ମନବୋଧ ଚଉତିଶା

ମନବୋଧ ଚଉତିଶା

Share :

ଭକ୍ତ ଚରଣ ଦାସ କହଇ ମନ ଆରେ ମୋ ବୋଲ କର, କଳା ଶ୍ରୀମୁଖ ବାରେ ଦେଖିବା ଚାଲ। କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ, କି ଘେନି ଯିବୁ ତୋର ଛୁଟିଲେ ଘଟ। (୧) ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି, ଖାଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟି । ଖଟ ପଲଙ୍କେ ମନ ଶେଯାଇ ଶୋଉ, ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁ ।(୨) ଗଲେଣି ତୋ ସଙ୍ଗରୁ ଯେତେକ ଜନ, ଗଣ୍ଠିରେ ବାନ୍ଧିନେଲେ କେ କେତେ ଧନ। ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନନେଲୁ, ଗାଢ଼େ ମଜ୍ଜିଣ ନିତ୍ୟ ଧନ ଅର୍ଜିଲୁ।(୩) ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ, ଘଟ ଛୁଟିଲେ ତୋତେ ବୋଲିବେ ଭୂତ। ଘର ଘରଣି ଦେହ କୀଳାଉଥିବେ, ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ।(୪) ଉଦ୍ଧାର ହେବୁ ଯେବେ ଭବ ସାଗରୁ, ଉପାୟ କରି ଭଜ ଏବେ ଶ୍ରୀଗୁରୁ। ଊଣା ହେଉଛି ଦିନୁ ଦିନ ଆୟୁଷ, ଆଉ ଏଣିକି ଅଛି କେତେ ବୟସ।(୫) ଚିତ୍ର ପ୍ରତିମା ପ୍ରାୟେ ଦିଶୁ ସୁନ୍ଦର, ଚିରି ଭିତରେ ଦେଖ କି ନାରଖାର। ଚର୍ମ ବେଢ଼ିଛି ସିନା ଚଉରାଶିକି, ଚିତ୍ତ ତୁ ଦିଅ ନୀଳଗିରିବାସୀଙ୍କି।(୬) ଛାର ଦେହକୁ ମନ କରୁଛୁ ସଜ, ଛନ୍ଦ କପଟ ତେଜି ଗୋବିନ୍ଦ ଭଜ। ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା, ଛ’ଖଣ୍ଡି କାଠ ହେବ ତୋପାଇଁ ଲୋଡ଼ା।(୭) ଯମ ଯେ ନ ଜାଣଇ ବାଳୁତ ଯୁବା, ଜୀଇଁବୁ ବୋଲି ମନେ କରିଛୁ ଅବା। ଜଣେହିଁ ଏଥୁ କେହି ନାହିଁ ଅମର, ଜଗନ୍ନାଥଙ୍କୁ ଭଜ ହେବୁ ଉଦ୍ଧାର।(୮) ଝୋଲା ଗନ୍ଥା ପାଛୋଡ଼ା ପିନ୍ଧାକୁ ରସୁ, ଝଡ଼ ସଂସାରେ ମନ ନବୁଝି ପଶୁ। ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ, ଝଡ଼ିଲା ପତ୍ର ବୃକ୍ଷେ ଲାଗିଛି କାହିଁ।(୯) ନିଶି ଦିବସ ଥୟ ନୋହୁଛି ମନ, ନିଦ୍ରାରେ ଦେଖୁଅଛୁ ଯଥା ସ୍ୱପନ। ନଯିବେ ସଙ୍ଗେ କେହି ଯିବୁ ତୁ ଏକା, ନାମ ମାତ୍ର ଅଟଇ ପଥକୁ ସଖା।(୧୦) ଟାଣ କରୁଛୁ ମନ ସବୁ ମୋହରି, ଟଳି ପଡ଼ିଲେ କେହି ନୁହେଁ କାହାରି। ଟେରା ଭିତରେ ଯେହ୍ନେ ଅପୂର୍ବ ନାରୀ, ଟୋପ ଚଉଁରା ଅଛି ତୋ ଦେହେ ପୁରି।(୧୧) ଠିକେ ମୁଁ କହୁଅଛି କର ମୋ କଥା, ଠିକ ଦେହରେ ଅଛି ଶୂନ୍ୟ ଦେବତା। ଠକି ଯିବୁଟି ମନ ମୁଣ୍ଡ ପଡ଼ିଲେ, ଠିକେ ଗୁରୁଙ୍କ ସେବା କର ତୁ ଭଲେ।(୧୨) ଡାକି କହୁଛି ମନ ଡାକ ଗୋବିନ୍ଦ, ଡର ଜଞ୍ଜାଳ ଯାଉ ମୋହର ହୃଦ। ଡେରିଥାନ୍ତି ଶ୍ରବଣ ଭକ୍ତ ଡାକକୁ, ଡଙ୍ଗା ଯେହ୍ନେ ଜଳରେ ଚାହେଁ ପଛକୁ।(୧୩) ଢୋଲ ଯେସନେ ଢାଉଁ ଢାଉଁ ବାଜଇ, ଢଳେ ତହିଁ ଭିତରେ କିଛି ହିଁ ନାହିଁ। ଢାଙ୍କି ରହିଛି ଦେହ ସବୁଟି ତୁଚ୍ଛ, ଢଳି ପଡ଼ିଲେ ସବୁ ହେବଟି ମିଛ। (୧୪) ଏଣେ ତୁ ଦେଇଥିଲେ ତେଣେ ପାଇବୁ, ଅଣଆୟତ୍ତ ବେଳେ କି ଘେନି ଯିବୁ। ଅଣବିଶ୍ୱାସୀ ହୋଇ ରହିବୁ ଦିନେ, ଅନେକ ଦୁଃଖଦେବେ ଯମ ଭୁବନେ। (୧୫) ତୁ ଯେ ବୋଲୁଛୁ ମୋର ଅର୍ଜିଲା ଧନ, ତୋ ଦେହ ନୁହେଁ ତୋର ଦେଖ ଏ ମନ। ତିହରି ସଙ୍ଗୁ ମନ ଗଲେଣି କେତେ, ତୁ ମିଥ୍ୟା କଥାକୁ ତ ଯାଉ ପରତେ। (୧୬) ଥିଲେ ଏ ସଂସାରରେ ଯେତେ ନୃପତି, ଥୟ କରି କେ ଭୋଗ କଲା ଏ ପୃଥିବୀ। ଥୋଇଲା ଧନ ତୋର ଖୁଣ୍ଟି ଖାଇବେ, ଥାନେ ତୋହର ଘର କରି ରହିବେ।(୧୭) ଦେହେ ପୂରିଛି ତୋର ଅଶେଷ ରୋଗ, ଦିନ ଚାରିକ ସିନା ଏ ସୁଖ ଭୋଗ। ଦଣ୍ଡେ ହେ ବେଳ ତୋତେ ରଖିବେ ନାହିଁ, ଦଣ୍ଡୁ ଯେ ଥିବେ ଯମ ଡଗର ନେଇ। (୧୮) ଧର୍ମ ଅଧର୍ମ କଥା ନଜାଣୁ ତୁହି, ଧନ୍ଦି ହେଉଛୁ ଧନ ଅର୍ଜିବା ପାଇଁ। ଧୋକା ରଖିଲେ ଧନ୍ଦା ଫିଟିବ ନାହିଁ, ଧର୍ମ ରେ ଆତଯାତ ହେଉଛି ମହୀ। (୧୯) ନିନ୍ଦି ଅକର୍ମ କଲେ ନିନ୍ଦା ପାଇବୁ, ନରକେ ପଡ଼ି କେତେ ଦୁଃଖ ସହିବୁ। ନିମିଷେ ମାତ୍ର ତୁଣ୍ଡେ ନନେଲୁ ହରି, ନାଶ ହେତୁକୁ କିମ୍ପା ଅଛୁ ଆବୋରି। (୨୦) ପାହିଲା ନିଶି ଯେହ୍ନେ ରବି ଉଦୟ, ପଦ୍ମଲୋଚନ ସବୁ ଦେହେ ଉଦୟ। ପ୍ରଭୁଙ୍କୁ ଆଶ୍ରେ କର ତରିବୁ ଯେବେ, ତା ପାଦପଦ୍ମେ ଚିତ୍ତ ଦିଅତୁ ଏବେ। (୨୧) ଫୁଲ ଯେସନେ ଫୁଲେ ଫୁଲେ ବିହରେ, ଫୁଲ ସମୀରେ ଆଉ ନଦିଶେ ତାରେ। ଫୁଲ ସଂସାରେ ଲାଭ ହରି ଭଜନ, ଫାଶଗଳା କୁ କିମ୍ପା କରିଛୁ ମନ। (୨୨) ବେଳକୁ ବେଳ ତୋତେ କହୁଛି ମୁହିଁ, ବାନ୍ଧିଣ ନେବ ଯମ କି ଦୁଃଖ ଦେଇ। ବିକଳେ କାନ୍ଦୁଥିବୁ ଆକୁଳ ହୋଇ, ବେଳହୁଁ ଆଶ୍ରେକରି ଭଜ ଗୋସାଇଁ। (୨୩) ଭେଳା ବୁଡ଼ିବ ହେଳା କଲେ କହୁଛି, ଭଙ୍ଗା ନାବରେ କିଏ ସିନ୍ଧୁ ତରିଛି। ଭାବକୁ ନିକଟ ସେ ଅଭାବେ ଦୂର, ଭକତ ଦାସ କହେ ଜୀବନ ଛାର। (୨୪) ମିଥ୍ୟା ମାୟା ସଂସାର ନୋହେ କାହାରି, ମଲା ବୋଲିଣ ଦିନେ ପଡ଼ିବ ହୁରି। ମହୀ ଭିତରେ କେହି ଦେଖିବ ନାହିଁ, ମଲା ବୋଲି କାନ୍ଦୁଛୁ ମରିବୁ ତୁହି। (୨୫) ଜନମ ହେଲେ ପ୍ରାଣୀ ଅବଶ୍ୟ ମରି, ଯଶ ରଖିବୁ ଯେବେ ଭଜ ଶ୍ରୀହରି। ଯମ ବାନ୍ଧିନେବେଟି ହେବୁ ମେଲାଣି, ଜଗନ୍ନାଥ ମହିମା ଲଣିକି ଆଣି। (୨୬) ରଙ୍ଗ ପସରା ସିନା ଭବ ସାଗର, ରଙ୍ଗ ଭିତରେ ଅଛି କି ନାରଖାର। ରୂପ ପ୍ରତିମାକୁ ତୁ ପରତେ ନଯା, ରହିବେ ନାହିଁ କେହି ରଜା ପରଜା। (୨୭) ଲୋଚନେ ଦେଖି କର୍ଣ୍ଣେ ଶୁଣୁଛୁ ନିତି, ଲୋଭକରି ଅର୍ଜିଲୁ ଧନ ସମ୍ପତ୍ତି। ଲୋଭଟି ସବୁ ନାଶ କରଇ ମନ, ଲୋଡ଼ିଲେ ନପାଇବୁ ଆଉ ଜୀବନ। (୨୮) ବିଅର୍ଥ ରହିଅଛି ଦୁର୍ଲଭ ଦେହ, ବିଷୟା ବିଷେ ଆଉ ନବଳା ସ୍ନେହ। ବୁଡ଼ିଯିବଟି ମୂଳ ଲାଭ ସରିବ, ବେଳହୁଁ ଆଶ୍ରେକରି ଭଜ ମାଧବ। (୨୯) ଶ୍ରୀକୃଷ୍ଣ ପାଦପଦ୍ମେ ଦିଅତୁ ମନ, ସରମେ ନପାଇବୁ ଆଉ ଜୀବନ। ଶ୍ରୀକୃଷ୍ଣ ନାମାଗରଟି କର ଭଜନ, ଶ୍ରୀକୃଷ୍ଣ ପାଦପଦ୍ମେ କରତୁ ଧ୍ୟାନ। (୩୦) ସନ୍ତୋଷ ଚିତ୍ତେ ତୁହି ହରିଙ୍କି ଭଜ, ସଂସାରେ ପଡ଼ି ଆଉ ନପାଅ ଲାଜ। ସବୁଟି ମିଛ ହରି ନାମଟି ସତ, ଶ୍ରୀକୃଷ୍ଣ ପାଦପଦ୍ମେ ଦିଅତୁ ଚିତ୍ତ। (୩୧) ସତ୍ୟ ମଣୁଛୁ ତୁହି ଭବସାଗର, ସରି ଯାଉଛି ପରମାୟୁ ତୋହର। ସନ୍ତୋଷ ହୋଇ ଦୃଢ଼େ ଭଜ ଶ୍ରୀହରି, ଶୋକ ସାଗରୁ ଯେବେ ହୋଇବୁ ପାରି। (୩୨) ହୁଡ଼ିଲେ ଯେତେ ଜନ ହରି ନାମକୁ, ହୀନ ଗତିକୁ ଗଲେ ବୁଡ଼ି ତଳକୁ। ହାରିଲେ ଦେହ ଆଉ ପାଇବୁ କାହିଁ, ହାଟ ବସାଇଥିବେ ତିଦେହ ପାଇଁ। (୩୩) କ୍ଷୟେ ଦୁର୍ଲ୍ଲଭ ଦେହ ହୁଏ ଆୟୁଷ, କ୍ଷୟ ନଯିବ ନାମ ହୃଦରେ ଘୋଷ। ଛାର ଦେହକୁ ମନ ନଯା ବିଶ୍ୱାସ, ଛାର ଦୁର୍ବୁଦ୍ଧି କହେ ଭକତ ଦାସ। (୩୪)

Share :