ଲାଲୁ ପାଇଁ ନାନାବାୟା ଗୀତ

ଲାଲୁ ପାଇଁ ନାନାବାୟା ଗୀତ

Share :

ଦେବେନ୍ଦ୍ର ପୃଷ୍ଟି ଉଠନା ଉଠନା ଲାଲୁ ରାତି ପାହିନାହିଁ- ଖରା ଟାଣ ହେଲେ ବି ତ ଅନ୍ଧାର ହଟିନି। ବାଘ ପରି ମାଡ଼ି ଆସେ ଘନଘୋର ନିଶା ଟେକି ନେବ, ବାୟୁରେ ବୁଲୁଛି ମୃତ୍ୟୁ- ସଂକ୍ରମିତ ସଂସାରର ଅଚିହ୍ନା ଅସୁର। ବଞ୍ଚିବାକୁ ହେଲେ ଏବେ ଶୋଇବାକୁ ହେବ, ଘର ହେଉ ବା ବାହାରେ, ଶବ ପରି ରହିବାକୁ ହେବ। ଭୟ ଆଉ ଭୋକର ଭୂପତିମାନେ ମେଳିବାନ୍ଧି ବୁଲୁଛନ୍ତି ପ୍ରତି ଗାଁ ପ୍ରତି ସହରରେ- ଖାଁ ଖାଁ ଗାଁ ଦାଣ୍ଡ, ମଶାଣିର ନିର୍ଜନତା ସହର ବଜାର, ଜନପଦ ସମସ୍ତ ନିସ୍ତବ୍ଧ ସମସ୍ତଙ୍କ ପାଟିବନ୍ଦ। ତୁଣ୍ଡିପିନ୍ଧା ମଣିଷଙ୍କ ତୁଣ୍ଡିବନ୍ଧା ଅଭିଯାନ ଟିଭିରେ, ରେଡିଓରେ, ଫୋନରେ, ଫାଇଲ୍‌ରେ ଘରେ ଘରେ ପୁରେ ପୁରେ ପ୍ରତିଟି ମନରେ। କାରଖାନା ଗହଳି ଡେଇଁ ଶୁଣାଯାଏ ମେସିନ ଗର୍ଜନ, ଦେଖାଯାଏ କଳା କଳା ଧୂଆଁର କୁଣ୍ଡଳୀ ସବୁ କୋଶ କୋଶ ଦୂର। ପାହାଡ଼ ଫାଟୁଛି, ଭୂଇଁ ତଡ଼ାଯାଇ ଚାଲାଣ ହେଉଛି ଧନ ବିଦେଶକୁ, ବନ୍ଦରରେ ଲଙ୍ଗର ପକେଇଛନ୍ତି ଜାହାଜ ଅଜସ୍ର। ବ୍ୟାଙ୍କ ସବୁ ଖୋଲା ଅଛି, ଘର ସବୁ ଅଫିସ ହୋଇଛି, କରୋନା ଆସିଛି ଚଢ଼ି ପୁଷ୍ପକ ବିମାନ। ବନ୍ଦ ଖାଲି ଛୋଟ ଛୋଟ ତେଲଲୁଣ ସଂସାରର ଅଖଚକ, ପିଲାଙ୍କର ପାଠପଢ଼ା, ଖେଳାବୁଲା, ଆମ୍ବତୋଳା, ଜୀବନ ନାଟକ। ରାଜାଙ୍କ ହୁକୁମ ଅଛି- କେହି କିଛି କହିପାରିବେନି କିଛି ଲେଖିପାରିବେନି, ପଚାରି ପାରିବେ ନାହିଁ- ସନ୍ଦେହର ପ୍ରଶ୍ନ ସବୁ ପାଳିପୋଷି ମଣିଷ କରିବେ, ଚିଠି ବନ୍ଦ, ଡାକ ବନ୍ଦ, ମେଳା ବନ୍ଦ, ମଉଚ୍ଛବ ବନ୍ଦ। ଚାରି ଆଡ଼େ ମାଳ ମାଳ କଟୁଆଳ, ନାଲି ଆଖି, ଲାଠି ଓ ବନ୍ଧୁକ। ଗୁଣିଆଙ୍କ ଗହଣରେ ମାଳ ମାଳ ଡାହାଣୀଙ୍କ ଉପଦ୍ରବ ରାଷ୍ଟ୍ର ଓ ସମାଜର ଚେତନାରେ ସବାର୍‌ ଏକ ଭୂତ। କ୍ଷମତା ଓ ଦୁର୍ନୀତିର ସହଭାଗୀ ଜୀବନ ସବୁ ବିଳାସରେ ବିତେ କେତେ ଅନୁପମ ପ୍ରାସାଦରେ ଆକାଶୁ ଓହ୍ଲାନ୍ତି ଫେରି ବିଦେଶରୁ ଚାର୍ଟର ପ୍ଲେନ୍‌ରେ। ରାସ୍ତାରେ ବହୁଥାଏ ରାଷ୍ଟ୍ର ନିର୍ମାତାଙ୍କ ସୁଅ ସ୍ୱେଦ ଓ ଶୋଣିତର, ଦୁଃଖ ଓ ଦୈନ୍ୟର। ଫୋନ୍‌- ୯୪୩୭୦୩୬୨୭୬

Share :