ବରାବର ସ୍ଥିତିରେ ସିରିଜ

ବରାବର ସ୍ଥିତିରେ ସିରିଜ

Share :

ଗତକାଲି ରାଞ୍ଚିରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆକୁ ଜିତି ନେଇଛି ଟିମ ଇଣ୍ତିଆ । ଦକ୍ଷିଣ ଆଫ୍ରିକାକୁ 7 ୱିକେଟରେ ହରାଇ ସିରିଜକୁ ବରାବର ସ୍ଥିତିକୁ ଆଣି ପାରିଛି ଭାରତ । ଶ୍ରେୟାସ ଆୟର ଓ ଇଶାନ କିଶାନଙ୍କ 161 ରନର ଭାଗିଦାରୀ ବଳରେ ଭାରତକୁ ମିଳିଛି ଶାନଦାର ବିଜୟ । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା 7 ୱିକେଟରେ 278 ରନ କରିଥିଲା । ଦଳ ତରଫରୁ ଏଡେନ ମାର୍କରମ୍ 79 ଓ ରିଜା ହେଡରିକ୍ସ 74 ର ପାଳି ଖେଳିଥିଲେ। ଡେଭିଡ୍ ମିଲର ମଧ୍ୟ ଅପରାଜିତ 35 ରନ ସ୍କୋର କରିଥିଲେ । ଭାରତୀୟ ବୋଲରଙ୍କ ମଧ୍ୟରେ ମହମ୍ମଦ ସିରାଜ 10 ଓଭରରେ 38 ରନ ଦେଇ 3 ୱିକେଟ୍ ଦଖଲ କରିଥିଲେ । 279 ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପ୍ରାରମ୍ଭିକ ଝଟକା ଭୋଗିଥିଲା ଭାରତ । ଅଧିନାୟକ ଶିଖର ଧୱ୍ବନ ମାତ୍ର 13 ରନ କରି ବେନ ପର୍ନେଲଙ୍କ ବଲରେ ବୋଲଡ ହୋଇଯାଇଥିଲେ । ଭଲ ଲୟରେ ଖେଳ ଆରମ୍ଭ କରିଥିବା ଶୁବମାନ ଗିଲ ମଧ୍ୟ 28 ରନ କରିଥିବା ବେଳେ କଗିସୋ ରବାଡାଙ୍କ ବଲରେ ଆଉଟ୍ ହୋଇ ଯାଇଥିଲେ । ଭାରତ ପକ୍ଷରୁ ଇଶାନ କିଶନ 4 ଚୌକା ଓ 6 ଛକ୍କା ସହ 93 ରନର ଧମାକେଦାର ପାଳି ଖେଳି ମାତ୍ର 7 ରନ ପାଇଁ ପ୍ରଥମ ଦିନିକିଆ ଶତକରୁ ବଞ୍ଚିତ ହୋଇଥିଲେ । ଶ୍ରେୟସ ଆୟର 113 ର ଅପରାଜିତ ଶତକୀୟ ପାଳି ଖେଳି ନିଜର ଦ୍ବିତୀୟ ଦିନିକିଆ ଶତକ ମାରିବାରେ ସଫଳ ହୋଇଥିଲେ। ସେ 111ଟି ବଲ ଖେଳି 15ଟି ଚୌକା ସହ ଏହି ସ୍କୋର କରିଥିଲେ । ନିୟମିତ ଅଧିନାୟକ ତେମ୍ବା ବାବୁମାଙ୍କ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକାର ନେତୃତ୍ବ ନେଇଥିଲେ କେଶବ ମହାରାଜ । ସିରିଜର ନିର୍ଣ୍ଣାୟକ ମୁକାବିଲା ଆସନ୍ତା 11 ଅକ୍ଟୋବରରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିଆମରେ ଖେଳାଯିବ ।

Share :