ନବମାନବ ଇସ୍ତାହାର

ନବମାନବ ଇସ୍ତାହାର

Share :

ମାୟାଧର ନାୟକ ମାନବସମାଜର ମୁକ୍ତି ପାଇଁ ଏକ ନବମାନବସମାଜର ସଂବିଧାନ ଘୋଷଣା ଜରିଆରେ ଶାନ୍ତି, ମୈତ୍ରୀ, ସାମ୍ୟ ପ୍ରତିଷ୍ଠା ଆମର ଲକ୍ଷ୍ୟ। ସମଗ୍ର ବିଶ୍ୱରେ ପେଟକୁ ଦାନା, ଦେହକୁ କନା, ମୁଣ୍ଡ ଗୁଞ୍ଜିବାକୁ ଅନ୍ତତଃ ବଖୁରିଏ ବସାଘର ପାଇବା - ଏ ମଣିଷଜାତିର ଜନ୍ମଗତ ଅଧିକାର। ଏ ବିଶ୍ୱ ଉପରେ ସମସ୍ତଙ୍କର ଅଧିକାର। ଆକାଶ, ପାତାଳ, ମର୍ତ୍ତ୍ୟ, ଜଳ, ଜଙ୍ଗଲ, ମାଟି, ମା - ସବୁ ଆମର। ମଣିଷ, ଜୀବଜନ୍ତୁ, ପଶୁପକ୍ଷୀ ସମସ୍ତଙ୍କର ଏ ମହାଜଗତ୍ ଉପରେ ଅଧିକାର ଅଛି। ମାତ୍ର ଆମ ଅଧିକାର ଆମେ କ’ଣ ସାବ୍ୟସ୍ତ କରିପାରୁଛେ? ଆପଣମାନେ ଜାଣନ୍ତି କି? କ୍ଷୁଧା ଓ କ୍ଷୁଧାଜନିତ ବ୍ୟାଧିରେ ପୃଥିବୀ ପ୍ରତିବର୍ଷ ପ୍ରାୟ ୯୦ ଲକ୍ଷ ମଣିଷଙ୍କ ମୃତ୍ୟୁରେ ଜର୍ଜରିତ। ରୋଗରେ ମରିବା ଅପେକ୍ଷା ଭୋକରେ ମରିବାର ହାର ଏହି ଦୃଷ୍ଟିରୁ କଳ୍ପନାତୀତ ଭାବରେ ଅଧିକ। ହିସାବ କରି ଦେଖାଯାଇଛି, ପୃଥିବୀବ୍ୟାପୀ ୮୧୫ ନିୟୁତରୁ ଊର୍ଦ୍ଧ୍ୱ ଲୋକ ବର୍ତ୍ତମାନ ଭୋକର ବଳୟରେ ବନ୍ଦୀ। ପିଢ଼ି ପରେ ପିଢ଼ି ଓଳିଏ ଖାଇ ଓଳିଏ ଉପାସ ରହିଆସୁଛନ୍ତି ବହୁ ବର୍ଷ ହେଲା। ପ୍ରତି ୯ ଜଣରେ ଜଣେ ଭୋକିଲା ପେଟରେ ରାତିର ବିଛଣାକୁ ଯାଆନ୍ତି ଶୋଇବା ପାଇଁ। ପୃଥିବୀର ବିକାଶଶୀଳ ରାଷ୍ଟ୍ରାଞ୍ଚଳ ୯୮ ଶତାଂଶ କ୍ଷୁଧାର୍ତ୍ତ ମଣିଷର ମାନଚିତ୍ର। ଏସିଆରୁ ଆଫ୍ରିକା ପର୍ଯ୍ୟନ୍ତ ବ୍ୟାପିଛି ଭୟଙ୍କର ଗୋଟାଏ ଭୋକର ଭୂଗୋଳ। ପୃଥିବୀର ତିନିଭାଗରୁ ଭାଗେ କ୍ଷୁଧାର୍ତ୍ତଙ୍କ ବାସଭୂମି ହେଉଛି ଆମରି ଏ ଦେଶ ଭାରତବର୍ଷ। ୨୦ କୋଟିରୁ ଅଧିକ ଭାରତୀୟ ଖାଲିପେଟରେ କଟାଇଦିଅନ୍ତି ରାତିର ନିଦ। ଜାଣନ୍ତି କି ଖାଇବାକୁ ନପାଇ ପ୍ରତିଦିନ ୧୬ ହଜାର ଶିଶୁ ମୃତ୍ୟୁବରଣ କରନ୍ତି? ପ୍ରତି ୫ ସେକେଣ୍ଡ୍ରେ କ୍ଷୁଧାଜନିତ କାରଣରୁ ଗୋଟିଏ ପିଲା ଏ ପୃଥିବୀରେ ମରିବାକୁ ହିଁ ଜନ୍ମ ହୋଇଥାଏ। ଜାତିସଂଘ ସୂତ୍ରରୁ ଗୋଟିଏ ସାଂଘାତିକ ସତ୍ୟ ଆମେ ହାସଲ କରିଛୁ - ପୃଥିବୀରେ କ୍ଷୁଧା ହିଁ ହେଉଛି ଅଜସ୍ର ଅକାଳ ମୃତ୍ୟୁର ଏକ ନମ୍ୱର କାରଣ। ଆମ ଚିକିତ୍ସାବିଜ୍ଞାନ ବ୍ୟାଧି ଓ ବାର୍ଦ୍ଧକ୍ୟ ବିରୋଧରେ କେବଠୁ ଯୁଦ୍ଧଘୋଷଣା କରିସାରିଛି। ମାତ୍ର ବିଶ୍ୱବ୍ୟାପୀ କ୍ଷୁଧା ବିରୋଧରେ ଆମ ଜ୍ଞାନଜଗତ କେବେ ନିଜ ବିବେକ ପରିଚାଳିତ ମାନବିକ ଅଭିଯାନ ଆରମ୍ଭ କରିବ? କ୍ଷୁଧାମୁକ୍ତ ବିଶ୍ୱ ଆଜିର ମଣିଷସମାଜ ଆଗରେ ସବୁଠାରୁ ବଡ଼ ଆହ୍ୱାନ। ବର୍ତ୍ତମାନ ଅନ୍ୟୂନ ୧୯୫ଟି ଦେଶର ଦୁନିଆ ଏ ୭ ମହାଦେଶର ପୃଥିବୀ ପ୍ରତି ସବୁଠୁ ଲାଂଛନାକର ଲଜ୍ଜା ହେଉଛି ଉଦଗ୍ର କ୍ଷୁଧା ଓ ଉତ୍କଟ ଅନାହାର ମୃତ୍ୟୁ। ୫୦ଟି ଦେଶଥିବା ଆମ ଏସିଆ ପୁଣି ହେଉଛି ପୃଥିବୀର ସର୍ବାଧିକ କ୍ଷୁଧାପୀଡ଼ିତ ମହାଦେଶ। ଏବେ ବି ଏସିଆରେ ପ୍ରାୟ ୫୧୨ ନିୟୁତ ଲୋକ ମର୍ମବିଦାରକ ବୁଭୁକ୍ଷାର ବିଭୀଷିକାଗ୍ରସ୍ତ। ଭାରତରେ ୧୯୪ ନିୟୁତ ଲୋକ ଅନାହାରକ୍ଳିଷ୍ଟ। ସବୁଠୁ କ୍ଷୋଭର ବିଷୟ ହେଉଛି, ପୃଥିବୀର ଶତକଡ଼ା ୭୦ ଭାଗ ଖାଦ୍ୟାଭାବର ଶିକାର ପାଲଟିଥିବା ସରଳନିରୀହ ଶିଶୁମାନଙ୍କର ଅଭିଶପ୍ତ ଅନ୍ଧାରୀମୁଲକ ହେଉଛି ଏହି ଏସିଆ। ପୃଥିବୀର ସର୍ବାଧିକ କ୍ଷୁଧାପୀଡ଼ିତ ଓ ଅନାହାର ମୃତ୍ୟୁ ଯନ୍ତ୍ରଣା ଜର୍ଜରିତ ୧୦ଟି ଦେଶ ହେଉଛି - ହାଇତି, ଜାମ୍ୱିଆ, ୟେମେନ୍, ଇଥିଓପିଆ, ଚାଦ୍, ସୁଦାନ, କୋମୋରୋସ୍, ତିମୋର-ଲେଷ୍ଟ୍, ଏରିଟ୍ରେଆ, ବୁରୁଣ୍ଡି। ଏ ତାଲିକାରେ ଥିବା ଗୁଡ଼ିଏ ଦେଶର ନାଆଁ ଆମ ସଭ୍ୟଶିକ୍ଷିତ ଭଦ୍ରମହିଳା/ଭଦ୍ରବ୍ୟକ୍ତିମାନଙ୍କୁ ଅଜଣା। କ୍ଷୁଧା ଆଉ ଦୈନିକ ଅନାହାର ମୃତ୍ୟୁ ସହିତ ଅହୋରାତ୍ର ଲଢ଼ୁଥିବା ଏସବୁ ଦେଶର ଦୁଃସ୍ଥିତି ଏପରି ଯେ ଖାଦ୍ୟ-ପାନୀୟ ଅନ୍ୱେଷଣ କରୁକରୁ ନାମଯଶ ଅର୍ଜନ କରିବାକୁ ଏଠି ବେଳ କାହିଁ ମାମୁଲି ମଣିଷମାନଙ୍କର? କ୍ଷୁଧାମୁକ୍ତ ବିଶ୍ୱ ପାଇଁ ପ୍ରଥମେ କ’ଣ ଯୋଜନା କରିବା ଜରୁରୀ? ପ୍ରଥମେ ଜରୁରୀ ହେଉଛି ବିଶ୍ୱବ୍ୟାପୀ ଏକ ସାର୍ବଜନୀନ ନୀତି ନିର୍ଦ୍ଧାରଣ। ପୁଂଜିବାଦୀ ବ୍ୟବସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ରାଷ୍ଟ୍ର ଓ ସମାଜ ପରସ୍ପରକୁ ବନ୍ଧୁ ଅପେକ୍ଷା ବଇରୀ ରୂପରେ ବିଚାରିବାରେ ଅଭ୍ୟସ୍ତ। ଏହାର କାରଣ ହେଉଛି ମୁନାଫାଖୋର ଶିଳ୍ପପତି ଓ ମହଜୁଦକାରୀ ମାରଣାସ୍ତ୍ର ବେପାରୀବର୍ଗ ଦେଶଦେଶ ମଧ୍ୟରେ ଯୁଦ୍ଧ ଲାଗୁ ବୋଲି ଠାକୁରଠାକୁରାଣୀଙ୍କୁ ଘିଅଦୀପ ଜାଳି ପ୍ରାର୍ଥନା କରନ୍ତି ଏବଂ ଏକପ୍ରକାର ସାଂଘାତିକ ସାମରିକ ସଂତ୍ରାସବାଦ ଉପୁଜାଇବାରେ ନାନାଦି କୂଟକର୍ମ କରନ୍ତି। ଯୁଦ୍ଧ ମଧ୍ୟ ଏକପ୍ରକାର ବିଶ୍ୱବ୍ୟାପୀ ବ୍ୟବସାୟ, ଯାହାର ଅଂଶୀଦାର ବିଭିନ୍ନ ରାଷ୍ଟ୍ରୀୟ ରାଜନୀତିର ସୂତ୍ରଧରବର୍ଗ। ମାତ୍ର ଗୋଟିଏ କଥା ସବା ଉପରର ସତ୍ୟ ଯେ ଆମର ସର୍ବପ୍ରଥମ ଜାତଶତ୍ରୁ ହେଉଛି - କ୍ଷୁଧା, ଅନାହାର। ସମଗ୍ର ପୃଥିବୀ ଯଦି ଏ ଗୋଟିଏ ଶତ୍ରୁ ସହିତ ଲଢ଼ିବାକୁ ଶପଥ କରେ, ତାହେଲେ ମଣିଷ ମଣିଷ ମଧ୍ୟରେ ମାନଚିତ୍ରକୁ ନେଇ ଓ ଜାତୀୟତାକୁ ଆଳକରି ଛିଡ଼ାକରାଯାଇଥିବା ବାଦବିବାଦର ପାଚେରିଗୁଡ଼ାକ ଭାଙ୍ଗିଯାଇ ମାଟିରେ ମିଶିଯିବ। ଗୋଟିଏ ନବମାନବସମାଜରେ ପରିଣତ ହେବ କ୍ଷୁଧାମୁକ୍ତ ବିଶ୍ୱ। ସବୁ ଯୁଦ୍ଧକ୍ଷେତ୍ରକୁ ଶସ୍ୟକ୍ଷେତ୍ରରେ ପରିଣତ କର - ଏ ଆକୁଳ ଆବେଦନମୟ ବାର୍ତ୍ତା ବିଦ୍ୟାବୁଦ୍ଧିର ବହପ ଦେଖାଉଥିବା ଦୁନିଆକୁ ଦେଇଥିଲି ଅନେକ ବର୍ଷ ତଳେ ଦିନେ। କିନ୍ତୁ କ୍ଷୁଧାଗ୍ରସ୍ତ ବର୍ଗର ଦାରୁଣ ଦୁର୍ଦ୍ଦଶାଗ୍ରସ୍ତ ଜୀବନର କଥା ଉଠିଲେ, ଆମ ବିଦ୍ୟାବନ୍ତ, ବୁଦ୍ଧିବନ୍ତବର୍ଗ ତ ଅନ୍ଧମୂକବଧିର ଅଭିନୟ କରିବାରେ ଏକଦମ୍ ଆଗୁଆ! କିଏ ଦେଖିବ ଦୁନିଆର ଦୁଃଖ? କିଏ କହିବ ମଣିଷଜାତିର କଷ୍ଟ? କିଏ ଶୁଣିବ ସାରା ଜୀବନର ସତ୍ୟ? ମିଶନାରୀ ପାଦ୍ରୀମାନେ ଧର୍ମପ୍ରଚାର ପାଇଁ ଅନ୍ଧାରୀ ଆଫ୍ରିକାରୁ ଆରମ୍ଭ କରି ଅନାଲୋକିତ ଏସିଆର ଦୁର୍ଗମ ଆଦିବାସୀ ଘାଟିବଣ ଭିତରକୁ ପଶିଯାଇଛନ୍ତି, ହିନ୍ଦୁ-ମୁସଲମାନ-ଶିଖ ଇତ୍ୟାଦି ଧର୍ମସଂପ୍ରଦାୟ ଦଙ୍ଗା ଓ ରକ୍ତପାତରେ ଏଯାବତ ଅଜସ୍ର ବହୁମୂଲ୍ୟ ଜୀବନନାଶର ସାକ୍ଷୀ ହୋଇଆସିଛନ୍ତି - ଅଥଚ ଦୁନିଆର ଧର୍ମଗୁରୁମାନେ କ’ଣ ମଣିଷକୁ କ୍ଷୁଧା ବିରୋଧରେ ମୁକାବିଲା କରିବାକୁ କେବେହେଲେ ଆବେଦନ କରିଛନ୍ତି? ବଡ଼ ବିଡ଼ମ୍ୱନାର ବିଷୟ ଯେ ବଶଂବଦ ଭକ୍ତସମାଜ ମଧ୍ୟରୁ ବି କେହି କେବେ ଏ ପ୍ରଶ୍ନ ଉଠାଇଛନ୍ତି କି - ଯେଉଁଠି କ୍ଷୁଧାର ଜରୁରୀ ପରିସ୍ଥିତି ଏଯାଏଁ ଜାରି ରହିଛି, ସେଠି ଈଶ୍ୱରଙ୍କୁ କ’ଣ ଆଜୀବନ କାରାଦଣ୍ଡ ଦିଆଯାଉନାହିଁ? ଆଜି କ୍ଷୁଧାମୁକ୍ତ ବିଶ୍ୱର ସର୍ବପ୍ରଥମ ଆହ୍ୱାନ ଧର୍ମକୁ, ଧର୍ମଗୁରୁମାନଙ୍କୁ ଏବଂ ମର୍ମଜ୍ଞ ଭକ୍ତମଣ୍ଡଳୀକୁ। ଆମେ ଧାର୍ମିକମାନଙ୍କୁ ନୁହଁ, ମାର୍ମିକମାନଙ୍କୁ ହିଁ ଅଗ୍ରାଧିକାର ଦେବୁ - ଗୋଟିଏ କ୍ଷୁଧାମୁକ୍ତ ବିଶ୍ୱର ଭିତ୍ତିପ୍ରସ୍ତୁତି ସଂକଳ୍ପଯାତ୍ରାରେ। ଖାଦ୍ୟ, ପାନୀୟଜଳ ପାଇଁ ଆମେ ଆମର େସ୍ୱଦକଣିକା କ’ଣ - ରକ୍ତବିନ୍ଦୁ ନିଗାଡ଼ିବାକୁ ବି ପଛାଇବା ନାହିଁ - ମାତ୍ର ଅନ୍ୟକୁ ଶତ୍ରୁ ଭାବି ତା’ ରକ୍ତ କି ନିଜ ରକ୍ତ ବୁହାଇଦେବାକୁ ଆଗଭର ହେଉଥିବାଯାଏ ଅସଲ ଶତ୍ରୁ ଜିତିଚାଲିଥିବ। ସେ ଶତ୍ରୁ - ଏ କ୍ଷୁଧା, ଏ ଅନାହାର, ଏ ଅନଟନ - ମନୁଷ୍ୟକୃତ ଏ ମର୍ମନ୍ତୁଦ ମୃତ୍ୟୁନାଟକର ଆୟୋଜନ। ଏ ଦିଗରେ ସମୁଚିତ ପଦକ୍ଷେପ ନେବାର ସମୟ ପହଞ୍ଚିଯାଇଛି। ଆମ ସମସ୍ତଙ୍କ ପାଇଁ ବର୍ତ୍ତମାନର ଏହି ମୁହୂର୍ତ୍ତଠାରୁ ଏକ ନମ୍ୱର କର୍ତ୍ତବ୍ୟ ହିଁ ହେଉଛି - ଏକ କ୍ଷୁଧାମୁକ୍ତ ବିଶ୍ୱର ଆହ୍ୱାନ। ଏଇଥିପାଇଁ ଜାତିର ପିତା ମହାମାନବ ମହାତ୍ମା ଗାନ୍ଧି କ୍ଷୁଧାମୁକ୍ତ ଭାରତଗଠନ ପାଇଁ ଆପ୍ରାଣ ଉଦ୍ୟମ ଚଳେଇଥିଲେ। ଆଜି କିନ୍ତୁ କ୍ଷୁଧାମୁକ୍ତ ବିଶ୍ୱ ପାଇଁ ଏ ଆଜାଦୀ ଆହ୍ୱାନର ଅଲଂଘନୀୟ ସମୟ ଆସି ପହଞ୍ଚିଯାଇଛି। ଆଜି ସମଗ୍ର ବିଶ୍ୱରେ କୋଟିକୋଟି ଜନଗଣ ଭୋକ, ଶୋଷ, ରୋଗ, ବୈରାଗ୍ୟ, ଅଭାବ, ଅନଟନ, ବେକାରି, ଈର୍ଷା, ହିଂସା, ରକ୍ତପାତ, ନାରୀଧର୍ଷଣ, ଶିଶୁହତ୍ୟା, ଭୃଣହତ୍ୟା, ଚୋରି, ଡକାୟତି, ରାହାଜାନି, ହତାଶା, ନିରାଶା, ଦୁଃଖଯନ୍ତ୍ରଣାରେ ଜର୍ଜରିତ। କ୍ଷମତା, ଅର୍ଥ ପାଇଁ ବହୁ ଲୋକ ଅର୍ଦ୍ଧପାଗଳ, ବଦ୍ଧପାଗଳ। ପୃଥିବୀର ଯେକୌଣସି ସ୍ଥାନରେ ଠିଆ ହୋଇ ଟେକାଟିଏ ଫିଙ୍ଗିବ, ଯେଉଁଠି ପଡିବ ସେ ମାଟିରେ ଜଣେ ଦି’ଜଣଙ୍କୁ ଛାଡିଦେଲେ ଆଉ ସବୁ ସ୍ୱାର୍ଥର କଡ଼ିବେଡ଼ିଶିକୁଳିରେ ଆଜୀବନ କଏଦୀ। ସେମାନଙ୍କ ଆଶା, ଆକାଂକ୍ଷା ପୂରଣ ହୋଇପାରୁନଥିବାରୁ ସେମାନେ ହତାଶା, ନିରାଶାରୋଗରେ ଆକ୍ରାନ୍ତ। ଜୀବନରୁ ଶାନ୍ତି ଉଭେଇଯାଇଛି। ସ୍ୱାର୍ଥସର୍ବସ୍ୱ ତଥା ସଂକୀର୍ଣ୍ଣ କାମନାଜର୍ଜରିତ ଆଶା, ଆକାଂକ୍ଷା ପୂରଣ ପାଇଁ ଜୀବନସାରା ମିଛ, ମାୟା, ମରୀଚିକା ପଛରେ ଗୋଡେଇଗୋଡେଇ ପ୍ରାଣ ଚାଲିଯାଉଛି। ଅଢେଇହଜାର ବର୍ଷ ତଳେ ଅବିସ୍ମରଣୀୟ ବୁଦ୍ଧଦେବ ସଂସାର ମୋହ ତ୍ୟାଗ କରି ଅଶ୍ୱତ୍ଥ ଗଛ ମୂଳେ ସାଧନାରତ ରହି ବୋଧିପ୍ରାପ୍ତ ହୋଇଥିଲେ। ତାଙ୍କ ଶ୍ରୀମୁଖରୁ ମାନବସମାଜ ପାଇଁ ମନ୍ତ୍ର ଉଚ୍ଚାରଣ କଲେ : କାମନାର ବିନାଶରେ ଦୁଃଖର ବିନାଶ। ଏହି ବିଶ୍ୱରେ ଶତକଡା ୯୫ ଭାଗ ଶ୍ରମଜୀବୀ ମଣିଷକୁ ମହାନ୍ ସାମାଜବିଜ୍ଞାନୀ ତଥା ଯୁଗାନ୍ତକାରୀ ଦ୍ୱନ୍ଦ୍ୱମୂଳକ ବସ୍ତୁବାଦର ବିପ୍ଳବବିତ୍ ଦାର୍ଶନିକ କାର୍ଲ ମାର୍କସ୍ ଆହ୍ୱାନ ଦେଇଥିଲେ : ଦୁନିଆର ଶ୍ରମିକ ଏକ ହୁଅ, ବଂଚିବା ପାଇଁ ଲଢେଇ କର। କାର୍ଲ ମାର୍କସ୍ଙ୍କ ବହି ପଢି ତାଙ୍କର ସାରତତ୍ତ୍ୱକୁ ସାକାର କରିଥିଲେ ସର୍ବହରାର ସାଥୀ ଲେନିନ୍, ଷ୍ଟାଲିନ୍, ମାଓ-ସେ-ତୁଙ୍ଗ୍, ହୋଚିମିନ୍ ପ୍ରମୁଖ। ସାମନ୍ତବାଦ, ପୁଞ୍ଜିବାଦ, ସାମ୍ରାଜ୍ୟବାଦର ବକ୍ଷ ବିଦାରି ଦେଶେଦେଶେ ଜନ୍ମ ନେଲା ସମାଜବାଦୀ ରାଷ୍ଟ୍ର। ଅଶାନ୍ତି, ଅସନ୍ତୋଷ, ଅନ୍ୟାୟ, ଅତ୍ୟାଚାର, ଶୋଷଣ, କଷଣରେ ଜର୍ଜରିତ ଶ୍ରମଜୀବୀ ଶ୍ରେଣୀ ଏହି ନବଚେତନାର ଚଲାପଥରେ ଜଣେଜଣେ ଦୁର୍ବାର ଦାବୀଦାର୍ ସାଥୀ ହେବାର ସଂକଳ୍ପ ନେଇ ସାରା ପୃଥିବୀର କୋଣେଅନୁକୋଣେ ଆଜି ବି ଆନ୍ଦୋଳନ, ବିକ୍ଷୋଭ, ସଂଗ୍ରାମ, ବିପ୍ଳବ ଜାରି ରଖିଛନ୍ତି। ମୋ: ୯୮୬୧୦୩୪୧୬୩

Share :