ଓଡ଼ିଆଙ୍କ ଆଳୁଦୋଷ
 

ଓଡ଼ିଆଙ୍କ ଆଳୁଦୋଷ  

Share :

ଦେବେନ୍ଦ୍ର ପୃଷ୍ଟି ଆଜି ଆଳୁ | କାଲି ପିଆଜ | ପରଦିନ ଅଣ୍ଡା | ତା’ ପରଦିନ ମାଛ | କେବେ ବିଲାତି ବାଇଗଣ, କେବେ କୋବି | କେବେ ଡାଲି ତ’ ପୁଣି କେବେ ଚିନି | ଏମିତି ଅନେକ ଜିନିଷର ଅଭାବ ପଡ଼େ ଓଡ଼ିଶାରେ | ଅଭାବ ସାଙ୍ଗକୁ ଦରବୃଦ୍ଧି | ଦରବୃଦ୍ଧି ଦାଉ ସହି ନପାରନ୍ତୁ ପଛେ ଓଡ଼ିଆମାନେ ବୁଝିବେ ନାହିଁ | ବାଡ଼ିବଗୀଚାରେ କିଛି କରିବେ ନାହିଁ | କାରଣ ସରକାର ସେମାନଙ୍କୁ ବୁଝେଇ ଦେଇଛନ୍ତି କିଛି କରିବା ଦରକାର ନାହିଁ | ଆମେ ଅଛୁ ନା ! ଯେମିତି ଚାଉଳ ଦଉଛୁ, ଦରକାର ହେଲେ ସେମିତି ଆଉ ସବୁ ଖାଇବା ଜିନିଷ ବି ଦେବୁ | ତମେମାନେ ଖାଲି ଭୋଟ୍ ଖଣ୍ଡେ ଖଣ୍ଡେ ଦିଅ | ଆଉ ତମର ସବୁ ଯାକ ଭାଗ୍ୟ ଓ କର୍ମ ଆମ ଉପରେ ଛାଡ଼ି ଦେଇ ଘରେ ଶୋଇ ଘୁଙ୍ଗୁଡ଼ି ମାର ବା ପିଣ୍ଢା ବା ଚଉତରାରେ ତାସର ବାଜି ଲଗାଅ | ଘରଣୀମାନେ ଘରେ ବସି ଟିଭିରେ ନାନାଦି ସୋପ୍ ଅପେରା ଦେଖ ନହେଲେ ବଜାର ଯାଅ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇ ପଞ୍ଚାୟତ ପରିକ୍ରମା କର, ନେତ୍ରୀ ହୁଅ, ଋଣ ଲଗାଇ ସୁଧ ଆଦାୟ କର, ବାଡ଼ିରେ ବିଲୁଆ ଭୁକୁ, କିଛି ଯାଏଆସେ ନାହିଁ | ଭୋଟ୍ ଦଉଛ ତ’ ! ତା’ଠୁଁ ବଳି ପୂଣ୍ୟ ଆଉ କ’ଣ ଅଛି ! ୨୦୧୫ ଅଗଷ୍ଟ ପ୍ରଥମ ସପ୍ତାହରେ ଦୁଇ ତିନି ଦିନ ଧରି ଲଗାଣ ବର୍ଷା ହେବାରୁ ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ସାଳନ୍ଦୀ ନଦୀରେ ବନ୍ୟା ଆସିଲା | ତା’ ପରେ କୁପରିଚାଳନା ଯୋଗୁଁ ମହାନଦୀରେ ବି ସୃଷ୍ଟି ହେଲା ବନ୍ୟା ପରିସ୍ଥିତି | ଏଇ ମଉକାରେ ପଶ୍ଚିମ ବଙ୍ଗ ସରକାର ଓଡ଼ିଶାକୁ ଆଳୁ ଚାଲାଣ ବନ୍ଦ କରିଦେଲେ | ନେ ମଜା ! ଓଡ଼ିଶାରେ ପଡ଼ିଲା ଆଳୁ ଦୁର୍ଭିକ୍ଷ ! ଲୋକେ ଯେମିତି ଛାନିଆ ହେଲେ, ବେପାରୀ ସେମିତି ଖୁସି | ଦିନ ଦି’ଟାରେ ଆଳୁ କିଲୋ ୧୮ ଟଙ୍କାରୁ ୫୦ ଛୁଇଁଲା | ସରକାର ବି ତିନି ଦିନ ଖାଲି ଅନ୍ଧାରରେ ବାଡ଼ି ବୁଲେଇଲେ | ପୂର୍ବ ଅଭିଜ୍ଞତା ସତ୍ତ୍ବେ ଆଳୁ ସଂକଟର ମୁକାବିଲା ବାଟ ବାହାର କରିବାକୁ ୭୨ ଘଣ୍ଟା ଲାଗିଲା | ଶେଷରେ ଯେସାକୁ ତେସା କୌଶଳ ହେଲା | ଆନ୍ଧ୍ରରୁ ଓଡ଼ିଶା ଦେଇ ପଶ୍ଚିମ ବଙ୍ଗ ଯାଉଥିବା ମାଛ, ଅଣ୍ଡା ଓ ଅନ୍ୟାନ୍ୟ ପରିବା ଗାଡ଼ି ସୀମାନ୍ତରେ ଅଟକ ହେବାରୁ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଚେତା ପଶିଲା | ସେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ | ତା’ପରେ ସୀମାନ୍ତର ଦୁଇ ପଟେ ଅଟକିଥିବା ଗାଡ଼ିସବୁ ଚଳାଚଳ କଲା | ଆଳୁ ସଂକଟ ଦୂର ହେଲା ବୋଲି ଯୋଗାଣ ମନ୍ତ୍ରୀ ସଗର୍ବେ ଘୋଷଣା କଲେ | ହେଲ ତା’ କିଛି ଦିନ ପରେ ପୁଣି ଫେରିଲା ଆଳ ସଂକଟ | ପୁଣି ହୋହାଲ୍ଲା, ପୁରି ସମୀକ୍ଷା ବୈଠକ, ସାମୟିକ ସମାଧାନ | ଗତ ବର୍ଷକ ଭିତରେ ଓଡ଼ିଶା ବଜାରରେ ସୃଷ୍ଟି ହଲାଣି ଏମିତି ଚାରି ଚାରିଟା ଆଳୁ ସଂକଟ | ୨୦୧୬ ଜାନୁଆରୀ ଅଧାଅଧିରେ ମଧ୍ୟ ବଜାରେ ଆଳୁ ଦର କିଲୋ ପ୍ରତି ୧୨ ଟଙ୍କା | କୃଷି ବିଜ୍ଞାନୀ ଓ ବିଶେଷଜ୍ଞମାନେ ଠାଏଁ ଠାଏଁ ମତ ଦେଲେ ଆଳୁର ଉତ୍ପାଦନ ଖର୍ଚ୍ଚ କିଲୋ ପ୍ରତି ମାତ୍ର ୮୦ ପଇସା | ହେଲେ ଏହି ୮୦ ପଇସାର ଆଳୁ ଖାଉଟି ଝୁଲାରେ ପଶିଲା ବେଳକୁ କିଲୋ ପିଛା ୧୨-୧୪ ଟଙ୍କା | ସେଇପରି ଅନ୍ୟ ସବୁ ପରିବା ଓ ଖାଦ୍ୟ ଜିନିଷର ଦର | ଟମାଟୋ ବା ବିଲାତି ବାଇଗଣ ଚାଷୀ ବରଗଡ଼ ଓ କେନ୍ଦୁଝରରେ ଅଭାବୀ ବିକ୍ରିର ଘୂଣ୍ଣିର୍ବଳରେ ପଡ଼ି ଆତ୍ମହତ୍ୟା କରୁଥିବାବେଳେ କଟକ ଓ ଭୁବନେଶ୍ବର ପରି ସହରରେ ଏହାର ଦର ମଝିରେ ମଝିରେ କିଲୋ ପ୍ରତି ୬୦ ଟଙ୍କା ହୋଇଯାଏ | ଟିଟିଲାଗଡ଼ର ପିଆଜ ଚାଷୀ ଯେତେ ଅମଳ କଲେ ବି ତା’ ପେଟ ଅପୋଷ ରହୁଥିବାବେଳେ ବଜାରରେ ଏହାର ଦାମ୍ ୩୦ ଟଙ୍କା | ଆଉ ତ’ ଆଉ ସାରୁ କିଲୋ ଏବେ ୪୦ ଟଙ୍କା | କଖାରୁ କିଲୋ  ୨୦ ଟଙ୍କା | ଅମୃତଭଣ୍ଡା ଦର ସେଇଆ | କଖାରୁ ଡଙ୍କ ତିନି ଫୁଟକୁ ୧୦ 10 ଟଙ୍କା | କଂଚା ଲଙ୍କା ଶହେ ଗ୍ରାମକୁ ୧୦ ଟଙ୍କା | ଏମିତି ଦର ସଂକଟ ପାଇଁ ଓଡ଼ିଶା ସରକାର ପଶ୍ଚିମ ବଙ୍ଗକୁ ଦୋଷ ଦେଉ ବା ଆନ୍ଧ୍ରକୁ, କିମ୍ବା ପୁରୁଣା ପାଠର ପୁନରାବୃତ୍ତି ପରି ‘କେନ୍ଦ୍ର ଅବହେଳା’ ଜପ କରନ୍ତୁ, ଲୋକେ ଯେଝା ଯେଝା ପସନ୍ଦରେ ଯାହା ବି ବୁଝନ୍ତୁ, ଶେଷରେ ଦେଖିଲେ ହଇରାଣ ହେଉଛନ୍ତି ପୁରୁଣା କଥାନଥାର ସେଇ ଓଡ଼ିଆ, ଦେଢ଼ ଗୋଡ଼ିଆ ! ଅଳ୍ପ ରୋଜଗାରକୁ ବେଶି ହରଉଛନ୍ତି ଏଇ ଦେଢ଼ ଗୋଡ଼ିଆ ଲୋକମାନେ ! ଅନେକ ଓଡ଼ିଆଙ୍କର ବିଲବାଡ଼ି ନଥାଉ ପଛେ ଓଡ଼ିଶାର ଲକ୍ଷଲକ୍ଷ ହେକ୍ଟର ଚାଷଜମି ବର୍ଷର ଅଧେ ସମୟ ପଡ଼ିଆ | କେବଳ ବର୍ଷା ଉପରେ ନିର୍ଭର କରି ଖୁବ୍ ଅଳ୍ପ ଲୋକ ଧାନଚାଷ କରନ୍ତି | ମଝିରେ ମଝିରେ ତାହା ବି ବନ୍ୟା ଓ ମରୁଡ଼ିରେ କ୍ଷତି ହୋଇଯାଏ | ଆଉ ଅନ୍ୟ ଚାଷ କେଉଁଠି କେମିତି | ଆଗ ପରି ଆଉ ବାଡ଼ିରେ ସଜନା ଗଛ ନାହିଁ | ଦୋଷ ମାଙ୍କଡ଼ର | ମାଇପିମାନେ ଟିଭି, ମିଣିପିମାନେ ତାସ୍ ନହେଲେ ରାଜନୀତି, ଟୋକାମାନେ କିରାନା ଦୋକାନରେ ଖଟିକୁ ଆଦରି ନେଇଥିବାବେଳେ ବିଲ ତ’ ପଡ଼ିଆ, ବାଡ଼ି ବି ଟାଙ୍ଗର | ଏମିତି ପରିସ୍ଥିତିରେ କିଣି ଖାଇଲା ଲୋକମାନେ ରଙ୍ଗବୋଳା, କୀଟନାଶକ ବିଷ ଓ କ୍ଷତିକାରକ ସାର ଦିଆ ସାତ ଆଠ ଦିନର ବାସି ପରିବା ଚଢ଼ା ଦରରେ କିଣିବେ ନାହିଁ ତ’ ଖାଇବେ କ’ଣ ? ଏବାଟେ ବର୍ଷକୁ କେତେ ଟଙ୍କା ଅଯଥାରେ ଖର୍ଚ୍ଚ ହେଉଛି ତା’ର ହିସାବ କରୁଛି କିଏ ? ନିମ୍ନ ମାନ ଓ ବିଷକାରକ ପନିପରିବା ଖାଇ କିଏ କେତେ ରୋଗରେ ପଡ଼ୁଛି, ଡାକ୍ତର ଓ ଦବାଇ ପିଛେ କେତେ ଖର୍ଚ୍ଚ ହେଉଛି ତା’ର ହିସାବ ବି କେହି ରଖନ୍ତି ନାହିଁ | ବିଲବାଡ଼ି ପଡ଼ିଆ ପକେଇ ସହରରେ ଯାଇଁ ପାନ ଦୋକାନ କରିବାକୁ, ଜମିବିକା ଟଙ୍କା ଲାଞ୍ଚ ଦେଇ କୋଉଠି ପିଅନ, ହେଲ୍ପର କି ଅନ୍ୟ କିଛି ଛୋଟ ଚାକିରି କରିବାକୁ ଭଲ ପାଉଥିବା ଅଳ୍ପ ପାଠୁଆ ବେଶି ସୌକିନିଆ ଓଡ଼ିଆମାନଙ୍କର ଏଇ ଚରିତ୍ରକୁ ବର୍ଷ ପରେ ବର୍ଷ ଲକ୍ଷ୍ୟ କରି କରି ବେଶ୍ ଭଲ ଭାବେ ବୁଝିଗଲେଣି ଅନ୍ୟ ରାଜ୍ୟର ଲୋକମାନେ | ସେଥିପାଇଁ ଓଡ଼ିଶାର ଉପକୂଳରେ ବଙ୍ଗୀୟ ଧୀବରଙ୍କ ଉପନିବେଶ, ଦକ୍ଷିଣରେ ତୈଲଙ୍ଗୀ ଚାଷୀ ଓ ବେପାରୀ, ଆଭ୍ୟନ୍ତରରେ ରାଜସ୍ଥାନୀ ଓ ପଞ୍ଜାବୀଙ୍କ ବ୍ୟାବସାୟିକ ସାମ୍ରାଜ୍ୟ ବଢ଼ି ଚାଲିଥିବାବେଳେ ଅଳ୍ପବୁଦ୍ଧିଆ ଓଡ଼ିଆମାନେ ଦାଦନ ଖଟିବାକୁ ଧାଡ଼ିବାନ୍ଧି ବାହାର ରାଜ୍ୟକୁ ଚାଲି ଯାଆନ୍ତି ଓ ଫେରିବା ବେଳକୁ ଗୋଡ଼ କି ହାତଟିଏଁ ଲେଖାଏଁ ହରେଇ ଆସିଥାନ୍ତି | ଏହିଭଳି ଭାବେ ଦଶନ୍ଧି ଦଶନ୍ଧି ଶତାବ୍ଦୀ ଶତାବ୍ଦୀ ଧରି ରାଜ୍ୟ ଭିତରେ ଶୋଷଣ, ରାଜ୍ୟ ବାହାରେ ଶୋଷଣର ସାମ୍ନା କରିବା ସତ୍ତ୍ବେ ବୃହତ୍ତର ଓଡ଼ିଆ ସମାଜର ସଦବୁଦ୍ଧି ଉଦୟ ହୋଇନାହିଁ | ସେଥିପାଇଁ ଆଉ କେତେ କାଳ ଅପେକ୍ଷା କରିବାକୁ ପଡ଼ିବ କେଜାଣି ! କେବେ ଏ ଜାତି ନିଜ ଗୋଡ଼ରେ ଠିଆ ହେବ? କେବେ ଅତୀତର ସମୃଦ୍ଧି ଓ ସ୍ବାଭିମାନ ରାଜନୀତିକ ସ୍ଲୋଗାନ୍ ଭିତରୁ ବାହାରି ଆସି ଜନଜୀବନରେ ପ୍ରତିଫଳିତ ହେବ? କେବେ ?

Share :