ଚନ୍ଦ୍ରଭାଗା ବେଳାଭୂମି ସଫେଇ

ଚନ୍ଦ୍ରଭାଗା ବେଳାଭୂମି ସଫେଇ

Share :

  ସେପ୍ଟମ୍ୱର ମାସର ତୃତୀୟ ଶନିବାରକୁ ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଉପକୂଳ ସଫେଇ ଦିବସ ଭାବରେ ପାଳନ କରାଯାଇଥାଏ। ଏହି ଅବସରରେ କୋଣାର୍କ ପ୍ରେସ କ୍ଳବ ଓ କୋଣାର୍କ ପର୍ଯ୍ୟଟନ କାର୍ଯ୍ୟାଳୟର ମିଳିତ ଉଦ୍ୟମରେ ଆୟୋଜିତ ବେଳାଭୂମି ସଫେଇ କାର୍ଯ୍ୟକ୍ରମରେ କୋଣାର୍କ-ପୁରୀ ବେଳାମାର୍ଗସ୍ଥ ଲୋଟସ ରିସୋର୍ଟ ସହଯୋଗର ହାତ ବଢାଇଥିଲେ। ଚନ୍ଦ୍ରଭାଗାଠାରେ ଆୟୋଜିତ ବେଳାଭୂମି କାର୍ଯ୍ୟକ୍ରମରେ କୋଣାର୍କ ଏନଏସି ଅଧ୍ୟକ୍ଷା ଭାନୁମତୀ ରାଉତରାୟ, କୋଣାର୍କ ଥାନାଧିକାରୀ ଅରୁଣ କୁମାର ତ୍ରିପାଠୀ, ସହ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, ନାଗରିକ ସଂଗଠନ କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାଶ, ସୋଲାର ସଂପାଦକ ହରିଶ୍ଚନ୍ଦ୍ର ଦାଶ, ମିଲ୍କ ମୁଁର ପ୍ରଶାସନିକ ଅଧିକାରୀ କେତନ ମିଶ୍ର, ଲୋଟସ ରିସୋର୍ଟସର ପରିଚାଳକ ଭାରତ ବିଶ୍ୱାଳ, ଅବସରପ୍ରାପ୍ତ ଅଧ୍ୟାପକ ଶରତଚନ୍ଦ୍ର ପ୍ରଧାନ, ସମାଜସେବୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।   ସଚେତନତା ଅଭାବରୁ ଚନ୍ଦ୍ରଭାଗାର ସ୍ୱର୍ଣ୍ଣମ ବେଳାଭୂମି ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ପଡୁଥିବା ବେଳେ ବର୍ଷ ତମାମ ବିଭିନ୍ନ ଦେବାଦେବୀଙ୍କୁ ଏଠାରେ ବିସର୍ଜନ କରାଯାଉଥିବାରୁ  ସମୁଦ୍ରର ଜଳରାଶି ଦୂଷିତ ହୋଇ ପୁତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି ବୋଲି ଉପରୋକ୍ତ ଅତିଥିମାନେ ନିଜନିଜ ବକ୍ତବ୍ୟରେ କହିଥିଲେ। ସଚେତନ ନହେଲେ ସାମୁଦିକ୍ର ପରିବେଶ ଅଧିକ ଅସନ୍ତୁଳିତ ହୋଇ ପଡିବ ବୋଲି ସଭାରେ ମତପ୍ରକାଶ ପାଇଥିଲା। ଅତିଥିମାନେ େସ୍ୱଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ସହ ବର୍ଜ୍ୟବସ୍ତୁର ଅପବ୍ୟବହାର ନ କରିବା ପାଇଁ ସଚେତନ କରାଇଥିଲେ।   ଏହି ଆନ୍ତର୍ଜାତିକ ବେଳାଭୂମି ସଫେଇ କାର୍ଯ୍ୟକ୍ରମରେ କୋଣାର୍କ ଏନଏସିର ସଫେଇ କର୍ମଚାରୀ ଧର୍ମାନନ୍ଦ ପରିଡାଙ୍କ ନେତୃତ୍ୱରେ ୧୫ ଜଣ ସଫେଇ କର୍ମଚାରୀ, କୋଣାର୍କ ବନବିଭାଗର ବନପାଳ ପ୍ରଶାନ୍ତ ପରିଡାଙ୍କ ନେତୃତ୍ୱରେ ୧୨ ଜଣ ବନ କର୍ମଚାରୀ, କୋଣାର୍କ କ୍ଳବର ସଭାପତି ସୌମ୍ୟସୌରଭ ଦାଶଙ୍କ ନେତୃତ୍ୱରେ ୨୦ ଜଣ ସଦସ୍ୟ, ଚନ୍ଦ୍ରଭାଗା ବଜାର କମିଟିର ସଭାପତି ଭାସ୍କର ବେହେରାଙ୍କ ନେତୃତ୍ୱରେ ସମସ୍ତ ବ୍ୟବସାୟୀ, ଚନ୍ଦ୍ରଭାଗା ଫଟୋଗ୍ରାଫର ଆସୋସିଏସନର ସଭାପତି ବାନାମ୍ୱର ବେହେରା, ସଂପାଦକ ତଥା ବରିଷ୍ଟ ଫଟୋଗ୍ରପାର ବାବୁଲି ପାତ୍ରଙ୍କ ନେତୃତ୍ୱରେ ସମସ୍ତ ଫଟୋଗ୍ରାଫର, ଜାଭିୟର କଲେଜ ଅଫ ହୋଟେଲ ମ୍ୟାନେଜମେଣ୍ଟ କୋଣାର୍କ ବ୍ରାଞ୍ଚ ଓ କୋଣାର୍କ ଇନିଷ୍ଟିଚୁଏସନ ଅଫ ହୋଟେଲ ମେନେଜମେଣ୍ଟ ଆଣ୍ଡ ଟୁରିଜିମର ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଂଗଠନର େସ୍ୱଚ୍ଛାସେବୀଙ୍କ ସହିତ ଅନେକ ପର୍ଯ୍ୟଟକମାନେ ମଧ୍ୟ ସାମିଲ ହୋଇଥିଲେ। ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳାଭୂମି ଅଞ୍ଚଳରେ ପଡିରହିଥିବା ଅଳିଆ ଆବର୍ଜନା, ବିସର୍ଜିତ ଦେବାଦେବୀଙ୍କ ପରିତ୍ୟକ୍ତ ଅଂଶ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ ସଫା କରି ଟ୍ରାକ୍ଟର ଯୋଗେ ହେଲିପ୍ୟାଡ ସ୍ଥିତ ଅସ୍ଥାୟୀ ଡମ୍ପିଙ୍ଗଆଡକୁ ନିଆଯାଇଥିଲା।   ଚନ୍ଦ୍ରଭାଗାର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରେ ସୁଧାର ଆଣି  ପଲିଥିନ ମୁକ୍ତ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ପାଇଁ କୋଣାର୍କ ଏନଏସି ପକ୍ଷରୁ ବେଳାଭୁମି ଓ ବଜାର ଅଞ୍ଚଳର ବିଭିନ୍ନ ସ୍ଥାନରେ ଆବର୍ଜନା କୁଣ୍ଡ ଯୋଗାଇ ଦିଆଯିବ ବୋଲି କୋଣାର୍କ ଏନଏସି ଅଧ୍ୟକ୍ଷା ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମକୁ କୋଣାର୍କ ପ୍ରେସ କ୍ଲବର ସଭାପତି ସଞ୍ଜୟ ପତି, ଉପସଭାପତି ଅବନୀ ଭୂଷଣ ବାରିକ, ସଂପାଦକ ମାନସରଞ୍ଜନ ପାତ୍ର, ଯୁଗ୍ମ ସଂପାଦକ ବିଚିତ୍ର ଓଝା, କୋଷାଧ୍ୟକ୍ଷ ଆଜିତ କୁମାର ମଲ୍ଲିକ, ସାମ୍ୱାଦିକ ବିଶ୍ୱଜିତ ରାଉତରାୟ, ଜ୍ୟୋତିରାଜ ମହାନ୍ତି, କୃଷ୍ଣ ଚନ୍ଦ୍ର ସାହୁ, ସୂର୍ଯ୍ୟନାରାୟଣ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ। ମା’ ରାମଚଣ୍ଡୀ ପୀଠ ସଂଳଗ୍ନ କୁଶଭଦ୍ର ନଦୀ ଓ ବଙ୍ଗୋପସାଗରର ସଙ୍ଗମ ସ୍ଥଳ(ମୁହାଣ) ଅଞ୍ଚଳରେ ମା’ ରାମଚଣ୍ଡୀ ବୋଟ ଆସୋସିଏସନ ଓ ମା’ ରାମଚଣ୍ଡୀ ବିକାଶ ପରିଷଦ ପକ୍ଷରୁ ମଧ୍ୟ ସଫେଇ କରାଯାଇଥିଲା।

Share :