‘୫୦ ବର୍ଷରୁ ଅଧିକ ବୟସ୍କ କର୍ମଚାରୀଙ୍କୁ କରୋନା ଲଢ଼େଇରୁ ବାଦ ଦିଅନ୍ତୁ’

‘୫୦ ବର୍ଷରୁ ଅଧିକ ବୟସ୍କ କର୍ମଚାରୀଙ୍କୁ କରୋନା ଲଢ଼େଇରୁ ବାଦ ଦିଅନ୍ତୁ’

Share :

କରୋନାର କରାଳ ଛାୟାରେ ଇତସ୍ତତଃ ପୃଥିବୀ। ଏପରି ଦୁଃସମୟରେ ବୟସ୍କମାନଙ୍କ ପ୍ରତି ଚିନ୍ତା ବ୍ୟକ୍ତ କରିଛନ୍ତି ବିଦେଶରେ ରହି ମଧ୍ୟ କୋଟି ଓଡ଼ିଆଙ୍କ ପାଇଁ ସର୍ବଦା ଚିନ୍ତିତ ଦରଦୀ ମଣିଷ ସମାଜସେବୀ ତଥା ଆସ୍ଥା ଫାଉଣ୍ଡେସନର ମୁଖ୍ୟ ଡ଼ ଷ୍ଟାଲିନ ମିଶ୍ର। ଯେହେତୁ ବୟସ୍କମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ନିମ୍ନ ସେମାନେ କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ। ସମ୍ପ୍ରତି ବିଭିନ୍ନ ସର୍ଭେରୁ ବି ଏହା ପ୍ରମାଣିତ ଯେ ସାରା ପୃଥିବୀରେ କରୋନା ସଂକ୍ରମିତ ମୃତ୍ୟୁରେ ବୟସ୍କମାନଙ୍କର ସଂଖ୍ୟା ସର୍ବାଧିକ। ଏହାକୁ ଆଖି ଆଗରେ ରଖି ଡ଼ ମିଶ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରୋନା ସଂକ୍ରମଣ ରୋକିବାରେ ଅଭୂତପୂର୍ବ ସଫଳତା ପାଇଁ ଧନ୍ୟବାଦ ଦେବା ସହ ୫୦ ବର୍ଷରୁ ଅଧିକ ବୟସର ସରକାରୀ କର୍ମଚାରୀମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ ନକରିବାକୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହି ମହାଯୁଦ୍ଧରେ କରୋନା ଯୋଦ୍ଧା ତଥା ଶିକ୍ଷକ, ଡାକ୍ତର, ପୋଲିସ କର୍ମଚାରୀ, ପାରା ମେଡିକାଲ କର୍ମଚାରୀ, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀମାନଙ୍କୁ ସେମାନଙ୍କ ଉଲେଖନୀୟ ଯୋଗଦାନ ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସେ କହିଛନ୍ତି ଯେ ନିଷ୍ଠା ଓ ସତର୍କତାର ସହ ସରକାର ତଥା ବିଶେଷଜ୍ଞମାନଙ୍କର କଥା ମାନି ଆମେ ଯଦି ଏପରି ଯୁଦ୍ଧ ଜାରି ରଖିବା କରୋନା ହାରିବ ଓ ମଣିଷ ସମାଜର ବିଜୟ ନିଶ୍ଚିତ ହେବ। ସେ ଆଶାବ୍ୟକ୍ତ କରିଛନ୍ତି ଯେ ଆମ ରାଜ୍ୟର ଯଶସ୍ବୀ ମୁଖ୍ୟମନ୍ତ୍ରୀ ତାଙ୍କ ଅନୁରୋଧକୁ ନିଶ୍ଚୟ ରକ୍ଷା କରିବେ ଓ ବୟସ୍କ ସରକାରୀ କର୍ମଚାରୀମାନଙ୍କୁ କରୋନା କାର୍ଯ୍ୟରୁ ବିରତି ଦେବେ।

Share :