ଭେଦଭାବ ଓ ନିର୍ଯାତନା ଲୋପ ଦାବିରେ ସ୍ୱାଭିମାନ ସମାବେଶ

ଭେଦଭାବ ଓ ନିର୍ଯାତନା ଲୋପ ଦାବିରେ ସ୍ୱାଭିମାନ ସମାବେଶ

Share :

ରାଜ୍ୟର ପ୍ରାୟ ୨ କୋଟି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ବ୍ୟକ୍ତିମାନଙ୍କର ତ୍ୱରିତ ଉନ୍ନତି, ନିର୍ଯ୍ୟାତନା ଓ ଭେଦଭାବମୁକ୍ତ ସମାଜ ଗଠନ କରିବା ଦାବୀରେ ଜୁଲାଇ ୨୯ ତାରିଖ ସୋମବାର ରାଜ୍ୟ ବିଧାନସଭା ସମ୍ମୁଖରେ ସ୍ୱାଭିମାନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏସ୍‌ସି, ଏସ୍‌ଟି, ଓବିସି ଏଣ୍ଡ ମାଇନରିଟି ଜଏଣ୍ଟ ଆକ୍ସନ କମିଟି ପକ୍ଷରୁ ଆୟୋଜିତ ଏହି ସମାବେଶରେ ବିଭିନ୍ନ ଜିଲ୍ଲାରୁ ବହୁସଂଖ୍ୟାରେ ଯୁବଛାତ୍ର, ମହିଳା ପୁରୁଷ ଯୋଗଦାନ କରିଥିଲେ। ଲୋୟର ପିଏମ୍‌ଜିଠାରେ ଅନୁଷ୍ଠିତ ଏହି ସମାବେଶରେ ବିଭିନ୍ନ ସଂଗଠନ, ରାଜନୈତିକ ଦଳର ନେତୃବୃନ୍ଦ, ସମାଜସେବୀ, ସେବାନିବୃତ୍ତ କର୍ମଚାରୀ, ଆଇନଜ୍ଞ ଓ ଶିକ୍ଷାବିତଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ଦଳିତ ଆଦିବାସୀବର୍ଗର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ସହିତ ଦାବୀ ଉପସ୍ଥାପନ କରିଥିଲେ। ରାଜ୍ୟରେ ବଢି ଚାଲିଥିବା ଜାତିଭିତ୍ତିକ ନିର୍ଯ୍ୟାତନା ସମ୍ପର୍କରେ ଉଦବେଗ ପ୍ରକାଶ କରି ଏହା ସମ୍ପୂର୍ଣ୍ଣ ବିଲୋପ ନିମନ୍ତେ ଅନୁସୂଚିତ ଜାତି, ଜନଜାତି ନିର୍ଯ୍ୟାତନା ନିବାରଣ ଆଇନକୁ କଡ଼ାକଡ଼ି ଲାଗୁ କରାଯିବାକୁ ଦାବୀ କରାଯାଇଥିଲା। ବିଶେଷକରି କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ଅଧିକାରୀମାନଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ, ନିର୍ଯ୍ୟାତିତ ଓ ସାକ୍ଷୀମାନଙ୍କ ଅଧିକାର ସମୂହର କାର୍ଯ୍ୟକାରିତା, ଯଥା ସମୟରେ ରିଲିଫ ପ୍ରଦାନ କରିବାକୁ ଦାବୀ ଉପସ୍ଥାପନ କରାଯାଇଥିଲା। ଏହି ବର୍ଗର ତ୍ୱରିତ ବିକାଶ ପାଇଁ ଅନୁସୂଚିତ ଜାତି ଉପଯୋଜନା ଓ ଅନୁସୂଚିତ ଜନଜାତି ଉପଯୋଜନାକୁ ଆଇନରେ ପରିଣତ କରିବା, ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାରେ ସଂଖ୍ୟାନୁପାତିକ ସଂରକ୍ଷଣ, ଠିକା ନିଯୁକ୍ତି, ଆଉଟ୍‌ସୋର୍ସିଂ ଓ ବେସରକାରୀ ପ୍ରତିଷ୍ଠାନଗୁଡ଼ିରେ ସଂରକ୍ଷଣ ବ୍ୟବସ୍ଥା, ଭୂମିହୀନ ପରିବାରଙ୍କୁ ଭୂମି, ବାସହୀନମାନଙ୍କୁ ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ମାନର ଗୃହ ପ୍ରଦାନ କରିବା ଆଦି ଦାବୀ ଉପସ୍ଥାପନ କରାଯାଇଥିଲା। ଏହା ବ୍ୟତୀତ ଭେଦଭାବମୁକ୍ତ ଏକକ ଶିକ୍ଷାପ୍ରଣାଳୀ ପ୍ରଣୟନ, ବିପର୍ଯ୍ୟୟ ପରିଚାଳନାରେ ଭେଦାଭବ ଲୋପ କରିବା, ଅଣପାରମ୍ପରିକ ଜଙ୍ଗଲ ଅଧିବାସୀମାନଙ୍କୁ ପଟ୍ଟା ପ୍ରଦାନ, ମହିଳା ଓ ଶିଶୁମାନଙ୍କ ଅତ୍ୟାଚାର ରୋକିବା ପାଇଁ କଡ଼ାକଡ଼ି ବ୍ୟବସ୍ଥା ଆଦି ଦାବୀ ମଧ୍ୟ ଆଲୋଚନା ହୋଇଥିଲା। ଜଏଣ୍ଟ ଆକ୍ସନ କମିଟିର ଦୁଇ ସଂଯୋଜକ ସଂଗ୍ରାମ ମଲ୍ଲିକ ଓ ଅଭିରାମ ମଲ୍ଲିକଙ୍କ ଯୁଗ୍ମ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ପୂର୍ବତନ ସାଂସଦ ମୋହନ ଜେନା, ନୂଆଦିଲ୍ଲୀସ୍ଥ ନ୍ୟାସନାଲ ଦଳିତ ମୁଭ୍‌ମେଣ୍ଟ ଫର୍ ଜଷ୍ଟିସ୍‌ର ସାଧାରଣ ସମ୍ପାଦକ ରମେଶ ନାଥନ ଓ ସହକାରୀ ସୁଶ୍ରୀ ଅବିରାମୀ, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ଆମ୍ୱେଦକର ମହିଳା ମଞ୍ଚର ଆଡ଼ଭୋକେଟ ପଦ୍ମିନୀ ନାୟକ, ବସ୍ତିବାସିନ୍ଦା ମଞ୍ଚର ଶେଖ ଅବଦୁଲ୍ଲା, ଉତ୍କଳମଣି ସେବା ସଂଘର ଉମାବତୀ ସାମଲ, ଏକତା ପରିଷଦର ସଭାପତି ବନ୍ଧୁ ସେଠୀ, ବରିଷ୍ଠ ସଂଗଠକ କିଷାନ ପଟ୍ଟନାୟକ, ସଞ୍ଜୟ କୁମାର ମଲ୍ଲିକ, ବଟକୃଷ୍ଣ ସାମଲ, ପ୍ରତାପ ସାହୁ, ଆବୁଲ କଲାମ ଆଜାଦ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସଂଗ୍ରାମ ମଲିକ, ଯୁଗଳ କିଶୋର ରଣଜିତ୍, ନୟନା ନାଏକ, ଅନୀଲ କୁମାର ମଲ୍ଲିକ, ଲିଙ୍ଗରାଜ ଭୋଇଙ୍କୁ ନେଇ ଏକ ପ୍ରତିନିଧି ଦଳ ସଚିବାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ବିଷଦ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏହା ସହିତ ରାଜସ୍ୱ ସଚିବ ନିକୁଞ୍ଜ ଧଳ ଓ ସାମାଜିକ ସୁରକ୍ଷା ସଚିବ ନୀତିନ ଚନ୍ଦ୍ରାଙ୍କୁ ଭେଟି ଆଲୋଚନା କରି ଦାବୀ ଗୁଡ଼ିକ ଉପସ୍ଥାପିତ କରିଥିଲେ। ରାଜ୍ୟର ପ୍ରାୟ ୧୭ଟି ଜିଲ୍ଲାରୁ ପ୍ରତିନିଧିମାନେ ଏହି ସମାବେଶରେ ଯୋଗଦାନ କରିଥିଲେ।

Share :