ବାଘସଂଖ୍ୟା ବଢ଼ିବା ସତ ନା ମିଛ?

ବାଘସଂଖ୍ୟା ବଢ଼ିବା ସତ ନା ମିଛ?

Share :

ସ୍ବତନ୍ତ୍ର ପ୍ରତିନିଧି ଖୁସିର ଖବର ଯେ ଦେଶରେ ବଢ଼ିଛି ବାଘ ସଂଖ୍ୟା। କ୍ରମାଗତ ଚତୁର୍ଥ ଥର ପାଇଁ ଦେଶରେ ବାଘସଂଖ୍ୟା ବଢ଼ିଥିବା ବାଘ ସୁମାରିରୁ ଜଣାପଡ଼ିଛି। ଜୁଲାଇ ୨୯ ତାରିଖ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସଂପର୍କରେ ଘୋଷଣା କରିବାର ସମ୍ଭାବନା ଅଛି। ନୂଆ ଗଣନା ଅନୁସାରେ ଦେଶରେ ଏବେ ବାଘସଂଖ୍ୟା ୨୬୦୦ ହୋଇଛି। ୨୦୧୪ ଗଣନାରେ ଏହି ସଂଖ୍ୟା ୨୨୨୬ ଥିଲା। ୨୦୦୬ ମସିହାରେ ପ୍ରୋଜେକ୍ଟ ଟାଇଗର ବା ବ୍ୟାଘ୍ର ପ୍ରକଳ୍ପ ପୁନର୍ଗଠିତ ହେବା ପରଠାରୁ ବାଘସଂଖ୍ୟାରେ ଏହା କ୍ରମାଗତ ଚତୁର୍ଥ ପରିବୃଦ୍ଧି। ୨୦୦୬ ମସିହାରେ ସମଗ୍ର ଦେଶରେ ୧୪୧୧ଟି ବାଘ ଥିବାର ଗଣନା କରାଯାଇଥିଲା। ୨୦୧୦ ଗଣନାରେ ଏହି ସଂଖ୍ୟା ୧୭୨୬ ଏବଂ ୨୦୧୪ରେ ୨୨୬ ହୋଇଥିବାର ରେକର୍ଡ଼ କରାଯାଇଛି। ୨୦୧୮ ବାଘ ଗଣନାରେ ଏହି ସଂଖ୍ୟା ୨୬୦୦ ହେବା ନିଶ୍ଚୟ ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଖୁସି ଆଣିଦେବ। ନୂଆ ଗଣନାରେ ବି ଦେଶର ସର୍ବାଧିକ ବାଘ ଥିବା ରାଜ୍ୟର ମାନ୍ୟତା ପାଇବ କର୍ଣ୍ଣାଟକ। ଏହି ରାଜ୍ୟରେ ୨୦୧୪ ଗଣନାରେ ୪୦୬ ବାଘ ଥିବା ଗଣନା କରାଯାଇଥିଲା। ଏଥର ସେହି ସଂଖ୍ୟା ୫୦୦କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। କର୍ଣ୍ଣାଟକ ପରେ ଅଧିକ ବାଘ ଥିବା ରାଜ୍ୟ ତାଲିକାରେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଯଥାକ୍ରମେ ମଧ୍ୟ ପ୍ରଦେଶ ଓ ଉତ୍ତରାଖଣ୍ଡ। ମହାରାଷ୍ଟ୍ରରେ ମଧ୍ୟ ବାଘସଂଖ୍ୟା ବୃଦ୍ଧି ପାଇଛି। ୨୦୦୬ ମସିହାରେ ମହାରାଷ୍ଟ୍ରରେ ୧୦୩ ବାଘ ଥିବା ଜଣାପଡ଼ିଥିଲା। ୨୦୧୦ରେ ଏହି ସଂଖ୍ୟା ୧୬୯ ଏବଂ ୨୦୧୪ରେ ୧୯୦କୁ ବୃଦ୍ଧି ପାଇଥିଲା। ୨୦୧୮ ଗଣନାରେ ଏହି ସଂଖ୍ୟା ୨୩୦-୨୪୦ ହୋଇଥିବା କୁହାଯାଉଛି। ଜାତୀୟ ବ୍ୟାର୍ଘ ସଂରକ୍ଷଣ କର୍ତ୍ତୃପକ୍ଷ ବା ଏନଟିସିଏର ଜଣେ ଅଧିକାରୀଙ୍କ ଅନୁସାରେ ଦେଶରେ ବାଘସଂଖ୍ୟା ବୃଦ୍ଧିର ବିଭିନ୍ନ କାରଣ ରହିଛି। ଗୋଟିଏ କାରଣ ହେଉଛି ଗଣନା ପଦ୍ଧତିରେ ସଂଶାଧନ। ପୂର୍ବରୁ ପ୍ରତି ୪ ବର୍ଗ କିଲୋମିଟର ଅଞ୍ଚଳକୁ ନମୁନା ପଦଚିହ୍ନ ଗଣନା କ୍ଷେତ୍ର ଭାବେ ଗ୍ରହଣ କରାଯାଉଥିଲା। ୨୦୧୮ ଗଣନା ପାଇଁ ଏହି କ୍ଷେତ୍ରକୁ ୨ ବର୍ଗ କିଲୋମିଟର ଅଞ୍ଚଳକୁ କମାଇ ଦିଆଯାଇଛି। ଏହା ଦ୍ବାରା ଗଣନା ଠିକ ହେବ ବୋଲି ଯୁକ୍ତି କରାଯାଉଛି। ତେବେ ଏହା ଦ୍ବାରା ଗୋଟେ ଗୋଟେ ବାଘ ଦି’ ଦି’ ଥର ଗଣି ହୋଇଯିବାର ଆଶଙ୍କା ମଧ୍ୟ ରହିଛି। କାରଣ ଗୋଟିଏ ବାଘ ୨ ବର୍ଗ କିଲୋମିଟର ଅଞ୍ଚଳ ଟପି ଅନ୍ୟ କ୍ଷେତ୍ରରେ ଶିକାର ବା ସାଥୀ ଖୋଜିବା ଅସ୍ବାଭାବିକ ନୁହେଁ। ସେହିପରି ଏଥର ଗଣନାକୁ ଅଧିକ ସଠିକ କରିବା ପାଇଁ ଏମ-ଷ୍ଟ୍ରାଇପ୍ସ ନାମକ ଏକ ଡିଜିଟାଲ ଆପ୍ପ ବ୍ୟବହୃତ ହୋଇଥିଲା। ଏହି ଆପ୍ସ ଜରିଆରେ ଜିପିଏସ ଆଧାରିତ ସ୍ପାଟିଆଲ ପାଟ୍ରୋଲିଂ ଓ ଇକୋଲୋଜିକାଲ ଆକଳନ ପଦ୍ଧତିରେ ବାଘ ସୁମାରି କରାଯାଇଥାଏ। ତେବେ ଏ ପଦ୍ଧତି ମଧ୍ୟ ସବୁଠି ସଠିକ ଫଳ ଦେଇନଥାଏ ବୋଲି ଅନେକ ସମାଲୋଚକ ମତ ପ୍ରଦାନ କରନ୍ତି। ବାଘସଂଖ୍ୟା ବୃଦ୍ଧି ପାଇଁ ଅନ୍ୟ ଏକ କାରଣ ହେଉଛି ଶିକାରୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ। ଅଧିକ ଦଣ୍ଡ ଭୟ ଯୋଗୁଁ ଗତ କିଛି ବର୍ଷରେ ବାଘ ଶିକାର କମିଛି। ସେହିପରି ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳ ବା ଅଭୟରଣ୍ୟା ମଧ୍ୟରୁ ଆଦିବାସୀମାନଙ୍କୁ ସ୍ଥାନାନ୍ତର କରିବା ଫଳରେ ଜଙ୍ଗଲ ଭିତରେ ବାଘମାନଙ୍କର ଚଳପ୍ରଚଳ ଏବଂ ପ୍ରଜନନ ପାଇଁ ଅଧିକ ପରିସର ସୃଷ୍ଟି ହୋଇଛି। ଜଙ୍ଗଲରେ ବାଘଙ୍କ ପ୍ରତି ବିପଦ ହ୍ରାସ ପାଇବା ଫଳରେ ସେମାନଙ୍କର ସ୍ବଚ୍ଛନ୍ଦ ବିଚରଣ ଓ ଶାରୀରିକ ସଂଗମ ଯୋଗୁଁ ବାଘ ସଂଖ୍ୟା ବୃଦ୍ଧି ପାଇଛି ବୋଲି କୁହାଯାଉଛି।

Share :