କରୋନା ଶତକ

କରୋନା ଶତକ

Share :

ହରେକୃଷ୍ଣ ସାହୁ 1- ସୃଷ୍ଟି * ବେଶି ଲୋକ କହୁଛନ୍ତି ଏଇଟି ଚୀନରୁ ଉହାନର ଗୋଟେ ଲାବୋରେଟୋରୀରୁ ବାହାରିଛି। * ଗୋଟେ ଭିଡିଓ ଦେଖିଥିଲି ଜଣେ ମୁସଲମାନ ମହିଳା କହୁଥିଲେ କରୋନା କୁରାନରୁ ବାହାରିଛି। * କିଛି ଲୋକ କହୁଛନ୍ତି ବଦମାସ୍ ମଣିଷକୁ ଦଣ୍ଡ ଦେବାପାଇଁ ଭଗବାନ ଏଇଟାକୁ ପଠେଇଛନ୍ତି। * ଆଉ କିଛି କହୁଛନ୍ତି ଚନ୍ଦ୍ର ଓ ମଙ୍ଗଳକୁ ରକେଟ୍ ଯିବା ଆସିବା ଭିତରେ ସେଇଠୁ ରକେଟ୍ ଦେହରେ ଲାଗି ଏ ଭୂତାଣୁ ଚାଲି ଆସିଛି। * କିଛି ବୈଜ୍ଞାନିକ ଏହାକୁ ମଣିଷ ତିଆରି କହୁଥିବା ବେଳେ କିଛି ବୈଜ୍ଞାନିକ ଏହାକୁ ପ୍ରାକୃତିକ ବୋଲି କହୁଛନ୍ତି। ଏ ବୈଜ୍ଞାନିକମାନେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଆମ ନନ୍ଦୁ ସହିତ ସମାନ। ନନ୍ଦୁ ସକାଳେ ଯଦି ଗାଈକୁ ସଜୀବ କହିଥିବ ତ ସଞ୍ଜବେଳେ ଗାଈ ନିର୍ଜୀବ ବୋଲି କହିଥାଏ। 2- ସଂକ୍ରମଣ * ଛିଙ୍କିଲେ, କାଶିଲେ ପାଟିରୁ ଛିଟିକି ଯାଇ ଏହା ବ୍ୟାପିଥାଏ ବୋଲି ଆମେ ଶୁଣିଛନ୍ତି। * କିଛି ଭିଡିଓ ଦେଖିବାକୁ ମିଳିଥିଲା କିଛି ଲୋକ ଫଳ ଓ ପରିବାରେ ଛେପ ଲଗାଇ ବିକ୍ରି କରୁଛନ୍ତି। * ଗୋଟେ ଭିଡିଓ ଥିଲା ଟ୍ରେନରେ ଜଣେ ଯୁବକ ପାଟିରୁ ଛେପ ନେଇ ସିଟ୍‌ରେ ଲଗାଉଛି। * ଇନଫୋସିସ୍‌ର ଜଣେ ଜଣେ ଯୁବକ ଟ୍ୱିଟ୍ କରିଥିଲେ "ଆସ ଜନଗହଳି ସ୍ଥାନରେ ଛିଙ୍କିବା। " 3 - ତା'ପରେ ଦୋଷ ଗଲା ଜମାତିଙ୍କ ଉପରକୁ। ଜମାତିମାନେ ନିଜେ ସଂକ୍ରମିତ ହେଲାପରେ ପ୍ରତିଷେଧକ ଖାଇଲେ ଓ ଭାରତ ସାରା ବୁଲି ବୁଲି କରୋନା ସଂକ୍ରମଣ ବଢ଼ାଇଲେ। 4 - ଅସଲ କରୋନା ଯୋଦ୍ଧା ଗାମୁଛା, ରୁମାଲ ଓ ମାସ୍କ ବୋଲି ଜଣା ପଡ଼ିଲା। କିନ୍ତୁ... ଅଣୁବିକ୍ଷଣ ଯନ୍ତ୍ରରେ ଦେଖା ଯାଉଥିବା ଭୂତାଣୁ ଗାମୁଛା ଓ ରୁମାଲର କଣାରେ ପଶି ପାରୁନାହାନ୍ତି ଜାଣି ଆଶ୍ଚର୍ଯ୍ୟ ହେଲୁ। ଅର୍ଥାତ୍ ଗାମୁଛାର କଣାଠାରୁ ଭୁତାଣୁର ଆକାର ବଡ଼। ତେଣୁ ପଶି ପାରୁ ନାହାନ୍ତି। ତାହେଲେ ତ ଆମେ ଅଳ୍ପ ଟିକିଏ ଚେଷ୍ଟା କଲେ ଏହାକୁ ଧରି ପାରିବା। ମୁହଁରେ ମାସ୍କ ଲଗାଇଲା ବେଳକୁ ଚିହ୍ନା ମୁହଁ ଅଚି଼ହ୍ନା ଲାଗୁଛି। ମାସ୍କ ଉପରକୁ ଥିବା ଆଖି ଓ ମୁଣ୍ଡ ଜଣକ ସହିତ ଆଉ ଜଣଙ୍କର ମିଶି ଯାଉଥିବାରୁ ରାମକୁ ଶାମ ଭାବି ମୁଁ ଦି ଚାରିଥର ଭୁଲ କରି ସାରିଲିଣି। 5 - ଆଜି ପାନ ଆଉ ଆଳୁ କିଣିବାକୁ ଯାଇଥିଲି। କିଣାକିଣି ଦ୍ୱାରା ଏ ଦୁଇଟି ଜିନିଷ ବିଷୟରେ କିଛି ନୂଆ କଥା ଜାଣିଲି। * ପାନ କଡ଼ା (50ଟି) ବର୍ତ୍ତମାନ 80 ଟଙ୍କାରୁ ଉପରେ ରହିବା କଥା। କିନ୍ତୁ ମତେ ମିଳିଲା 20 ଟଙ୍କାରେ। ପାନ କାହିଁକି ଏତେ ଶସ୍ତା ବୋଲି ଜାଣିବାକୁ ଚାହିଁବାରୁ ଦୋକାନୀ କହିଲା, ଦୋକାନରେ ଖିଲପାନ ବିକ୍ରି 50% କମି ଯାଇଛି। ଅନେକ ପାନ ଦୋକାନ ବନ୍ଦ ହୋଇ ଯାଇଛି। * ଆଳୁ ତିନିଟି ସାଇଜ୍‌ର ଅଛି। ବଡ଼, ସାନ, ମିଡିଅମ୍। ସେଇ ଆଳୁ କିଣାରୁ ଲୋକଙ୍କ ଆର୍ଥିକ ଅବସ୍ଥା ବିଷୟରେ ଜାଣିହେବ। ବଡ଼ ଆଳୁ ନେଉଥିବା ଲୋକ ଧନୀ। ଛୋଟ, ମଝିଆ ବାଛି ସମୟ ନଷ୍ଟ କରିବାକୁ ସେମାନେ ଚାହାଁନ୍ତି ନାହିଁ। ଆଉ ଯଦି ପିଲାଟିଏ ବଡ଼ ଆଳୁ ନେଉଥାଏ ଜାଣିବେ ସେଇଟା ଠକଟିଏ। ବଡ଼ ବଡ଼ ଆଳୁ ନେଲେ ଅଳ୍ପ ପରିଶ୍ରମରେ ଓଜନ କାମ ସରିଯିବ। * ମିଡିଅମ୍ ସାଇଜ୍ ଆଳୁ ନେଉଥିବା ଲୋକ ବିଚାରବନ୍ତ। ମିଡିଅମ୍ ଆଳୁ ଭଲ ଶିଝିବ। ଗୋଟିଏ ବି ପଚା କି ପୋକରା ବାହାରିବ ନାହିଁ। ପୋଡ଼ିବା ବେଳେ ଭିତର କଞ୍ଚା ରହିବ ନାହିଁ। * ଛୋଟ ଆଳୁ ନେଉଥିବା ଲୋକ ଯେ ବିଚରା ଗରିବ ସେକଥା କିଏ ନଜାଣେ। ଚାରି ପାଞ୍ଚଟା ଆଳୁ ନେଲେ ଗୋଟିଏ ବଡ଼ ଆଳୁ ସହିତ ସମାନ ହେବ। ପାଞ୍ଚଟା ଆଳୁ ଖାଇବାର ଖୁସି ମିଳିବ କିନ୍ତୁ ସହଜରେ ସରୁନଥିବ। 6 - ଦଣ୍ଡେ ନିମିଷେ ଥିଲେ ପ୍ରାଣ। ନେଇ ନପାରେ ଜନ୍ତୁରାଣ।। * ଏ ବିଶ୍ୱାସ ଆମର ସମ୍ପୂର୍ଣ୍ଣ ଅଛି। ତେଣୁ ଆମେ କରୋନା ଭୂତାଣୁକୁ ଡରୁନାହୁଁ। ସତ୍ୟ ଖୁବ୍ କଷ୍ଟଦାୟକ। ତେଣୁ ଆମେ ଭାରତୀୟ ମିଛକୁ ଭଲ ପାଆନ୍ତି। ମିଛ ସ୍ୱପ୍ନ ତିଆରି କରନ୍ତି। ନିଜକୁ ନିଜେ ଆଶ୍ୱାସନା ଦେଇ ଖୁସି ହୁଅନ୍ତି। ଭଗବାନ ନ ଚାହିଁଲେ କରୋନା ଆମକୁ ମାରି ପାରିବ ନାହିଁ। * ଭାରତୀୟ ଭାରି ସାହସୀ। କରୋନା ଭୁତାଣୁକୁ ଭୟ କରିବା ବଦଳରେ ଏହାକୁ ନେଇ ବ୍ୟଙ୍ଗ, ରମ୍ୟରଚନା ଲେଖୁଛନ୍ତି। ପରିହାସ କରୁଛନ୍ତି। କାର୍ଟୁନ୍ ଆଙ୍କୁଛନ୍ତି। 7- ପୁଣି କାଲି ଶୁଣିବାକୁ ମିଳିଲା ଏହା ପବନରେ ବ୍ୟାପି ପାରୁଛି। ଭଲ କଥା। 8- କରୋନା ରୋକିବାର ସଫଳତା ପାଇଁ ପୃଥିବୀ ସାରା ସମସ୍ତେ ଆମକୁ ପ୍ରଶଂସା କରୁଥିଲେ। ଆମ ପଦକ୍ଷେପ ଗୁଡ଼ିକ ଆଦର୍ଶ ଥିଲା। ଆଜି ଆମର ସଂକ୍ରମିତ ସଂଖ୍ୟା ପୃଥିବୀରେ ତୃତୀୟ। ଆଉ ଦୁଇପାଦ ଆଗେଇଲେ ଫାର୍ଷ୍ଟ ହୋଇଗଲେ ବୋଲି ପୁଣି ଆମକୁ ପ୍ରଶଂସା ମିଳିବ। 9 - କରୋନା ଭୁତାଣୁ ତଣ୍ଟି ପାଖକୁ ଯାଏ। ସେଠି ଓଦାଳିଆ ସ୍ଥାନରେ ରହି ଧୀରେ ଧୀରେ ବତୁରେ। ତା'ପରେ ତା'ର ଉପର ଖୋଳପାଟା ମିଳେଇ ଯାଏ। ଭିତରେ ଥାଏ କରୋନାର ମଞ୍ଜି। ମଞ୍ଜି ବାହାରିଲେ ହେଲା ରୋଗ। 10 - ରୋଗ ପ୍ରଥମରୁ ଭଲ ହେଉଛି। କିଛି ନିର୍ଦ୍ଦିଷ୍ଟ ଔଷଧ ନଥିଲେବି ଗରମ ପାଣି, ଲେମ୍ବୁ, ଲୁଣ, ଗୋଲ ମରିଚ, ଡାଲଚିନି, ଆହୁରି କେତେ କ'ଣ ପାଣିରେ ପକାଇ ଗରମ କରି ରୋଗୀଙ୍କୁ ଦିଆ ଯାଉଛି। ହୋମିଓପାଥି କଥା ବି ଶୁଣିବାକୁ ମିଳୁଛି। ଏଲୋପାଥି ଔଷଧ ଯଥା ଥଣ୍ଡା, ଜର, ତଣ୍ଟି ଦରଜ, ଶ୍ୱାସ କ୍ରିୟାରେ ସୁବିଧା ପାଇଁ ଔଷଧ ଦିଆ ଯାଉଛି। 11- ମାର୍ଚ୍ଚ ବାଇଶରୁ ଲକ୍ ଡାଉନ୍ ଆରମ୍ଭ ହେଲା। ସେଇ ଦିନରୁ ସାବଧାନ ରହିଥିଲେ କେବଳ ପ୍ରବାସୀମାନେ ସଂକ୍ରମିତ ବାହାରିଥାନ୍ତେ। 12 - କମ୍ ଲୋକ ସଂକ୍ରମିତ ଥିବା ସମୟରେ ନିୟମ କଡ଼ାକଡ଼ି ଥିଲା। ସଂକ୍ରମଣ ବଢ଼ିଲା ବେଳକୁ ନିୟମ ଢିଲା ହୋଇଗଲା। ଅର୍ଥାତ୍ ସରକାର ନିୟମ କାନୁନର କୋର୍ସ ପଢ଼େଇ ଦେଇ ଛାଡ଼ିଦେଲେ। ସବୁ ଦରଜା ଖୋଲି ଦେଲେ। ଏବେ ସେଇ କୋର୍ସ ଅନୁଯାୟୀ ଲୋକେ ସାବଧାନ ହେବା ଉଚିତ। 13 - କେଉଁଥିରେ ବ୍ୟାପୁଛି କାହାକୁ ଜଣାନାହିଁ। କଞ୍ଚା ଫଳ ଓ ପରିବାପତ୍ରରେ ବ୍ୟାପୁନଥିବା କଥାଟା ଆଜିଯାଏ ବଳବତ୍ତର ରହିଛି। 14 - କେଉଁ ବସ୍ତୁ ଉପରେ କେତେ ସମୟ ରହୁଛି ତା'ର ଠିକ୍ ଠିକଣା ନାହିଁ। କାଗଜ, କପଡ଼ା, ପ୍ଲାଷ୍ଟିକ୍, ଧାତୁ ଉପରେ ଯେତେଘଣ୍ଟା ରହିବା କଥା କୁହା ଯାଉଛି, ତାହା ଅନେକ ଥର ବଦଳିଲାଣି। 15 - ଦୂରତା ରକ୍ଷା ଦୁଇ ମିଟର। କାଶିବା, ଛିଙ୍କିବାରେ ଭୂତାଣୁ ଏହାଠାରୁ ଅଧିକ ଦୂରକୁ ଯାଇ ପାରିବ ନାହିଁ କି ? 16 - କିଛି ଲୋକ ଏହା ଏକ ଜୈବିକ ଯୁଦ୍ଧ ବୋଲି କହୁଥିବା ବେଳେ କିଛି ଲୋକ କହୁଛନ୍ତି ଏହା ଭୁଲବଶତଃ ଲାବୋରେଟୋରୀରୁ ବାହାରି ଯାଇଛି। 17 - ଚୀନକୁ ସମସ୍ତେ ଦୋଷ ଦେଉଛନ୍ତି। ସେ ଆଦୌ ମାନୁନାହିଁ। ଏହାର ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇ ପାରିବ ତ। ପ୍ରମାଣ କାହିଁ। ଲାବୋରେଟୋରୀ ସଫା କରିଦେଲା ପରେ କିଏ ପ୍ରମାଣ କରି ପାରିବ। 18 - ଅନେକ ରୋଗୀ ନିଜେ କହୁଛନ୍ତି, ଡାକ୍ତରଖାନାରେ କିଛି ଚିକିତ୍ସା କରା ଯାଉନାହିଁ। 19 - ସଂଗରୋଧ, କ୍ୱାରେଣ୍ଟାଇନ୍ ମଧ୍ୟ ଗୋଟେ ତାମସା ହୋଇ ଯାଇଛି। ସେଠି ଦୁର୍ନୀତି ଅଛି। ପରିଚ୍ଛନ୍ନତା ନାହିଁ। ସେଠାକୁ ଡାକ୍ତର ଆସନ୍ତି ନାହିଁ। 20 - ଅଶି ଦିନ ପରେ ଲୋକଙ୍କ ଦେହରୁ ଭୂତାଣୁ ଧରା ପଡ଼ୁଛନ୍ତି। ଅଥଚ ଚଉଦ ଦିନ ପରେ ଲୋକଙ୍କୁ ଛାଡ଼ି ଦିଆ ଯାଉଛି। ସାତଦିନ ଘରେ ରହିବାକୁ କୁହା ଯାଉଛି। ମୋଟ ଏକୋଇଶ ଦିନ। ତା'ପରେ ଲୋକଟି ବାହାରେ ବୁଲିବ। ଷାଠିଏ ଦିନ ବାହାରେ ବୁଲିଲା ପରେ ଯଦି ଲୋକଟି ପଜିଟିଭ୍ ହେଲା , ତାହେଲେ ଷାଠିଏ ଦିନରେ ସେ ଯେଉଁମାନଙ୍କୁ ଛୁଇଁଥିବ ସେମାନଙ୍କ ଅବସ୍ଥା କ'ଣ ହେବ। 21 - କ୍ୱାରେଣ୍ଟାଇନ୍ ଏଣ୍ଟରଟେନମେଣ୍ଟ ଭିତରେ ବହୁତ ଘଟଣା ଘଟିଛି। ଟିକଟକ୍ ଭିଡିଓ ହୋଇଛି। ନିମ୍ନ ମାନର ଖାଦ୍ୟ ପାଇଁ ପ୍ରତିବାଦ, ଆନ୍ଦୋଳନ, ବିଦ୍ରୋହ ହୋଇଛି। କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଲୋକ ଲୁଚି ପଳାଇଛନ୍ତି। 22 - ସରପଞ୍ଚ କଲେକ୍ଟର ହେବା ପରେ ଲୋକେ ଆଶାଦିଦି ଙ୍କୁ CDMO ବୋଲି କହୁଛନ୍ତି। 23 - ଗୋଟେ ଖବର ପ୍ରସାରିତ ହେଲା ପରୀକ୍ଷା ଦେବାକୁ ଯାଇଥିବା ସମସ୍ତ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି। ଏହାକୁ ଗୋଷ୍ଠୀ ସଂକ୍ରମଣ କୁହାଯିବ କି। 24 - ବାହାଘର, ଶବ ଶୋଭାଯାତ୍ରା ରେ 50 ଲୋକ ଓ 20 ଲୋକ ଯାଇ ପାରିବେ। ଅଧିକ ଲୋକ ଯାଇ ପାରିବେ ନାହିଁ। ଏହି ସରକାରୀ ନିୟମକୁ କରୋନା ଭୁତାଣୁ ଜାଣିଛି ତ। ଯେ ଅଳ୍ପ ଲୋକ ଥିବାରୁ ସେ ଆକ୍ରମଣ କରି ପାରିବ ନାହିଁ। 25 - ଏଭଳି ସମୟ ଆସିଲା ଲୋକ ଠାକୁରଙ୍କୁ ସନ୍ଦେହ କଲେ। ତାଙ୍କ ଉପରୁ ବିଶ୍ୱାସ ତୁଟିଗଲା। ମନ୍ଦିର, ମସଜିଦ୍, ଚର୍ଚ ସବୁ ବନ୍ଦ ହୋଇଗଲା। 26 - ବାବା ମାତା ଯିଏ ଏପାରି ଗଛ ସେପାରି କରୁଥିଲେ, ମଣିଷର ଆୟୁଷ ବଢ଼ାଇ ଦେଉଥିଲେ, ନିରୋଗ କରି ଦେଉଥିଲେ, ମୃତ୍ୟୁକୁ ଡରାଇ ରଖିଥିଲେ ସେମାନେ ଭାଣ୍ଡ ବୋଲି ପ୍ରମାଣିତ ହୋଇଗଲେ। 27- କିନ୍ତୁ ତର୍କ କରିବାକୁ ଲୋକ ଅଛନ୍ତି। 138 କୋଟି ଲୋକ ମଲା ପରେ ଯଦି ଜଣେ ବଞ୍ଚିଯାଏ ତେବେ ସେ ଲୋକମାନେ କହିବେ, ଭଗବାନ ଅଛନ୍ତି ବୋଲି ଜଣେ ବଞ୍ଚିଲା। ନହେଲେ ସବୁ ମରିଥାନ୍ତେ। 28 - ନେଷ୍ଟ୍ରୋଡମ୍ସ ଏ ବିଷୟରେ କିଛି କହି ନାହାଁନ୍ତି। ମାଳିକାରେ ବି କିଛି ନାହିଁ। ବାକି ସବୁ ସର୍ଟ ଟର୍ମ ଭବିଷ୍ୟବାଣୀ ବି ମିଛ ହୋଇଗଲା। ଏଇ ଗ୍ରହଣ ପରେ କମିବ। ଉତ୍ତରାୟଣ ପରେ କମିବ। ପୂର୍ଣ୍ଣମୀ ପରେ, ଏକାଦଶୀ ପରେ, ସଂକ୍ରାନ୍ତି ପରେ କମିବା କଥା ମିଛ ହୋଇଗଲା। 29 - ପ୍ରବାସରୁ ଫେରିବା ପାଇଁ ଲୋକେ ବହୁତ କଷ୍ଟ ସହିଛନ୍ତି। ଲକ୍ ଡାଉନ୍ ସମୟ ବଢ଼ିବା ସହିତ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାକୁ ଲାଗିଲା। ଖାଇବାକୁ ମିଳିଲା ନାହିଁ। ସ୍ଥାନୀୟ ସରକାର ଅବହେଳା କଲେ। ସ୍ଥାନୀୟ ଲୋକେ ମାରପିଟ୍ କଲେ। ପୁନଶ୍ଚ ଭାବିଲେ ଏ ରୋଗର ପ୍ରଭାବ କମିବ ନାହିଁ। ଏଠି କାମ ମିଳିବ ନାହିଁ। ତେଣୁ ଘରକୁ ଫେରିଯିବା ଦରକାର। ଆରମ୍ଭ ହେଲା କ୍ରିସ୍ କ୍ରସ୍ ଢଙ୍ଗରେ ନିଜ ନିଜ ଘରକୁ ଫେରିବାର ପ୍ରକ୍ରିୟା। 30 - ପ୍ରବାସରୁ ଫେରିବା ବାଟରେ ଲୋକ ମରିବାକୁ ଲାଗିଲେ। ହଜାର ହଜାର କିଲୋମିଟର ଚାଲିବା କଷ୍ଟ ଦାୟକ ହୋଇଗଲା। ଏଇଭଳି ସମୟରେ ଭାରତର ଜଣେ ଦେବତା ଆବିର୍ଭାବ ହେଲେ, ସୋନୁ ସୁଦ୍। ବସ ଯୋଗେ ଲୋକମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବାର ବନ୍ଦୋବସ୍ତ କଲେ। ଖାଦ୍ୟ ଯୋଗାଇଲେ। 31- ଓଡ଼ିଶାର ଝିଅ, ଯାତ୍ରା କଳାକାର ରାଣୀ ପଣ୍ଡା ନିଜ ସ୍ୱଳ୍ପ ରୋଜଗାରରୁ କିଛି ଟଙ୍କା ଏହି ଉଦ୍ଦେଶ୍ୟରେ ଦାନ କଲେ। ତାଙ୍କପରେ ଅନ୍ୟମାନେ ଉତ୍ସାହିତ ହୋଇ କିଛି କିଛି ଦାନକଲେ। 32- ଟିଭି ଓ ସୋସିଆଲ ମିଡ଼ିଆରୁ ଦେଖିବାକୁ ମିଳିଲା ଓଡ଼ିଶାର ଶହ ଶହ ଯୁବକ ନିଜ ଉଦ୍ୟମରେ ରନ୍ଧା ଖାଦ୍ୟ ବାଣ୍ଟୁଛନ୍ତି। ଅନେକ ସ୍ଥାନରେ ଆଜିଯାଏ ମଧ୍ୟ ସେ କାର୍ଯ୍ୟ ଚାଲିଛି। 33 - ବିଦେଶର ଖବର ଦେଖି ଦୁଃଖ ଓ ଭୟ ଲାଗିଲା। ବହୁ ସଂଖ୍ୟକ ମୃତ୍ୟୁ ଯୋଗୁଁ ଏକ୍ସକାଭେଟର୍ ଦ୍ୱାରା ଶହ ଶହ କବର ଖୋଳାଗଲା। 34 - ଖବର ମିଳିଲା ରୁଷିଆକୁ ଲାଗିଥିବା ଚୀନ୍ ସୀମାନ୍ତର ଗ୍ରାମ ମାନଙ୍କରେ ଲୋକ ପୋକମାଛି ପରି ମରୁଛନ୍ତି। ସେଠାରେ ଖାଦ୍ୟ, ଔଷଧ ଓ ଚିକିତ୍ସା ପହଞ୍ଚୁ ନାହିଁ। 35 - ବର୍ତ୍ତମାନ ଅନୁଭବ ହେଲା ଅସଲ ବିଶ୍ୱଗୁରୁ ଚୀନ୍। ସେ ତା'ର ମନମୁଖୀ ଚଲାଇ ପାରିବ ଆଉ କେହି କିଛି କହି ପାରିବେ ନାହିଁ। 36 - କରୋନା ଭୂତାଣୁ ବାବଦରେ ଏ ପର୍ଯ୍ୟନ୍ତ ଜିନ୍ ପିଂ କୌଣସି ଷ୍ଟେଟମେଣ୍ଟ୍ ଦେଇ ନାହାଁନ୍ତି। 37 - ପୁତିନଙ୍କର ପୁଷମାସ। କରୋନା ତାଙ୍କର ଭଲ ଉପକାର କଲା। ସେ 2036 ମସିହା ପର୍ଯ୍ୟନ୍ତ ରୁଷ ରାଷ୍ଟ୍ରପତି ହୋଇ ରହିବେ। ଅନ୍ୟ ଦେଶର ମୂଖ୍ୟମାନେ ବର୍ତ୍ତମାନ ବୋଧହୁଏ ଉପାୟ ଖୋଜୁଥିବେ। 38 - ଟ୍ରମ୍ପ ଜଣେ ଭଲ ଜୋକର ବୋଲି ଜଣା ପଡ଼ିଲା। ଚଗଲା ପିଲା ଭଳି ତାଙ୍କ ଷ୍ଟେଟମେଣ୍ଟ୍ ଲୋକଙ୍କୁ ଆମୋଦିତ କଲା। 39 - ପୋଲିସର ଲାଠି ମାଡ଼, ବସ୍ ଉଠ୍ କରାଇବା ଦିନାକେତେ ଆଲୋଚ୍ୟ ବିଷୟ ହୋଇ ରହିଲା। ଏହାକୁ ମଜା କରାଗଲା, ସାଟାୟାର ହେଲା। କାର୍ଟୁନ୍ ସହିତ ଟିକଟକ୍ ଭିଡିଓ ମଧ୍ୟ ଦେଖିବାକୁ ମିଳିଲା। 40 - ସିନେମା ଶିଳ୍ପରେ କାମ କରି ମାସକୁ ପଚିଶ ତିରିଶ ହଜାର ଟଙ୍କା ରୋଜଗାର କରୁଥିବା ଲୋକ ପରିବା ବିକିଲେ। ଅନେକ ପ୍ରକାର ବ୍ୟବସାୟ ବନ୍ଦ ହେବାରୁ ସେମାନେ ମଧ୍ୟ ପରିବା ବେପାରକୁ ଆଦରିନେଲେ। 41- ଭାରତୀୟ ସିନେମା କଳାକାର ମାନେ ବେହ୍ୟା ଥିଲେ ବେଲଜ୍ୟା ହୋଇ ରହିଛନ୍ତି ବୋଲି ପ୍ରମାଣ କରିଦେଲେ। ସେମାନେ କେମିତି ରୋଷେଇ କରୁଛନ୍ତି, କେମିତି ମେକ୍ ଅପ୍ ନେଉଛନ୍ତି, ତାଙ୍କର ଦିନଚର୍ଯ୍ୟା କିପରି ଭିଡିଓ କରି ଦେଖାଇବାକୁ ଲାଗିଲେ। ଏହାଫଳରେ ସଂକ୍ରମଣ ହ୍ରାସ ପାଇଲା। ଲୋକଙ୍କ ଦୁଃଖ ଦୂର ହେଲା। ଦେଶର ପ୍ରଭୂତ ଉନ୍ନତି ହେଲା। 42 - ଏମ୍‌ପି, ଏମେଲେ ଦରକାର ନାହିଁ ବୋଲି ଅନୁଭବ ହେଲା। କେଉଁ ବିଭାଗରେ କିଏ ମନ୍ତ୍ରୀ ଅଛି ଲୋକେ ତାହା ମଧ୍ୟ ଭୁଲି ଗଲେଣି। 43 - କରୋନା ରାଣୀ ରୂପରେ ଅନେକ ବିଶିଷ୍ଟ ଲୋକମାନଙ୍କୁ ସଜା ଯାଇ ସାରିଛି। ସବୁଠାରୁ ଅଧିକ ରୂପ ଦିଆ ଯାଇଛି ଜିନ୍ ପିଂଙ୍କୁ। 44 - ଡାକ୍ତରଙ୍କ ସହିତ ଡାକ୍ତରମାନଙ୍କର ପ୍ରଶ୍ନୋତ୍ତର ଯୋଗୁଁ ଚୀନର ଗୋଟେ ଖବର ବାହାରକୁ ଆସିଥିଲା। ଚୀନର କରୋନା ଚିକିତ୍ସା ଭାରତ ଭଳି ଖୁବ୍ ସାଧାରଣ ଥିଲା। ଥଣ୍ଡା, ଜ୍ୱର ଓ ENT ପାଇଁ ଔଷଧ। ଉଷୁମ ପାଣି ସହିତ ସ୍ଥାନୀୟ ହର୍ବାଲ୍ ଔଷଧ ଦିଆ ଯାଉଥିଲା। 45 - କରୋନା ଭୁତାଣୁ ବ୍ୟାପିବାରେ ଟଙ୍କା ଅଦଳ ବଦଳ ସବୁଠାରୁ ଭୟାନକ ମାଧ୍ୟମ ଅଟେ। 46 - ସାନିଟାଇଜର୍ ଯେହେତୁ ଭୂତାଣୁକୁ ମାରି ପାରୁଛି ତେଣୁ ଏହାକୁ ପିଇଦେଲେ ପେଟରେ ଥିବା ଭୂତାଣୁ ନିଶ୍ଚୟ ମରିଯିବ। ଏହି ଭାବନା ଯୋଗୁଁ ସାନିଟାଇଜର୍ ପିଇ ମଣିଷ ମରିବାର ଖବର ମିଳିଥିଲା। 47 - ହର୍ଡ଼ ଇମ୍ୟୁନିଟି ବା ଗୋଠ ପ୍ରତିରୋଧ ଶକ୍ତି ବଢ଼େଇବା ଆର୍ଥ ସବୁକିଛି କଟକଣା ଉଠାଇ ଦେଇ ସମସ୍ତଙ୍କୁ ଖୋଲା ଛାଡ଼ି ଦେବା। ଫଳରେ ଉତ୍ତମ ଇମ୍ୟୁନିଟି ଥିବା ମଣିଷଠାରୁ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ମଣିଷର ଦେହକୁ ଯାଇ ତାଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ। ଏପରି ଉପାୟ ଅବଲମ୍ବନ କରିବା ପାଇଁ ଭାରତରେ ଯୋଜନା କରା ଯାଇଛି। କିନ୍ତୁ ବିଶେଷଜ୍ଞ ମାନଙ୍କ ମତ ଔଷଧ ବାହାରି ସାରିଲା ପରେ ଏହି ପଦକ୍ଷେପ ନେବା ଉଚିତ। ଯଦି ଏହା ବିପରୀତ ପ୍ରକ୍ରିୟା ଦେଖାଏ ତେବେ ତତକ୍ଷଣାତ ଔଷଧ ବ୍ୟବହାର କରିହେବ। 48 - ବିଶେଷଜ୍ଞ କହୁଛନ୍ତି ଯୁବକ ଓ ଶିଶୁମାନେ ଅପେକ୍ଷାକୃତ ଭାବରେ ଅଧିକ ସୁରକ୍ଷିତ। କିନ୍ତୁ ଶିଶୁ ଓ ଯୁବକ ମରୁଥିବାର ଖବର ମିଳୁଛି। 49 - ବ୍ରଏଲର୍ ଦ୍ୱାରା ସଂକ୍ରମିତ ହେବା ଖବର ଶୁଣି ଜଣେ ଫାର୍ମ ମାଲିକ ସବୁ କୁକୁଡ଼ା ଛାଡ଼ି ଦେଲେ। କ୍ଷତି ହେଲା ତିରିଶ ହଜାର ଟଙ୍କା। ପରେ ଜାଣିଲେ କୁକୁଡ଼ା ଦ୍ୱାରା ବ୍ୟାପିବା ଗୁଜବ ଥିଲା। 50 - ଅମିତାଭ ବଚ୍ଚନଙ୍କର ଗୋଟେ ଭିଡିଓ ଦେଖିବାକୁ ମିଳିଲା। ମାଛି ଦ୍ୱାରା କରୋନା ଭୂତାଣୁ ବ୍ୟାପିବ। ଶେଷରେ ଅମିତାଭଙ୍କୁ କରୋନା ହେଲା ଓ ସେ ହସ୍‌ପିଟାଲ ଗଲେ। 51 - ଜ୍ୟୋତି କୁମାରୀ ନାମକ ଜଣେ ବାଳିକା ନିଜର ରୁଗ୍ଣ ବାପାଙ୍କୁ ସାଇକେଲରେ ବସାଇ ଶହ ଶହ କିଲୋମିଟର ଅତିକ୍ରମ କରି ଘରେ ପହଞ୍ଚାଇ ପ୍ରଶଂସାର ପାତ୍ରୀ ହୋଇ ପାରିଲେ। 52 - ଦେହରେ ବଳ ନଥିଲେ ମଧ୍ୟ ମଣିଷ ହଜାର ହଜାର କିଲୋମିଟର ବାଟ ଚାଲିବା, ବାଟରେ ଖାଇବାକୁ ନପାଇ ଛଟପଟ ହେବା। ବାଟ ଚାଲି ଚାଲି ପାଦରୁ ଚମଡ଼ା ଉତୁରି ଯିବା। ଛୋଟ ଛୁଆର ବାଟଚଲା ଯନ୍ତ୍ରଣା ଭାରତୟ ହୃଦୟ ବିଦୀର୍ଣ୍ଣ କରି ଦେଇଥିଲା। 53 - ପ୍ରବାସରୁ ଫେରି ଅନେକ ଲୋକ ଘରେ ଲୁଚି ରହିଥିଲେ। କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଗଲେ ଭଲ ମଣିଷ ସଂକ୍ରମିତ ହେବ। ସେଠାରେ ରହିବା, ଖାଇବାର ବ୍ୟବସ୍ଥା ଠିକ୍ ନାହିଁ। ଏହି ଭାବନାରୁ ସେଠାକୁ ଯିବାପାଇଁ ଲୋକେ ଡରୁଥିଲେ। 54 - ପ୍ରବାସରୁ ଫେରିବା ପରେ ବସରୁ ଓହ୍ଲାଉ ଓହ୍ଲାଉ ଲୋକେ ଲୁଚି ପଳାଉ ଥିଲେ। ସେମାନଙ୍କୁ ପୋଲିସ ଲଗାଇ ଖୋଜିବାକୁ ପଡ଼ୁଥିଲା। 55 - ଶହ ଶହ କିଲୋମିଟର ବାଟ ଚାଲି ଚାଲି ଆସିବା ପରେ ଘର ପାଖରୁ ଅଳ୍ପ ଦୂରରେ ଜୀବନ ଚାଲିଯିବା ଖୁବ୍ ଦୁଃଖଦାୟକ ଥିଲା। 56 - ଚକଲଗା ବାକ୍ସ ଉପରେ ଛୁଆକୁ ଶୁଆଇ ବାକ୍ସ ଟାଣି ଟାଣି ନେଉଥିବା ମାଆର ପାଦ ତଳେ ସହସ୍ର ପ୍ରଣାମ। 57- ଉଡ଼ାଜାହାଜ, ରେଳଗାଡ଼ି ସୃଷ୍ଟି ହେବା ଦିନରୁ ଏତେଦିନ ଧରି କେବେ ଅବ୍ୟବହୃତ ଭାବରେ ପଡ଼ି ରହିନଥିଲା। 58 - ବାୟୁ ମଣ୍ଡଳ ଶୁଦ୍ଧ ହୋଇଗଲା। ଶହ ଶହ ମାଇଲ ଦୂରରେ ଥିବା ପାହାଡ଼, ପର୍ବତ ସ୍ପଷ୍ଟ ଦେଖାଗଲା। 59 - ଓଜୋନ ସ୍ତରର କଣା ବୁଜି ହୋଇଗଲା। 60- କରୋନା ଜୋରିମାନା ଆଦାୟ କରାଗଲା। ମାସ୍କ ନଥିଲେ - 200 ଟଙ୍କା। ଛେପ ପକାଇଲେ - 500 ଟଙ୍କା। 61- ଲୋକଙ୍କ ଦୃଷ୍ଟିରେ ମାସ୍କ ଓ ହେଲମେଟର ଅର୍ଥ ସମାନ। ଏହାକୁ ନପିନ୍ଧି ପାଖରେ ରଖିଲେ ଚଳିବ। 62- ମାସ୍କ ବ୍ୟବହାରର ଅଲିଖିତ ନିୟମ ହେଲା - ମନ୍ତ୍ରୀ, ନେତା ବେକରେ, ଆଇଏଏସ୍ ଇତ୍ୟାଦି ଅଫିସର୍ ଥୋଡ଼ିରେ, ରାଜ୍ୟ ସ୍ତରୀୟ ଅଫିସର ପାଟି ଉପରେ, ଜନତା ନାକ ଓ ପାଟି ଉପରେ। 63 - ଶୁଣାଗଲା ଗରମ ବଢ଼ିଲେ କରୋନା କମିବ। ଭାରତରେ ଗରମ ବଢ଼ିଲେ ଜୁନ ଜୁଲାଇରୁ ହ୍ରାସ ପାଇବ। ଗରମ ଆସି ଚାଲିଗଲା କିଛି ଲାଭ ହେଲାନି। ଓଲଟା ସେହି ସମୟରେ ଅଧିକ ବଢ଼ିଲା। ବଗୁଲିଆ କହିଲେ, ଗରମ ନୁହେଁ ନିଆଁରେ ପୋଡ଼ିଲେ ମରିବ। ତେଣୁ ମଣିଷ ପୋଡ଼ାହେବା ଦରକାର। 64 - ଭୂତାଣୁ ଭିନ୍ନ ଭିନ୍ନ ପ୍ରକାରର ଅଛି। ଗୋଟେ ଚାରି ପାଞ୍ଚ ଦିନରେ ଧରା ପଡ଼ୁଛି। ଆଉ ଗୋଟେ ଗୋଟେ 80/90 ଦିନ ପରେ ଜଣା ପଡ଼ୁଛି। 65 - ଏମିତି ବି ଲୋକେ କହୁଛନ୍ତି, ଚୀନ୍ ବିଶ୍ୱ ବିରୁଦ୍ଧରେ ଏକାକୀ ଯୁଦ୍ଧ ଆରମ୍ଭ କରିଦେଲା ଅଥଚ ତା ବିରୁଦ୍ଧରେ କେହି କିଛି କରିପାରିଲେ ନାହିଁ। 66 - ସାବୁନ, ହ୍ୟାଣ୍ଡ ୱାସ୍, ସାନିଟାଇଜର୍। * ସାବୁନ ଆଉ ହ୍ୟାଣ୍ଡୱାସରେ କୋଡିଏ ସେକେଣ୍ଡ ହାତ ଧୋଇଲେ ଭୂତାଣୁ ଚାଲିଯିବ - ସରକାର ଉବାଚ । କିନ୍ତୁ କମ୍ପାନୀ କହୁଛନ୍ତି ଆମ ଜିନିଷରେ ହାତ ଧୋଇଲେ 99.9% ଭୂତାଣୁ ମରିଯିବ। ଅର୍ଥାତ୍ ବଳକା ରହିବ 1%। ଆଉ ଆପଣ ଜାଣନ୍ତି ଏଇ 1% ପୁନଶ୍ଚ ଶହେ ପର୍ସେଣ୍ଟ ହେବାକୁ ବେଶି ସମୟ ଆବଶ୍ୟକ କରେନାହିଁ। ସରକାର ବୋଧହୁଏ କମ୍ପାନୀମାନଙ୍କ ପ୍ରଡକ୍ଟ ବିକ୍ରି ପାଇଁ ଜୋରଦାର ଚେଷ୍ଟା ଚଲାଇଛନ୍ତି। 67- ବାଳ କଟାଯାଇ ନପାରିବାରୁ ବାଳ ବଢ଼ିବା କଥା ନେଇ ବହୁତ କଥା ବାହାରିଲା। ନିଜେ ନିଜେ ଚୁଟି କାଟୁଥିବାର ଭିଡିଓ ବୁଲିଲା। ଅନୁପମ ଖେର୍ ଙ୍କ ସାନଭାଇ ଟ୍ରିମରରେ ଅନୁପମଙ୍କ ଚୁଟି କାଟୁଥିବା ଭିଡିଓ ଭାଇରାଲ୍ ହେଲା। ଏକଥା ଟିକେ ଅତିରିକ୍ତ ଲାଗିଲା। କାରଣ ଆମେ ସେଲୁନ୍ ବାଲାଙ୍କୁ ଡାକି ଘରେ ଦାଢ଼ି ଚୁଟି କାଟି ପାରୁଥିବା ବେଳେ ସେଲେବ୍ରିଟି ମାନଙ୍କୁ ବାରିକ ନମିଳିବା ଅତିରଞ୍ଜିତ ଲାଗିଲା। 68 - ଗାମୁଛା ବ୍ୟବହାର ବଢ଼ିଗଲା। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ, ନେତାଙ୍କ ବେକରେ ଗାମୁଛା ପଡ଼ିଲା। 69 - ଲୋକମାନଙ୍କର ପ୍ୟାଣ୍ଟସାର୍ଟ ବ୍ୟବହାର କମିଗଲା। ମାତ୍ର ଦୁଇ ତିନି ହଳରେ ତିନି ମାସ ବିତିଗଲା। 70 - ଡାକ୍ତରଖାନାରେ ନିତିଦିନିଆ ରୋଗୀ କମିଗଲେ। 71 - ପ୍ରଥମ ଦେଢ଼ ମାସରେ ଦୋକାନୀମାନେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବଢ଼ାଇଦେଲେ। ଆଳୁ ହୋଇଗଲା ଚାଳିଶ ଟଙ୍କା। ଅନେକ ଜିନିଷ ମିଳିଲା ନାହିଁ। ଏବେ ବଜାର ମାନଙ୍କରେ ଜିନିଷର ଦର ଅନେକଟା କମିଥିଲେ ମଧ୍ୟ ଗ୍ରାମାଞ୍ଚଳ ଦୋକାନୀମାନେ ଶୋଷଣରେ ବ୍ୟସ୍ତ ଅଛନ୍ତି। ଏବେବି ବ୍ରଏଲର୍ 200 ଟଙ୍କା ଓ ମାଛ 220 ଟଙ୍କା ଅଛି। 72 - ସବୁ ବନ୍ଦ ଥିବାବେଳେ ମାସେ ପାଇଁ ପରିବା ଦର ଖୁବ୍ କମି ଯାଇଥିଲା। ଭେଣ୍ଡି ପାଞ୍ଚ ଟଙ୍କା। ଜହ୍ନି ପାଞ୍ଚ ଟଙ୍କା। ବୋଇତାଳୁ, ଟମାଟୋ ପାଞ୍ଚ ଟଙ୍କା ଥିଲା। ଏବେ ପୁନଶ୍ଚ ବଢ଼ିଯାଇ ବାଇଗଣ ଓ ଟମାଟୋ ଅଶିଟଙ୍କା ହେଲାଣି। 73 - ଜଳଖିଆ ଦୋକାନ ଖୋଲିଛି। କିନ୍ତୁ ବିକ୍ରି ସତୁରି ଶତକଡ଼ା କମି ଯାଇଛି। ଠେଲାଗାଡ଼ି ଜଳଖିଆ ବାଲା ଗଳିରେ ବୁଲୁଛନ୍ତି। ଗୁପଚୁପ୍ ବାଲା ପଲିଥିନ୍ ରେ ପୁରାଇ ଘର ପାଖରେ ଦେଇ ଯାଉଛନ୍ତି। ଲୋକେ ଚିହ୍ନା ଲୋକଠୁ ଖାଉଛନ୍ତି। ଅଚିହ୍ନାକୁ ଏଡ଼େଇ ଯାଉଛନ୍ତି। 74 - ପ୍ରବାସୀ ଫେରନ୍ତା ଲୋକଙ୍କ ପରିବାର ସହିତ ସମ୍ପର୍କ ରଖିବାକୁ ପଡ଼ୋଶୀ ଡରୁଛନ୍ତି। ବେଳେବେଳେ ଗାଆଁରୁ ବାହାର କରିବା ପାଇଁ ଝଗଡ଼ା ମଧ୍ୟ ହେଉଛି। 75 - ରୋଗମୁକ୍ତ ହୋଇ ଫେରିଥିବା ବ୍ୟକ୍ତି ପାଖରୁ ଲୋକେ ଦୂରେଇ ରହୁଛନ୍ତି। ତାଙ୍କ ଘରକୁ ଯିବା ଆସିବା କରୁ ନାହାଁନ୍ତି। 76 - ବନ୍ଧୁଘର ସହିତ ସମ୍ପର୍କ ବ୍ୟାହତ ହୋଇଛି। ଯିବା ଆସିବା ଶୂନ୍ୟ ହୋଇ ଯାଇଛି। 77 - କରୋନାରେ ମରିଥିବା ପୁଅକୁ ବାପା, ମାଆ, ପରିବାର ଲୋକେ ଦେଖି ପାରୁ ନାହାଁନ୍ତି। ଛୁଇଁ ପାରୁ ନାହାଁନ୍ତି। ଛୁଇଁବାକୁ ଭୟ କରୁଛନ୍ତି। କରୋନା ଯୋଦ୍ଧା ହିସାବରେ ପରିଚିତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ପୋଲିସ, ସଫେଇ କର୍ମଚାରୀ ମରିଗଲେ ସେମାନଙ୍କୁ ଅନାଥ ଭଳି ଦାହ କରା ଯାଉଛି। 78 - ଶୋଇବାର ସମୟ ବଦଳି ଯାଇଛି। ଖରାବେଳ ଶୋଉ ନଥିବା ଲୋକେ ଏବେ ଖରାବେଳ ଘଡ଼ିଏ ଶୋଇ ଯାଉଛନ୍ତି। ରାତିସାରା ଚାହିଁ ଚାହିଁ ତୃତୀୟ ପ୍ରହରରେ ଶୋଇ ସକାଳ ନଅଟାରେ ବିଛଣା ଛାଡ଼ୁଛନ୍ତି। 79 - ପୃଥିବୀ ନିରବ। ପୃଥିବୀ ନିବୁଜ। ମଣିଷ ଅଦରକାରୀ। ଚୁପଚାପ୍ ଘର କୋଣରେ ପଶି ରହିଥିବା ଏହି ଅଦରକାରୀ ମଣିଷ ଭାବୁଛି ଦିନେ ପୃଥିବୀ ଚଳଚଞ୍ଚଳ ହେବ। ସେ ପୂର୍ବପରି ମୁକ୍ତ ଭାବରେ ବୁଲି ପାରିବ। ପରିଚିତକୁ ଆଶ୍ଳେଷରେ ଆଲିଙ୍ଗନ କରିବ। ସହସ୍ର ଜନତାର ଗହଣରେ ବସି ଯାତ୍ରା, ସିନେମା ଦେଖି ପାରିବ। ଏ ଆଶା ଟିକକ ଜୀବିତ ରହିଥାଉ। 80- ଅନେକ ନୂତନ ପ୍ରେମ ଆରମ୍ଭ ହୋଇ ପାରିନାହିଁ। ସୃଷ୍ଟି ହେଉ ହେଉ ଅନେକ ପ୍ରେମ ଭାଙ୍ଗି ଯାଇଛି। ନିତିଦିନିଆ ଦେଖା ସାକ୍ଷାତ୍ ଅଭାବରୁ ଅନେକ ପ୍ରେମ ସ୍ଥଗିତ ରହିଛି। 81- ଧର୍ଷଣ କମିଛି। ଦେହଜୀବିର ଦୁଆରେ ତାଲା ପଡ଼ି ଯାଇଛି। 82- କଲେଜ ଛକ, ସ୍କୁଲ ଛକ ଓ ରାସ୍ତା ଘାଟରେ କମେଣ୍ଟ୍ ମାରୁଥିବା ଉଦ୍ଧତ ଯୁବକମାନେ ସେ ରସାଳ ବାକ୍ୟ ଭୁଲି ଗଲେଣି। 83- ମେକ୍ ଅପ୍ ସାମଗ୍ରୀର ବିକ୍ରି ଖୁବ୍ ହ୍ରାସ ପାଇଛି। ତା' ସହ ଭିଡିଓ କଲ୍ ମଧ୍ୟ କମି ଯାଇଛି। 84- ଲାଇନ୍ ମରା ସଂସ୍କୃତି ଲୋପ୍ ପାଇ ଗଲାଣି। ଚାରିମାସ ଭିତରେ ବର୍ଷକର ଯୌବନ ନଷ୍ଟ ହୋଇ ସାରିଛି। 85 - କରୋନା ଭୟ ଉପରେ ବେଡ଼ି ଉପରେ କୋରଡ଼ା ପରି ମାଡ଼ି ବସିଥିବା ଏଷ୍ଟ୍ରୋଏଡ୍ ମିଛ ହୋଇ ଯାଇଛି। 86 - ଫ୍ଲାକ୍ ସିଗାରେଟ୍ ଦଶଟଙ୍କା ହୋଇଯିବା ବେଳେ ଅନେକ ବିଡ଼ି ଟାଣିବାକୁ ପସନ୍ଦ କରିଛନ୍ତି। 87 - ଲୋକଙ୍କ ଖାଇବାର ପସନ୍ଦ ବଦଳି ଯାଇଛି। ଖାଦ୍ୟର ପ୍ରକାର କମି ଯାଇଛି। କାରଣ 1- ଅର୍ଥାଭାବ। 2- ଜିନିଷ ସହିତ ଭୂତାଣୁ ଘରକୁ ଆସିବାର ଭୟ। 3- କାହାଦ୍ୱାରା ସଂକ୍ରମଣ ହେଉଛି କାହାଦ୍ୱାରା ହେଉନାହିଁ ସେ କଥା ସ୍ପଷ୍ଟ ହେଉନଥିବାର ଭୟ। 88 - ଚୀନ୍ ଲୋକ ଭାରତୀୟଙ୍କ ଆବର୍ଜନା ଉପରେ ନିର୍ଭର କରି ବଞ୍ଚିଯାଇ ପାରିବେ ବୋଲି ସ୍ପଷ୍ଟ ହୋଇଗଲା। 89 - କରୋନା ହଟାଇବା ପାଇଁ ପୂଜାପାଠ, ହୋମ, ଯଜ୍ଞ ମଧ୍ୟ କରା ଯାଇଛି। ତାକୁ ଗାଳିଗୁଲଜ କରା ଯାଇଛି। 90 - ମାର୍ଚ୍ଚ ବାଇଶରୁ ଏପ୍ରିଲ୍ ଶେଷ ପର୍ଯ୍ୟନ୍ତ ଯେଉଁ ଭୟ ଥିଲା ତାହା ଲୋପ ପାଇ ଯାଇଛି। ସଂକ୍ରମଣ କମ୍ ଥିବାବେଳେ ଭୟ ଥିଲା। ଭୟଙ୍କର ବୃଦ୍ଧି ବେଳେ ଭୟ ନାହିଁ। ଅର୍ଥାତ୍ ଲୋକେ ରୋଗକୁ ନୁହେଁ ପ୍ରଚାରକୁ ଡରୁଥିଲେ। 91- ଏବେବି ଟିଭି ଦେଖିଲେ ଭୟ ଉଦ୍ରେକ ହେଉଛି । କିନ୍ତୁ ବଜାର ସହର ବୁଲିଲେ ଆଦୌ ଭୟ ଲାଗୁନାହିଁ। ଲାଗୁଛି କରୋନା ଗୋଟେ ମିଛ କଥା। 92 - ଦେଶ, ରାଜ୍ୟ ଏମିତିକି ପଞ୍ଚାୟତ ସ୍ତରରେ ଆଗରୁ ଯେପରି ଦୁର୍ନୀତି ଥିଲା ସେସବୁ ପୂର୍ବପରି ଚାଲିଛି। ଲାଞ୍ଚ ମିଛ ବଞ୍ଚି ରହିଛି। 93- ପ୍ରଥମ ସଂକ୍ରମଣ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ବା ଡବ୍ଲ୍ୟୁଏଚଓ ତଥ୍ୟ ଲୁଚାଇବା ଯୋଗୁଁ ଏହା ଭୟଙ୍କର ରୂପ ନେଇଛି। ଏ ସଂସ୍ଥା ବିଶ୍ୱର ସବୁ ଦେଶରୁ ନିନ୍ଦା ଶୁଣିଛି। ଏହା ଉପରୁ ସମସ୍ତଙ୍କର ବିଶ୍ୱାସ ତୁଟି ଯାଇଛି। ଆମେରିକା ସେଥିରୁ ନିଜର ସଦସ୍ୟ ପଦ ପ୍ରତ୍ୟାହାର କରିଛି ଓ ପୁନଃ ସମ୍ପର୍କ ସ୍ଥାପନ କରିଛି। 94 - ବିଶ୍ୱର ଶିକ୍ଷିତ, ଶକ୍ତିଶାଳୀ ରାଷ୍ଟ୍ର ଆମେରିକା, ରୁଷିଆ, ଫ୍ରାନ୍ସ, ଇଟାଲି ପରି ଦେଶ ସବୁଠାରୁ ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଥିପାଇଁ ଚୀନକୁ ଦାୟୀ କରି ଷ୍ଟେଟମେଣ୍ଟ୍ ଦେଇଛନ୍ତି। 95- ଶୁଣିବାକୁ ମିଳେ ପୃଥିବୀର ଜନସଂଖ୍ୟା ହ୍ରାସ କରିବା ପାଇଁ ପୃଥିବୀର ରାଷ୍ଟ୍ରମୁଖ୍ୟମାନେ ଇଛା କରିଛନ୍ତି। ତେଣୁ କରୋନା ଭୂତାଣୁର ଜୟଯାତ୍ରାକୁ ନିରବରେ ସମର୍ଥନ କରୁଛନ୍ତି। 96- ବିଭିନ୍ନ ଦେଶର ସରକାରମାନେ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ନିଜର ଅସଲ ମନୋବୃତ୍ତିକୁ ଲୁଚାଇବା ପାଇଁ ଉଦ୍ଦିଷ୍ଟ ବୋଲି କୁହା ଯାଉଛି। 97 - ବୁଦ୍ଧିଜୀବୀମାନଙ୍କ ମତ ଏହି ଭୂତାଣୁ ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ତାଣ୍ଡବ ରଚାଇବ। ବିଶ୍ୱ ଜନ ସଂଖ୍ୟାରୁ ସତୁରି ଶତକଡ଼ା ଲୋକ ଏଥିରେ ମୃତ୍ୟୁବରଣ କରିବେ। 98 - 80/90 ଦିନ ପରେ ମଣିଷ ଦେହରେ ଲକ୍ଷଣ ପ୍ରକାଶ ପାଉଥିବା ବେଳେ ଏକୋଇଶ ଦିନିଆ ଏକାନ୍ତ ରହଣୀ ଏବେ ଅର୍ଥହୀନ ଲାଗୁଛି। କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ସମସ୍ତଙ୍କୁ ଏକାଠି ରଖିବା, ଗୋଟିଏ ଟଏଲେଟ୍ ବ୍ୟବହାର କରିବା ଉଚିତ ମନେ ହେଉନାହିଁ। ଏହି ଉପାୟ ଯୋଗୁଁ ସୁସ୍ଥ ଲୋକ ଯେ ସଂକ୍ରମିତ ହେଉ ନାହାଁନ୍ତି, ସେକଥା କେମିତି ବିଶ୍ୱାସ କରିବା। 99 - ଅର୍ଥହୀନ କ୍ୱାରେଣ୍ଟାଇନ୍, ଜିନିଷ ନେଣ ଦେଣ, ଟଙ୍କା ଏପଟ ସେପଟ ହେବା ଇତ୍ୟାଦି ଫଳରେ ଭୂତାଣୁ ବ୍ୟାପି ଚାଲିଛି। ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ସାରିଲାଣି। କାରଣ ଏବେର ଅନେକ ରୋଗୀ କେଉଁ ଉପାୟରେ ସଂକ୍ରମିତ ହେଉଛନ୍ତି, ଜାଣି ହେଉନାହିଁ। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ସମସ୍ତ ରୋଗୀ ଏବେ ସଂକ୍ରମିତ ହୋଇ ସାରିଛନ୍ତି। ପ୍ରତିଦିନ ସ୍ଥାନୀୟ ସଂକ୍ରମଣର ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଅର୍ଥାତ୍.. ଗୋଷ୍ଠୀ ସଂକ୍ରମଣ ସୁରୁ। ଏବେ ଯିଏ ମରୁଛି ମରୁ। 100 - ବୁଦ୍ଧିଜୀବୀମାନେ ଠିକ୍ ଆକଳନ କରିଛନ୍ତି। ଦୁଇବର୍ଷ ଯାଏ ଏହାର ପ୍ରଭାବ ରହିବ। ପ୍ରଭାବ ରହିବ ନୁହେଁ ସବୁ ମଣିଷଙ୍କୁ ଛୁଇଁବା ପାଇଁ ଦୁଇବର୍ଷ ଲାଗିବ। ସେତେବେଳକୁ ଔଷଧ ବାହାରି ସାରିଥିବ। କିନ୍ତୁ ଔଷଧ ଖାଇଲେ ମଧ୍ୟ କିଛି ଲୋକ ମରିବେ। ଯଦିଓ ସତୁରି ଶତକଡ଼ା ମରିବେ ନାହିଁ, କିନ୍ତୁ ଯେତିକି ମରିବେ ଚିରଦିନ ପାଇଁ ଗୋଟେ ସ୍ମରଣୀୟ ସଂଖ୍ୟା ହୋଇ ରହିବେ।

Share :