ଏ ଗୁଜବ ପାଇଁ ଗିରଫ ହେବେ କିଏ?

ଏ ଗୁଜବ ପାଇଁ ଗିରଫ ହେବେ କିଏ?

Share :

ଦେବେନ୍ଦ୍ର ପୃଷ୍ଟି ‘ଗୋବର ଖାଇଲେ, ଗୋମୂତ୍ର ପିଇଲେ କରୋନା ଭୂତାଣୁ କିଛି କରିପାରିବ ନାହିଁ।’ ‘ଦିନ ୧୧ଟାରୁ ୨ଟା ମଧ୍ୟରେ ଟାଣ ଖରାରେ ୧୫ ମିନିଟ ବସିଲେ କରୋନା ଭୂତାଣୁ ଦେହରେ ଥିଲେ ବି ମରିଯିବେ।’ ‘ଯଜ୍ଞ କଲେ କରୋନା ଭୂତାଣୁ ସଂକ୍ରମଣ ହେବନାହିଁ।’ ‘ଯୋଗ ଓ ପ୍ରାଣାୟମ କଲେ କରୋନା ଭୂତାଣୁ ସଂକ୍ରମଣ ଭଲ ହୋଇଯିବ।’ ସଂପ୍ରତି ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଥିବା ନଭେଲ କରୋନା ଭାଇରସ୍‌ ବା କୋଭିଡ଼-୧୯ର ନିରାକରଣ ନେଇ ଏମିତି ଅନେକ ପ୍ରକାର ଅନେକ ପ୍ରକାର ବ୍ୟକ୍ତିଙ୍କଠାରୁ ଶୁଣିବାକୁ ମିଳୁଛି। ଏସବୁ ଗୁଜବ କି ନୁହେଁ ତାହା ଭାରତ ସରକାର ବିଚାର କରିବା କଥା। କିନ୍ତୁ ସେଥିପାଇଁ ଭାରତ ସରକାରଙ୍କ ପାଖରେ ସମୟ ଓ ସଂସ୍କାର ଅଛି କି ନାହିଁ କହିହେବ ନାହିଁ। ଏହା କିନ୍ତୁ ସତ୍ୟ ଯେ ଉପରୋକ୍ତ ‘ସିଦ୍ଧ’ ସୂଚନାଗୁଡ଼ିକ ପରୀକ୍ଷିତ ନୁହେଁ। ବିଜ୍ଞାନ ଓ ପ୍ରଯୁକ୍ତିର କୌଣସି ପରୀକ୍ଷାଗାରରେ ଏହା ସତ୍ୟ ସାବିତ ହୋଇନାହିଁ। ଯଦି ବି ଭାରତ ସରକାର ଏସବୁ ସୂଚନାକୁ ସତ୍ୟ ବୋଲି ସ୍ୱୀକାର କରୁଥାନ୍ତି ତେବେ କରୋନା ବିରୋଧରେ ଏତେବଡ଼ ଯୁଦ୍ଧର ଆୟୋଜନ କ’ଣ ପାଇଁ ତାହା ବୁଝିହୁଏ ନାହିଁ। ଯଦି ଭାରତ ସରକାର ଏହାକୁ ଗୁଜବ ବା ବିଭ୍ରାନ୍ତିକର ସୂଚନା ଭାବେ ଗ୍ରହଣ କରୁଥାନ୍ତି ତେବେ ଏ ପ୍ରକାର ବାର୍ତ୍ତା ପ୍ରଚାର କରୁଥିବା ଲୋକମାନଙ୍କୁ ତୁରନ୍ତ ଗିରଫ କରାଯିବା ଦରକାର। କାରଣ ସରକାରଙ୍କ ସୂଚନା ଅନୁସାରେ କରୋନା ସଂପର୍କୀତ ଗୁଜବ ପ୍ରଚାର କରୁଥିବା ଲୋକମାନଙ୍କୁ ଗିରଫ କରାଯିବା କଥା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସରେ ଆକ୍ରାନ୍ତ ବୋଲି ପ୍ରଚାର କରିବାରୁ ଓଡ଼ିଶାରେ ୪ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଏହା ନିଶ୍ଚୟ ଏକ ଗୁଜବ ଥିଲା। ତେବେ ଏ ଗୁଜବ କରୋନା ସଂପର୍କରେ ନଥିଲା, ଥିଲା ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ। ସେହିପରି ପଶ୍ଚିମ ବଙ୍ଗରେ ଗୋମୂତ୍ର ଓ ଗୋମୟକୁ କରୋନା ନିଦାନ ଭାବେ ପ୍ରଚାର କରିଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ତାଙ୍କ ଅଞ୍ଚଳର ଜଣଙ୍କୁ କରୋନା ହୋଇଛି ବୋଲି ମିଛରେ ପ୍ରଚାର କରିବାରୁ ଓଡ଼ିଶାର କଳାହାଣ୍ଡିରେ ଜଣଙ୍କୁ ଗିରଫ କରାଯାଇଛି। ଅନୁଗୁଳରେ ମଧ୍ୟ ସେହିପରି ଏକ ଅଭିଯୋଗରେ ଅନ୍ୟ ଜଣଙ୍କୁ ଗିରଫ କରାଯାଇଛି। ଯଦି ଏଭଳି ଗୁଜବ ପ୍ରଚାର ପାଇଁ ପୁଲିସ ପ୍ରଶାସନ ଏଥିରେ ସଂପୃକ୍ତ ଲୋକମାନଙ୍କୁ ଗିରଫ କରିପାରୁଛନ୍ତି ତେବେ ଯଜ୍ଞ କଲେ ବା ଖରାରେ ବସିଲେ କରୋନା ହେବ ନାହିଁ ବୋଲି ଯେଉଁମାନେ ପ୍ରଚାର କରୁଛନ୍ତି ସେମାନଙ୍କୁ କାହିଁକି ଗିରଫ କରାନଯିବ? ସେମିତି ଦେଖିଲେ କାହାକୁ କରୋନା ହୋଇଛି ବୋଲି ମିଛରେ ପ୍ରଚାର କଲେ ସେହି ବ୍ୟକ୍ତିଙ୍କର କିଛି କ୍ଷତି ହେବନାହିଁ। କାରଣ ସତ ହେଉଛି ତାଙ୍କୁ କରୋନା ହୋଇନାହିଁ। ସରକାରଙ୍କ ନିର୍ଦ୍ଦେଶାବଳି ଅନୁସାରେ କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ସଙ୍ଗେସଙ୍ଗେ ସଙ୍ଗରୋଧ ବା ପୃଥକ ରହିବା କଥା। କେହି କରୋନା ଆକ୍ରାନ୍ତ ହୋଇଥାନ୍ତୁ ବା ନହୋଇଥାନ୍ତୁ, ସେଥିରେ କିଛି ଯାଏଆସେ ନାହିଁ। ଏହି ନିୟମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ମାତ୍ର, ଯଜ୍ଞ କଲେ କରୋନା ସଂକ୍ରମଣ ବ୍ୟାପିବ ନାହିଁ ବୋଲି ପ୍ରଚାର କରାଗଲେ ସରଳ ବିଶ୍ୱାସୀ ଲୋକମାନେ ତାହା ହିଁ କରିବେ, ଡାକ୍ତରଖାନା ଯିବେ ନାହିଁ। ଯଜ୍ଞ ଏକ ଜଣିକିଆ ଅନୁଷ୍ଠାନ ନୁହେଁ। ଯଜ୍ଞ ଆୟୋଜନ ପାଇଁ ବହୁ ଲୋକଙ୍କୁ ଏକାଠି ହେବାକୁ ପଡ଼ିବ। ଯଜ୍ଞ ଦେଖିବାକୁ ମଧ୍ୟ ବହୁ ଲୋକ ରୁଣ୍ଡ ହୋଇପାରନ୍ତି। ଏହା ସରକାରଙ୍କ କରୋନା ନିର୍ଦ୍ଦେଶାବଳିର ଉଲ୍ଲଙ୍ଘନ। ସରକାରଙ୍କ ନିର୍ଦ୍ଦେଶାବଳି ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଏଭଳି ଯଜ୍ଞ ଆୟୋଜନ କରିଥିବା ବ୍ୟକ୍ତିମାନଙ୍କୁ ଗିରଫ କରାଯାଇପାରିବ। ଏଭଳି ଏକ ଯଜ୍ଞ ଆୟୋଜିତ ହୋଇଛି ଉତ୍ତର ପ୍ରଦେଶର ପ୍ରସିଦ୍ଧ ଗୋରଖନାଥ ମନ୍ଦିରରେ। ଏହି ମନ୍ଦିରର ପୂର୍ବତନ ମହନ୍ତ ହେଉଛନ୍ତି ଯୋଗୀ ଆଦିତ୍ୟନାଥ। ସେ ଏବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ। ସେହିପରି ଦିନ ୧୧ଟାରୁ ୨ଟା ମଧ୍ୟରେ ଟାଣ ଖରାରେ ୧୫ ମିନିଟ ବସିଲେ ଦେହରେ ଥିବା କରୋନା ଭୂତାଣୁ ମରିଯିବେ ବୋଲି କହିଛନ୍ତି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ। ବୈଜ୍ଞାନିକ ପ୍ରମାଣ ଅଭାବରୁ ଏ ସୂଚନା ମଧ୍ୟ ଏକ ଗୁଜବ ଭାବେ ଗ୍ରହଣୀୟ। ଯଦି ଏହାକୁ ସତ୍ୟ ମନେ କରି କୌଣସି କରୋନା ଆକ୍ରାନ୍ତ ରୋଗୀ ଡାକ୍ତରଖାନା ନଯାଇ ଖରାରେ ବସିଲେ ଏବଂ ତାଙ୍କର ମୃତ୍ୟୁ ହେଲା ତେବେ କିଏ ଦାୟୀ ହେବେ? ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ନା ଭାରତ ସରକାର? ସଂପ୍ରତି ଏକ ନିର୍ଦ୍ଦିଷ୍ଟ ସଂଗଠନର ଅନେକ ସଦସ୍ୟ ଓ ଏକ ନିର୍ଦ୍ଦିଷ୍ଟ ରାଜନେତାଙ୍କର ଅନେକ ସମର୍ଥକ ଫେସବୁକ୍‌, ଟୁଇଟର ଓ ହ୍ୱାଟ୍‌ସଆପ ମାଧ୍ୟମରେ ଏହିଭଳି ଅନେକ ଗୁଜବ ପ୍ରଚାର କରୁଛନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ଯଜ୍ଞାଦି ଆୟୋଜନ ଓ ପୂଜାପାଠ ଦ୍ୱାରା କରୋନା ମୁକାବିଲା ସମ୍ଭବ। ସେମାନଙ୍କର ଏପରି ବିଶ୍ୱାସ ଆଦିବାସୀ ଅଧ୍ୟୁସିତ ଅଞ୍ଚଳର ଅଶିକ୍ଷିତ ଲୋକମାନଙ୍କ ବିଶ୍ୱାସ ସହିତ ସମାନ। ଆଦିବାସୀ ଅଞ୍ଚଳରେ ଆଜି ବି ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଜର ହେଲେ ଗୁଣିଆ ଭଲ କରିପାରିବ। ଚେଙ୍କ ଦେଲେ ଅସୁସ୍ଥ ପିଲା ଭଲ ହୋଇଯିବ। ଖାଲି ଆଦିବାସୀ ଅଞ୍ଚଳ କାହିଁକି ଓଡ଼ିଶାର ଅପେକ୍ଷାକୃତ ଅନେକ ଉନ୍ନତ ଅଞ୍ଚଳରେ ମଧ୍ୟ ଏପରି ବିଶ୍ୱାସ ରହିଛି। କାହାକୁ ସାପ କାମୁଡ଼ିଲେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ଲୋକମାନେ ଡାକ୍ତରଖାନା ନେଇ ସାପକାମୁଡ଼ା ଇଂଜେକ୍ସନ ଦେବା ବଦଳରେ ପୀଡ଼ିତଙ୍କ ମୁଣ୍ଡରେ ଗରା ଗରା ପାଣି ଢାଳିଥାନ୍ତି। ସାପ କାମୁଡ଼ିବା ପରେ କେହି କେହି ଡାକ୍ତରଖାନା ନଯାଇ ମନ୍ଦିର ଯାଇଁ ଅଧିଆ ପଡ଼ିଥାନ୍ତି। ଫଳାଫଳ କ’ଣ ହୁଏ ତାହା ସମସ୍ତେ ଜାଣନ୍ତି। ତେବେ, ଏଭଳି ସବୁ ବିଶ୍ୱାସ ଯେ ଅନ୍ଧବିଶ୍ୱାସ ତାହା କୁହାଯାଇପାରିବ ନାହିଁ। ଏଇ ଯେପରି ନିୟମିତ ତୁଳସୀପତ୍ର ଖାଇଲେ ଥଣ୍ଡା ଓ ସର୍ଦ୍ଦି ଇତ୍ୟାଦି ବିରୋଧରେ ଶରୀରରେ ପ୍ରାକୃତିକ ଶକ୍ତି ବୃଦ୍ଧି ପାଏ। ବୈଜ୍ଞାନିକ ପରୀକ୍ଷାଗାରରେ ଏହା ପରୀକ୍ଷିତ ହେବାର ବହୁ ପୂର୍ବରୁ ଭାରତୀୟ ସଭ୍ୟତାରେ ଏହା ସିଦ୍ଧ ହୋଇସାରିଛି। ଆୟୁର୍ବେଦରେ ଏଭଳି ଅନେକ ଗୁଳ୍ମଲତାର ଉଲ୍ଲେଖ ଅଛି ଯେଉଁଗୁଡ଼ିକ ଔଷଧୀୟ। ସେଗୁଡ଼ିକ ଭିନ୍ନ ରୋଗ ପାଇଁ ନିଦାନ ଭାବେ କାର୍ଯ୍ୟ କରିଥାନ୍ତି। ଯୋଗ ଓ ପ୍ରାଣାୟମ ମଧ୍ୟ କେତେକ ରୋଗର ଉପଚାର ଭାବେ ପରିଗୃହୀତ। କିନ୍ତୁ ଯୋଗ ପଦ୍ଧତିଗୁଡ଼ିକ ଯେ କରୋନା ଭାଇରସ ମୁକାବିଲା କରିପାରିବ ତାହାର ପୂର୍ବ ପ୍ରମାଣ ନାହିଁ। କାରଣ ଏ ଭୂତାଣୁଟି ସଂପୂର୍ଣ୍ଣ ନୂଆ। ଯେଉଁମାନେ ଗୋମୂତ୍ର, ଗୋମୟ, ଯୋଗ, ଯଜ୍ଞ ଓ ଖରା ଆଦିକୁ କରୋନା ନିଦାନ ଭାବେ ପ୍ରଚାର କରୁଛନ୍ତି ସେମାନେ ଏହାକୁ ନିଜ କ୍ଷେତ୍ରରେ ପ୍ରୟୋଗ କରିନାହାନ୍ତି। ସେମାନେ ଆଗେ କରୋନା ପୀଡ଼ିତ ହୋଇ ଏପରି ଉପଚାର ଦ୍ୱାରା ଭଲ ହେବା ପରେ ନିଜ ଅଭିଜ୍ଞତା ବାଣ୍ଟିଥିଲେ ଅଲଗା କଥା ହୋଇଥାନ୍ତା। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏକ ପ୍ରଶ୍ନ ହେଉଛି, ଯଦି କରୋନାର ଏସବୁ ସହଜ ଔଷଧ ବା ଉପଚାର ଉପଲବ୍ଧ ତେବେ ଭାରତ ସରକାରଙ୍କ ସମେତ ରାଜ୍ୟ ସରକାରଗୁଡ଼ିକ କାହିଁକି କରୋନା ବିରୋଧରେ ଭାରତ ବନ୍ଦ ଭଳି ଅବସ୍ଥା ସୃଷ୍ଟି କରିଛନ୍ତି? ସହରରେ ଅଭାବ ହୋଇପାରେ କିନ୍ତୁ ଭାରତର ଗାଁ ଗହଳରେ ଗାଈଗୋରୁ ସଂଖ୍ୟା କମ୍‌ ନୁହେଁ। ଯୋଗ ମଧ୍ୟ ସ୍ୱାସ୍ଥ୍ୟ ସଚେତନ ଲୋକମାନଙ୍କର ଜୀବନଶୈଳୀରେ ପଶିଗଲାଣି। ଭାରତ ଏକ ଗ୍ରୀଷ୍ମ ପ୍ରଧାନ ଦେଶ ଓ ଏବେ ସୁଦ୍ଧା ଭାରତର ଅନେକ ଅଞ୍ଚଳରେ ଖରାତାତି ବଢ଼ିଲାଣି। ତେଣୁ ସରକାର କାହିଁକି ଛାନିଆ ହେଉଛନ୍ତି? ଏଭଳି ‘ବିଜ୍ଞ’ ଲୋକଙ୍କ ପରାମର୍ଶ ମାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ମୁକାବିଲା କରିବାକୁ ସ୍ୱାମୀ ରାମଦେବଙ୍କଠାରୁ ଆରମ୍ଭ କରି ଅଶ୍ୱିନୀ ଚୌବେ ଓ ଅନ୍ୟମାନଙ୍କୁ କାର୍ଯ୍ୟରେ ଲଗେଇଦିଅନ୍ତୁ। ସ୍ୱାସ୍ଥ୍ୟ କର୍ଫ୍ୟୁ ବା ହେଲ୍‌ଥ ଏମର୍ଜେନ୍ସି ପରି ପରିସ୍ଥିତି ସୃଷ୍ଟି କରିବା କ’ଣ ଦରକାର? (ସୌ- ଓଡ଼ିଶା ରିପୋର୍ଟର)

Share :