୫୫୯୫ ଇଲେକ୍ଟ୍ରିକ ବସ ଚଳାଚଳକୁ ମଞ୍ଜୁରି

୫୫୯୫ ଇଲେକ୍ଟ୍ରିକ ବସ ଚଳାଚଳକୁ ମଞ୍ଜୁରି

Share :

ପିଆଇବି ଭାରୀ ଉଦ୍ୟୋଗ ବିଭାଗ ପକ୍ଷରୁ ‘ଫେମ ଇଣ୍ଡିଆ ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ ସହର ଭିତରେ ଚାଲିବା ସହିତ ଗୋଟିଏ ସହରରୁ ଅନ୍ୟ ସହର ମଧ୍ୟରେ ଚଳାଚଳ କରିବା ଉଦ୍ଦେଶ୍ୟରେ ୫୫୯୫ଟି ବିଦ୍ୟୁତ ଚାଳିତ ବସକୁ ମଞ୍ଜୁର କରାଯାଇଛି। ୬୪ଟି ସହର, ରାଜ୍ୟ ସରକାରୀ ସଂସ୍ଥା ଏବଂ ରାଜ୍ୟ ପରିବହନ ଉପକ୍ରମ (ଏସଟିୟୁ) ଲାଗି ଏହି ବସଗୁଡ଼ିକୁ ମଞ୍ଜୁରି ଦିଆଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ୱଚ୍ଛ ଇନ୍ଧନ ବିଶିଷ୍ଟ ପରିବହନକୁ ଆହୁରି ଅଧିକ ବୃଦ୍ଧି କରିବା। ଏହି ଯୋଜନା ଅଧୀନରେ ଭୁବନେଶ୍ୱରକୁ ୫୦ଟି ବସ୍ ମିଳିଛି। କ୍ୟାପିଟାଲ ଓ ସ୍ମାର୍ଟ ସିଟି ବର୍ଗରେ ଭୁବନେଶ୍ୱରକୁ ଏହି ବସ୍ ମିଳିଛି। ଭାରୀ ଉଦ୍ୟୋଗ ବିଭାଗ ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର, ସ୍ମାର୍ଟ ସିଟି, ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ରାଜଧାନୀ ଏବଂ ସ୍ୱତନ୍ତ୍ର ପାହ୍ୟା ବିଶିଷ୍ଟ ରାଜ୍ୟର ସହରଗୁଡ଼ିକଠାରୁ ଆଗ୍ରହ ଅଭିବ୍ୟକ୍ତି (ଇଓଆଇ) ଆମନ୍ତ୍ରଣ କରାଯାଇଥିଲା। ଯାହାଦ୍ୱାରା ପରିଚାଳନା ବ୍ୟୟ ଅଧାରରେ ଇଲେକ୍ଟ୍ରିକ ବସ ଚଳାଚଳ କିମ୍ୱା ଉପଯୋଗ ଲାଗି ସେମାନେ ନିଜ ନିଜ ପ୍ରସ୍ତାବ ଉପସ୍ଥାପନ କରିପାରିବେ। ୧୪,୯୮୮ ଇଲେଟ୍ଟିକ ବସ ଚଳାଚଳ କିମ୍ୱା ଉପଯୋଗ ଲାଗି ୨୬ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରୁ ୮୬ଟି ପ୍ରସ୍ତାବ ମିଳିଥିଲା। ଇଓଆଇ ଅନୁଯାୟୀ ଏହି ପ୍ରସ୍ତାବ ଅନୁଧ୍ୟାନ କରିବା ପରେ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଏବଂ ମଞ୍ଜୁରି ସମିତି (ପିଆଇଏସି) ଠାରୁ ପରାମର୍ଶ ଗ୍ରହଣ କରାଯାଇଥିଲା। ଏହାପରେ ଗୋଟିଏ ସହରରୁ ଅନ୍ୟ ସହର ପର୍ଯ୍ୟନ୍ତ ଚଳାଚଳ କରିବା ଉଦ୍ଦେଶ୍ୟରେ ୬୪ଟି ସହର/ରାଜ୍ୟ ପରିବହନ ନିଗମ ଲାଗି ୫୦୯୫ଟି ଇଲେକ୍ଟ୍ରିକ ବସ, ଗୋଟିଏ ସହର ଭିତରେ ଚଳାଚଳ ଲାଗି ୪୦୦ଟି ଇଲେକ୍ଟ୍ରିକ ବସ ଏବଂ ଅନ୍ତିମ ସ୍ଥାନ ପର୍ଯ୍ୟନ୍ତ କନେକ୍ଟିଭିଟି ନିମନ୍ତେ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ଲାଗି ୧୦୦ଟି ଇଲେକ୍ଟ୍ରିକ ବସକୁ ମଞ୍ଜୁରି ଦେଇଛନ୍ତି। ଚଳାଚଳ ଖର୍ଚ୍ଚ ଆଧାରରେ ମଞ୍ଜୁରିପ୍ରାପ୍ତ ଇଲେକ୍ଟ୍ରିକ ବସର ନିୟୋଜନ କିମ୍ୱା ଉପଯୋଗ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଚୟନିତ ସହର/ରାଜ୍ୟ ପରିବହନ ଉପକ୍ରମ ଲାଗି କ୍ରୟ ପ୍ରକ୍ରିୟାକୁ ସମୟବଦ୍ଧ ଢଙ୍ଗରେ ଆରମ୍ଭ କରିବାର ଆବଶ୍ୟକତା ରହିଛି। ଏହି ବସ୍‌ଗୁଡ଼ିକ ଚୁକ୍ତି ଅବଧି ସମୟରେ ମୋଟ ପାଖାପାଖି ୧୨୦ କୋଟି ଲିଟର ଇନ୍ଧନ ସଂଚୟ କରିବ ବୋଲି ଅନୁମାନ କରାଯାଉଛି। ଏହି କାରଣରୁ ୨.୬ ନିୟୁତ ଟନ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନକୁ ରୋକାଯାଇପାରିବ।

Share :