ଜଣେ ଅଫିସରଙ୍କର ସରକାରୀ କ୍ବାର୍ଟର ମରାମତିରେ ୫ ମାସରେ ୭୦ ଲକ୍ଷ ଖର୍ଚ୍ଚ!

ଜଣେ ଅଫିସରଙ୍କର ସରକାରୀ କ୍ବାର୍ଟର ମରାମତିରେ ୫ ମାସରେ ୭୦ ଲକ୍ଷ ଖର୍ଚ୍ଚ!

Share :

ସନ୍ଧାନୀ ସମ୍ବାଦଦାତା ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ, ରାଉରକେଲା ମହାନଗର ନିଗମର କମିଶନର ଏବଂ ରାଉରକେଲା ସ୍ମାର୍ଟ ସିଟି କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟନିର୍ବାହୀ- ଏଭଳି ତିନିଟି ପଦରେ ନିଯୁକ୍ତ ଥିଲେ ଆଇଏଏସ ଅଧିକାରୀ ରଶ୍ମିତା ପଣ୍ଡା। ସେ ତିନିଟି ଦାୟିତ୍ବରେ ଥିଲେ ବି ସ୍ବାଭାବିକ ଭାବେ ଗୋଟିଏ ସରକାରୀ କ୍ବାର୍ଟରରେ ରହୁଥିଲେ। ଏହି ସରକାରୀ କ୍ବାର୍ଟରର ନମ୍ବର ଥିଲା ୪ଆର୍‌/୧। ଏଇ ଘରର ନବୀକରଣ ଓ ମରାମତି ବାବଦରେ ମାତ୍ର ୬ ମାସ ଭିତରେ ସେ ଖର୍ଚ୍ଚ କରିଥିଲେ ପ୍ରାୟ ୭୦ ଲକ୍ଷ ଟଙ୍କା। ଏତେ ଟଙ୍କାର କାମ ହେଲେ ଟେଣ୍ଡର ଡାକିବାକୁ ପଡ଼ିବ। କିନ୍ତୁ ଟେଣ୍ଡର ପ୍ରକ୍ରିୟା ଆଡ଼େଇବାକୁ କାମକୁ ଛୋଟ ଛୋଟ ୧୬ ଭାଗ କରିଦିଆଗଲା ଓ କୌଣସି କାମ ୫ ଲକ୍ଷ ଟଙ୍କା ଟପିଲା ନାହିଁ। ସୂଚନା ଅଧିକାର ଆଇନ ବଳରେ ସାମଜିକ କର୍ମୀ ପ୍ରଦୀପ ପ୍ରଧାନଙ୍କୁ ମିଳିଥିବା ତଥ୍ୟ ଅନୁଯାୟୀ ରାଉରକେଲା ଉଦିତ ନଗରରେ ଥିବା ୪ଆର୍‌/୧ କ୍ବାର୍ଟରର ଅତିରିକ୍ତ ଖାଇବା ଘର ତିଆରି ବାବଦରେ ୪.୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ପାଚେରୀ ଉଚ୍ଚା ଓ ମରାମତି କରିବା ବାବଦରେ ୪.୪୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ପାଚେରୀର ଢାଞ୍ଚା କାମ ପାଇଁ ୩.୯୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପହରୀ ଘର ଓ ପାଇଖାନା ବାବଦରେ ଖର୍ଚ୍ଚ ହୋଇଛି ୪ ଲକ୍ଷ ଟଙ୍କା। ପୁଣି ଥରେ ଏହି କ୍ବାର୍ଟର ମରାମତି ଓ ନବୀକରଣ ବାବଦରେ ଖର୍ଚ୍ଚ ହୋଇଛି ୩.୮୦ ଲକ୍ଷ ଟଙ୍କା। ଅଗଣା ଓ ଶୋଇବା ଘର ପାଇଁ ଅଧିକ ଗୋଟିଏ ପାଇଖାନା ତିଆରି କରିବାରେ ଖର୍ଚ୍ଚ ହୋଇଛି ୩.୮୫ ଲକ୍ଷ ଟଙ୍କା। ଏହି କ୍ବାର୍ଟରରେ ଅଧିକ ଗୋଟିଏ ଶୋଇବା ଘର ତିଆରି ପାଇଁ ଖର୍ଚ୍ଚ ହୋଇଛି ୪.୩୪ ଲକ୍ଷ ଟଙ୍କା। ପୁଣି ଆବାସିକ ଅଫିସ ନିର୍ମାଣ ଓ ବୋର୍‌ ୱେଲ ଖନନରେ ଖର୍ଚ୍ଚ ହୋଇଛି ୪.୨୩ ଲକ୍ଷ ଟଙ୍କା। ନଳା ଓ ପୋର୍ଟିକୋ ନିର୍ମାଣ ନେଇ ଖର୍ଚ୍ଚ ହୋଇଛି ୪.୪୪ ଲକ୍ଷ ଟଙ୍କା। ବାହ୍ୟ ବିଦ୍ୟୁତକରଣ ବାବଦରେ ୪.୯୭ ଲକ୍ଷ ଓ ଅନ୍ତରୀଣ ବିଦ୍ୟୁତକରଣ ବାବଦରେ ୪.୯୧ ଲକ୍ଷ ଟଙ୍କାର ବିଲ୍‌ ପ୍ରଦାନ କରାଯାଇଛି। ଏହି କ୍ବାର୍ଟରର ଫେବ୍ରିକେସନ କାମ ପାଇଁ ଦିଆଯାଇଛି ୪.୪୦ ଲକ୍ଷ ଟଙ୍କା। ପୁଣି ଥରେ ପାଇଖାନା ଓ ପାଣି ପାଇବ ମରାମତି ବାବଦରେ ଖର୍ଚ୍ଚ ହୋଇଛି ୪.୩୯ ଲକ୍ଷ ଟଙ୍କା। କ୍ବାର୍ଟରରେ ମଶା ଜାଲି ଲଗାଇବାରେ ଖର୍ଚ୍ଚ ହୋଇଛି ୪.୦୪ ଲକ୍ଷ ଟଙ୍କା। ସେହିପରି ଗାର୍ଡ଼ ରୁମର ପଛ ପଟ ତିଆରି ଏବଂ ପ୍ଲାଷ୍ଟିକ ରଙ୍ଗ ବାବଦରେ ଖର୍ଚ୍ଚ ହୋଇଛି ୪.୪୫ ଲକ୍ଷ ଟଙ୍କା। ଏସବୁ କାମ ୨୦୧୮ ଏପ୍ରିଲ ଓ ଅଗଷ୍ଟ ମାସ ମଧ୍ୟରେ ହୋଇଛି ଏବଂ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷରୁ ଟଙ୍କା ପ୍ରଦାନ କରାଯାଇଛି। ଗାଏମୋଟ ୬୮ ଲକ୍ଷ ୫୭ ହଜାର ୯୫୦ ଟଙ୍କା ଏଇ ୫ ମାସ ମଧ୍ୟରେ ଖର୍ଚ୍ଚ କରାଯାଇଛି। ଏହାକୁ ଏଯାଏଁ ରାଜ୍ୟ ସରକାରଙ୍କ ଅଡିଟ ଧରି ନାହିଁ। ଏହା ଦୁର୍ନୀତି ନା ନୁହେଁ କିଏ କହିବ? ତେବେ ରଶ୍ମୀତା ପଣ୍ଡା ଜଣେ ସମ୍ବେଦନଶୀଳ ଓ ଦକ୍ଷ ପ୍ରଶାସକ ଭାବେ ସୁନାମ ଅର୍ଜନ କରିଛନ୍ତି। ସେ ୨୦୧୫ ମସିହାରେ ନବରଙ୍ଗପୁର ଜିଲ୍ଲାପାଳ ଥିଲାବେଳେ ସେଠାରେ କାଜୁ ଚାଷ କରାଇ ଅନେକ ଲୋକଙ୍କର ଆର୍ଥିକ ସଶକ୍ତିକରଣ କରାଇଥିଲେ। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ପୁରସ୍କାର ପାଇଥିଲେ। ଜଣେ ସ୍ବଚ୍ଛ ଓ ଚିନ୍ତାଶୀଳ ପ୍ରଶାସକ ହୋଇଥିବାରୁ ସେ ଏହି କ୍ବାର୍ଟର ଟଙ୍କା ଖର୍ଚ୍ଚ କରିଛନ୍ତି ତା କୌଣସି ଯନ୍ତ୍ରୀ କାଇଦା କରି ତାଙ୍କ ଜରିଆରେ ଏ ଖର୍ଚ୍ଚ କରାଇ ନେଇଛନ୍ତି ତାହା ସ୍ଥିର କରିବା ତଦନ୍ତ ସାପେକ୍ଷ।

Share :