କୋଣାର୍କରେ ବାଦିପାଲା

କୋଣାର୍କରେ ବାଦିପାଲା

Share :

୧୯୫୦ ମସିହାରେ ଗଠିତ ହୋଇଥିବା କୋଣାର୍କ ଗଣେଶ କମିଟି ଆନୁକୂଲ୍ୟରେ ବିଗତ ୬୬ ବର୍ଷ ଧରି କୋଣାର୍କ ଥାନା ଛକସ୍ଥିତ ନିଜସ୍ୱ ସ୍ଥାୟୀ ମଣ୍ଡପରେ ଅଗ୍ରପୂଜ୍ୟ ଗଣନାଥଙ୍କ ପୂଜା ଓ ସପ୍ତ ଦିବସୀୟ ବାଦିପାଲା ମହାସମାରୋହରେ ଆୟୋଜିତ ହୋଇଯାଇଛି। ପାଶ୍ଚାତ୍ୟ ସଭ୍ୟତାର ପଛେରେ ନ ଗୋଡାଇ ପୁରାତନ ସଂସ୍କୃତିର ସୁରକ୍ଷା ଦିଗରେ ଏହି କମିଟି ଅଗ୍ରାଧିକାର ଦେଇ ଆସିଛି। ଉଗ୍ର ଆଧୁନିକ ସଂଗୀତକୁ ପ୍ରାଧାନ୍ୟ ନ ଦେଇ ଏହି କମିଟି ଓଡ଼ିଶାର ପ୍ରାଚୀନ ଲୋକ କଳା ପାଲା ସଂକୃତିକୁ ଅଦ୍ୟାବଧି ବଞ୍ଚାଇ ରଖିଆସିଛି। ଏହି ଆଧୁନିକ ଯୁଗରେ ପାଲା ପ୍ରତି ଲୋକଙ୍କର ରୁଚି କମିଯାଉଥିବା ବେଳେ କୋଣାର୍କ ଗଣେଶ କମିଟି ପକ୍ଷରୁ ଆୟୋଜିତ ହେଉଥିବା ଗଣେଶ ପୂଜା ଅବସରରେ ପରିବେଶିତ ହୋଇଥାଏ ସପ୍ତ ଦିବସୀୟ ବାଦିପାଲା। ଏହି କମିଟି ପକ୍ଷରୁ ଓଡ଼ିଶାର ୧୩୨ ଜଣ ଲବ୍ଧପ୍ରତିଷ୍ଟିତ ପାଲା ଗାୟକ ଓ ତାଙ୍କ ସାଥୀମାନେ ଏହି ପୂରାତନ ମଞ୍ଚରେ ପାଲା ପରିବେଷଣ କରିସାରିଛନ୍ତି।   ଏହି ମଞ୍ଚରେ ପାଲା ପରିବେଷଣ କରିବା ପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳର ପାଲା ଗାୟକ ଓ ସାଥୀମାନେ ଆଗ୍ରହ ପ୍ରକାଶ କରିଥାନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହୋଇଯାଇଛି ବାଦିପାଲା। କୋଣାର୍କର ସର୍ବପୁରାତନ ବଜାର ଥାନା ଛକଠାରେ କମିଟି ପକ୍ଷରୁ ପୂର୍ବ ପରି ଚଳିତ ବର୍ଷ ମଧ୍ୟ ପାଲା ପ୍ରେମୀମାନଙ୍କ ପାଇଁ ଖର୍ଚ୍ଚ ବହୁଳ ବର୍ଷା ପାଣି ନିରୋଧକ ଟେଣ୍ଟ ଓ ସୁଶୋଭିତ ରଙ୍ଗ ମଞ୍ଚରେ ଆୟେଜିତ ହୋଇଯାଇଛି ବାଦିପାଲା।   ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ସହ ଜନମାନସରେ ସଚେତନତା ସୃଷ୍ଟି କରୁଥିବା ଏହି ବାଦିପାଲାକୁ ଉପଭୋଗ କରିବା ପାଇଁ କୋଣାର୍କ ଏନଏସି ସମେତ ଗୋପ, ଜୁଣେଇଁ, ବନାଖଣ୍ଡି, ସାରଡ଼ା, କୁରୁଜଙ୍ଗ, ଅନସରା, ସୁତନ, ଟିକନା, ବାଲିକପିଳେଶ୍ୱର ଓ ବାଲିଦୋକାନ, ଅଞ୍ଚଳରୁ ହଜାର ହଜାର ପାଲାପ୍ରେମୀ ଦର୍ଶକମାନେ ଏଠାକୁ ଆସି ବାଦିପାଲା ଦେଖିବା ସହ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ଚଳିତ ବର୍ଷ ସେପ୍ଟେମ୍ୱର ୫ ତାରିଖ ଗଣେଶ ଚତୁର୍ଥୀ ଦିନଠାରୁ ଖୋର୍ଦ୍ଧ ଜିଲ୍ଲାର ବାଲିପାଟଣା ନିକଟସ୍ଥ ବଳଭଦ୍ରପୁର ଗ୍ରାମର ସୁନାମଧନ୍ୟ ଗାୟକ ତିଳକ ବଂଶଧର ଓଝା, ବାୟକ ଦୁଃର୍ଯ୍ୟୋଧନ ମାଣିଆ, ପାଳିଆ ନିଳାମ୍ୱର ଚମ୍ପତି, ଗଦାଧର ସାହୁ, ରାଜକିଶୋର ସାହୁ, ନବୀନ ଚନ୍ଦ୍ର ସ୍ୱାଇଁ ଓ ମାନସ ରଞ୍ଜନ ରଥ  ଏବଂ କଟକ ଜିଲ୍ଲା ଚୌଦ୍ୱାର ନିକଟସ୍ତ ନୂଆଗାଁର ଗାୟକ ବିଚିତ୍ର ପଣ୍ଡା, ବାୟକ କୃଷ୍ଣଚନ୍ଦ୍ର ବାରିକ, ଡାହାଣ ପାଳିଅ ଶିବ ବିଶ୍ୱାଳ, ପାଳିଆ ଶିବ ବାରିକ, ପବିତ୍ର ଦାସ ଓ ଅଚ୍ୟୁତାନନ୍ଦ ଦାସ ପ୍ରମୁଖ ରାମାୟଣ, ମହାଭାରତ, ଭାଗବତ, ଶିବ ପୁରାଣ, ବାୟୁ ପୁରାଣ, ବିଷ୍ଣୁ ପୁରାଣ, ପଦ୍ମ ପୁରାଣ, ସ୍କନ୍ଧ ପୁରାଣରେ ଇତ୍ୟାଦି  ବିଭିନ୍ନ  ଗ୍ରନ୍ଥମାନଙ୍କରୁ ସାହିତ୍ୟ ଅଳଙ୍କାର ଓ ବର୍ତ୍ତମାନ କଳଙ୍କତ ସମାଜରେ ସୁଧାର ଆଣିବା ପାଇଁ ବିଭିନ୍ନ ଘଟଣା ବଳିକୁ ନେଇ ବାଦିପାଲା ପରିବେଷଣ କରଥିଲେ।   ଏହି ଦୁଇଦଳର ପାଲା କଳାକାରମାନେ ଉଚ୍ଚୋକୋଟିର ପାଲା ପରିବେଷଣ କରୁଥିବାରୁ ପାଲାପ୍ରେମିମାନଙ୍କର ମଞ୍ଚପାଖରେ ପ୍ରବଲ ଭିଡ ଦେଖିବାକୁ ମିଳିଥିଲା। ପ୍ରତ୍ୟହ ପ୍ରଥମ ପର୍ଯ୍ୟାୟରେ ସନ୍ଧ୍ୟା ୬ଟାରୁ ରାତି ୧୦ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ରାତି ୧୦ଟାରୁ ରାତି ୨ଟା ପର୍ଯ୍ୟନ୍ତ ଦୁଇ ପାଲା ଦଳର କଳାକାରଙ୍କ ମଧ୍ୟରେ ବାଦିପାଲା ଅନୁଷ୍ଠିତ ହୋଇଥିଲା। ଉତ୍କଳୀୟ କଳା, ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକ ଭାବାବେଗର ପ୍ରଚାର ପ୍ରସାର ଦିଗରେ କୋଣାର୍କର ପାଲାମଣ୍ଡପରେ ପ୍ରଦର୍ଶିତ ହୋଇଥିବା ଏହି ବାଦିପାଲା ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରି ଆସୁଛି ବୋଲି ପାଲା ସମୀକ୍ଷକ ମାନେ ମତ ପ୍ରକାଶ କରିଥିଲେ।   ଦୁଇ ପାଲା ଗୋଷ୍ଠୀର ଗାୟକଙ୍କ ପ୍ରଦର୍ଶନକୁ ବିଚାର କରାଯାଇ ଗତ ୧୧ ତାରିଖ ରବିବାର ଉଦଯାପନୀ ଦିବସରେ ପୂଜ୍ୟପୂଜାର ପରମ୍ପରାନୁଯାୟୀ ଦୁଇ ଦଳର ପାଲାଗୟକ ଓ ସାଥୀ କଳାକାରମାନଙ୍କୁ କୋଣାର୍କ ଗଣେଶ କମିଟି ପକ୍ଷରୁ ମାନପତ୍ର ପୁଷ୍ପଗୁଛ ଓ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ପାଲା ଶେଷରେ କୋଣାର୍କ ଗଣେଶ କମିଟିର ସମସ୍ତ ସଦସ୍ୟମାନେ ଏକତ୍ରିତ ହୋଇ ଏକ ସୁଶଜିତ ଶୋଭାଯାତ୍ରାରେ ଘଣ୍ଟ, ଘଣ୍ଟା, ମୃଦଙ୍ଗ ଓ ଶଙ୍ଖ ଧ୍ୱନୀରେ ବିଘ୍ନବିନାଶକ ଅଗ୍ରପୂଜ୍ୟ ଗଣନାଥ ଶ୍ରୀ ଗଣେଶଙ୍କୁ ଚନ୍ଦ୍ରଭାଗା ତୀର୍ଥପୂସ୍କରଣୀ  ଓ ମହୋଦଧିର ସଙ୍ଗମ ସ୍ଥଳିରେ ବିଶର୍ଜନ କରାଯାଇଥିଲା। କୋଣାର୍କ ଗଣେଶ କମିଟିର ସଂପାଦକ ନରେନ୍ଦ୍ର ପାଢ଼ୀ, ଉପଦେଷ୍ଟା  ରାଜୁ ମହାପାତ୍ର, ସଦସ୍ୟ ପଶୁର୍ରାମ ବାରିକ, ନେତ୍ରାନନ୍ଦ ବେହେରା, ଶିକ୍ଷକ ଗନ୍ଧର୍ବ ସେନାପତି ଓ କମିଟିର ସମସ୍ତ ସଦସ୍ୟମାନେ ଏହି  ଉତ୍ସବର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Share :