କାହା ଟଙ୍କାରେ ବାବୁଙ୍କ ବିଳାସ?

କାହା ଟଙ୍କାରେ ବାବୁଙ୍କ ବିଳାସ?

Share :

ସ୍ବତନ୍ତ୍ର ପ୍ରତିନିଧି ମାଲକାନଗିରି ଜିଲ୍ଲାପାଳଙ୍କ ସରକାରୀ ଘର ମରାମତି ବାବଦରେ ୨୦୧୪-୧୫ ବର୍ଷରେ ଖର୍ଚ୍ଚ ହୋଇଥିଲା ୧.୭୩ ଲକ୍ଷ ଟଙ୍କା। ୨୦୧୫-୧୬ ଆର୍ଥିକ ବର୍ଷରେ ଖର୍ଚ୍ଚ ହେଲା ୯.୩୪ ଲକ୍ଷ ଟଙ୍କା। ପୁଣି ୨୦୧୬-୧୭ ବର୍ଷରେ ଖର୍ଚ୍ଚ ହେଲା ୧୦.୫୪ ଲକ୍ଷ ଟଙ୍କା। ୨୦୧୭-୧୮ ବର୍ଷରେ ସେଇ ବାବଦ ଖର୍ଚ୍ଚ ୪.୬୦ ଲକ୍ଷ ଏବଂ ୨୦୧୮-୧୯ ବର୍ଷରେ ଖର୍ଚ୍ଚ ହୋଇଛି ୭.୮୫ ଲକ୍ଷ ଟଙ୍କା। ଅର୍ଥାତ ଏଇ ପାଞ୍ଚ ବର୍ଷରେ ମାଲକାନଗିରି ଜିଲ୍ଲାପାଳଙ୍କ ସରକାରୀ ଘର ମରାମତିରେ ଖର୍ଚ୍ଚ ହୋଇଛି ପ୍ରାୟ ୩୪ ଲକ୍ଷ ଟଙ୍କା। ଏ ଖର୍ଚ୍ଚ କେତେ ସତ କେତେ ମିଛ ସେ ପ୍ରଶ୍ନ ଉଠିପାରେ। ତେବେ ଏ ଖର୍ଚ୍ଚ କେତେ ଦରକାର ତାହା ମଧ୍ୟ ଏକ ପ୍ରଶ୍ନ। କାହା ଟଙ୍କାରେ ଏ ବିଳାସ? କେବଳ ଜିଲ୍ଲାପାଳଙ୍କ ଘର ନୁହେଁ, ଏଇ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମରାମତି ଓ ପୁନଃନିର୍ମାଣ ବାବଦରେ ମଧ୍ୟ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା। ସତେ କି କାର୍ଯ୍ୟାଳୟ ଏକ ଦୁର୍ଗରେ ପରିଣତ ହୋଇଛି! ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମରାମତି ବାବଦରେ ୨୦୧୪-୧୫ ବର୍ଷରେ ମାତ୍ର ୮୯.୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ମାତ୍ର ୨୦୧୫-୧୬ ବର୍ଷରେ ଖର୍ଚ୍ଚ ହେଲା ୯୯.୫୮ ଲକ୍ଷ ଟଙ୍କା। ୨୦୧୬-୧୭ ବର୍ଷରେ ଏହି ଖର୍ଚ୍ଚର ପରିମାଣ ହେଲା ୨୦.୪୦ ଲକ୍ଷ ଓ ୨୦୧୭-୧୮ ବର୍ଷରେ ୯.୩୩ ଲକ୍ଷ ଟଙ୍କା। ଏ ଖର୍ଚ୍ଚରେ ଠିକାଦାର ପୋଷାଗଲେ କି ଦଳୀୟ କର୍ମୀ ତାହା ବିଲ୍‌ ପାସ୍‌ କରିଥିବା ବାବୁମାନେ କହିପାରିବେ। ସେହିପରି କଟକ ଜିଲ୍ଲାପାଳଙ୍କ ଘର ମରାମତି ଖର୍ଚ୍ଚ ହେଉଛି ୨୦୧୫-୧୬ରେ ୧୧.୯୯ ଟଙ୍କା, ୨୦୧୬-୧୭ରେ ୩.୧୨ ହଜାର ଟଙ୍କା, ୨୦୧୭-୧୮ରେ ୩୮.୬ ହଜାର ଟଙୋକା ଓ ୨୦୧୮-୧୯ରେ ୭.୯୭ ଲକ୍ଷ ଟଙ୍କା। ଏହି ପାଞ୍ଚ ବର୍ଷ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମରାମତି ବାବଦ ଖର୍ଚ୍ଚ ହେଉଛି ଯଥାକ୍ରମେ ୧୭.୩୯ ଲକ୍ଷ ଟଙ୍କା, ୨୦.୪୫ ଲକ୍ଷ ଟଙ୍କା, ୨୮.୦୮ ଲକ୍ଷ ଟଙ୍କା ଓ ୨.୬୩ ଲକ୍ଷ ଟଙ୍କା। ଯାଜପୁର ଜିଲ୍ଲାପାଳ ତାଙ୍କ ସରକାରୀ ଘର ମରାମତିରେ ୨୦୧୫-୧୬ ବର୍ଷରେ ୯.୬୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ ପରବର୍ତ୍ତୀ ୨ ବର୍ଷ ଏହି ଖର୍ଚ୍ଚର ପରିମାଣ ହେଉଛି ଯଥାକ୍ରମେ ୭.୪୨ ଲକ୍ଷ ଓ ୨.୩୩ ଲକ୍ଷ ଟଙ୍କା। କିନ୍ତୁ ତାଙ୍କ କାର୍ଯ୍ୟାଳୟ ମରାମତି ବାବଦରେ ୨୦୧୫-୧୬ରେ ୧୩.୮୫ ଲକ୍ଷ, ୨୦୧୬-୧୭ରେ ୧୯.୦୪ ଲକ୍ଷ, ୨୦୧୭-୧୮ରେ ୧୫.୧୨ ଲକ୍ଷ ଏବଂ ୨୦୧୮-୧୯ରେ ୩.୦୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ତଥ୍ୟ ପ୍ରଦାନ କରାଯାଇଛି। ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ରାଜ୍ୟର ମୋଟ ୩୦ ଜିଲ୍ଲାରୁ ୧୦ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସରକାରୀ ଘର ଓ କାର୍ଯ୍ୟାଳୟ ମରାମତି ବାବଦରେ ଗତ ୧୦ ବର୍ଷରେ କେତେ ଟଙ୍କା ଲେଖାଏଁ ଖର୍ଚ୍ଚ ହୋଇଛି ସେ ବାବଦ ତଥ୍ୟ ମାଗିଥିଲେ। ଏଯାଏଁ ୫ ଜିଲ୍ଲା ପ୍ରଶାସନ ତଥ୍ୟ ଦେଇ ନାହାନ୍ତି। ଯେଉଁ ପାଞ୍ଚ ଜିଲ୍ଲାରୁ ତଥ୍ୟ ଆସିଛି ତାହା ସଂପୂର୍ଣ୍ଣ ନୁହେଁ। ଯେତିକି ତଥ୍ୟ ମିଳିଛି ସେଥିରୁ ଜିଲ୍ଲା ସ୍ତରୀୟ ଅଧିକାରୀମାନେ କିପରି ପ୍ରାୟ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେମାନଙ୍କର ସରକାରୀ ଘର ମରାମତି ବା ସାଜସଜା କରୁଛନ୍ତି ତାହା ଅନୁମେୟ। ଏହା ସତ କି ମିଛ ତାହା କେହି ତଦନ୍ତ କରିବେ ନାହିଁ। ଏହିପରି ଖର୍ଚ୍ଚ କେବଳ ଜିଲ୍ଲାପାଳଙ୍କ କ୍ଷେତ୍ରରେ ସୀମୀତ ନୁହେଁ। ଆରକ୍ଷୀ ଅଧିକ୍ଷକମାନେ ମଧ୍ୟ ଏପରି ଖର୍ଚ୍ଚ କରୁଛନ୍ତି। ରାଜଧାନୀରେ ରହୁଥିବା ବିଭିନ୍ନ ବିଭାଗୀୟ ସଚିବମାନେ ବିଳାସପୂର୍ଣ୍ଣ ଜୀବନଯାପନ କରିବାକୁ ଏହିପରି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଘର ମରାମତି କରୁଛନ୍ତି। ରାଜ୍ୟର ଅର୍ଦ୍ଧାଧିକ ଲୋକ ବିଜୁ କୁଡ଼ିଆ କିମ୍ବା ଇନ୍ଦିରା ଆବାସ ପାଇବାକୁ ଧାଡ଼ି ଲଗାଇଥିବାବେଳେ ନବାନ ସରକାରର ବାବୁମାନେ ଏଭଳି ଖର୍ଚ୍ଚ କରିବା କେତେ ଶୋଭନୀୟ ତାହା ବିଚାର କରିବାର କଥା।

Share :