ଆଢ଼ୁଆଳରେ ସହନ ବନ

ଆଢ଼ୁଆଳରେ ସହନ ବନ

Share :

  ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଛୁରିଅନା ପଞ୍ଚାୟତ ଅନ୍ତର୍ଗତ ସହନଠାରେ ରହିଛି ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ହେନ୍ତାଳବନ।  ଏହି ହେନ୍ତାଳ ବନଟି ବଙ୍ଗୋପସାଗର ଓ ଦେବୀ ନଦୀ ମୁହାଣରେ ଅବସ୍ଥିତ। ଏହି ମୁହାଣକୁ ସ୍ଥାନୀୟ ଅଞ୍ଚଳର ଲେକେ ଗଙ୍ଗାନାସୀ ମୁହାଣ ନାମରେ ନାମିତ କରିଛନ୍ତି। ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଥିବା ଏହି ହେନ୍ତାଳବନରେ ରହିଛି ୯ ପ୍ରକାର ଗଛ। ଲୁଣା ଓ ମଧୁର ପାଣିର ସଙ୍ଗମ ସ୍ଥଳରେ ସୃଷ୍ଟି ହୋଇଛି ଘଞ୍ଚ ହେନ୍ତାଳବନ।   ଦେବୀ ନଦୀ ବଙ୍ଗୋପସାଗରରେ ମିଶିବା ପୂର୍ବରୁ ପ୍ରାୟ ୩ କିଲୋମିଟର ଦୂରରୁ ଏକ ଶାଖା ନଦୀ ବାହରି ପୂନର୍ବାର ଦେବୀ ନଦୀରେ ସଂଯୋଗ ହୋଇ ବଙ୍ଗୋପସାଗରରେ ମିଶିଛି। ଦେବୀ ନଦୀ ଓ ତାର ଶାଖା ନଦୀର ମଧ୍ୟ ଭାଗରେ ରହିଛି ଏକ କିଲୋ ମିଟର ବ୍ୟାପୀ ହେନ୍ତାଳବନ। ପକ୍ଷୀମାନଙ୍କ ପାଇଁ ଏହି ହେନ୍ତାଳବନଟି ସୁରକ୍ଷିତ ହୋଇଥିବାରୁ ବର୍ଷ ତମାମ ଏଠାରେ ଲକ୍ଷାଧିକ ସଂଖ୍ୟାରେ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଥାଏ। ଏହି ପକ୍ଷୀମାନଙ୍କ କାକଳିରେ ପରିବେଶ ହୋଇଉଠେ ଅତିବ ମନୋରମ।   ଏତଦବ୍ୟତିତ ନଦୀର ଉଭୟ ପାର୍ଶ୍ବରେ ଥିବା ଘଞ୍ଚ ଜଙ୍ଗଲରେ ରହିଛନ୍ତି ପ୍ରଚୁର ପରିମାଣରେ ବାଲି ହରିଣ ଓ ଜଙ୍ଗଲୀ ଜୀବଜନ୍ତୁ। ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଥିବା ଏହି ଜଙ୍ଗଲ ମଧ୍ୟରେ ଜଙ୍ଗଲୀ ଜୀବଜନ୍ତୁଙ୍କ ଅବାଧ ବିଚରଣ ନୌକା ବିହାର କରୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ନଦୀର ସ୍ଥିର ଜଳରାଶିରେ ବିଭିନ୍ନ ଜଳଚର ଜୀବ ବସବାସ କରୁଥିବା ବେଳେ ଏଠାରେ ସ୍ଥାନୀୟ ଅଞ୍ଚଳର ଲୋକେ ପ୍ରତ୍ୟହ ମାଛ ଧରି ନିଜର ଜୀବନ ଜୀବିକା ନିର୍ବାହ କରିଥାନ୍ତି।   ଓଡିଶାର ଦ୍ୱିତୀୟ ଭିତରକନିକା ସଦୃଶ୍ୟ ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟମୟ ସ୍ଥାନ ‘ସହନ’କୁ ପର୍ଯ୍ୟଟନ କ୍ଷେତ୍ର ରୂପେ ବିକାଶ କରିବା ପାଇଁ ହେଲେ ଏଠାରେ ପର୍ଯ୍ୟଟକଙ୍କ ରାତ୍ରୀ ରହଣି ପାଇଁ ହେଟେଲ, ଗାଡି ପାର୍କିଂ, ପାନୀୟ ଜଳ, ପର୍ଯ୍ୟଟକ ଜଳପଥରେ ବିଚରଣ କରିବା ପାଇଁ ସୁରକ୍ଷା ସରଞ୍ଜାମ ସହ ଡଙ୍ଗା, ସ୍ଥିର ଜଳରାଶିରେ ଜଳ କ୍ରୀଡା ଓ ଗମନାଗମନର ବ୍ୟବସ୍ଥା ହୋଇପରିଲେ ଏଠାକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ଅଗମନ ହୋଇପାରିବ ବୋଲି ଟୁର ଅପରେଟରମାନେ ମତପ୍ରକାଶ କରିଛନ୍ତି। ଓଡିଶା ପର୍ଯ୍ୟଟନ ବିଭାଗ ଏଭଳି ଏକ ସ୍ଥାନକୁ ହାତକୁ ନେଇ ବିକାଶ ଓ ପ୍ରଚାର ପ୍ରସାର କରିପାରିଲେ ଓଡିଶା ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ହେବା ସହ ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶରେ ସହାୟକ ହୋଇପାରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।   ସହନକୁ ପର୍ଯ୍ୟଟକଙ୍କ ନିକଟରେ ପରିଚିତ କରିବା ପାଇଁ କୋଣାର୍କ ପର୍ଯ୍ୟଟନ କାର୍ଯ୍ୟାଳୟର ସହ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନଙ୍କ ଉଦ୍ୟମ ପ୍ରଶଂସନୀୟ। ଏଭଳି ଏକ ଅବିସ୍ମରଣୀୟ ଓ ବିସ୍ମୟକର ସ୍ଥାନ ସହନ ପର୍ଯ୍ୟଟକଙ୍କ ନଜର ଅଢୁଆଳରେ ରହି ଯାଉଛି। ଯିଏ ଏଠାକୁ ଥରେ ବୁଲିବା ପାଇଁ ଆସିଛି ସିଏ ଭୁଲିପାରିନି ପ୍ରକୃତିର ସୌନ୍ଦର୍ଯ୍ୟକୁ।   ଏହି ସ୍ଥାନକୁ ଆସିବା ପାଇଁ ହେଲେ ଭୁବନେଶ୍ୱରରୁ କାକଟପୁର ଦେଇ ଅସ୍ତରଙ୍ଗ, ନଚେତ କୋଣାର୍କ ଦେଇ ଅସ୍ତରଙ୍ଗ ଏବଂ ପୁରୀରୁ କୋଣାର୍କ ଦେଇ ଅସ୍ତରଙ୍ଗରେ ପହଞ୍ଚିବା ପରେ ସେଠାରୁ ସହନ ଅଭିମୁଖେ ଯାଇ ସ୍ଥାନୀୟ ମତ୍ସ୍ୟ ଜୀବିଙ୍କ ନୌକାରେ ନୌକାବିହାର କରି ଓଡିଶାର ଦ୍ୱିତୀୟ ଭିତରକନିକା ସଦୃଶ୍ୟ ଏହି ସ୍ଥାନକୁ ବୁଲି ଦେଖିହେବ। ଡଙ୍ଗା ଘାଟ ନିକଟରେ  ଗଙ୍ଗାନାଶୀ ଦେବୀଙ୍କ ମନ୍ଦିର ରହିଥିବା ବେଳେ ଅନତୀ ଦୂର ବଙ୍ଗୋପସାଗର କୂଳରେ ରହିଛି ହିନ୍ଦୁ ଓ ମୁସଳମାନଙ୍କର ପ୍ରସିଦ୍ଧ ପୀଠ ପୀର ଜାହାନୀଆଁଙ୍କ ମନ୍ଦିର। ଏଠାରେ ବର୍ଷତମାନ ପର୍ଯ୍ୟଟକଙ୍କ ଗହଳି ଲାଗିରହିଥାଏ।

Share :