ପ୍ରଥମ ଅଫିସିଆଲ୍ ୱାର୍ମଅପ ମ୍ୟାଚ ଜିତିଲା ଭାରତ

ପ୍ରଥମ ଅଫିସିଆଲ୍ ୱାର୍ମଅପ ମ୍ୟାଚ ଜିତିଲା ଭାରତ

Share :

ଅଷ୍ଟ୍ରେଲିଆର ଗାବାରେ ଚାଲିଥିବା ପ୍ରଥମ ଅଫିସିଆଲ୍ ୱାର୍ମଅପ ମ୍ୟାଚ ଜିତି ଯାଇଛି ଭାରତ । ବିଶ୍ବକପ ପାଇଁ ଭାରତର ଅଭିଯାନ ଅକ୍ଟୋବର 23 ରୁ ଆରମ୍ଭ ହେବାକୁ ଥିବା ବେଳେ ଗାବାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚକୁ ଜିତି ନେଇଛି ଭାରତ । ବ୍ୟାଟିଂ ଓ ବୋଲିଂ, ଉଭୟରେ ଭଲ ପ୍ରଦର୍ଶନ କରି ଅଭ୍ୟାସ ମ୍ୟାଚରୁ ଜିତି ନେଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ଭାରତ 186/7 ରନ ସ୍କୋର କରିଥିଲା । ଦଳ ପକ୍ଷରୁ କେ.ଏଲ.ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ବଢ଼ିଆ ବ୍ୟାଟିଂ କରିଥିଲେ । ରାହୁଲ 33 ବଲ୍ ରୁ 6 ଟି 4 ଓ 3 ଟି 6 ସହ ମୋଟ 57 ରନ କରିଛନ୍ତି । ଅଧିନାୟକ ରୋହିତ ଶର୍ମା 14 ବଲରୁ 15 ରନ ଓ ବିରାଟ କୋହଲି 13 ବଲରୁ 19 ରନ କରିଛନ୍ତି । ଭାରତ ପାଇଁ ସୂର୍ଯ୍ୟକୁମାର ଯାଦବ 33 ବଲରୁ 6 ଟି 4 ଓ ଗୋଟିଏ 6 ସହ ମୋଟ 50 ରନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ତ୍ୟା 2, ଦୀନେଶ କାର୍ତ୍ତିକ 20, ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବିନ 6 ଲେଖାଏଁ ରନ କରିଥିଲେ । ଅଷ୍ଟ୍ରେଲୀୟ ବୋଲରଙ୍କ ମଧ୍ୟରେ କେନ କିଚାର୍ଡସନ ସବୁଠାରୁ ଘାତକ ସାବ୍ୟସ୍ତ ହୋଇଥିଲେ । ସେ ଏକା ଚାରୋଟି ୱିକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ, ମାକ୍ସୱେଲ ଓ ଅଷ୍ଟନ ଅଗର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । 187 ରନର ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ଜବରଦସ୍ତ ଆରମ୍ଭ କରିଥିଲା । ଦୁଇ ଓପନର ଦଳକୁ ମଜବୁତ ଆରମ୍ଭ ଦେଇଥିଲେ । ମିଚେଲ ମାର୍ଶ ବ୍ୟକ୍ତିଗତ 35 ରନ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ଆରୋନ ଫିଞ୍ଚ୍ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ । ସେ 54 ବଲରୁ 79 ରନ କରି ଶେଷ ପ୍ରର୍ଯ୍ୟାୟରେ ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭ୍ ସ୍ମିଥ୍ 11 ରନ, ଗ୍ଲେନ ମ୍ୟାକ୍ସୱେଲ 23 ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାର୍କସ ଷ୍ଟୋଇନିସ 7 ଓ ଟିମ୍ ଡେଭିଡ 5 ରନ କରି ରନଆଉଟ ହୋଇଥିଲେ । ଭାରତ ଦୁଇଟି ଅଫିସିଆଲ ୱାର୍ମଅପ ମ୍ୟାଚ ଖେଳିବାକୁ ଥିବା ବେଳେ ଦ୍ବିତୀୟ ମ୍ୟାଚଟି ଜିତି ନିହାତି ଭାବେ ବିଶ୍ବକପ ଅଭିଯାନ ଆରମ୍ଭ କରିବାକୁ ଚାହିଁବ । ଅକ୍ଟୋବର 23 ରେ ପାକିସ୍ତାନ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ ଭାରତ ।

Share :