ଦାନର ଦୈନ୍ୟକୁ ନେଇ ରାଜନୀତି

ଦାନର ଦୈନ୍ୟକୁ ନେଇ ରାଜନୀତି

Share :

କାନ୍ଧରେ ଶବ ବୋହିବା ଘଟଣା ପରେ ପୁଣି ଫେରିଛି ଅଶୀ ଦଶକର କଳାହାଣ୍ଡି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁଣି ଚର୍ଚ୍ଚାକୁ ଆସିଛି ଓଡ଼ିଶାର ଭୋକର ଭୂଗୋଳ। ଓଡିଶା ସରକାରଙ୍କ ମୁହଁରେ କଳାବୋଳି ସମଗ୍ର ଦେଶର ପଛୁଆ ଅଞ୍ଚଳ ଭାବେ ପରିଚିତ ତଥା ଅଭାବ, ଅନଟନ, ଅଶିକ୍ଷା, ପିଲାବିକ୍ରି ଓ ମହାମାରି ପାଇଁ ସର୍ବାଧିକ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲାର ଅଦିବାସୀ ଅଧ୍ୟୁସିତ ଥୁଆମୂଳ-ରାମପୁର ବ୍ଲକର ମେଲଘରା ଗାଁର ଦାନ ମାଝ ଏବେ ଏକ ଅନ୍ତର୍ଜାତୀୟ ପରିଚୟ। ପତ୍ନୀ ପାଇଁ ସମର୍ପିତ ତା’ର ସାହସିକ ସରଳତା ତା’ ନିଜର ଦାରିଦ୍ର୍ୟ ସମେତ ଓଡ଼ିଶା ସରକାରଙ୍କ ବିଫଳତା ଓ ଓଡ଼ିଆ ସମାଜର ଉଦାସୀନତାକୁ ବିଶ୍ବ ଆଗରେ ଉପସ୍ଥାପନ କରିଛି।   ଆଉ ଏଭଳି ଏକ ଲଜ୍ଜାଜନକ ପରିସ୍ଥିତିରୁ ଫାଇଦା ନେବାକୁ ବି ଲଜ୍ଜା ବୋଲି ଭାବୁ ନାହାନ୍ତି ରାଜ୍ୟର ରାଜନୀତିକ ଦଳର ନେତାମାନେ। ଦାନ ମାଝୀର ଦୁଃଖକୁ ରାଜନୀତିକ ପୁଂଜିରେ ପରିଣତ କରିବା ପାଇଁ ମେଲଘରା ଗାଁକୁ ସେମାନେ ସ୍ବାର୍ଥନିଷ୍ଠ ରାଜନୀତିର ପ୍ରୟୋଗଶାଳାରେ ପରିଣତ କରିଛନ୍ତି।   ମେଲଘରା ଗାଁର ଦାନମାଝୀ ଅଗଷ୍ଟ ୨୩ ତାରିଖ ଦିନ ତାର ରୋଗିଣା ସ୍ତ୍ରୀ ଆମାଙ୍ଗଦେଇ ମାଝୀକୁ ଚିକି‌୍‍ତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲା। ରାତି ଗୋଟାଏରେ ଡାକ୍ତରଖାନାରେ ଅମାଙ୍ଗଦେଇର ମୃତ୍ୟୁ ଘଟିବାପରେ ଗାଁକୁ ମୃତଦେହ ନେବା ପାଇଁ ଗାଡ଼ି ସହାୟତା ନିମନ୍ତେ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଅନେକ ସାଧାରଣ ଲୋକଙ୍କୁ ଗୁହାରୀ କରିଥିଲେ। ହେଲେ କାହାଠାରୁ ସହାୟତା ନପାଇ ଅସହାୟ ଦାନ ମାଝୀ ସ୍ତ୍ରୀର ଶବ କାନ୍ଧରେ ବୋହି ୧୦ କି.ମି. ନେବା ଭଳି ହୃଦୟ ବିଦାରକ ଘଟଣା ବିଶ୍ୱବାସୀଙ୍କୁ ବିଚଳିତ କରିଛି। ଏହି ଘଟଣା ପାଇଁ କେବଳ କଳାହାଣ୍ଡି କିମ୍ୱା ଓଡିଶା ନୁହଁ ସମଗ୍ର ଦେଶ ଆଜି ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି ଏବଂ ୩୫ ବର୍ଷ ତଳର ସେହି ଅପମାନ ଓ ଉପହାସ ଛିଟା ପୁଣି ଥରେ କଳାହାଣ୍ଡିର ମୁହଁକୁ କଳା କରିଦେଇଛି। ପୁଣି ଥରେ ମନେ ପଡ଼ିଯାଇଛି ଫାନସ୍‌ ପୁଂଜି ଓ ବନିତାର କାହାଣୀ- ଅନାହାର ଓ ପିଲାବିକ୍ରିର କଥା।   ଅମାନବିକତା ଓ ଉଦାସୀନତାର ଏଇ କୁତ୍ସିତ ଛବି ଭାରତ ବର୍ଷର ୧୨୫ କୋଟି ଜନତାଙ୍କ ସମେତ ମାନବିକତାର ମୁଣ୍ଡ ତଳକୁ କରିଦେଇଛି। ଏହି ଦୁଃଖଦ ଘଟଣାକୁ ନେଇ ବିରୋଧୀ ଦଳମାନେ ଶାସକ ବିଜେଡି ଓ ଜିଲ୍ଲା ପ୍ରଶାସନକୁ ନିନ୍ଦାର ବାଣ ମାରିବାରେ ଲାଗିଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ପ୍ରାୟ ୨୦ ଦିନ ହେଲାଣି କଳାହାଣ୍ଡି ଜିଲ୍ଲାର ରାଜନୈତିକ ବାତାବରଣରେ ଉଷ୍ମତା ଭରି ରହିଛି। ଯେଉଁ ମେଲଘରା ଗାଁକୁ ସ୍ୱାଧୀନତାର ୭୦ ବର୍ଷ ମଧ୍ୟରେ କୌଣସି ଦଲର ନେତାଙ୍କ ପାଦ ପଡି ନଥିଲା ଏବେ ସେଠାରେ ରାଜ୍ୟ ସ୍ତରୀୟ ନେତାଙ୍କଠାରୁ ଆରମ୍ଭ କରି ଜିଲ୍ଲା ସ୍ତରର କୁଜିନେତାମାନେ ମଧ୍ୟ ଦାନ ମାଝି ଘରକୁ ଯାଇ ପ୍ରଚାରୋଦ୍ଦିଷ୍ଟ ମୌଖିକ ଆଶ୍ୱାସନା ଦେବାରେ ଲାଗିଛନ୍ତି।। ଥୁ. ରାମପୁର ବ୍ଲକର ଦୁର୍ଗମ ମେଲଘରା ଗାଁର ସବୁଦିନିଆ ସମସ୍ୟାର ସମାଧାନ ପାଇଁ  କୌଣସି ରାଜନୈତିକ ଦଳ ଉଦ୍ୟମ କରି ନଥିବା ବେଳେ ଏବେ କିନ୍ତୁ ଏହି ସମ୍ୱେଦନଶୀଳ ଘଟଣାରେ ସମବେଦନା ଜଣାଇବା ବାହାନାରେ ରାଜନୈତିକ ଫାଇଦା ଉଠାଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଅରମ୍ଭ ହୋଇ ଯାଇଛି।   ମେଲଘରା ଗାଁକୁ ସବୁଦିନିଆ ରାସ୍ତା ନ ଥିବା ଯୋଗଁୁ କେବେ କୌଣସି ଯାନବାହାନ ଯାଇ ନଥିବା ବେଳେ ଗତ କିଛି ଦିନ ହେଲା ଯାନବାହନର ଲମ୍ୱା ଲାଇନ ମେଲଘରାବାସୀଙ୍କୁ ସହରୀ ବାବୁଭୟାଙ୍କର ବାସ୍ନା ଆଣିଦେଇଛି। ଦାନ ମାଝୀକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ବର୍ଷୁ ଥିବାବେଳେ ରାଜ୍ୟ ସରକାର ଉପରେ ବର୍ଷୁଛନ୍ତି ବିରୋଧୀ, ସତେଯେମିତି ଏହି ଘଟଣା ବିରୋଧୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି। କେହି ଏହି ସୁଯୋଗର ହାତଛଡା କରିବାକୁ ଚାହଁୁ ନାହାନ୍ତି। ସାମାନ୍ୟ ସମବେଦନା ଓ କିଛି ଆର୍ଥିକ ସହାୟତା ଦେଇ ସମସ୍ତେ ଗୋଳିଆ ପାଣିରୁ ମାଛ ଧରି ରାଜନୈତିକ ଫାଇଦା ଉଠାଇବାରେ ବ୍ୟସ୍ତ।   ମେଲଘରା ଗାଁକୁ ସବୁଦିନିଆ ରାସ୍ତା ନାହଁି, ପିଇବା ପାଣିର ସୁବିଧା ନାହଁ, ସ୍ୱାସ୍ଥ୍ୟ ସେବା ଅପହଞ୍ଚ ରହିଛି। ତଥାପି ଏହି ଗାଁର ମୌଳିକି ସମସ୍ୟା ପାଇଁ ଆଗରୁ କେହି ଉଦ୍ୟମ କରିନଥିବା ବେଳେ ଏବେ ବି କେହି ସେ ବାବଦରେ ଉଦ୍ୟମ କରୁ ନାହାନ୍ତି। ସମସ୍ତେ କେବଳ ଶସ୍ତା ରାଜନୈତିକ ଫାଇଦା ପାଇଁ ବ୍ୟସ୍ତ। ଏହି ପ୍ରସଙ୍ଗରୁ ସମସ୍ତେ ଫାଇଦା ଉଠାଇବେ ସିନା ମେଲଘରା ଗାଁର ଭାଗ୍ୟାକାଶରେ ବିକାଶର ସୁଦିନ କେବେ ଆସିବ ତାହାର ଉତ୍ତର ନା ସରକାର ଦେଉଛନ୍ତି ନା ବିରେଧୀ। ଜିଲ୍ଲା ପ୍ରଶାସନ ଏବଂ ଶାସକ ଦଳ ନିଜ ମୁଣ୍ଡରୁ ଅଠା ଖସାଇବାକୁ ପ୍ରାଣମୁର୍ଚ୍ଛା ଉଦ୍ୟମ ଚଳାଇଥିବା ବେଳେ ବିରୋଧୀ ଏହି ପ୍ରସଙ୍ଗରେ ଅଧିକରୁ ଅଧିକ କେମିତି ଫାଇଦା ଉଠାଇପରିବେ ସେଇକାର୍ଯ୍ୟରେ ବ୍ୟସ୍ତ।   ଓଡିଶାରେ ସର୍ବାଧିକ ଜଳସେଚନ ସୁବିଧା, ରାଜ୍ୟର ଦ୍ୱିତୀୟ ସର୍ବାଧିକ ଧାନଉତ୍ପାଦନକାରୀ ଜିଲ୍ଲା, ରାଜ୍ୟର ଶ୍ରେଷ୍ଠ କପା ଉତ୍ପାଦନକାରୀ ଜିଲ୍ଲା କଳାହାଣ୍ଡି ଆଜି ଏଭଳି ଏକ ସ୍ପର୍ଶକାତର ଘଟଣାକୁ ନେଇ ବିଶ୍ୱ ଦରବାରରେ ନିନ୍ଦିତ ହେଉଥିବା ବେଳେ ରାଜନୈତିକ ଦଳମାନେ ନିନ୍ଦାର ଶବ୍ଦ ଯୋଗାଡ଼ କରିବାରେ ବ୍ୟସ୍ତ। କଂଗ୍ରେସ ଓ ବିଜେପି ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦାନର ଦୈନ୍ୟକୁ ପ୍ରସଙ୍ଗ କରିଥିବାବେଳେ ଶାସକ ବିଜେଡି ମହାନଦୀ ଜଳ ବିବାଦ ସୃଷ୍ଟି କରି ଲୋକଙ୍କ ନଜର ଆଡ଼େଇବାକୁ ଜୋରଦାର ଅଭିଯାନ ଆରମ୍ଭ କରିଛି।

Share :