ଧନୀ-ଗରୀବ ତାରତମ୍ୟ ବୃଦ୍ଧି କ’ଣ ସମାଜବାଦ?

ଧନୀ-ଗରୀବ ତାରତମ୍ୟ ବୃଦ୍ଧି କ’ଣ ସମାଜବାଦ?

ଦେବେନ୍ଦ୍ର ପୃଷ୍ଟି ଭାରତୀୟ ସମ୍ବିଧାନର ମୁଖବନ୍ଧରେ ଭାରତର ଲୋକମାନଙ୍କୁ ଭାରତର ଲୋକମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଭାରତକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ସମାଜବାଦୀ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ଗଢ଼ାଯିବ। ସମାଜବାଦୀ ଧର୍ମନିରପେକ୍ଷ ଶବ୍ଦ ମୂଳରୁ ସମ୍ବିଧାନର ମୁଖବନ୍ଧରେ ନଥିଲା। ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲାବେଳେ ଅଶି ଦଶକରେ ସମ୍ବିଧାନ ସଂଶୋଧନ ଜରିଆରେ ଏହା ଏଥିରେ ସନ୍ନିବେଶିତ ହୋଇଥିଲା। ତେବେ ଏ ଦୁଇଟି ଶବ୍ଦ ନଥିଲେ ମଧ୍ୟ ମୂଳରୁ ଭାରତୀୟ ସମ୍ବିଧାନରେ ସମାଜବାଦୀ ଆଭିମୁଖ୍ୟ ଭରପୂର ରହିଥିଲା। ସମାନତା, ସ୍ୱତନ୍ତ୍ରତା ଓ ସ୍ୱାଧୀନତା ସହିତ ମର୍ଯ୍ୟାଦାଜନକ ଜୀବନ ବଂଚିବାର ଅଧିକାର, ରୋଜଗାର ଅଧିକାର, ଅସ୍ପୃଶ୍ୟତା ଦୂରୀକରଣ, ସଂରକ୍ଷଣ ଆଦି ଜରିଆରେ ସାମାଜିକ, ରାଜନୀତିକ ଓ ଆର୍ଥନୀତିକ ସମାନତା ପ୍ରତିଷ୍ଠା କରିବା ଥିଲା ଭାରତୀୟ ସମ୍ବିଧାନର ମୂଳ ବିଚାରଧାରା। କିନ୍ତୁ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେବାର ୬୯ ବର୍ଷ ପରେ ସ୍ଥିତି ସଂପୂର୍ଣ୍ଣ ଓଲଟା ହୋଇଯାଇଛି। ସରକାର ଦେଶରେ ସମାଜବାଦ ପ୍ରତିଷ୍ଠା କରିବା ପରିବର୍ତ୍ତେ ଆର୍ଥିକ ଅସମାନତା ବୃଦ୍ଧିରେ ସହାୟକ ହୋଇଛନ୍ତି। ୧୯୫୦ ଜାନୁଆରୀ ୨୬ ତାରିଖରେ କାର୍ଯ୍ୟକାରୀ ହୋଇଥିଲା ଭାରତୀୟ ସମ୍ବିଧାନ। ୨୦୨୦ ଜାନୁଆରୀ ୨୦ ତାରିଖରେ ଅକ୍ସଫାମ୍‌ ତରଫରୁ ପ୍ରକାଶ ପାଇଥିବା ବିଶ୍ୱ ଅସମାନତା ରିପୋର୍ଟ ଅନୁସାରେ ଭାରତର ମାତ୍ର ୬୩ ଜଣ ଅର୍ବୁଦପତିଙ୍କ ସଂପତ୍ତିର ପରିମାଣ ୨୦୧୮-୧୯ ବର୍ଷରେ ଭାରତର ବାର୍ଷିକ ବଜେଟ ପରିମାଣଠୁଁ ଅଧିକ। ସେହି ବର୍ଷ ଭାରତର ବାର୍ଷିକ ବଜେଟର ପରିମାଣ ଥିଲା ୨୪ ଲକ୍ଷ ୪୨ ହଜାର ୨୨୦ କୋଟି ଟଙ୍କା। ଏହି ପରିସଂଖ୍ୟାରୁ ଯଦି ଭାରତର ଆର୍ଥିକ ଅସମାନତାର ଘନତ୍ୱ ବୁଝି ହେଉନାହିଁ ତେବେ ଅନ୍ୟ ଏକ ପରିସଂଖ୍ୟାନର ତର୍ଜମା କରାଯାଉ। ଏବେ ଭାରତର ମାତ୍ର ୧ ପ୍ରତିଶତ ଧନ-କୁବେରଙ୍କ ସଂପତ୍ତିର ପରିମାଣ ଭାରତର ୭୦ ପ୍ରତିଶତ ଗରୀବଙ୍କ ପାଖରେ ଥିବା ମୋଟ ସଂପତ୍ତିଠାରୁ ୪ ଗୁଣ ଅଧିକ। ଏବେ ବୁଝିବାରେ ତ କିଛି ଅସୁବିଧା ହେବନି! ଭାରତର ଜନସଂଖ୍ୟା ଏବେ ପ୍ରାୟ ୧୩୦ କୋଟି। ଏହାର ପ୍ରାୟ ୩୦ ପ୍ରତିଶତ ହେଲେ ଗରୀବ। ଅର୍ଥାତ ଭାରତର ଗରୀବଙ୍କ ସଂଖ୍ୟା ହେଉଛି ପ୍ରାୟ ୪୦ କୋଟି। ଏହାର ୭୦ ପ୍ରତିଶତ ଅର୍ଥାତ ପ୍ରାୟ ୨୮ କୋଟି ଲୋକଙ୍କ ନିକଟରେ ମୋଟ ଯେତେ ପରିମାଣର ସଂପତ୍ତି ଅଛି ତାହାଠାରୁ ୪ ଗୁଣ ଅଧିକ ସଂପତ୍ତିର ଅଧିକାରୀ ହେଲେ ମାତ୍ର ୧ ପ୍ରତିଶତ ଧନ କୁବେର। ୨୦୧୮ ବର୍ଷର ହିସାବ ଅନୁସାରେ ଭାରତରେ ସର୍ବାଧିକ ଧନୀ ବା ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ସଂପତ୍ତିର ଅଧିକାରୀଙ୍କ ସଂଖ୍ୟା ଥିଲା ମାତ୍ର ୧୧୯। ୨୦୨୭ ସୁଦ୍ଧା ସେମାନଙ୍କ ସଂଖ୍ୟା ୩୫୭ ହେବ ବୋଲି ଆକଳନ କରାଯାଉଛି। ଅର୍ଥାତ ଆଗକୁ ଆର୍ଥିକ ଅସାମନତା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଭାରତର ୧୧୯ ଜଣ ଲୋକଙ୍କ ସଂପତ୍ତି ୪୦ କୋଟି ଗରୀବ ଲୋକଙ୍କ ସଂପତ୍ତିଠାରୁ ୪ ଗୁଣ ଅଧିକ ହେବା କେଉଁ ପ୍ରକାର ସମାଜବାଦର ଲକ୍ଷଣ ବୋଲି କୁହାଯିବ? ଏହି ପରିସଂଖ୍ୟାନରୁ ସ୍ପଷ୍ଟ ହେଉ ନଥିଲେ ମଧ୍ୟ ଏହା ସତ ଯେ ଭାରତର ଦାରିଦ୍ର୍ୟ କମୁଛି। ୧୯୫୦ ମସିହାରେ ଭାରତର ଦାରିଦ୍ର୍ୟ ହାର ଯାହା ଥିଲା ଆଜି ତାହା ନାହିଁ। କିନ୍ତୁ ଏହି ସମୟ ମଧ୍ୟରେ ଭାରତର ଧନୀଙ୍କ ସଂପତ୍ତି ଯେଉଁ ହାରରେ ବଢ଼ିଛି ସେହି ହାରରେ ଗରୀବ ଲୋକଙ୍କ ଦାରିଦ୍ର୍ୟ କମିନାହିଁ। ସ୍ୱାଧୀନତାର ପ୍ରଥମ କେଇ ଦଶନ୍ଧି ପରେ ପରକୁ ପର ଭାରତ ସରକାରଗୁଡ଼ିକ ଗ୍ରହଣ କରିଥିବା ପୁଞ୍ଜିବାଦୀ ଆଭିମୁଖ୍ୟ ଯୋଗୁଁ ଭାରତବର୍ଷରେ ଧନୀ ଅଧିକ ଧନୀ ଓ ଗରୀବ ଅଧିକ ଗରୀବ ହୋଇଚାଲିଛନ୍ତି। ଏପରି ହେବାର ଅନେକ କାରଣ ରହିଛି। ଉଦାହରଣ ସ୍ୱରୂପ ଭାରତରେ ସରକାରୀ କ୍ଷେତ୍ରରେ ନିଯୁକ୍ତ ସର୍ବଭାରତୀୟ ଅଧିକାରୀମାନଙ୍କର ଦରମା ଯେଉଁ ହାରରେ ବୃଦ୍ଧି ପାଇଛି ସେହି ହାରରେ ତୃଣମୂଳ ସ୍ତରର ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇନାହିଁ। ପୁଣି ସରକାରୀ ଅଧିକାରୀମାନଙ୍କ ବେତନ ବୃଦ୍ଧି ହାର ସହିତ ଦିନ ମଜୁରିଆଙ୍କ ମଜୁରୀ ବୃଦ୍ଧି ସମାନ ନୁହେଁ, ଅନେକ କମ୍‌। ଭାରତର ସଂଗଠିତ କ୍ଷେତ୍ରରେ ନିଯୁକ୍ତ ଶ୍ରମିକ ଓ କର୍ମଚାରୀଙ୍କ ଦରମା ବୃଦ୍ଧି ହାର ସହିତ ଅସଂଗଠିତ ଶ୍ରମିକଙ୍କ ମଜୁରୀ ବୃଦ୍ଧି ହାର ସମାନ ନୁହେଁ, ଅନେକ କମ୍‌। ବଜାର ଦର ବଢ଼ିଲେ ସରକାରୀ କର୍ମଚାରୀମାନେ ନିଜ ପାଇଁ ମହଙ୍ଗା ଭତ୍ତା ବୃଦ୍ଧିର ବ୍ୟବସ୍ଥା କରିଛନ୍ତି। ଏହା ଫଳରେ ମୁଦ୍ରାସ୍ପୀତି ଓ ଦରବୃଦ୍ଧି ପରି ଆର୍ଥନୀତିକ ଅଘଟଣ ସେମାନଙ୍କ ବ୍ୟକ୍ତିଗତ ଅର୍ଥନୀତି ଉପରେ ପ୍ରଭାବ ପକାଏ ନାହିଁ, ବରଂ ସେଥିରୁ ସେମାନେ ଫାଇଦା ପାଆନ୍ତି, ସେମାନଙ୍କର ରୋଜଗାର ବୃଦ୍ଧି ହୁଏ। କିନ୍ତୁ ସାଧାରଣ ଓ ଅନ୍ୟ ବର୍ଗର ଲୋକମାନେ ଏହି ଫାଇଦାରୁ ବଂଚିତ ରହିଯାଆନ୍ତି। ଅଧିକନ୍ତୁ ଏହି ସାଧାରଣ ଲୋକଙ୍କ ଟିକସ ଅର୍ଥରୁ ହିଁ ସରକାରୀ କର୍ମଚାରୀମାନେ ମହଙ୍ଗା ଭତ୍ତା ପାଆନ୍ତି। ଆର୍ଥିକ ଅସମାନତା ଦିଗରେ ଏହା ଏକ ବଡ଼ କାରଣ। ଠିକ ସେହିପରି ସରକାରୀ ଓ ସଂଗଠିତ କ୍ଷେତ୍ରର ଛୁଟି ସୁବିଧା। ଏ ସୁବିଧା ସାଧାରଣ ଶ୍ରମିକମାନଙ୍କର ନାହିଁ। ସରକାରୀ କ୍ଷେତ୍ରର କର୍ମଚାରୀମାନେ ବର୍ଷକ ୩୬୫ ଦିନର ଦରମା ଓ ଭତ୍ତା ପାଇଥାନ୍ତି। କିନ୍ତୁ ସେମାନେ କାମ କରନ୍ତି ୨୫୦ ଦିନରୁ କମ୍‌। ବାକି ଦିନଗୁଡ଼ିକ ସେମାନେ ନିଜର ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟସ୍ତ ରହନ୍ତି ବା ଆୟ ବଢ଼ାଇବା ପାଇଁ ଅନ୍ୟ କିଛି ଧନ୍ଦା କରିଥାନ୍ତି। ଅଥଚ ଗରୀବ ଲୋକମାନଙ୍କର କୌଣସି ଛୁଟି ନାହିଁ। ଏପରିକି ସେମାନେ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସର ଛଟିରୁ ମଧ୍ୟ ବଂଚିତ। ସେମାନେ ଯେଉଁ ଦିନ କାମ ନକରିବେ ସେଦିନ କମ୍ମେଇ, ରୋଜଗାର ବନ୍ଦ। ସରକାରୀ କର୍ମଚାରୀମାନେ ଛୁଟିରେ ରହିଲେ ବି ରୋଜଗାର କମେ ନାହିଁ। ଆର୍ଥିକ ଅସମାନତା ବୃଦ୍ଧି ଦିଗରେ ଏହା ମଧ୍ୟ ଏକ ଛୋଟ ଉଦାହରଣ। ତେବେ, ଭାରତବର୍ଷର ଯେଉଁ ପରି ବ୍ୟାପକ ଭାବେ ଧନୀ-ଗରୀବ ତାରତମ୍ୟ ବୃଦ୍ଧି ପାଉଛି, ତାହାର ଫାଇଦା କେବଳ ସରକାରୀ କର୍ମଚାରୀମାନେ ପାଉଛନ୍ତି ବୋଲି କୁହାଯାଇ ପାରିବ ନାହିଁ। ବରଂ ସରକାରୀ କର୍ମଚାରୀଙ୍କ ଆୟ ମଧ୍ୟ କେତେକ ସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ଆୟ ବୃଦ୍ଧି ହାରଠାରୁ ଯଥେଷ୍ଟ କମ୍‌ ବୋଲି ହିସାବ କରାଯାଇଛି। ଦେଶର ପ୍ରଯୁକ୍ତି ଓ ଉଦ୍ୟୋଗ କ୍ଷେତ୍ରରେ କାମ କରୁଥିବା ବଡ଼ ବଡ଼ ଅଧିକାରୀଙ୍କ ଦରମା ଓ ଭତ୍ତା ସରକାରୀ କ୍ଷେତ୍ରର ଅଧିକାରୀଙ୍କଠାରୁ ମଧ୍ୟ ଯଥେଷ୍ଟ ଅଧିକ। ଦେଶର କ୍ୟାବିନେଟ ସଚିବଙ୍କର ଦରମା ଓ ଭତ୍ତାଠାରୁ ଅମ୍ବାନି ଓ ଅଦାନି ପରି ବ୍ୟାବସାୟିକ ଗୋଷ୍ଠୀର ମୁଖ୍ୟ କାର୍ଯ୍ୟାଧିକାରୀଙ୍କ ଦରକାର କାହିଁ କେତେ ଗୁଣ ଅଧିକ। ମୁକେଶ ଅମ୍ବାନି ବାର୍ଷିକ ପ୍ରାୟ ୨୦ କୋଟି ଟଙ୍କା ଦରମା ଆକାରରେ ନିଅନ୍ତି। ଭାରତର ରାଷ୍ଟ୍ରପତି ମଧ୍ୟ ଏତେ ଦରମା ପାଆନ୍ତି ନାହିଁ। ହିସାବ କରାଯାଇଛି ଯେ ଭାରତର ପ୍ରଯୁକ୍ତି କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀମାନଙ୍କର ଦରମା ସେକେଣ୍ଡକୁ ପ୍ରାୟ ୧୦୬ ଟଙ୍କା। ପ୍ରଯୁକ୍ତି କ୍ଷେତ୍ରର ଜଣେ କାର୍ଯ୍ୟ ନିର୍ବାହୀ ଯେତେ ଟଙ୍କା ରୋଜଗାର କରନ୍ତି ସେତିକି ଟଙ୍କା ରୋଜଗାର କରିବାକୁ ହେଲେ ଜଣେ ଘରୋଇ ସହାୟକଙ୍କୁ ୨୨,୨୭୭ ବର୍ଷ ଲାଗିବ। ଏହା ଏହି ଆର୍ଥିକ ବୈଷମ୍ୟର ଅନ୍ୟ ଏକ ପରିସଂଖ୍ୟାନ। ମହିଳା ଓ ଝିଅମାନେ ପ୍ରତି ଦିନ ୩୨୬ କୋଟି ଘଣ୍ଟାର ମାଗଣା କାମ କରିଥାନ୍ତି। ଅର୍ଥାତ ସେମାନେ କରୁଥିବା କାମ ପାଇଁ କୌଣସି ପାଉଣା ପାଆନ୍ତି ନାହିଁ। ସେମାନଙ୍କୁ ଯଦି ଏହି କାମ ବାବଦରେ ପାରିଶ୍ରମିକ ମିଳୁଥାନ୍ତା ତେବେ ତାହା ବାର୍ଷିକ ୧୯ ଲକ୍ଷ କୋଟି ଟଙ୍କା ହୁଅନ୍ତା। ଏ ଟଙ୍କା ସେମାନଙ୍କୁ ମିଳେ ନାହିଁ। ବିଶ୍ୱ ସ୍ତରରେ ଏହିପରି ବୈଷମ୍ୟ ବରକରାର ରହିଛି। ଭାରତର ଚିତ୍ର ଏହାଠାରୁ ଅଲଗା ନୁହେଁ। ବରଂ ଭାରତବର୍ଷର ମହିଳାମାନେ ଅଧିକ ପାତରଅନ୍ତରର ଶିକାର ହେଉଛନ୍ତି। ଭାରତରେ ମହିଳାମାନଙ୍କର ଶ୍ରମ ଓ ଉତ୍ପାଦନକୁ ଅର୍ଥନୀତିର ଅଙ୍ଗ ଭାବେ ଏଯାଏଁ ହିସାବ କରାଯାଉ ନାହିଁ। ଅଧିକନ୍ତୁ ଭାରତର ପ୍ରାୟ ସମସ୍ତ ରାଜ୍ୟର ଅଣସଂଗଠିତ କ୍ଷେତ୍ରରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ମଜୁରୀଗତ ବ୍ୟବଧାନ ଅବ୍ୟାହତ ରହିଛି। ଭାରତର କୃଷି କ୍ଷେତ୍ରରେ ସମାନ କାମ କରୁଥିବା ମହିଳାଙ୍କ ମଜୁରୀ ପୁରୁଷଙ୍କଠାରୁ କମ୍‌। ଧନୀ ଲୋକଙ୍କ ଘରେ ଘରୋଇ ସହାୟକ ଭାବେ କାର୍ଯ୍ୟ କରୁଥିବା ଲୋକମାନେ ଯେତିକି ପାଉଣା ପାଆନ୍ତି ଗରୀବ ବା ନିମ୍ନ ମଧ୍ୟବିତ୍ତ ଲୋକର ଘରେ ସେହି ସମାନ କାମ କରୁଥିବା ମହିଳା ଜଣେ ସେଥିପାଇଁ ଆଦୌ ପାଉଣା ପାଏ ନାହିଁ। ଅବଶ୍ୟ ଏହି ବର୍ଗର ମହିଳା ଓ ଝିଅମାନଙ୍କର ପରିଶ୍ରମ ସେମାନଙ୍କ ପାରିବାରିକ ଅର୍ଥନୀତିକୁ ସୁଦୃଢ଼ କରେ, ଅର୍ଜନ ଆକାରରେ ନୁହେଁ, ସଂଚୟ ଆକାରରେ। ତଥାପି ଏହା ଏକ ଅସାମନତା। ଶିଳ୍ପ ଓ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସରକାରୀ ପ୍ରୋତ୍ସାହନ, ଜମି, ଜଳ, ଜଙ୍ଗଲ ଓ ଖଣି ଆଦି ପ୍ରାକୃତିକ ସମ୍ବଳର ଘରୋଇକରଣ, ଟିକସ ଛାଡ଼, ରିହାତି ଆଦି ଜରିଆରେ ସରକାର ହିଁ ଅନେକ ସମୟରେ ଆର୍ଥିକ ବୈଷମ୍ୟ ବୃଦ୍ଧି କରିବାରେ ସହାୟକ ହୋଇଛନ୍ତି। ଶିଳ୍ପ ଓ ବ୍ୟବସାୟ ଯୋଗୁଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି ବୋଲି କୁହାଯାଉଥିଲେ ହେଁ ବାସ୍ତବରେ ଏହାର ବିପରୀତ ପରିଣାମ ସୃଷ୍ଟି ହେଉଛି। ଆଧୁନିକ ଯୁଗରେ ବିନା ପ୍ରଯୁକ୍ତିରେ ଶିଳ୍ପ ଓ ବ୍ୟବସାୟ କଥା କଳ୍ପନା କରାଯାଇ ନପାରେ। ପ୍ରଯୁକ୍ତି ସଭ୍ୟତା ଯୋଗୁଁ କର୍ମକ୍ଷେତ୍ରରେ ମଣିଷଙ୍କ ତୁଳନାରେ ଯନ୍ତ୍ରର ଆଦର ବଢ଼ୁଛି। ଗୋଟିଏ ଗୋଟିଏ ଯନ୍ତ୍ର ଶହଶହ ମଣିଷଙ୍କ କାମ କରିଦେଉଛି। ତେଣୁ ଯେତେ ଶିଳ୍ପ ହେଉଛି ସେତେ ଅଧିକ ମଣିଷ ରୋଜଗାର ସୁଯୋଗ ହରାଉଛନ୍ତି ବା ବୃତ୍ତିଚ୍ୟୁତ ହେଉଛନ୍ତି। ଆର୍ଥିକ ଅସମାନତା ବୃଦ୍ଧିର ଏହା ହେଉଛି ସବୁଠୁ ବଡ଼ କାରଣ। (ସୌ- ଓଡ଼ିଶା ରିପୋର୍ଟର)

Share :