ଶୌଚାଳୟରେ ତାଲା, ବାହାରେ ମୁତିଲେ ୧୦ ଟଙ୍କା ଜୋରିମାନା

ଶୌଚାଳୟରେ ତାଲା, ବାହାରେ ମୁତିଲେ ୧୦ ଟଙ୍କା ଜୋରିମାନା

Share :

ହେମାଙ୍ଗ ପ୍ରସାଦ ରାଉଳ ମହାନଗର ନିଗମ ଅଂଚଳଗୁଡ଼ିକୁ ସୁନ୍ଦର ଓ ସ୍ୱଚ୍ଛ କରି ଗଢ଼ି ତୋଳିବାକୁ ବ୍ରହ୍ମପୁର ନିଗମ ପକ୍ଷରୁ ସହରବାସୀ ଜଣାଇଦିଆଗଲା ଯେ ଯେଉଁମାନେ ସର୍ବସାଧାରଣରେ ପରିସ୍ରା କରିବେ ଉକ୍ତ ବ୍ୟକ୍ତିଙ୍କଠାରୁ ୧୦ ଟଙ୍କା ଜୋରିମାନା ବାବଦ ଅର୍ଥ ଆଦାୟ କରାଯିବ। କିଛିଦିନ ହେଲା ଏହି ପ୍ରକ୍ରିୟା ଜୋର୍ଦାର ଚାଲିଥିବା ପରିଲକ୍ଷିତ ହେଉଛି। ଏଭଳି କାର୍ଯ୍ୟକୁ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ ମଧ୍ୟ କରାଯାଇଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେଉଁଠି ଶୌଚାଳୟରେ ତାଲା ପଡ଼ିଛି ସେଠି ଲୋକେ ବାହାରେ ପରିସ୍ରା କଲେ ଜୋରିମାନା ଦେବେ କାହିଁକି? ସହରରେ କିଛି ମାସ ପୂର୍ବରୁ ପ୍ରତି ୱାର୍ଡ଼ରେ ଗୋଟିଏ ଗୋଟିଏ କମ୍ୟୁନିଟି ଟଏଲେଟ୍ ନିର୍ମାଣ କରାଯାଇଛି। ଏଥିପାଇଁ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି। ଏହି ଶୌଚାଳୟଗୁଡ଼ିକରେ ସମସ୍ତ ପ୍ରକାର ସୁବିଧା ଯଥା ପାଣି, ୱାସ୍‌ବେସିନ୍, ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ୟୁରିନାରିର ବ୍ୟବସ୍ଥା ହୋଇଥିଲା। କିନ୍ତୁ ଶୌଚାଳୟ ସିନା ରହିଛି ଏହା ସହରବାସୀଙ୍କ ପାଇଁ କୌଣସି କାର୍ଯ୍ୟରେ ଆସୁନାହିଁ। ସହରବାସୀଙ୍କ କହିବା ଅନୁଯାୟୀ ଏଗୁଡ଼ିକ କିଛିଦିନ ଠିକ୍ ଠାକ ଚାଲିଲା ପରେ ବର୍ତ୍ତମାନ ପଙ୍ଗୁ ଅବସ୍ଥାକୁ ଚାଲିଆସିଛି। ନା ସବୁଦିନେ ଏଥିରେ ପାଣି ଭରାଗଲା ନା ଏହା ସଠିକ୍ ରୂପେ ତଦାରଖ କରାଗଲା। ପରିସ୍କାର, ପରିଚ୍ଛନ୍ନତା ପ୍ରତି ତିଳେ ହେଲେ ଦୃଷ୍ଟି ଦିଆଗଲା ନାହିଁ। ବର୍ତ୍ତମାନ ଏହା ସହରବାସୀଙ୍କ କୌଣସି କାମରେ ଆସୁନାହିଁ। ଏଥିରେ କେବଳ ଦେଖିବାକୁ ମିଳିଥିଲା ନୂଆ ଚକ୍‌ଚକ୍ କରୁଥିବା ତାଲା। ସାଧାରଣରେ ପ୍ରଶ୍ନ ଉଠୁଛି ଏହା ଯଦି ସର୍ବସାଧାରଣଙ୍କ ସୁବିଧା ପାଇଁ ନିର୍ମାଣ ହୋଇଥିଲା ତେବେ ତାଲା ଝୁଲିଲା କାହିଁକି? ଯଦି ଏଠି ତାଲା ଝୁଲିବ ଲୋକେ ପରିସ୍ରା ବା କରିବେ କେଉଁଠି? ରାସ୍ତାରେ ବୃଦ୍ଧ, ବୃଦ୍ଧା, ରୋଗୀ, ମହିଳା ଯିବା ଆସିବା ବେଳେ ସେମାନଙ୍କ ପରିସ୍ରା ଲାଗିଲେ ସେମାନେ ଯିବେ କେଉଁଆଡ଼େ। ଏପଟେ ତାଲା ପକାଇବେ ସେପଟେ ବାହାରେ ପରିସ୍ରା କଲେ ଫାଇନ୍ ଆଦାୟ କରିବେ ଏହା ଏକ ବିଚିତ୍ର ନୀତି ହୋଇପଡ଼ିଛି। ଏଠାରେ ଗୋଟିଏ କଥା ପ୍ରଶ୍ନ ଉଠେ ଯେ ଏହି ଶୌଚାଳୟଗୁଡ଼ିକରେ ତାଲା ପଡ଼ିବା ବିଷୟ ମହାନଗର ନିଗମ କର୍ତ୍ତୃପକ୍ଷ ଜାଣିଛନ୍ତି କି ନାହିଁ? ଯଦି ଜାଣିଛନ୍ତି ତେବେ କାହିଁକି ଏଗୁଡ଼ିକ ଖୋଲିବାର ବ୍ୟବସ୍ଥା କରୁନାହାନ୍ତି? ତେଣୁ ଏଗୁଡ଼ିକ ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ କରିବା ସହ ଆହୁରି ଅଧିକ ୟୁରିନାରି ସ୍ଥାପନ କରିବାକୁ ସହରବାସୀ ଦାବି କରିଛନ୍ତି। ଏହିଭଳି ବିଚିତ୍ର ନୀତି ବ୍ୟତୀତ ଅନ୍ୟ କେତେକ ବିଷୟକୁ ଦେଖିଲେ ମଧ୍ୟ ଅତି ଆଶ୍ଚର୍ଯ୍ୟଜନକ ମନେ ହେଉଛି। ରାସ୍ତା ଉପରେ ବାଲି ଗୋଡ଼ି ରଖିଲେ ଜୋରଜବରଦସ୍ତ ବିଏମ୍‌ସି ହଜାର ହଜାର ଟଙ୍କା ଜୋରିମାନା ପକାଇବାକୁ ନେଇ ସହରରେ ଅସନ୍ତାଷ ବୃଦ୍ଧି ପାଉଛି। ବିଏମ୍‌ସିର ଏହି କାର୍ଯ୍ୟକଳାପ ସ୍ୱାଗତଯୋଗ୍ୟ ହୋଇଥାନ୍ତା, ଯେତେବେଳେ ବିଏମ୍‌ସି ସହରର ରାସ୍ତା, ଡ୍ରେନ୍ ପ୍ରତି ଧ୍ୟାନ ଦେଇଥାନ୍ତି। ବିଏମ୍‌ସି ଡ୍ରେନ୍‌ଗୁଡ଼ିକ ଖୋଳି ରାସ୍ତା ଉପରେ ପକାଇବା ଏବଂ ରୋଡ଼୍‌ ଖୋଳି କୁଢ଼କୁଢ଼ ଆବର୍ଜନା ଗଦା କରିବା କେତେଦୂର ଯୁକ୍ତିସଂଗତ? ବିଏମ୍‌ସିର ଏହି କାର୍ଯ୍ୟକଳାପରେ ବିଏମ୍‌ସିକୁ ଜୋରିମାନା ପକାଇବ କିଏ ବୋଲି ସହରର ବୁଦ୍ଧିଜୀବୀ ତଥା ସାଧାରଣ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ବିଏମ୍‌ସିରେ ଅଫିସର ରାଜ ଚାଲିଥିବାବେଳେ କାହାର ବି ଅଭିଯୋଗ ଶୁଣିବା ପାଇଁ କିଏ ବି ନାହିଁ। ପ୍ରକୋଷ୍ଠ ଅଛି କିନ୍ତୁ ଚୌକି ଖାଲି ପଡ଼ିଛି। ଲୋକପ୍ରତିନିଧି ନଥିବା ଯୋଗୁଁ ବ୍ରହ୍ମପୁର ସହରର ଜନସାଧାରଣ ଅଭିଯୋଗ କରିବେ କାହାକୁ? ଏହାକୁ ନେଇ ଚର୍ଚ୍ଚା ହେଉଛି। କାରଣ ମୌଳିକ ଅଧିକାରରୁ ମଧ୍ୟ ସହରବାସୀ ବଂଚିତ ହେବାକୁ ଲାଗିଲେଣି। ଏକରକମ ମିଲିଟାରୀ ଶାସନ ଚାଲିଛି ବୋଲି ସହରର ବୁଦ୍ଧିଜୀବୀ ମତ ରଖିଲେଣି। ଏକ ସୁନ୍ଦର ପରିବେଶ ଏବଂ ଶ୍ରେଷ୍ଠ ବ୍ରହ୍ମପୁର କରିବାକୁ ନେଇ ଯେଉଁ ପଦକ୍ଷେପ ବିଏମ୍‌ସି କମିଶନର ନେଉଛନ୍ତି ଏହା ସ୍ୱାଗତ ଯୋଗ୍ୟ ହେଉଥିଲେ ମଧ୍ୟ ପ୍ରଥମେ ବିଏମ୍‌ସିର ବାଧ୍ୟତାମୂଳକ କାର୍ଯ୍ୟଗୁଡ଼ିକ ଧ୍ୟାନ ଦେଲା ପରେ ଇଚ୍ଛାଧୀନ କାର୍ଯ୍ୟଗୁଡ଼ିକ କଲେ ଲୋକେ ସୁଫଳ ପାଇପାରିନ୍ତେ। ନଚେତ୍ ଏହି ଜୋରିମାନା ଆଦାୟ ପ୍ରହସନରେ ପରିଣତ ହୋଇଯିବ!

Share :