ଉତ୍କଳର ସିଂହ ହରେକୃଷ୍ଣ ମହତାବ

ଉତ୍କଳର ସିଂହ ହରେକୃଷ୍ଣ ମହତାବ

Share :

ସେ ଉତ୍କଳ କେଶରୀ ... ନୂତନ ତଥା ବିଶାଳ ଓଡ଼ିଶାର ନିର୍ମାତା ଡ଼କ୍ଟର ହରେକୃଷ୍ଣ ମହତାବ । ନିଜର ଭୀମକାୟ ବ୍ୟକ୍ତିତ୍ଵ ଦ୍ବାରା ଇଂରେଜଙ୍କ ପ୍ରତାପ ଦମନ କରିଥିଲେ । ସେ ତୁଙ୍ଗ ବ୍ୟକ୍ତିତ୍ଵଙ୍କ ଉଜ୍ଜ୍ଵଳ ଆଭା ସର୍ବତ୍ର ପ୍ରସାରିତ ହୁଏ । ଦୀର୍ଘ ପଚାଶ ବର୍ଷରୁ ଊର୍ଦ୍ଧ୍ଵ ସମୟ ଯାଏଁ ରାଜନୀତି ତଥା ସଂସ୍କୃତିକୁ ସେ ନିଜ ପ୍ରତିଭାଦୀପ୍ତ ପ୍ରଚଣ୍ଡ ବ୍ୟକ୍ତିତ୍ୱ ଦ୍ୱାରା ତେଜବାନ୍ କରି ରଖିଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ସେ ଥିଲେ ଓଡିଶାର ଅନ୍ୟତମ କୀର୍ତ୍ତିସ୍ତମ୍ଭ । ସମାଜରେ ସଂସ୍କାର ଆଣିବା ପାଇଁ ତାଙ୍କର ସଂଗ୍ରାମ ସର୍ବଦା ପ୍ରଶଂସାଯୋଗ୍ୟ । ଓଡିଶାର ଶିଳ୍ପ ଓ ତାହାର ଭିତ୍ତିଭୂମି ବିକାଶ କରି ରାଜ୍ୟର ଅଭିବୃଦ୍ଧି କ୍ଷେତ୍ରରେ ସକ୍ରିୟତା ଆଣିଥିବା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଡକ୍ଟର ମହତାବଙ୍କ ଉଦ୍ୟମ ପ୍ରଶଂସନୀୟ । ଡ଼. ହରେକୃଷ୍ଣ ମହତାବ ଓଡିଶା ରାଜନୀତିର ଏକ କିମ୍ବଦନ୍ତୀ ପୁରୁଷ କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କୁ ବାଦ୍ ଦେଲେ ଓଡ଼ିଶାର ରାଜନୈତିକ ଇତିହାସ ଚିନ୍ତା କରିବା ଆଦୌ ସମ୍ଭବ ନୁହେଁ । ଡ଼ଃ ମହତାବ ଥିଲେ ଏକାଧାରରେ ଜଣେ ସଂସ୍କୃତିପ୍ରାଣ ଐତିହାସିକ, ସମୟର ସମସ୍ୟାକୁ ଲେଖୁଥିବା ପ୍ରାବନ୍ଧିକ ତଥା ଜନସମାଜର ନିକଟତମ ରାଜନୈତିକ ବ୍ୟକ୍ତି । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ୧୯୪୬-୫୦ ଯାଏଁ କାମ କରିବା ସହିତ ଭାରତୀୟ ଜାତୀୟ କଂଗ୍ରେସ (୨୧ ନଭେମ୍ବର ୧୮୯୯ -୨ ଜାନୁଆରୀ ୧୯୮୭) ର ନେତା ଥିଲେ । ୧୮୯୯ ମସିହା ନଭେମ୍ବର ମାସ ଏକୋଇଶି ତାରିଖ । ଓଡ଼ିଶା ପାଇଁ ଏକ ସ୍ମରଣୀୟ ଦିନ ନେଇ ଆସିଥିଲା ଇତିହାସ । ବାଲେଶ୍ଵରର ଅଗରପଡ଼ା ରାଜବାଟୀ ସେଦିନ ଉତ୍ସବ ମୁଖର ଓ ଚଳଚଞ୍ଚଳ ଥିଲା । ଶୁଭ ସମୟରେ ଜନ୍ମ ନେଇଥିଲେ ରାଜଗାଦୀର ଭବିଷ୍ୟତ ଦାୟାଦ । କୃଷ୍ଣ ଚରଣ ଦାସ ଓ ତୋହଫା ଦେବୀଙ୍କ ପୁତ୍ର ଭାବେ ଜନ୍ମ ନେଇଥିଲେ ହରେକୃଷ୍ଣ । କିନ୍ତୁ ଅଜାଙ୍କ ଘରେ କୌଣସି ଦାୟାଦ ନଥିବାରୁ ପୋଷ୍ୟପୁତ୍ର ଭାବେ ଚାଲି ଯାଇଥିଲେ ଅଜା ଜଗନ୍ନାଥ ମହତାବଙ୍କ ଘରକୁ । ସେବେଠାରୁ ହରେକୃଷ୍ଣଙ୍କର ନାମର ସାଙ୍ଗିଆ ଦାସରୁ ବଦଳି ମହତାବ ହୋଇଥିଲା ଓ ସେହି ଦିନରୁ ସେ ହରେକୃଷ୍ଣ ମହତାବ ଭାବରେ ଘରେ ଘରେ ପରିଚିତ ହୋଇଥିଲେ । ହରେକୃଷ୍ଣ ବାଲ୍ୟ କାଳରୁ ଅତ୍ୟନ୍ତ ଚତୁର, ସ୍ବାଧୀନଚେତା ଥିଲେ। ଭଦ୍ରକ ହାଇସ୍କୁଲରୁ ମାଟ୍ରିକ ପଢ଼ା ପରେ ସେ କଟକର ରେଭେନ୍ସା କଲେଜରେ ନାମ ଲେଖାଇଥିଲେ । ୧୯୨୧ ର ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିଲେ । ଇଂରେଜଙ୍କ ବିରୁଦ୍ଧରେ ଯିବାରୁ ତାଙ୍କୁ ଅନେକ ଥର ଜେଲ ମଧ୍ୟ ଯିବାକୁ ପଡ଼ିଛି । ସେତେବେଳେ ସେ ସ୍ନାତକରେ ପଢ଼ୁଥିଲେ । ୧୯୧୯ ମସିହା ବେଳକୁ ସ୍ଵାଧୀନତା ସଂଗ୍ରାମ ପାଇଁ ଦେଶସାରା ଲୋକେ ଅଣ୍ଟା ଭିଡ଼ି ଭିଡ଼ି ଆସୁଥାନ୍ତି । ତାଙ୍କର ବିପ୍ଲବୀ ମନ ଅଥୟ ହୋଇ ଉଠିଲା । ବହି ବସ୍ତାନୀରେ ଡୋରୀ ବାନ୍ଧି; ସମାଜ ଓ ପରିବାର ଲୋକଙ୍କ ବାରଣ ସତ୍ତ୍ୱେ କଲିକତାରେ ହେଉଥିବା ସ୍ଵତନ୍ତ୍ର କଂଗ୍ରେସ ଅଧିବେଶନରେ ଯୋଗ ଦେବା ପାଇଁ ସିଧା କଲିକତା ପଳେଇଥିଲେ । ସେଠାରେ ମହାତ୍ମାଗାନ୍ଧୀ, ଜବାହାରଲାଲ ଓ ଲାଲା ଲାଜପତ ରାୟଙ୍କୁ ପାଖରୁ ଦେଖିବାର ସୁଯୋଗ ପାଇଥିଲେ । ସେବେଠାରୁ ତାଙ୍କର ସ୍ବାଧିନତା ସଂଗ୍ରାମୀର ଜୀବନ ଆରମ୍ଭ ହୋଇଥିଲା । ୧୯୨୧ ମସିହା କଲିକତାର କଂଗ୍ରେସ ଅଧିବେଶନରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଓ ୧୯୨୧ ମସିହା ମାର୍ଚ୍ଚ ୨୨ ତାରିଖରେ ମହାତ୍ମା ଗାନ୍ଧୀ ଓଡ଼ିଶା ଆସିଥିବା ବେଳେ ସେ ତାଙ୍କ ସହିତ ପଦଯାତ୍ରା କରିଥିଲେ । ସେ କଂଗ୍ରେସ ଆନ୍ଦୋଳନର ସତ୍ୟାଗ୍ରହ, ଲବଣ ସତ୍ୟାଗ୍ରହ, ଅଗଷ୍ଟ ବିପ୍ଳବ ଆଦିରେ ସାମିଲ ହୋଇ ଅନେକ ଥର କାରାବରଣ କରିଥିଲେ । ‘ସ୍ୱରାଜ୍ୟ ସମାଚାର’ ନାମକ ସାପ୍ତାହିକ ଖବରକାଗଜ ପ୍ରକାଶ କରି ଆନ୍ଦୋଳନ ବିଷୟରେ ଲୋକଙ୍କୁ ସଚେତନ କରୁଥିଲେ । ‘ସ୍ୱରାଜ୍ୟ ମନ୍ଦିର’ ନାମକ ଅନୁଷ୍ଠାନର ସେ ପ୍ରତିଷ୍ଠାତା । ୧୯୨୨ ମସିହା ଜୁଲାଇ ମାସ ଦଶରେ ଇଂରେଜ ସରକାର, ହରେକୃଷ୍ଣ ମହତାବଙ୍କୁ ଏକ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ତିତ କରିଥିଲେ । କିନ୍ତୁ ଏହି କଷ୍ଟଦାୟକ ଜେଲ ଜୀବନକୁ ମଧ୍ୟ ହରେକୃଷ୍ଣ ନିଜର ସଂଗ୍ରାମ ପାଇଁ ସାଧନା କରିବାରେ ବିତାଇ ଦେଇଥିଲେ । ଜେଲର ଚାରିକାନ୍ଥ ମଧ୍ୟରେ ରହି ନିଜ ଲେଖନୀକୁ ଶାଣିତ କରିଥିଲେ ହରେକୃଷ୍ଣ । ପ୍ରଥମ ଲେଖା ଭାବେ ଉପସ୍ଥାପିତ ହେଲା ଅଜବ ଦୁନିଆ । ସମସାମୟିକ ଯୁଗର ବ୍ୟକ୍ତିତ୍ୱ ପରି ବହୁମୁଖୀ ପ୍ରତିଭାର ଅଧିକାରୀ, ଆଧୁନିକ ଉତ୍କଳର ସ୍ଥପତି ତଥା ଓଡିଶାର ଏକ ନୂତନ ପ୍ରଭାତର ଅଗ୍ରଦୂତ ଉତ୍କଳ କେଶରୀ ହରେକୃଷ୍ଣ ମହତାବ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ଓଡିଆ ସାହିତ୍ୟ ଓ ସଂସ୍କୃତିର ବିକାଶରେ ବିଶେଷ ଅବଦାନ ପାଇଁ ଓଡିଶା ରାଜନୀତିର ଇତିହାସରେ ଡକ୍ଟର ମହତାବଙ୍କ ନାମ ସବୁଦିନ ପାଇଁ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ । ଏହା ସହିତ ସିଏ ଅନେକ ଗଳ୍ପ, ଉପନ୍ୟାସ, କବିତା ଓ ଇତିହାସ ଆଦି ରଚନା କରି ଓଡିଶା ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଥିଲେ । ସେହିସବୁ କାଳଜୟୀ ଲେଖା ଭିତରେ ରହିଛି – ନୂତନଧର୍ମ, ଟାଉଟର, ଅବ୍ୟାପାର, ପ୍ରତିଭା, ସ୍ୱର୍ଗରେ ଏମର୍ଜେନ୍ସୀ, ଚାରି ଚକ୍ଷୁ, ପଲାସୀ ଅବସାନେ, ଶେଷ ଅଶ୍ରୁ ଅନ୍ୟାନ୍ୟ .. ୧୯୨୩ ମସିହାରେ ସେ ବାଲେଶ୍ବର ଜିଲ୍ଲା ବୋର୍ଡ ଚେୟାରମ୍ୟାନ ନିର୍ବାଚିତ ହୋଇଥିଲେ । ୧୯୨୩-୨୪ରେ ହରେକୃଷ୍ଣ ଓଡ଼ିଶା ପ୍ରଜା ଆନ୍ଦୋଳନର ନେତୃତ୍ୱ ଗ୍ରହଣ କରି କାରାବରଣ କରିଥିଲେ । ୧୯୨୪ ମସିହାରେ ସେ ସାପ୍ତାହିକ ‘ପ୍ରଜାତନ୍ତ୍ର’ ପ୍ରକାଶନ ଆରମ୍ଭ କରିଥିଲେ । ୧୯୨୪-୧୯୨୮ ମସିହା ମଧ୍ୟରେ ସେ ବାଲେଶ୍ୱର ଜିଲ୍ଲା ବୋର୍ଡର ଚେୟାରମ୍ୟାନ ଭାବରେ ନିର୍ବାଚିତ ହୋଇଥିଲେ । ୧୯୨୪ ମସିହାରେ ସେ ତତ୍କାଳୀନ ବିହାର-ଓଡ଼ିଶା ପ୍ରଦେଶର ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ । । ସ୍ଵାଧୀନତା ସଂଗ୍ରାମ କାର୍ଯ୍ୟ ଚାଲିଥିବା ବେଳେ ୧୯୨୭ ମସିହାରେ ବିହାର ଓଡ଼ିଶା ବ୍ୟବସ୍ଥାପକ ଭାବେ ନିର୍ବାଚିତ ହେଲେ । ସେହି ବର୍ଷ ଭାରତମଣି ଗୋପବନ୍ଧୁ ଦାସଙ୍କ ବିୟୋଗ ଘଟିଲା । ଦାରୁଣ ଆଘାତ ପାଇଲେ ହରେକୃଷ୍ଣ ମହତାବ । ୧୯୩୦-୩୧ରେ ବାଲେଶ୍ୱରର ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନକୁ ପରିଚାଳନା କରି ଦୁଇ ଥର କାରାବରଣ କରିଥିଲେ । ୧୯୩୦ରେ ସେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିର୍ବାଚିତ ହୋଇଥିଲେ । ଦେଶବ୍ୟାପୀ ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗଦେଇ ମହତାବ ଲାଠିମାଡ଼ ଖାଇଥିଲେ ଏବଂ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ପାଇଁ କାରାବରଣ କରିଥିଲେ । ୧୯୩୭ରେ ସେ ଓଡ଼ିଶା ରାଜ୍ୟ କଂଗ୍ରେସରେ ସଭାପତି ଭାବେ ଯୋଗଦାନ କରିଥିଲେ । ୧୯୩୮ରେ ସେ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ ସମିତିର ସଭ୍ୟରୂପେ ମନୋନୀତ ହୋଇଥିଲେ । ୧୯୪୨ ମସିହା ଭାରତଛାଡ଼ ଆନ୍ଦୋଳନରେ ଯୋଗଦେଇ ସେ ପୁଣି ଥରେ ବନ୍ଦୀ ହୋଇ ଅଢ଼େଇ ବର୍ଷ ଜେଲରେ ରହିଥିଲେ । କାରାବାସରେ ସେ ପଣ୍ଡିତ ଜବାହରଲାଲ ନେହେରୁ, ଆଚାର୍ଯ୍ୟ କୃପାଳିନୀ, ସର୍ଦାର ପଟେଲ ପ୍ରମୁଖଙ୍କ ସଂସ୍ପର୍ଶରେ ଆସିଥିଲେ । ୧୯୪୭ ମସିହା ଅଗଷ୍ଟ ୧୫ ରେ ଭାରତ ସ୍ୱାଧୀନତା ପାଇଲା । ସେତେବେଳେ ମହତାବ ଥିଲେ ଓଡ଼ିଶାର ପ୍ରଧାନମନ୍ତ୍ରୀ । ନୂଆ ଓଡ଼ିଶା ଗଠନ ପାଇଁ ସେ ଲାଗି ପଡିଲେ । କଟକରୁ ରାଜଧାନୀ ଉଠିଯାଇ ଭୁବନେଶ୍ୱରରେ ଏକ ଆଧୁନିକ ନୂଆ ରାଜଧାନୀ ତିଆରି ହେଲା । ହୀରାକୁଦଠାରେ ଏସିଆର ବୃହତ୍ତମ ଜଳ ଭଣ୍ଡାରର ଭିତ୍ତି ପଡିଲା । ୧୯୪୬ରୁ ୧୯୫୦ ପର୍ଯ୍ୟନ୍ତ ଓ ପୂନର୍ବାର ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୦ରୁ ୧୯୫୨ ପର୍ଯ୍ୟନ୍ତ ସେ କେନ୍ଦ୍ର ଶିଳ୍ପ, ବାଣିଜ୍ୟ ଓ ଯୋଗାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୫-୫୬ରେ ସେ ବମ୍ବେ ରାଜ୍ୟର ରାଜ୍ୟପାଳ ହେବାର ସୌଭାଗ୍ୟ ଲାଭ କରିଥିଲେ । ୧୯୬୨ରେ ସେ ଅପ୍ରତିଦ୍ୱନ୍ଦୀ ଭାବେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୬ରେ ସେ କଂଗ୍ରେସ ଦଳ ଛାଡ଼ିଥିଲେ । ୧୯୬୭, ୧୯୭୧ ଓ ୧୯୭୪ ମସିହାରେ ସେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଗଡ଼ଜାତ ମିଶ୍ରଣ, ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା, ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରତିଷ୍ଠା, କଟକ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା, ବାରବାଟୀ ଷ୍ଟାଡିୟମ ନିର୍ମାଣ ଓ ହୀରାକୁଦ ବନ୍ଧ ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଓଡ଼ିଶା ଅଲମ୍ପିକ ଆସୋସିଏସନର ସେ ଥିଲେ ପ୍ରତିଷ୍ଠାତା ସଭାପତି । ୧୯୭୫ରେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀ ପରିସ୍ଥିତିକୁ ବିରୋଧ କରି କାରାବରଣ କରିଥିଲେ । ୧୯୭୭ରେ ସେ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଇଥିଲେ। ଆଜି ଯଦି ଗଡ଼ଜାତର ମିଶ୍ରଣ ହୋଇଥାଏ, ତେବେ ତାହାର ଶ୍ରେୟ ଯିବ ଓଡ଼ିଶାର ଜନନାୟକ, ନବ ଉତ୍କଳର ନିର୍ମାତା ଡ. ହରେକୃଷ୍ଣ ମହତାବଙ୍କୁ । ଆମେ ଆଜି ନିଶ୍ଚିତ ଭାବେ ଗର୍ବିତ ଯେ ଏହି ମହାନ ପୁତ୍ର ଓଡ଼ିଶାରେ ଜନ୍ମିତ ! ଦୀର୍ଘ ଅଠାଅଶୀ ବର୍ଷର ଯାତ୍ରା ଶେଷ ହୋଇଥିଲା ୧୯୮୭ ମସିହା ଜାନୁଆରୀ ମାସ ୦୨ ତାରିଖରେ । ଓଡ଼ିଶାର ଅନ୍ୟତମ ବିଶ୍ଵକର୍ମା ବିଦାୟ ନେଲେ ଆମ ଗହଣରୁ କିନ୍ତୁ ପଶ୍ଚାତରେ ରଖିଗଲେ ଅମର କୀର୍ତ୍ତି । ହରେକୃଷ୍ଣ ମହତାବ ଥିଲେ ଆଧୁନିକ ଉତ୍କଳର ନବ ନିର୍ମାତା । ଭାରତୀୟ ରାଜନୀତିରେ ଜଣେ ଜଣାଶୁଣା ନେତା । ଓଡ଼ିଶାକୁ ଭାରତର ଏକ ସମ୍ମାନଜନକ ସ୍ଥାନରେ ପ୍ରତିଷ୍ଠିତ କରିବା ଥିଲା ତାଙ୍କର ଏକମାତ୍ର ଧ୍ୟେୟ । ତେଣୁ ସେ ହିଁ ଲୋକ ମାନସରେ ପୂଜ୍ୟ ଏବଂ ଯଥାର୍ଥରେ ଉତ୍କଳକେଶରୀ । ଜଣେ ସଫଳ ସମ୍ପାଦକ ଭାବେ ଡ. ହରେକୃଷ୍ଣ ମହତାବ ‘ପ୍ରଜାତନ୍ତ୍ର’ ଦୈନିକ ଖବରକାଗଜ ରୁପେ ଓଡ଼ିଶାର ଘରେ ଘରେ ପରିଚିତ । ମର୍ଯ୍ୟାଦାସମ୍ପନ୍ନ ମାସିକ ଓଡ଼ିଆ ପତ୍ରିକା ‘ଝଙ୍କାର’ ତାଙ୍କର ସାହିତ୍ୟ ସଂସ୍କୃତି ପ୍ରୀତିର ଏକ ବଳିଷ୍ଠ ପଦକ୍ଷେପ । ସେ ଥିଲେ ଓଡ଼ିଶାର ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ଝଙ୍କାରର ପ୍ରତିଷ୍ଠାତା ଓ ସାପ୍ତାହିକ ଇଂରାଜୀ ଇଷ୍ଟର୍ଣ୍ଣ ଟାଇମ୍ସର ସମ୍ପାଦକ । ତାଙ୍କର ଜୀବନୀ ଆରବ ସାଗରରୁ ଚିଲିକା ଓ ଓଡ଼ିଶାର ଇତିହାସ ପୁସ୍ତକ ପାଇଁ ସେ ଅମର ହୋଇ ରହିଛନ୍ତି । ତାଙ୍କ ନାମରେ ତିଆରି ହୋଇଥିଲା ରାଜ୍ୟର ପ୍ରଥମ କଂକ୍ରିଟ୍ ରୋଡ, ମହତାବ ରୋଡ । ଦୋଳମୁଣ୍ଡେଇ ଛକରୁ ଛତ୍ରବଜାର ଦେଇ ମାଲଗୋଦାମ ପର୍ଯ୍ୟନ୍ତ ଯାଇଥିଲା । ସେ ଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରଥମ ସଭାପତି । ତାଙ୍କ ନାମରେ ସ୍ଥାପିତ ହୋଇଥିଲା ହରେକୃଷ୍ଣ ମହତାବ ରାଜ୍ୟ ଲାଇବ୍ରେରୀ । ଶେଷକୁ ଆସିଗଲା ଚିର ବିଦାୟର ବେଳ । ସେ ଛାଡିଥିବା ଶୂନ୍ୟ ସ୍ଥାନ ଚିରଦିନ ପାଇଁ ଅପୂରଣୀୟ ହୋଇ ରହିଗଲା ।

Share :