‘ଫଣୀ’ ଏକ ଜାତୀୟ ବିପତ୍ତି କି?

‘ଫଣୀ’ ଏକ ଜାତୀୟ ବିପତ୍ତି କି?

Share :

ମାୟାଧର ନାୟକ ୨୦୧୯ ମଇ ୩ ଓ ୪ରେ ଓଡିଶା, ପରେପରେ ପଶ୍ଚିମବଙ୍ଗ, ୫ରେ ବଙ୍ଗଳାଦେଶରେ ‘ଫଣୀ’ର ଲହଲହ ଜିହ୍ୱା ପ୍ରକୃତରେ କେତେ ଯେ କାହାକୁ ଚାଟିନେଇଛି ଲ୍କ ତାହାର ହିସାବନିକାସ ପାଇଁ ବେଳ କାହିଁ? ମାଟିରେ ମିଶିଯାଇଛି ଉପକୂଳବର୍ତ୍ତୀ ଅଂଚଳର ଶହଶହ ଗାଁଗଣ୍ଡା। ଫସଲ କ୍ଷେତ ଆଜି ଆବର୍ଜନା ସ୍ତୂପ। ସବୁଜ ପଲ୍ଲୀ ଆଜି ନିବୁଜ, ନିର୍ଜନ ମରୁପ୍ରଦେଶ! ପୃଥିବୀର ଦର୍ଶନୀୟ ସ୍ଥାନ ପୁରୀ- ଶ୍ରୀଜଗନ୍ନାଥ ଧାମ ସମୁଦ୍ର ବେଳାଭୂମି, ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱର, ପ୍ରାକ୍ତନ ସ୍ମୃତିତୀର୍ଥ କଟକ ସହର ବିକଳାଙ୍ଗ। କେଉଁଠି କେତେ କ୍ଷତି ହୋଇଛି ଏବେବି କଳ୍ପନା କରିବା କଷ୍ଟକର। ସମସ୍ତେ ଯେତେବେଳେ ଜୀବନଯୁଦ୍ଧରେ ପରାଜିତ, କ୍ଷତବିକ୍ଷତ, ହତାହତ- ଠିକ୍ ସେତିକିବେଳେ ରାଜନୀତିର ରଥଚକ୍ର ତଳେ ଭୋକର ଭୂଗୋଳ ଦୁଃଖିନୀ ଓଡିଶା ଧରାଶାୟିନୀ। ପ୍ରାକୃତିକ ଓ ମନୁଷ୍ୟକୃତ ବିପତ୍ତିର ନିତ୍ୟନିୟମିତ ମହାମିଳନପୀଠ ହେଉଛି ଆମର ଏ ଦୁର୍ଭାଗା ପ୍ରଦେଶ! ବାତ୍ୟା, ବନ୍ୟା, ମରୁଡିର ଚିହ୍ନା ଚରାଭୂଇଁ ରୂପେ ଓଡିଶା ମଧ୍ୟ ବହୁ ବିପର୍ଯ୍ୟୟର ବ୍ୟଥା ଅଙ୍ଗେ ଲିଭେଇଛି - ନଅଙ୍କ ଦୁର୍ଭିକ୍ଷ ପରି ଦାରୁଣ ଦୁର୍ଦ୍ଦଶାର ଦଂଶନକୁ ବି ଦେହରେ ଭେଦାଇପାରିଛି। ମାତ୍ର ଏ ସନ୍ତ୍ରାସ ସୃଷ୍ଟିକାରୀ ସାମୁଦ୍ରିକ ତୋଫାନ୍ ‘ଫଣୀ’ ଆଜି ଏକାବେଳେକେ ଅଂଟା ଭାଙ୍ଗିଦେଇଛି ଦୁଃଖିନୀ ଓଡିଶାର। ଚୁନା କରିଦେଇଛି ତାର ମେରୁହାଡ। ଅସୁମାରି ଧନଜୀବନ ଉପରେ ଧ୍ୱଂସର ଧୂସର ପାଦଟୀକା ଲେଖିଦେଇ ତାର ବିଧ୍ୱଂସୀ ଭୂମିକା ନିର୍ବାହ କରିସାରିଛି ଏ ଦ୍ୱିଦଶକର କରାଳତମ ଚକ୍ରବାତ୍ୟା। କଳ୍ପନାତୀତ କ୍ଷୟକ୍ଷତିର କୁଳପର୍ବତ ଉପରେ ଛିଡାହୋଇ ଆମମାନଙ୍କୁ ଐକ୍ୟବଦ୍ଧ ହେବାକୁ ପଡିବ ନୂତନ ଯୁଗର ଜୀବନ୍ୟାସ ପାଇଁ। ଦୁର୍ଗତ, ଦୁର୍ଦ୍ଦଶାଗ୍ରସ୍ତ, ସଂକଟାପନ୍ନ ମଣିଷମାନଙ୍କ ମେଳରେ ଥାଇ ଆଉଥରେ ପ୍ରସ୍ତୁତ ହେବାକୁ ପଡିବ ପ୍ରଳୟ ବିରୁଦ୍ଧରେ ଜୟଯାତ୍ରା ଆରମ୍ଭ କରିବାପାଇଁ। ଆମକୁ ଯିବାକୁ ପଡିବ ଆମର ଲକ୍ଷଲକ୍ଷ ରୋଗ, ଶୋକ, ଭୋକରେ ଆଉଟୁପାଉଟୁ ହେଉଥିବା ଭାଇଭଉଣୀ, କୁନିକୁନି କଅଁଳ ଛୁଆମାନଙ୍କ ପାଖକୁ ଯେଉଁମାନେ ସବୁକିଛି ହରେଇ ଜଡ ପାଲଟିଯାଇଛନ୍ତି ସେମାନଙ୍କ ମୁହଁରେ ଅନ୍ତତଃ ହସ ମୁଠିଏ ଫେରେଇ ଆଣିନପାରିଲେ ବି ସେମାନଙ୍କ ଆଖିରୁ ପୋଛିଦେବାକୁ ପଡିବ ଧାରଧାର ଲୁହ। ଯାହା ଯାଇଛି, ଯାହା ଉଜୁଡିଛି - ଆଉ ଫେରିଆସିବନି ସେସବୁ। ସବୁ ଦୁଃଖସୁଖର ଦରିଆ ମଝିରେ ନ୍ୟାୟ ପାଇବାକୁ ପଡିବ ଆଉଥରେ। ଏଇ ସମୟରେ ପ୍ରୟୋଜନ ଅବିଚଳିତ ନିଷ୍ଠା, ଅକାତକାତ ସାହସ, ଉତ୍ସର୍ଗୀକୃତ ସଂଗ୍ରାମୀ ମାନସିକତା ଓ ଅପରିସୀମ ଧୈର୍ଯ୍ୟ! ସବୁବେଳେ ପ୍ରକୃତିର ପ୍ରକୋପ ବଡ ପ୍ରକଂପନଶୀଳ। ତାର ଗର୍ଜନତର୍ଜନରେ ସେ ଆମକୁ ତାଲିମ କରାଇଥାଏ - ଆଗରୁ ସତର୍କ ହୋଇପାରିଲେ ହିଁ ମୁକାବିଲା କରିହେବ ମହାବିପତ୍ତିକୁ। ସେଥିପାଇଁ ବେଳହୁଁ ସାବଧାନ। ତୋଫାନ୍ର ଏ ତାଲିମ୍ କିନ୍ତୁ ଆମର ଏ ଥଣ୍ଡାକଲିଜାକୁ ଟିକିଏ ବି ତତାଇ ମତାଇ ପାରିଲା କି? କୋଡ଼ିଏ ବର୍ଷର ଗୋଟାଏ ସରକାର କିଛି ବି ଶିଖିପାରିନି ଝଡ଼ିବଢ଼ିମରୁଡ଼ିର ପର୍ଯ୍ୟାୟକ୍ରମିକ ପ୍ରହାରରୁ! କୋଢ଼ିଆ ପ୍ରଶାସନ ଏ ଓଡ଼ିଆ ଜାତିପାଇଁ ପାଲଟିଛି ବରଂ ବାଳୁଙ୍ଗାକ୍ଷେତର ପାଳଭୂତ! ଏ ନିରାଟ ସତ୍ୟକୁ କେନ୍ଦ୍ର-ରାଜ୍ୟ ସରକାର, ବିଭିନ୍ନ ରାଜନୈତିକ ଦଳ, ଅନୁଷ୍ଠାନ ନହେଜିଲେ ଦୁର୍ଗତ ଜନଗଣଙ୍କର ଅଶାନ୍ତି, ଅସନ୍ତୋଷ, କ୍ରୋଧ, ଘୃଣା, ପ୍ରତିହିଂସାର ଆଗ୍ନେୟଗିରି ବିଲ୍ଫୋରିତ ହେବାକୁ ବାଧ୍ୟ। ଏବେ ଏ ୨୦୧୯ର କାଳବୈଶାଖୀତ୍ରସ୍ତ ଓଡିଶା ଉପରେ ଯେଉଁ କରାଳ ଚକ୍ରବାତ୍ୟାର ତାଣ୍ଡବ ସୃଷ୍ଟି ହେଲା ତା ଫଳରେ ଦୁଃଖିନୀ ଓଡିଶାର ଦାରିଦ୍ର୍ୟ ଓ ଦୁଃସ୍ଥିତି କେବଳ ଯେ ବହୁଗୁଣିତ ହେଇପଡିଲା ତାହା ନୁହେଁ, ସମଗ୍ର ବିଶ୍ୱଭୂଖଣ୍ଡକୁ ମଧ୍ୟ ଓଡିଶା ପ୍ରତି ସଜାଗ ଓ ସଚେତନ କରିଦେଲା। କଳନାତୀତ କ୍ଷୟକ୍ଷତି ଓ କଳ୍ପନାତୀତ ଭୟାବହତା ମଧ୍ୟରେ ଓଡିଶା ଏକ ଦୈର୍ଘ୍ୟପ୍ରସ୍ଥହୀନ ବିପନ୍ନବିଷଣ୍ଣ ବିନ୍ଦୁଟିଏର ଅସହାୟ ଅସ୍ତିତ୍ୱନେଇ ବିଶ୍ୱ ସମକ୍ଷରେ ପ୍ରତିଭାତ ହୋଇଉଠିଛି। ପୃଥିବୀର ପ୍ରତ୍ୟେକ କୋଣଅନୁକୋଣରୁ ଗୁଞ୍ଜୁରିଉଠିଛି ମାନବିକତାର ଉଦାର ଅନ୍ତଃସ୍ୱର। ଏହାକୁ ଏକ ଅନ୍ତର୍ଜାତୀୟ ବିପତ୍ତି ଭାବରେ ଚିତ୍ରଣ କରାଯିବାର ସମୟ ଆସିଯାଇଛି। ଏ ଚକ୍ରବାତ୍ୟା ଓଡିଶା ଉପରେ ଟାଣିଦେଇଛି କରାଳ ଧ୍ୱଂସର କଳାପର୍ଦା। ଓଡିଶା ଉପରେ ଚଡକ ପଡିଛି, ମହାବିପତ୍ତି ଆଜି ଚଳୁ କରିସାରିଛି ଓଡିଶାର ଅର୍ଦ୍ଧାଧିକ ଆଗାମୀ ଭବିଷ୍ୟତକୁ। ଏ ଧ୍ୱଂସସ୍ତୂପରୁ ଉଠିବାକୁ ହେଲେ ମାଟି କାମୁଡି ପଡିଥିବା ଓଡିଶାକୁ ଲାଗିଯିବ ଆହୁରି ୧୦୦ବର୍ଷ। ସମଗ୍ର ଭାରତବର୍ଷର ମଣିଷ ଯିଏ ଯେଉଁ କୋଣରେ ଥାଉନା କାହିଁକି ସେ ଭାରତୀୟ। ଭାରତର ଜଳ, ସ୍ଥଳ, ଆକାଶ ସବୁ ଭାରତ ସରକାରଙ୍କର। ସବୁ ରାଜ୍ୟର ଟଙ୍କା ଯାଇ ଠୁଳ ହୁଏ ଦିଲ୍ଲୀରେ। ପୁଣି କେନ୍ଦ୍ର ବିଦେଶରୁ ଟଙ୍କା ସୁଧିଆ ଆଣେ, ବେଳେବେଳେ ଦୟାକରି ଅନ୍ୟଦେଶ ଦାନ ଦିଅନ୍ତି। ଏଇସବୁ ଟଙ୍କା ରାଜ୍ୟମାନଙ୍କୁ ବାଂଟି ଦିଆଯାଏ। ଯାହାର କଣ୍ଠସ୍ୱର ଯେତେ ଗର୍ଜମାନ, ସେ ସେଇ ପରିମାଣରେ ଟଙ୍କା ପାଏ। ସେ ଟଙ୍କା ପୁଣି ଦିଲ୍ଲୀରୁ ଆସି ରାଜ୍ୟରେ ପହଂଚିଲାବେଳକୁ ଅଧା ବାଟମାରୁ ହୋଇଯାଏ - ବାକୀ ଅଧକରୁ ଅଧା କେତେବେଳେ କେମିତି ଲୋକଙ୍କ କାମରେ ଲାଗେ କି ନ ଲାଗେ କହିହେଉନି, ହେଲେ ଏହାହିଁ ଉତ୍କଟତମ ସତ୍ୟ ଯେ କେନ୍ଦ୍ର ଜରିଆରେ ଉପଲବ୍ଧ ଅଧିକାଂଶ ଦାନ-ଅନୁଦାନର ସିଂହଭାଗଟାକୁ ରାଜ୍ୟ ମୁଣ୍ଡିଆଳ, ଦଳ-ବଳ-କଳ ବାଂଟିନିଅନ୍ତି। ସବୁ ଟଙ୍କା କିନ୍ତୁ ଲୋକଙ୍କର ତାହା ଲୋକଙ୍କ ପାଇଁ, ଲୋକମାନଙ୍କ ଦ୍ୱାରା ହିଁ ଖର୍ଚ୍ଚ ହେବାକୁ ଆସିଥାଏ। ଭାରତରେ କେତେବେଳେ ନା କେତେବେଳେ; କେଉଁଠି ନା କେଉଁଠି ଝଡି-ବଢି-ମରୁଡି, ଅଗ୍ନିବର୍ଷଣ, ଭୂମିକମ୍ପ ଲାଗିରହିଛି। ଏସବୁ ପ୍ରାକୃତିକ ବିପର୍ଯ୍ୟୟକୁ ଆଖିଆଗରେ ରଖି କେନ୍ଦ୍ର ସରକାର ‘ଜାତୀୟ ବିପର୍ଯ୍ୟୟ’ ପାଣ୍ଠି ରଖିଛନ୍ତି। ଯେତେବେଳେ ଯେଉଁଠି ବିପଦ ପଡେ, ସେଇ ପାଣ୍ଠିରୁ ଦେଇଥାନ୍ତି। ଏପର୍ଯ୍ୟନ୍ତ ଭାରତରେ କେଉଁଠି ‘ଜାତୀୟ ବିପର୍ଯ୍ୟୟ’ ଘୋଷଣା ହୋଇନାହିଁ। ମହାରାଷ୍ଟ୍ରର ଲାଟୁର୍ ଭୂମିକମ୍ପ ୧୯୯୩ ମସିହାରେ ହୋଇଥିଲା। ସେତେବେଳେ ଏହାକୁ ମଧ୍ୟ ‘ଜାତୀୟ ବିପତ୍ତି’ ସଦୃଶ କୁହାଯାଇଥିଲା। ମହାରାଷ୍ଟ୍ରରେ କିଛି ସମ୍ୱଳ ଥିଲା ବାହାରୁ ସାହାଯ୍ୟ କିଛି କିଛି କଲେ ଲାଟୁର୍ ନୂଆ ହୋଇ ଗଢିଉଠିଲା। କିନ୍ତୁ ଲାଟୁର୍ ହେଉଛି ଯାଜପୁରରୋଡ କିମ୍ୱା କେନ୍ଦ୍ରାପଡା ଭଳି ଏକ ଛୋଟ ସହର ମାତ୍ର। ଗୁଜରାଟ କେୟାନଗର ଉପରେ ମଧ୍ୟ ବିପତ୍ତି ପଡିଥିଲା। ସୁରଟରେ ପ୍ଲେଗ୍‌ରେ ବହୁ ଲୋକ ମଲେ। ସେଠାକାର ସରକାର ସମ୍ଭାଳି ନେଲେ। ୧୮୬୬ ନ’ଅଙ୍କ ଦୁର୍ଭିକ୍ଷ, ୧୮୯୯ ଅନାହାର ମୃତ୍ୟୁ ଓ ବହୁ ପ୍ରାକୃତିକ, ମନୁଷ୍ୟକୃତ ବିପର୍ଯ୍ୟୟର ଅଙ୍ଗେନିଭା ଅନୁଭୂତି ହାସଲ କଲା ପରେ ଜନଗଣଙ୍କୁ ସାହାଯ୍ୟ- ସହଯୋଗ-ଥଇଥାନ କରିବା ପାଇଁ ବ୍ରିଟିଶ୍ ସରକାର ‘ରିଲିଫ୍ କୋର୍ଡ’ ଆଇନ୍ ପ୍ରଣୟନ କଲେ। ଏବେ ବି ସେହି ବ୍ରିଟିଶ ଆଇନକୁ କିଛି ବଦଳାବଦଳି କରି ତଥାକଥିତ ସ୍ୱାଧୀନ ଭାରତରେ ଚଳାଯାଉଛି। ରିଲିଫ୍ କୋଡ଼ରେ ସାହାଯ୍ୟ ପ୍ରଦାନରେ ଧୁଆମୂଳା ଅଧୁଆମୂଳା ସବୁ ସମାନ। ଯିଏ ବିପଦରେ ପଡିଛି ନପଡିଛି ସମସ୍ତେ ରିଲିଫ୍ ନେବେ। ଯେଉଁମାନେ ରିଲିଫ୍ କୋର୍ଡ କରିଥିଲେ ସେମାନେ ଏଇ ମଣିଷ, ବଡ ବଡ ଅଫିସର, ସେମାନଙ୍କର ଭୋକଶୋଷ-ଦୁଃଖକଷ୍ଟ-ଅଭାବଅସୁବିଧା ଖୁବ୍ କମ୍। ସେମାନେ ‘ଜାତୀୟ ବିପତ୍ତି’ କଥା ମନକୁ ଆଣିନଥିଲେ। ‘ବାପପୁଅ ରାତି ଅନିଦ୍ରା ଏଣେ ମୁଗୁରା ପଛ ମେଲା’ ଭଳି ଆଇନର ତର୍ଜମା କରୁ କରୁ ସବୁ ଖତମ୍ ହୋଇଯାଇଥିବ। ପୁନଶ୍ଚ ୧୯୯୪ ମସିହାରେ ଦଶମ ଅର୍ଥ କମିଶନ ଟିକେ ବିଚାର ବୁଦ୍ଧି ଖଟେଇ ସୁପାରିଶ କଲେ ଯେଉଁ ଭୂଖଣ୍ଡରେ ଏକ-ତୃତୀୟାଂଶ ଜନସମୁଦାୟ ପ୍ରଚଣ୍ଡ ପ୍ରାକୃତିକ ବିତ୍ପାତ ଦ୍ୱାରା ସର୍ବସ୍ୱାନ୍ତ ହୋଇପଡନ୍ତି, ସେଠି ‘ଜାତୀୟ ବିପତ୍ତି’ ଘୋଷଣା କରାଯାଇ ‘ଜାତୀୟ ବିପର୍ଯ୍ୟୟ ପାଣ୍ଠି’ ବ୍ୟତିରେକ ଅଧିକ ଅର୍ଥ ଯୋଗାଇ ଦେବାର ବନ୍ଦୋବସ୍ତ ଅଛି। ଦେଶର ଅନ୍ୟାନ୍ୟ ସ୍ଥାନରୁ, ପ୍ରୟୋଜନରେ ବିପର୍ଯ୍ୟୟ ଟିକସ କରାଇ କେନ୍ଦ୍ର ସରକାର ସବୁ ଲୋକଙ୍କର କ୍ଷୟକ୍ଷତି ଭରଣା ଓ ଥଇଥାନ ତଥା ପୁର୍ନଗଠନ ଦାୟିତ୍ୱ ନେବାକୁ ବାଧ୍ୟ। ଆଉ ମଧ୍ୟ ଦେଶବିଦେଶରୁ ସେବା-ସହାୟତା-ପାଣ୍ଠିର ସ୍ରୋତ ସମେତ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି, ବିଶ୍ୱବ୍ୟାଙ୍କର ଟଙ୍କାମୁଣିରୁ ମେଂଚାଏ ଓଡିଶାକୁ ପଶିଆସିବ। ସମ୍ୱିଧାନରେ ଭାରତ ଏକ ରାଷ୍ଟ୍ର ବୋଲି କେଉଁଠି ଲେଖାନାହିଁ। ଭାରତ ବୋଲି କୌଣସି ନିର୍ଦ୍ଦିଷ୍ଟ ସୀମାରେଖା ନାହିଁ। ଭାରତ ରାଜ୍ୟମାନଙ୍କର ସଂଘ। ସବୁ ରାଜ୍ୟକୁ ନେଇ ଭାରତ। ସବୁଠାରୁ ବଡ କଥା କେନ୍ଦ୍ର ସରକାର, ସବୁ ରାଜ୍ୟ ସରକାର କ’ଣ ସବୁବେଳେ ସମ୍ୱିଧାନ, ନିୟମ, ଆଇନ୍ ମାନି ଚଳୁଛନ୍ତି? ଜଣାଶୁଣା ଦୁର୍ନୀତିଗ୍ରସ୍ତ ଲୋକମାନେ, ଅପରାଧୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ ହୋଇଛନ୍ତି କିପରି? ନିୟମ ଯଦି ନାହିଁ ‘ଫଣୀ’ ଧ୍ୱଂସକାରୀ ମହାପ୍ରଳୟ ପାଇଁ ‘ଜାତୀୟ ବିପତ୍ତି’ ଘୋଷଣା କରିବାକୁ ନୂଆ ନିୟମ ପ୍ରଣୟନ କରିବାରେ ବାଧା କେଉଁଠି? ପ୍ରୟୋଜନ ପାଇଁ ସମ୍ୱିଧାନ ବାରମ୍ୱାର ବଦଳିଛି। ଓଡିଶା ପାଇଁ ଏତେ କୁଣ୍ଠା କାହିଁକି? ପ୍ରୟୋଜନରେ ସମ୍ୱିଧାନରେ ଜାତୀୟ ବିପତ୍ତି ଯୋଡ। ଯାହା ଜଣାପଡୁଛି, ଭାରତବାସୀଙ୍କୁ ଏ ନେତାମାନେ ଭୁଆଁ ବୁଲାଇବାର ବଦଭ୍ୟାସକୁ ଏଯାବତ ବଜାୟ ରଖିଛନ୍ତି। ବ୍ରିଟିଶ୍ ଶାସନକାଳରେ ୧୯୪୨ ବଙ୍ଗଳା ଦୁର୍ଭିକ୍ଷ ପଡିଲା। ଲକ୍ଷଲକ୍ଷ ଲୋକ ମଲେ। ବ୍ରିଟିଶ୍ ପାଖରେ ଧନ ଥାଇ ମଧ୍ୟ ‘ଗୋଲାମ’ ମାନଙ୍କୁ ପୋକମାଛି ଭଳି ମାରିଦେଲେ। ‘ଜାତୀୟ ବିପତ୍ତି’ ଘୋଷଣା ହେଲେ ଧ୍ୱଂସର ଧୂସର ଭଗ୍ନସ୍ତୂପ ଭିତରୁ ନୂଆ ଓଡିଶା, ଧନଧାନ୍ୟରେ ପରିପୂର୍ଣ୍ଣ ନିଆରା ନକ୍ସାର ଓଡିଶା ଗଢିଉଠିବ। ପ୍ରତ୍ୟେକ ବିପନ୍ନ ପରିବାର ପାଇଁ ବାତ୍ୟା, ବନ୍ୟା ନିରୋଧକ କୋଠାଘର ତିଆରି ହେବ। ସେମାନଙ୍କୁ ଅତି କମରେ ବର୍ଷକର ଖାଦ୍ୟ ଯୋଗାଇ ଦେଇହେବ। ପରିବାରକୁ ଗାଈ, ବଳଦ, ଛେଳି, ମେଣ୍ଢାା, ମଇଁଷି, ବତକ, କୁକୁଡା ଯୋଗାଇ ଦେଇହେବ। ଜମିକୁ ଜଳଯୋଗାଣ ସମେତ ଅନ୍ଧାରରାତିକୁ ବିଦ୍ୟୁତଯୋଗାଣ ଜରିଆରେ ମଧ୍ୟ ଦୂର କରାଯାଇପାରିବ। ବୃହତକାୟ ପୋଖରୀ ଖୋଳାଯାଇ ମାଛଚାଷ କରାଯିବ, ପୋଖରୀ ଉପରେ କୁକୁଡା ଫାର୍ମ କରାଯିବ। ସବୁ କିସମର ବିହନ, ମଞ୍ଜି ଯୋଗାଇ ଚାଷର ପୁନରୁଦ୍ଧାର କରାଯିବ। ଲୋକଙ୍କୁ କାମଧନ୍ଦା ଯୋଗାଇବା ପାଇଁ ନୂଆ ଶିଳ୍ପ ଗଢିଉଠିବ, ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାପାଇଁ ଗାଁଗହଳିରେ ଅତ୍ୟାଧୁନିକ ହସପିଟାଲ ନିର୍ମାଣ ହେବ, ଗମନାଗମନ ପାଇଁ ପ୍ରଶସ୍ତ ପକ୍କା ରାସ୍ତା ତିଆରି ହେବ। ବିଜୁଳି, ଟେଲିଫୋନ୍, ମୋବାଇଲ୍ ରିହାତି ଦରରେ ମିଳିବ। ବ୍ୟବସାୟୀ ଶ୍ରେଣୀ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦର ସ୍ଥିର ରଖିବାକୁ ବାଧ୍ୟ ହେବେ। ପୁଣି ଶିକ୍ଷାର ସର୍ବବୃହତ୍ ସୁବିଧା ପାଇଁ ଭାଙ୍ଗିଯାଇଥିବା ସ୍କୁଲ, କଲେଜ ଗଢ଼ାଯିବା ସମେତ ଜନଜୀବନ କ୍ଷେତ୍ରରେ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ଚିକିତ୍ସାଳୟ, ସାଂସ୍କୃତିକ ଅନୁଷ୍ଠାନ, କ୍ଲବ୍ ଘର, ବତିଘର, ବିମାନବନ୍ଦର, ଯାତାୟତ ପଥ ଓ ପୋଲଗୁଡ଼ାକୁ ଆଗ ଅପେକ୍ଷା ଆହୁରି ମଜୁବୁତ୍ କରି ତିଆରି କରାଯାଇପାରିବ। ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଶିକ୍ଷାଦାନ ଅତିକମରେ ୨ ବର୍ଷ ପାଇଁ ଦେବାକୁ ହେବ। ସ୍ୱାଭିମାନ ଥିବା ଲୋକମାନଙ୍କୁ ନିଜ କ୍ଷେତବାଡିରେ ଫସଲ ଫଳାଇବା ପାଇଁ, ଗାଈ ରଖି କ୍ଷୀର ଖାଇବା ପାଇଁ ଟ୍ରାକ୍ଟର ଇତ୍ୟାଦି ଚାଷଉପକରଣ ପାଇଁ ଅତି କମ୍ ସୁଧରେ ଋଣ ଯୋଗାଇଦେଇହେବ। କୁଟୀର ଶିଳ୍ପ, ମଧ୍ୟମ ଶିଳ୍ପ ପାଇଁ ମଧ୍ୟ ଋଣ ନେଇ ହେବ। ଏପରିକି ପିଛିଲା ସବୁ ଋଣ ଛାଡ କରିଦେଇହେବ, ଜିନିଷପତ୍ରରେ ସବ୍‌ସିଡି ମିଳିବ। ଏସବୁ ବନ୍ଦୋବସ୍ତ ହେଲେ ପରିବାର ପିଛା ଅତି କମ୍ରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଯେଉଁମାନେ ଗାଁଗଣ୍ଡାରେ ଦରିଦ୍ର ଥିଲେ, ଦଳିତ ଥିଲେ, ଦୁର୍ଗତ ଥିଲେ, କ୍ଷୁଦ୍ରଚାଷୀ ଥିଲେ, ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଥିଲେ ସେମାନେ ଏ ସୁବିଧା ପାଇବେ। ଏମାନଙ୍କ ସଂଖ୍ୟା ଓଡିଶାରେ ୧୦୦ରୁ ୯୦ ଭାଗ ହେବ। ବାକି ୧୦ ଭାଗ ଯେଉଁମାନେ ବଡଚାଷୀ, ଘରେ ଶିକ୍ଷିତ, ଚାକିରିବାକିରି କରିଥିଲେ - ପାଂଚପୁରୁଷର ଖାନଦାନି ଥିଲା - ପାଂଚଲୋକଙ୍କୁ ଖୁଆଉଥିଲେ - ଦାନଖୈରାତ କରୁଥିଲେ, ସେମାନଙ୍କର କ୍ଷତି ମଧ୍ୟ ହୋଇଛି। ସେମାନେ ବି ବର୍ତ୍ତମାନ ଦାଣ୍ଡର ଭିକାରି, ରିଲିଫକୁ ଚାହିଁଛନ୍ତି, କେତେକ ସ୍ୱାଭିମାନ ପାଇଁ ରିଲିଫ୍ ଧାଡିରେ ଠିଆନହୋଇ, ହାତ ନପତାଇ ଆଖିର ଲୁହକୁ ପିଇକରି ବଂଚିଛନ୍ତି। ମରିଯିବେ ପଛେ ହାତ ପତେଇବାକୁ ସେମାନଙ୍କ ମନ ମାନୁନାହିଁ। ସେମାନେ ‘ଜାତୀୟ ବିପତ୍ତି’ ଘୋଷଣାରେ ଉପକୃତ ହେବେ। ମାଟିର ଓଡିଶା, ଲୁହାର ଓଡିଶା ପରିଣତ ହୋଇପାରିବ ସୁନାର ଓଡିଶାରେ। କେବଳ ଧନରେ ନୁହେଁ, ଜୀବନଶକ୍ତିରେ ମଧ୍ୟ ଓଡିଶାର ଅଗ୍ରଗତି ହୋଇପାରିବ ନବଶ୍ଚୁମ୍ୱୀ। ଦରିଦ୍ର, ଅନଗ୍ରସର ଓଡିଶା ଭାରତବର୍ଷର କେଉଁ ଅପନ୍ତରା ମଧ୍ୟରେ ଗାଁ କନିଆ ସିଙ୍ଗାଣିନାକି ପରି ଆଉ ଘୃଣିତ ଓ ଉପେକ୍ଷିତ ଭାବମୂର୍ତ୍ତି ନେଇ ଜାତୀୟ ମଂଚରେ ଉପହସିତ ହେବନାହିଁ। ଓଡିଶା ଓ ଓଡିଶାବାସୀ ଆଉ ମଥା ନୁଆଁଇ କଥା କହିବେନାହିଁ। ଜୀର୍ଣ୍ଣ, ବିକଳ ଭଗ୍ନସ୍ତୂପ ଉପରେ ନବନିର୍ମାଣର ସ୍ୱପ୍ନ ସାକାର ହେବ ନିଶ୍ଚିତ ରୂପେ। ତା’ହେଲେ ଓଡିଶାର ଏଇ ଅଦ୍ଭୂତପୂର୍ବ ବିପର୍ଯ୍ୟୟକୁ ‘ଜାତୀୟ ବିପତ୍ତି’ ରୂପେ ଘୋଷଣା କରିବାରେ ବାଧା କେଉଁଠି? ଏବେ ‘ଫଣୀ’ର ତାଣ୍ଡବଲୀଳା ସମଗ୍ର ବିଶ୍ୱବାସୀଙ୍କୁ ପ୍ରଭାବିତ କରିଛି। ଅତଏବ ଏବେ କାନ୍ଦିବାର ବେଳ ନୁହେଁ - ଯଦି ପାରୁଛ ନବୀନବାବୁ! କେନ୍ଦ୍ରକୁ ଚିଠି ଲେଖ, ଓଡ଼ିଶା ପାଇଁ ସ୍ୱତନ୍ତ୍ର ପାହ୍ୟା ପଛକୁ ଥାଉ - ମାନବିକ ଅଧିକାରର ଅଧିନିୟମାବଳୀକୁ ବରଂ ଆଗେ କାର୍ଯ୍ୟକାରୀ କରିବାର ଦାବୀ ଜଣାଅ। ମୋଦି ମହାଶୟ ମଧ୍ୟ ବିଶ୍ୱସମୁଦାୟଙ୍କୁ ଓ ଜାତିସଂଘକୁ ୧୦୦ ବର୍ଷ ପଛକୁ ଫେରିଯାଇଥିବା ଓଡ଼ିଶା ପାଇଁ ବିଭିନ୍ନ କ୍ଷେତ୍ରରେ ଆଗୁଆ ପଦକ୍ଷେପ ନେବାକୁ ଏକ ଐକ୍ୟବଦ୍ଧ ଅଭିଯାନର ଅୟମାରମ୍ଭ ଉଦ୍ଦେଶ୍ୟରେ ଗୁହାରି କରନ୍ତୁ, ଓଡିଶାର ଏ ଅକାଳ ବିପର୍ଯ୍ୟୟକୁ ‘ଅନ୍ତର୍ଜାତୀୟ ବିପତ୍ତି’ ଘୋଷଣା କରନ୍ତୁ। ଯାଜପୁରରୋଡ୍, ଯାଜପୁର ଫୋନ - ୯୮୬୧୦୩୪୧୬୩

Share :