ଚାକିରି ଛାଡ଼ି ଚାଷ କଲେ

ଚାକିରି ଛାଡ଼ି ଚାଷ କଲେ

Share :

ନିଶା ଥିଲା ନିଜ ଜିଲ୍ଲା ପାଇଁ କିଛି କରି ଦେଖେଇବାର, ନିଜେ ରୋଜଗାର କରିବବା ସହିତ ଅନ୍ୟକୁ ନିଯୁକ୍ତି ଦେବାର। ତେଣୁ ସରକାରୀ ଚାକିରୀ ଛାଡି କୁକୁଡ଼ା ଚାଷ କରିବାକୁ ନିଷ୍ପତ୍ତି ନେଲେ। ଏବେ ସେ ଜଣେ ସଫଳ କୁକୁଡା ଚାଷୀ। ନିଜେ ଭଲ ଦି ପଇସା ଉପାର୍ଜନ କରିବା ସହ ନିଜ ଅଞ୍ଚଳର ଦାଦନ ଖଟି ଯାଉଥିବା ଶ୍ରମିକଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ସରଲାଞ୍ଜି ଗାଁର କୁକୁଡା ଚାଷୀ ସଦାନନ୍ଦ ଶତପଥି।   ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ସରଲାଞ୍ଜି ଗାଁର କୁକୁଡା ଚାଷୀ ସଦାନନ୍ଦ ଶତପଥି। ଉଚ୍ଚ ଶିକ୍ଷାପରେ ଦିଲ୍ଲୀରେ ସରକାରୀ ଅଫିସର ଭାବେ କାମ କରନ୍ତି। ଏହି ଚାକିରୀ ସମୟରେ ନିଜ ଜିଲ୍ଲା ଓ ରାଜ୍ୟର ଦାଦନ ଶ୍ରମିକମାନେ କିପରି ବାହାର ରାଜ୍ୟରେ ଶୋଷିତ ଏବଂ ନିର୍ଯ୍ୟାତିତ ହୁଅନ୍ତି ସେ ବିଷୟରେ ଜାଣିବାକୁ ପାଆନ୍ତି। ଏହା ତାଙ୍କୁ ନିଜ ଅଂଚଳ ପାଇଁ କିଛି କରିବାର ଆହ୍ବାନ ଦିଏ। ସ୍ଥାନୀୟ ଲୋକମାନଙ୍କୁ ସ୍ଥାନୀୟ ଭିତ୍ତିରେ ନିଯୁକ୍ତି ସୁଯୋଗ ଦିଆଗଲେ ସେମାନେ ଦାଦନ ଖଟି ଯିବେ ନାହିଁ କି ଦଲାଲ ଓ ବେପାରୀଙ୍କ ଶୋଷଣର ଶିକାର ହେବ ନାହିଁ। ଏହି ଚିନ୍ତା ତାଙ୍କୁ ଘାରିଥିଲା। ସେ ଚିନ୍ତା କରିଥିଲେ ଏହି ଶ୍ରମିକମାନଙ୍କ ପାଇଁ କିଛି କରିବେ। ନିଜ ପାଇଁ ମଧ୍ୟ ରୋଜଗାର କରିବେ।   ଏଇ ଚିନ୍ତାରେ ସେ ଦିଲ୍ଲୀର ସରକାରୀ ଚାକିରୀ ଛାଡି ନିଜ ଗାଁ ପଳାଇ ଆସିଲେ। ବ୍ୟାଙ୍କରୁ ଋଣ ଆଣି ଗାଁ ସରଲାଞ୍ଜିରେ ଗତ ୩ ବର୍ଷ ତଳେ ପ୍ରତିଷ୍ଠା କଲେ ଏକ ବ୍ରଏଲର ଫାର୍ମ। ଆଜି ସେ ଜଣେ ସଫଳ କୁକୁଡ଼ା ଚାଷୀ। ସେ ତାଙ୍କ ଫାର୍ମରେ ପ୍ରାୟ ୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ଦେବା ସହିତ ମାସକୁ ପ୍ରାୟ ୩ ଲକ୍ଷ ଟଙ୍କା ଲାଭ କରୁଛନ୍ତି। କୋଉ ସରକାରୀ ଚାକିରିରୁ ସଦାନନ୍ଦ ଏତେ ଟଙ୍କା ରୋଜଗାର କରିଥାନ୍ତେ?   ସଦାନନ୍ଦ ତାଙ୍କ ଫାର୍ମରେ ମାସିକ ୨୦ ହଜାରରୁ ଅଧିକ କୁକୁଡା ଉତ୍ପାଦନ କରୁଛନ୍ତି। ଏସବୁ କୁକୁଡ଼ାଙ୍କୁ ସେ ନିଜ ଜିଲ୍ଲା କଳାହାଣ୍ଡି ତଥା ଜିଲ୍ଲା ବାହାରେ ସୁଲଭ ମୁଲ୍ୟରେ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି। ଫାର୍ମ ଚଳାଇବାକୁ ସେ ନିଜ ଅଂଚଳର ୪୦/୫୦ ଜଣ ଶ୍ରମିକଙ୍କୁ ନିଯୁକ୍ତ କରିଛନ୍ତି। ନିଜ ଅଂଚଳରେ ପ୍ରାୟତଃ ସ୍ଥାୟୀ ନିଯୁକ୍ତି ପାଇବାରୁ ସେମାନଙ୍କୁ ଆଉ ଦାଦନ ଖଟି ଅନ୍ୟ ରାଜ୍ୟ ଯିବା ଦରକାର ହଉନି। ଏଠି ମଜୁରୀ ବି ଭଲ ମିଳୁଛି।   ସଦାନନ୍ଦଙ୍କ କୁକୁଡା ଫାର୍ମରୁ ଯେଉଁ ଛୋଟ ଛୋଟ ବ୍ୟବସାୟୀମାନେ କୁକୁଡା ନେଉଛନ୍ତି ସେମାନେ ଶସ୍ତାରେ ବ୍ରଏଲର ପାଉଥିବାରୁ ଭଲ ଲାଭ ପାଉଛନ୍ତି। ବ୍ରଏଲର ଫାର୍ମରୁ ସଦାନନ୍ଦ ମାସିକ ପ୍ରାୟ ୩ ଲକ୍ଷ ଟଙ୍କା ଲାଭ କରୁଛନ୍ତି।   ଛତିଶଗଡ ଓ ଆନ୍ଧ୍ରରୁ ଆସୁଥିବା କୁକୁଡା ଅପେକ୍ଷା ସଦାନନ୍ଦଙ୍କ ଫାର୍ମର କୁକୁଡା ଅଧିକ ଓଜନ ଓ ତାଜା ଥାଏ। ଏହା ସହ ଏହି ଫାର୍ମର  କୁକୁଡାରେ କମ‌୍‍ ଔଷଧ ବ୍ୟବହାର କରାଯାଉ ଥିବାରୁ ଏହା ସ୍ୱାସ୍ଥ୍ୟ ପକ୍ଷେ ଆତ୍ୟନ୍ତ ହିତକର। ଏହି ଦୃଷ୍ଟିରୁ ଆଖପାଖ ବଜାରରେ ସଦାନନ୍ଦଙ୍କ କୁକୁଡ଼ା ଚାହିଦା ଅଧିକ। ଦାମ କିନ୍ତୁ ଅନ୍ୟ ଫାର୍ମ ତୁଳନାରେ ଶସ୍ତା। ତେଣୁ ତାଙ୍କ କୁକୁଡ଼ାର ବିକ୍ରି ଅଧିକ। ଲାଭ ବି ବେଶି।

Share :