୍ରଶାସନିକ ବ୍ୟବସ୍ଥା ସଂପର୍କରେ ଜନସାଧାରଣ ଯେତେ ସଚେତନ ହେବେ, ସେମାନଙ୍କର ସହଭାଗିତା ବଢିବ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଋଦ୍ଧିମନ୍ତ ହେବ। ତେଣୁ ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଉକ୍ତ ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର କରି ରାଜ୍ୟ ଭିଜିଲାନ୍ସକୁ ସ୍ୱଚ୍ଛ ଏବଂ ଉତ୍ତରଦାୟୀ କରିବା ପାଇଁ ସୂଚନା ଆଇନର ପରିସରକୁ ଆଣିବା ଜରୁରୀ। ଫଳରେ ରାଜ୍ୟ ଭିିଜିଲାନ୍ସର ନିଷ୍ଠା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ହେବ ଏବଂ ରାଜ୍ୟ ଦୁର୍ଦୀତି-ମୁକ୍ତ ଶାସନ ବ୍ୟବସ୍ଥା ଦିଗରେ ଅଗ୍ରସର ହେବ। ନଚେତ ଏହି ନିଷ୍ପତ୍ତି ଯୋଗୁଁ ରାଜ୍ୟ ସରକାରଙ୍କୁ ଆଗାମୀ ଦିନରେ ବହୁ ମୂଲ୍ୟ ଦେବାକୁ ପଡିବ।   ରାଜ୍ୟ ଆବାହକ, ଓଡିଶା ସୂଚନା ଅଧିକାର ଅଭିଯାନ, ମୋ- ୯୯୩୭୮୪୩୪୮୨

Share :