ଇତିହାସ ରଚିଲେ କିସ‍୍‌ର ଦୁଇ ଛାତ୍ରଛତ୍ରୀ

ଇତିହାସ ରଚିଲେ କିସ‍୍‌ର ଦୁଇ ଛାତ୍ରଛତ୍ରୀ

Share :

  ନିକଟରେ ଅଶୋକା ଇନୋଭେଟର‍୍‌ସ ଫର‍୍‌ ଦି ପବ୍ଲିକ୍, ଇଣ୍ଡିଆ ୟୁଥ ଭେଞ୍ଚର କାର୍ଯ୍ୟକ୍ରମ ଜରିଆରେ ସମଗ୍ର ଭାରତରୁ ୧୨ରୁ ୨୦ ବର୍ଷ ବୟସର ପିଲାଙ୍କ ମଧ୍ୟରୁ ୧୭ ଜଣଙ୍କୁ ୟଙ୍ଗ ସୋସିଆଲ‍୍‌ ଇନୋଭେଟର‍୍‌ସ ଭାବେ ମନୋନୀତ କରାଯାଇଛି ଯେଉଁମାନେ କି ଯୁବବର୍ଗ ପାଇଁ ଆଦର୍ଶ ପାଲଟିଛନ୍ତି। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଦେଶର ଯୁବଗୋଷ୍ଠୀଙ୍କୁ ଭବିଷ୍ୟତ ପାଇଁ ନେତୃତ୍ୱ ନେବା ସକାଶେ ପ୍ରସ୍ତୁତ କରାଇବା। ଫଳରେ ସେମାନେ ସମାଜରେ ପରିବର୍ତ୍ତନକାରୀ ଭାବେ କାର୍ଯ୍ୟ କରିବେ।   ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକମାନଙ୍କ ଦକ୍ଷତା ନେବାର କ୍ଷମତା ଏବଂ ସମାଜରେ ପ୍ରଭାବ ଓ ପରିବର୍ତ୍ତନ କରିପାରିଲା ଭଳି କିଛି ନୂତନତ୍ୱ କରି ଦେଖାଇବାର ଗୁଣକୁ ବିଚାରକୁ ନେଇ ଏହି ୧୭ ଜଣ ୟଙ୍ଗ ସୋସିଆଲ‍୍‌ ଇନୋଭେଟର‍୍‌ଙ୍କୁ ଚୟନ କରାଯାଇଥିଲା। ସେଥିମଧ୍ୟରେ ଶ୍ରେଷ୍ଠ ଇନୋଭେଟର‍୍‌ ଭାବେ ଓଡ଼ିଶାରୁ କିସ‍୍‌ର ଦୁଇ ଛାତ୍ରଛାତ୍ରୀ ଧର୍ମାନନ୍ଦ ଭୋଇ ଓ ଶାନ୍ତି ମୁର୍ମୁ ରହିଛନ୍ତି। ସାମାଜିକ ବିକାଶ ଦିଗରେ ବିଭିନ୍ନ ରାଜ୍ୟର ସ୍କୁଲ‍୍‌ ଛାତ୍ରଛାତ୍ରୀଙ୍କ କଳ୍ପନାକୁ ନେଇ  ଅଶୋକା ଫାଉଣ୍ଡେସନ‍୍‌ ପକ୍ଷରୁ ଗତ ୫ ଓ ୬ ତାରିଖ ଦୁଇଦିନ ବ୍ୟାପୀ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ୧୪ ଜଣିଆ ପ୍ୟାନେଲ‍୍‌ ବିଶିଷ୍ଟ ଆଲୋଚନାଚକ୍ରରେ ସମଗ୍ର ଭାରତର ବଛାବଛା ବିଦ୍ୟାଳୟରୁ ୧୭ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ। କିସ‍୍‌ରୁ ଲାଇଫ୍ ସ୍କିଲ‍୍‌ ଶିକ୍ଷା ଲାଭ କରିଥିବା ଶାନ୍ତି ନିଜ ଗ୍ରାମରେ ଏହାକୁ କିଭଳି ଭାବେ ଉପଯୋଗ କରି ନିଜ ସଂପ୍ରଦାୟକୁ ସୁସ୍ଥ ଜୀବନ ଯାପନ କରାଇପାରିବ ସେ ନେଇ ନିଜର ପ୍ରକଳ୍ପ ‘ପରିବର୍ତ୍ତନ’ ଉପସ୍ଥାପନ କରିଥିଲେ।   ସେହିପରି କିସ‍୍‌ର ରଗ୍‌ବୀ କ୍ରୀଡ଼ାରେ ନିଜକୁ ସାମିଲ‍୍‌ ବହୁ ଦେଶ ଭ୍ରମଣ କରିଥିବା ଧର୍ମାନନ୍ଦ ମଧ୍ୟ ଗାଁ ଲୋକଙ୍କ ନିକଟରେ କ୍ରୀଡ଼ାକୁ ଅଧିକ ବିକାଶିତ କରିବା ପାଇଁ ଲକ୍ଷ୍ୟ ରଖି ନିଜ ପ୍ରକଳ୍ପ ‘ଉନ୍ନତି’ ଉପସ୍ଥାପନ କରିଥିଲେ। ନିଜ ପ୍ରକଳ୍ପ ମାଧ୍ୟମରେ ସେ ଉପସ୍ଥାପନ କରିଥିଲେ ଯେ, କ୍ରୀଡ଼ାକୁ କେବଳ ରୀରିକ ବ୍ୟାୟାମ ଓ ଆତ୍ମରକ୍ଷାର ଉପାୟ ନକରି ଏହାକୁ କ୍ୟାରିଅର ଭାବେ ଗ୍ରହଣ କରାଯାଇପାରିବ। ଏହା ସହ ଗ୍ରାମାଞ୍ଚଳରେ ଅଯଥା ସମୟ ନଷ୍ଟ କରୁଥିବା ଲୋକମାନେ ସମୟ ଅପଚୟ ନକରି କ୍ରୀଡ଼ାକୁ ପ୍ରାଧାନ୍ୟ ଦେଲେ ନିଜ ସଂପ୍ରଦାୟର ଉନ୍ନତି ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ।   ସୂଚନାଯୋଗ୍ୟ, ସାମାଜିକ ଉଦ୍ୟୋଗୀଙ୍କୁ ନେଇ ୧୯୮୦ରେ ଗଠିତ ବିଶ୍ୱର ସର୍ବବୃହତ ନେଟୱାର୍କ ଅଶୋକା ଫାଉଣ୍ଡେସନ‍୍‌ର କାର୍ଯ୍ୟାଳୟ ଆମେରିକାରେ ରହିଛି। ଏଥିରେ ବିଶ୍ୱର ୭୦ଟି ଦେଶରୁ ପ୍ରତିନିଧି ରହିଛନ୍ତି। ଅଶୋକା ଇନୋଭେଟର‍୍‌ସ ସହଯୋଗରେ କିସ‍୍‌ରେ ଜୁନ‍୍‌ ୨୭ରେ ପ୍ରଥମ ୟୁଥ୍ ଚେଞ୍ଜ ମେକର‍୍‌ ଦିବସ ପାଳିତ କରାଯିବା ପରେ ଇନୋଭେଟର‍୍‌ସ ପକ୍ଷରୁ ଏ ନେଇ ବିଭିନ୍ନ ପଦକ୍ଷେପ ଆରମ୍ଭ କରାଯାଇଥିଲା। ଛାତ୍ରଛାତ୍ରୀମାନେ ନିଜ ଦକ୍ଷତା ଓ ଅଭିଜ୍ଞତା ଦ୍ୱାରା କିଭଳି ସାମାଜିକ ଉଦ୍ୟୋଗକୁ ଅଧିକ ବିକଶିତ କରିପାରିବେ ଏବଂ ସେମାନଙ୍କ କଳ୍ପନାକୁ ସାକାର କରିପାରିବେ ତାହା ଉପରେ ଏହା ଏକ ଉତ୍କୃଷ୍ଟ ଫୋରମ‍୍‌ ବୋଲି ଅଶୋକା ଇନୋଭେଟର‍୍‌ସର ଦକ୍ଷିଣ ଏସିଆ ଶାଖା ନିଦ୍ଦେର୍ଶକ ୟଶବୀର ସିଂହ ଆଜି ଭୁବନେଶ୍ୱଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। କିସ‍୍‌ରେ ଏହା ଆରମ୍ଭ କରାଯିବା ପରେ ଏହାର ଛାତ୍ରଛାତ୍ରୀଙ୍କ ବେଶ ଉତ୍ସାହ ଥିବା ଲକ୍ଷ୍ୟ କରାଯାଇଥିଲା। ମନୋନୀତ ଉଭୟ ଛାତଛାତ୍ରୀଙ୍କୁ ଫାଉଣ୍ଡେସନ‍୍‌ ପକ୍ଷରୁ ଆବଶ୍ୟକ ତାଲିମ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।   କିସ‍୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ, କିସ‍୍‌ରେ ସାମାଜିକ ଉଦ୍ୟୋଗୀ ସୃଷ୍ଟି ହେବା ଦ୍ୱାରା ଏକ ନୂତନ ଯୁଗର ଆରମ୍ଭ ହେଲା। ଅଶୋକା ଫାଉଣ୍ଡେସନ‍୍‌ ପକ୍ଷରୁ ପ୍ରଥମ ଥର ଏହି ଦୁଇ ଜନଜାତି ସଂପ୍ରଦାୟର ଛାତ୍ରଛାତ୍ରୀ ୟୁଥ ଚେଞ୍ଜ ଭେଞ୍ଚର ଭାବେ ମନୋନୀତ ହେବା କିସ‍୍‌ ପାଇଁ ଗୌରବର କଥା। ଭାରତର ପ୍ରଥମ ଜନଜାତି ସଂପ୍ରଦାୟର ଛାତ୍ରଛାତ୍ରୀ ଭାବେ କିସ‍୍‌ର ଧର୍ମାନନ୍ଦ ଓ ଶାନ୍ତି ସାମାଜିକ ଉଦ୍ୟୋଗୀ ଭାବେ ସଫଳ ହୋଇଛନ୍ତି ବୋଲି ଶ୍ରୀ ସାମନ୍ତ କହିଥିଲେ। ଏହି ଅବସରରେ ଶାନ୍ତି ଓ ଧର୍ମାନନ୍ଦ ସେମାନଙ୍କ ଅଭିଜ୍ଞତା ବିଷୟରେ କହିଥିଲେ।

Share :