ମେସେଜ‌୍‍

ମେସେଜ‌୍‍

Share :

ଚାରୁ ଚନ୍ଦନ ଦାଶ   ସକାଳୁୂ ସକାଳୁ ତମ ମେସେଜ‌୍‍ର ପ୍ରତୀକ୍ଷାରେ ଥାଏ। ଆଉ ରାତିରେ ବି ଅନୁରୂପ। ଶୋଇବା ପୂର୍ବରୁ ତମ ଗୁଡ ନାଇଟ‌୍‍ ମେସେଜ ନପଢିଲେ ରାତିରେ ନିଦ ହୁଏନି। ଗୁଡ ନାଇଟ ସହିତ ଗୋଟେ ସୁଇଟ‌୍‍ କିସ‌୍‍। ସତରେ ଯେବେ ତମେ ମେସେଜ‌୍‍ କରନି ସେ ଦିନ ରାତିରେ ଜମାରୁ ନିଦ ହୁଏନି। ଦୁଇଦିନ ହେଲା ତମେ ମେସେଜ କରି ନଥିଲ। ହେଲେ କାଲି କରିଥିଲ।   କେଜାଣେ କାହିଁକି ବେଳେ ବେଳେ ତମ ମନରେ କ’ଣ ଯେ ଚାଲିଥାଏ, ପୂରାପୂରି ଗୁମସୁମ‌୍‍ ହୋଇଯାଅ। ଚାନ୍ଦିନୀ ରାତିର ଗୋଲ ଜହ୍ନଟା ଅମାବାସ୍ୟାର ଅନ୍ଧକାରରେ ଯେମିତି ଲୁଚିଯାଏ। ତମକୁ କେବେ ଦେଖିନି ସତ, ହେଲେ ସବୁବେଳେ ତମକୁ ମେହସୁସ କରୁଥାଏ। ତମର ସମ୍ପୂର୍ଣ୍ଣ ତୈଳଚିତ୍ରଟି ମୋ ମନର କାନଭାସରେ ସେବେଠାରୁ ଆଙ୍କି ହୋଇସାରିଛି; ଯେବେ ତମେ ମତେ ପ୍ରଥମେ ମେସେଜ କରିଥିଲ।   ମେସେଜରେ କଥା ହେଉ ହେଉ ତମକୁ ଦେଖିବାକୁ ଇଚ୍ଛା ହେଲା। ସେଥିପାଇଁ ମୁଁ ପ୍ରସ୍ତୁତ ହୋଇଯାଇଥିଲି ତମକୁ ଦେଖା କରିବା ପାଇଁ। ଦିନେ ସେ ସ୍ୱପ୍ନ ପୂରଣ ମଧ୍ୟ ହେଲା। ସିଧା ଯାଇ ପହଞ୍ଚିଥିଲି ତମ ହଷ୍ଟେଲରେ। ମନେ ଅଛି ନା! ସେଦିନ ତମେ ଯେତେବେଳେ ଏକ ବ୍ଲାକ‌୍‍ ଜିନ୍ସ ଓ ଧଳା ଟି-ସାର୍ଟ ପିନ୍ଧି ମୋ ସାମ୍ନାକୁ ଆସି ହାଏ କହିଥିଲ। ବିଲକୁଲ ଅବିକଳ। ଯାହା ମୁଁ ମୋ ମନ ମାନସପଟ୍ଟରେ ଆଙ୍କିଥିଲି। ସତରେ ସେଦିନ ତମକୁ ଦେଖି କ’ଣ କଥା ହେବି ଭାବି ପାରିନଥିଲି। ମୋ ମନର ଶବ୍ଦକୋଷରେ ସତେ ଯେମିତି ସେଦିନ କୌଣସି ଶବ୍ଦ ନଥିଲା। ହଜି ଯାଇଥିଲା ମୋ ବାକ‌୍‍ଶକ୍ତି। କେବଳ ମନ ଭରି ତମକୁ ଚାହିଁଥିଲି। ବାସ‌୍‍ ଏକ ନିରୀହ ଚାହାଣୀରେ।   ବସ‌୍‍ର ଘୁଁ ଘୁଁ ଶବ୍ଦ। ରାସ୍ତାରେ ଗଲାବେଳେ ଖାଲି ଗୋଟିଏ ଚେହେରା। ସେ ଦିନ ତମେ ପ୍ରଥମ ଥର ପାଇଁ ଲେଖିଥିଲ ମିସିଙ୍ଗ‌୍‍ ୟୁ। ବାସ‌୍‍, ମୁଁ ବି ତମକୁ ମିସ‌୍‍ କରୁଥାଏ, କେବଳ ତମର ଆଉ ମୋ ଭିତରେ ଏକ ଫରକ‌୍‍ ରହିଯାଇଥିଲା। ଆଉ ସେଇଟା ହେଉଛି ମୁଁ ତମକୁ କେତେ ମିସ‌୍‍ କରୁଥିଲି ସେଦିନ ତାହା ପ୍ରକାଶ କରିପାରି ନଥିଲି। ହେଇପାରେ ସେଦିନ ତମେ ମତେ କାପୁରୁଷ କହିଥାଇପାର ଅବା ଆଉ କିଛି, ଯାହା ଏଠାରେ ଲେଖିବା ସମ୍ଭବ ନୁହେଁ।   ରାତିସାରା ସେଦିନ ମେସେଜ ଚାଟିଂ ଚାଲିଥାଏ। ବାସ‌୍‍ ତମେ ମତେ ଦେଖି କ’ଣ ଭାବିଲ, ଆଜିର ଅନୁଭୂତି କେମିତି ଥିଲା, ଏମିତି ଅନେକ କିଛି। ତମକୁ ତୁଳନା କରିବାକୁ ମୋ ପାଖରେ କୌଣସି ଶବ୍ଦ ନଥାଏ। କେମିତି ବା ତମକୁ ବର୍ଣ୍ଣନା କରିବି। ବର୍ଷା ଋତୁ ନା ବସନ୍ତ ଋତୁ? ମଧୁମାଳତୀ ନା ଅପରାଜିତା? ସେ ଦିନ ପ୍ରଥମ ଥର ପାଇଁ ମୁଁ ମେହସୁସ‌୍‍ କଲି ଯେ ତମେ ଅତୁଳନୀୟ। ସତରେ, ସେଦିନ ତମେ ପ୍ରମାଣ କରିଦେଇଥିଲ ଯେ ପ୍ରେମିକା କାହା ସହିତ ତୁଳନୀୟ ନୁହେଁ। ସେଠାରୁ ଆସି ସିଧା ପହଞ୍ଚିଲି ମୋ ଚିରାଚରିତ ଗନ୍ତବ୍ୟ ସ୍ଥଳକୁ। ଆଉ ରାତିରେ ଶୋଇବା ପୂର୍ବରୁ ଡାଏରୀରେ ସୁନ୍ଦର କରି ଉପସ୍ଥାପନା କରିଦେଇଥିଲି ସେଇ ସମସ୍ତ ଦୃଶ୍ୟ।   ଦିନେ ତମେ ମେସେଜରେ ଆଇ ଲଭ ୟୁ କହିଥିଲ। ମୁଁ ରିପଲାୟେ କରିବାକୁ ଫୋନ କଲାବେଳକୁ ତମେ ଲାଜେଇ ଯାଇଥିଲ। ତମର ମନେ ଅଛି ନା! ତମେ ସେ ଦିନ ଫୋନ କାଟି ଦେଇଥିଲ, କାଳେ ଲେଟ‌୍‍ ନାଇଟରେ କଥା ହେବ ବୋଲି, ମନେ ଅଛି ନା!   ଏହାର କିଛି ଦିନ ପରେ ସାଙ୍ଗମାନଙ୍କ ସହିତ ମୁଁ ବାହାରକୁ ଯିବାର ଥାଏ। ତା’ପୂର୍ବ ଦିନ ଭଲସେ କଥା ହୋଇଥିଲି ହୁଏତ ସେଇଟା ଥିଲା ଶେଷ ଥର।   ଦୁଇ ବର୍ଷ ପରେ...   ଆଜି ବି ତମେ କଥା ହୁଅ, ହେଲେ କେବେ କେବେ। ତାହା ପୁଣି ତମ ମୁଡ‌୍‍ ହେଲେ। କିନ୍ତୁ, ମୋ ମୁଡ‌୍‍ ବିଷୟରେ କେବେ ତମେ ପଚାରିନ। ହେଲେ ଏବେ ମୋ ଫେସବୁକ‌୍‍ କି ହ୍ବାଟସଅପ‌୍‍ ଷ୍ଟାଟସ‌୍‍ ଦେଖି ବେଳେବେଳେ ପଚାରୁଛ। ଏହାକୁ କ’ଣ କହିବି? ତାତ୍ସଲ୍ୟ ନା ପ୍ରେମର ଶାଳୀନତା?   ବୀରମହାରାଜପୁର, ସୁବର୍ଣ୍ଣପୁର, ଫୋନ‌୍‍-୯୬୫୮୨୬୩୨୮୫

Share :