ମନୋରମା ମହାପାତ୍ର ପାଇଲେ ବିବେକାନନ୍ଦ ପଣ୍ଡା ସମ୍ମାନ

ମନୋରମା ମହାପାତ୍ର ପାଇଲେ ବିବେକାନନ୍ଦ ପଣ୍ଡା ସମ୍ମାନ

Share :

‘କମ୍ ବୟସରେ ସମାଜସେବା କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଥିବା ଯୁବ ସମାଜସେବୀ ବିବେକାନନ୍ଦ ପଣ୍ଡାଙ୍କ କାର୍ଯ୍ୟଧାରାକୁ ଯୁବପିଢ଼ି ଅନୁସରଣ କରିବା ଉଚିତ’ ବୋଲି ଏଠାରେ ଆୟୋଜିତ ଏକ ସ୍ୱୃତିସଭାରେ ମତ ପ୍ରକାଶ ପାଇଛି। ଭୁବନେଶ୍ୱରର ଯୁବ ସମାଜସେବୀ ବିବେକାନନ୍ଦ ପଣ୍ଡାଙ୍କ ଊନବିଂଶ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ଥାନୀୟ ରେଡକ୍ରସ ଭବନରେ ଆୟୋଜିତ ଏକ ସ୍ମୃତି ସମାବେଶରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ ସଭାପତିତ୍ୱ କରିଥିଲେ। ସମାବେଶରେ ଉଦବୋଧନ ଦେଇ ଅବସରପ୍ରାପ୍ତ ପ୍ରଶାସକ ଅରବିନ୍ଦ ବେହେରା କହିଥିଲେ ଯେ, କମ୍ ବୟସରୁ ସମାଜସେବାରେ ବ୍ରତୀ ହୋଇ ବିବେକାନନ୍ଦ ଅନ୍ୟମାନଙ୍କ ନିକଟରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଥିଲେ। ଅବସରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ ଶ୍ୟାମ ନାରାୟଣ ତିୱାରୀ ବିବେକାନନ୍ଦଙ୍କ ସ୍ମୃତିଚାରଣ କରି କହିଥିଲେ ଯେ, ସଂଯୋଗବଶତଃ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନରେ ଜନ୍ମ ଗ୍ରହଣ କରିଥିବା ବିବେକାନନ୍ଦ ପଣ୍ଡା ଜଣେ ଭଲ ମଣିଷ ଥିଲେ। ତାଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ସମ୍ମାନ ପ୍ରତ୍ୟେକ ବର୍ଷ ଉପଯୁକ୍ତ ପ୍ରତିଭାଙ୍କୁ ପ୍ରଦାନ କରାଯାଉଥିବା ଦର୍ଶାଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ଅଳ୍ପ ବୟସରେ ସମାଜ ପାଇଁ ବହୁତ ଭଲ କାମ କରିଥିବା ବିବେକାନନ୍ଦଙ୍କ ଭଳି ଆଜିର ଯୁବପିଢ଼ି ମଧ୍ୟ ସମାଜସେବାରେ ନିଜକୁ ନିୟୋଜନ କରିବା ଉଚିତ ବୋଲି ଅନ୍ୟତମ ଅତିଥି ଅବସରପ୍ରାପ୍ତ ଭାରତୀୟ ଆୟକର ଅଧିକାରୀ ଅମର ମିଶ୍ର ମତ ଦେଇଥିଲେ। ସମାରୋହର ମୁଖ୍ୟ ଅତିଥି ବିଶିଷ୍ଟ କବି ଶ୍ରୀମତୀ ମନୋରମା ମହାପାତ୍ର କହିଥିଲେ ଯେ, ସ୍ୱାମୀ ବିବେକାନନ୍ଦଙ୍କ ଭଳି ଆମ ଓଡ଼ିଶାର ବିବେକାନନ୍ଦ ମଧ୍ୟ ସତ୍ କର୍ମରେ ଲିପ୍ତ ଥିଲେ। ଏକ ଦମ୍ପତି ସେତିକି ତପସ୍ୟା କରିଥିଲେ ଏଭଳି ଯୋଗଜନ୍ମା ପୁତ୍ରର ଜନକ-ଜନନୀ ହୋଇପାରିବେ ବୋଲି ଦର୍ଶାଇ ସେ କହିଥିଲେ ଯେ, ଏଭଳି ବ୍ୟକ୍ତିତ୍ୱ ସମ୍ପନ୍ନ ସନ୍ତାନ ସବୁ ଘରେ ଜନ୍ମ ନିଅନ୍ତୁ ବୋଲି ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି। ଏହି ଅବସରରେ ଶ୍ରୀମତୀ ମନୋରମା ମହାପାତ୍ରଙ୍କୁ ଚଳିତ ବର୍ଷର ‘ବିବେକାନନ୍ଦ ପଣ୍ଡା ସ୍ମାରକୀ ସମାଜସେବା ସମ୍ମାନ’ ପ୍ରଦାନ କରାଯାଇଥିବା ବେଳେ ଶ୍ରୀଯୁକ୍ତ ଅମର ମିଶ୍ରଙ୍କୁ ‘ବରିଷ୍ଠ ଶୁଭେଚ୍ଛୁ’ ଭାବେ ସମ୍ୱର୍ଦ୍ଧିତ କରାଯାଇଥିଲା। ଜ୍ୟୋତିଷ ବିଶାରଦ ଦୋଳଗୋବିନ୍ଦ ପଣ୍ଡା ଓ ତାଙ୍କ ପତ୍ନୀ ଶ୍ରୀମତୀ ମମତା ପଣ୍ଡାଙ୍କୁ ‘ପିତାମାତାଙ୍କ ସେବା ସମ୍ମାନ’ ପ୍ରଦାନ କରାଯାଇଥିଲା। ସମାରୋହରେ ଅଧ୍ୟକ୍ଷତା କରିଥିବା ବିଶିଷ୍ଟ କବି ରମାକାନ୍ତ ରଥ ବର୍ଷ ପରେ ବର୍ଷ ବିବେକାନନ୍ଦ ପଣ୍ଡାଙ୍କ ସ୍ମୃତିରେ ଏଭଳି ସମାରୋହ କରାଯାଉଥିବା ଯୋଗୁଁ ସନ୍ତୋଷ ବ୍ୟକ୍ତ କରିଥିଲେ। ବରିଷ୍ଠ ଲେଖକ ଅଧ୍ୟାପକ ବିଶ୍ୱରଞ୍ଜନ ଧନ୍ୟବାଦ ଅର୍ପଣ କରିବା ଅବସରରେ ବିବେକାନନ୍ଦଙ୍କ କାର୍ଯ୍ୟକଳାପର ସ୍ୱୃତିଚାରଣ କରିଥିଲେ। ବିବେକାନନ୍ଦଙ୍କ ପିତା ଶ୍ରୀ ଲକ୍ଷ୍ମୀଧର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୂଚନାଯୋଗ୍ୟ ଯେ, ୨୦୦୦ ମସିହାର ରାକ୍ଷୀ ପୂର୍ଣ୍ଣିମା ପୂର୍ବଦିନ ମାତ୍ର ୩୩ ବର୍ଷ ବୟସରେ ବିବେକାନନ୍ଦ ପଣ୍ଡାଙ୍କ ଅକାଳ ବିୟୋଗ ଘଟିଥିଲା।

Share :