ସ୍ୱାସ୍ଥ୍ୟସେବା ରୁଗ୍ଣ, ୧୪୦୦ ପିଟିସନ

ସ୍ୱାସ୍ଥ୍ୟସେବା ରୁଗ୍ଣ, ୧୪୦୦ ପିଟିସନ

Share :

  ରାଜ୍ୟରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଏରିଆ ହସ୍ପିଟାଲଗୁଡିକର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଅଧିକାଂଶ ଡାକ୍ତରଖାନାରେ ଡାକ୍ତରଙ୍କ ଓ ଅନ୍ୟ କର୍ମଚାରୀଙ୍କ ଅଭାବ ରହିଛି। ପୁଣି ଆବଶ୍ୟକ ଭିତିଭୂମି ଅଭାବ ଯୋଗୁଁ ରୋଗୀମାନେ ଏଠାରୁ ମୌଳିକ ସ୍ୱାସ୍ଥ୍ୟ ସେବା ପାଇବାରୁ ବିଂଚିତ ହେଉଛନ୍ତି। ଭୁବନେଶ୍ୱର ସ୍ଥିତ ସିଭିଲ‌୍‍ ସୋସାଇଟି ଫୋରମ ଅନ ହୁମାନ ରାଇଟ୍ସ (ସିଏସଏଫଏଚଆର) ପକ୍ଷରୁ ଏ ନେଇ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)ଙ୍କ ନିକଟରେ ଅଭିଯୋଗ ହୋଇଛି।   ଏନେଇ ଫୋରମର ୱାର୍କିଂ ଗ୍ରୁପ ସଦସ୍ୟ ତଥା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଏନଏଚଆରସିଙ୍କ ନିକଟରେ ୧୪୦୦ରୁ ଅଧିକ ପିଟିସନ ଦାଖଲ କରିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ୧୪୭୫ଟି ହସ୍ପିଟାଲରେ କିପରି ଭାବେ ସ୍ୱାସ୍ଥ୍ୟ ସେବା  ବିପର୍ଯ୍ୟସ୍ତ ହୋଇପଡିଛି, ତାହା ଏହି ପିଟିସନ ଗୁଡିକ ମାଧ୍ୟମରେ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କୋରାପୁଟର ଜିଲ୍ଲାର ୬୪, କନ୍ଧମାଳର ୫୪, କଳାହାଣ୍ଡିର ୬୦, ନୂଆପଡାର ୨୨, ଗଜପତିର ୨୭, ସୁନ୍ଦରଗଡର ୮୦, ବରଗଡର ୬୦, ବଲାଙ୍ଗୀରର ୫୯, ସମ୍ୱଲପୁରର ୪୫, ଝାରସୁଗୁଡାର ୨୧, ନୟାଗଡର ୪୯, ଖୋର୍ଧାର ୫୬, କେଉଁଝରର ୮୧, ନବରଙ୍ଗପୁରର ୪୯, ମାଲକାନାଗିରିର ୨୩, ଗଂଜାମର ୩୭, ମୟୁରଭଂଜର ୧୧୨, ପୁରୀର ୧୯, କଟକର ୮୧, ବାଲେଶ୍ୱରର ୮୫, ଅନୁଗୁଳୁର ୪୦, ଜଗତସିଂହପୁରର ୪୫ ଏଭଳି ସବୁ ଜିଲ୍ଲାକୁ ମିଶାଇ ୧୪୭୫ଟି ଡାକ୍ତରଖାନା ସମ୍ପର୍କରେ ପୃଥକ ପୃଥକ ୧୪୭୫ଟି ପିଟିସନ ଦାୟର ହୋଇଛି।   ପିଟିସନରେ ଆବେଦନକାରୀ ଦର୍ଶାଇଛନ୍ତି ଯେ ପ୍ରତ୍ୟେକ ହସ୍ପିଟାଲରେ ଦୈନିକ ୬ ଘଂଟା ଓପିଡି ଖୋଲିବା କଥା। କିନ୍ତୁ ପ୍ରାୟ କୌଣସି ଡାକ୍ତରଖାନାରେ ତାହା ହେଉନାହିଁ। ପୁଣି ଆଦିବାସୀ ଓ ଦୁର୍ଗମ ଜିଲ୍ଲାଗୁଡିକରେ ତ ସପ୍ତାହରେ ଅଧିକ ଦିନ ଓପିଡି ବନ୍ଦ ରହୁଛି। ତେଣୁ ୨୪ ଘଂଟିଆ ସେବା କଥା ଏହି ଡାକ୍ତରଖାନାଗୁଡିକରୁ ଆଶା କରିବା ବୃଥା। ପ୍ରସୂତି ମହିଳା ଓ ନବଜାତ ଶିଶୁଙ୍କ ଯତ୍ନ ପାଇଁ ଏଗୁଡିକରେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ। ଡାକ୍ତରଖାନାଗୁଡିକରେ ବିଶୁଦ୍ଧ ପାନୀୟ ଜଳର ସୁବିଧା ନାହିଁ।   ସେହିପରି ଏଗୁଡିକର ପରିମଳ ଓ ପାରିପାର୍ଶ୍ବିକ ଅବସ୍ଥା ଏତେ ଖରାପ ଥାଏ ଯେ ଏଗୁଡ଼ିକୁ ବାହାରୁ ଦେଖିଦେଲେ ଏହା ସରକାରୀ ଡାକ୍ତରଖାନା ବୋଲି ଜଣା ପଡ଼ିଯଏ। ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ରୋଗୀମାନେ ଚିକିତ୍ସା ସେବା ପାଇବାରୁ ବଂଚିତ ହେଉଛନ୍ତି। ଏସବୁ ଡାକ୍ତରଖାନାଗୁଡିକରେ ରୋଗୀଙ୍କୁ ମାଗଣା ଔଷଧ ମିଳୁନାହିଁ। ରୋଗୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ମଧ୍ୟ ନାହିଁ। ଏତେ ସବୁ ସମସ୍ୟା ପରେ ମଧ୍ୟ କର୍ତୁପକ୍ଷ ନିରବ।    ଏନେଇ ଏନଏଚଆରସିଙ୍କ ନିକଟରେ ଦାଖଲ ହୋଇଥିବା ପିଟିସନ‌୍‍ଗୁଡିକରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ସ୍ୱାସ୍ଥ୍ୟ ସଚିବଙ୍କୁ  ପକ୍ଷ କରାଯାଇଛି। ଏସବୁ ଡାକ୍ତରଖାନାଗୁଡିକର କାର୍ଯ୍ୟଶୈଳୀକୁ ନିୟମିତ ତଦାରଖ କରିବା ଓ ସମସ୍ୟାଗୁଡିକ ସମାଧାନ କରିବା ସହିତ ରୋଗୀମାନଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ପାଇଁ ସରକାରଙ୍କୁ ନିଦ୍ଦେର୍ଶ ଦେବା ଲାଗି ଆବେଦନକାରୀ କମିଶନଙ୍କ ନିକଟରେ ନିବେଦନ କରିଛନ୍ତି।

Share :