ଭାରତରେ ୨୯୬୭ ବାଘ!

ଭାରତରେ ୨୯୬୭ ବାଘ!

ଜୁଲାଇ ୨୯ ତାରିଖ ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗଠାରେ ସର୍ବଭାରତୀୟ ବାଘ ଗଣନା-୨୦୧୮ର ଚତୁର୍ଥ ଚକ୍ର ଫଳାଫଳ ଉନ୍ମୋଚନ କରିଛନ୍ତି। ଏହି ସର୍ଭେକ୍ଷଣ ଅନୁଯାୟୀ ୨୦୧୮ରେ ଭାରତରେ ବାଘ ସଂଖ୍ୟା ବୃଦ୍ଧି ପାଇ ୨୯୬୭ରେ ପହଁଚିଛି। ଏହି ଅବସରରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ଏହାକୁ ଭାରତର ଏକ ଐତିହାସିକ ମୁହୂର୍ତ୍ତ ଭାବେ ଅଭିହିତ କରିଥିଲେ ଏବଂ ବ୍ୟାଘ୍ର ସଂରକ୍ଷଣ ନିମନ୍ତେ ଭାରତର ସଂକଳ୍ପବଦ୍ଧତାକୁ ଦୋହରାଇଥିଲେ। ଏହାକୁ ହାସଲ କରିବା ନେଇ ବିଭିନ୍ନ ଅଂଶୀଦାରମାନଙ୍କ ଦ୍ରୁତ ଓ ଉତ୍ସର୍ଗୀକୃତ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ସଂକଳ୍ପରୁ ସିଦ୍ଧିର ଏହା ଏକ ପ୍ରକୃଷ୍ଟ ଉଦାହରଣ। ଭାରତର ଜନସାଧାରଣ ଯଦି କିଛି କରିବା ପାଇଁ ନିଷ୍ପତି ଗ୍ରହଣ କରନ୍ତି ତେବେ ଉପଯୁକ୍ତ ଫଳାଫଳ ପାଇବା ନେଇ ସେମାନଙ୍କୁ କୌଣସି ଶକ୍ତି ଅଟକାଇ ପାରିବେ ନାହିଁ ବୋଲି ସେ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାୟତଃ ୩୦୦୦ ବାଘଙ୍କ ସହିତ, ଭାରତ ଏବେ ସେମାନଙ୍କ ପାଇଁ ସର୍ବବୃହତ୍ ଓ ସର୍ବାଧିକ ସୁରକ୍ଷିତ ବାସସ୍ଥଳୀରେ ପରିଣତ ହୋଇଛି। ଶ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ ଯେ ଆଗାମୀ ଦିନର ମାର୍ଗ ଚୟନାତ୍ମକ ନୁହେଁ ବରଂ ସାମଗ୍ରିକ। ସେ କହିଲେ ଯେ ପରିବେଶ ସଂରକ୍ଷଣ ଲାଗି ଏକ ବ୍ୟାପକ ଏବଂ ସାମଗ୍ରିକ ଦୃଷ୍ଟିକୋଣ ଜରୁରି। ସେ କହିଲେ ଯେ ବିକାଶ ଓ ପରିବେଶ ମଧ୍ୟରେ ଏକ ଉତ୍ତମ ସନ୍ତୁଳନ ରକ୍ଷା କରିବା ସମ୍ଭବ। ଆମ ନୀତିରେ, ଆମ ଅର୍ଥନୀତିରେ ଆମକୁ ସଂରକ୍ଷଣ ସମ୍ୱନ୍ଧୀୟ ଆଲୋଚନାକୁ ପରିବର୍ତନ କରିବାକୁ ପଡିବ ବୋଲି ସେ କହିଥିଲେ। ଭାରତ ଆମ ନାଗରିକମାନଙ୍କ ପାଇଁ ଅଧିକ ଗୃହ ନିର୍ମାଣ କରିବ ଏବଂ ଏହି ସମୟରେ ଜୀବଜନ୍ତୁମାନଙ୍କ ପାଇଁ ଗୁଣାତ୍ମକ ବାସସ୍ଥାନ ମଧ୍ୟ ସୃଷ୍ଟି କରିବ। ଭାରତର ଏକ ଜୀବନ୍ତ ସାମୁଦ୍ରିକ ଅର୍ଥନୀତି ଏବଂ ସୁସ୍ଥ ସାମୁଦ୍ରିକ ପରିବେଶ ରହିବ। ଏହି ସନ୍ତୁଳନ ହିଁ ଏକ ଶକ୍ତିଶାଳୀ ତଥା ସମାବେଶୀ ଭାରତ ନିର୍ମାଣରେ ଯୋଗଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେ ଆତ୍ମବିଶ୍ୱାସ ପ୍ରକଟ କରି କହିଥିଲେ ଯେ ଭାରତ ଉଭୟ ଆର୍ଥିକ ଓ ପରିବେଶ ଦୃଷ୍ଟିରୁ ସମୃଦ୍ଧ ହେବ; ଭାରତ ଅଧିକ ସଡ଼କ ନିର୍ମାଣ କରିବ ଏବଂ ଭାରତରେ ନଦୀଗୁଡ଼ିକ ସ୍ୱଚ୍ଛ ହେବେ; ଭାରତରେ ରେଳ ସଂଯୋଗ ଉନ୍ନତ ହେବ ଏବଂ ଭାରତରେ ବୃକ୍ଷ ସଂଖ୍ୟାରେ ବୃଦ୍ଧି ଘଟିବ। ସେ କହିଲେ ଯେ ଗତ ୫ ବର୍ଷ ମଧ୍ୟରେ ଆଗାମୀ ପିଢ଼ି ପାଇଁ ଭିତ୍ତିଭୂମି ନିର୍ମାଣ ଦ୍ରୁତ ଗତିରେ ହୋଇଥିବା ବେଳେ ଦେଶରେ ଜଙ୍ଗଲର ଘନତ୍ୱ ମଧ୍ୟ ବୃଦ୍ଧି ପାଇଛି। ସଂରକ୍ଷିତ କ୍ଷେତ୍ର ମଧ୍ୟ ବୃଦ୍ଧି ପାଇଛି। ୨୦୧୪ରେ ୬୯୨ଟି ସଂରକ୍ଷିତ ଅଂଚଳ ଥିଲାବେଳେ ୨୦୧୯ରେ ଏହା ବୃଦ୍ଧି ପାଇ ୮୬୦ରୁ ଅଧିକ ହୋଇଛି। ‘ଗୋଷ୍ଠୀ ସଂରକ୍ଷିତ କ୍ଷେତ୍ର’ ମଧ୍ୟ ବୃଦ୍ଧି ପାଇଛି। ୨୦୧୪ରେ ଏହା ୪୩ ଥିଲାବେଳେ ଏବେ ଏହାର ସଂଖ୍ୟାରେ ବୃଦ୍ଧି ଘଟି ୧୦୦ରୁ ଅଧିକ ହୋଇଛି। ଭାରତ ଏହାର ଅର୍ଥବ୍ୟବସ୍ଥାକୁ ସ୍ୱଚ୍ଛ-ଇନ୍ଧନ ଏବଂ ଅକ୍ଷୟ ଶକ୍ତି ଆଧାରିତ କରିବା ପାଇଁ ନିୟମିତ ଭାବେ ପ୍ରୟାସ କରୁଥିବାର ସେ କହିଥିଲେ। ସେ କହିଲେ ଯେ ବର୍ଜ୍ୟବସ୍ତୁ ଏବଂ ଜୈବ ଇନ୍ଧନକୁ ଭାରତର ଶକ୍ତି ସୁରକ୍ଷାର ବୃହତ ଅଂଶବିଶେଷ କରାଯାଉଛି। ଏଲପିଜି ସଂଯୋଗ ଏବଂ ଏଲଇଡି ବଲ୍ବ ପାଇଁ ଯଥାକ୍ରମେ ପ୍ପଉଜ୍ଜ୍ୱଳାଡ୍ଗ ଓ ପ୍ପଉଜାଲାଡ୍ଗ ଆଦି ଯୋଜନାରେ ହେଉଥିବା ଅଗ୍ରଗତି ସମ୍ୱନ୍ଧରେ ସେ ପ୍ରକାଶ କରିଥିଲେ। ଶେଷରେ ବ୍ୟାଘ୍ର ସଂରକ୍ଷଣ ପାଇଁ ପଦକ୍ଷେପକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର, କେନ୍ଦ୍ର ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବାବୁଲ ସୁପ୍ରିୟୋ ଏବଂ ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତ୍ତନ ମନ୍ତ୍ରଣାଳୟର ସଚିବ ଶ୍ରୀ ସିକେ ମିଶ୍ର ଏହି ଅବସରରେ ଉପସ୍ଥିତ ଥିଲେ।

Share :