ଏହା କ’ଣ ଭଲ ଲୋକର କାମ?

ଏହା କ’ଣ ଭଲ ଲୋକର କାମ?

Share :

ସ୍ବତନ୍ତ୍ର ପ୍ରତିନିଧି ଏଥର ନିର୍ବାଚନରେ ବ୍ରହ୍ମପୁରର ଅତି ଲୋକପ୍ରିୟ ବିଧାୟକ ରମେଶ ଚ୍ୟାୟୁ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲେ ନାହିଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳ ତରଫରୁ କୁହାଗଲା ତାଙ୍କର ବୟସ ହୋଇଗଲାଣି। ମଝିରେ ମଝିରେ ରୋଗରେ ପଡ଼ୁଛନ୍ତି। ତେଣୁ ତାଙ୍କୁ ଏକରକମ ଅବସର ଦିଆଗଲା। ଠିକ ସେହିପରି ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କୁ ମଧ୍ୟ ଏଥର ବସେଇ ଦିଆଗଲା। କାରଣ ସମାନ। ତାଙ୍କର ମଧ୍ୟ ବୟସ ହୋଇଗଲାଣି। ଟିଟିଲାଗଡ଼ର ଯୋଗେନ୍ଦ୍ର ବେହେରାଙ୍କୁ ବୟସାଧିକ୍ୟ କାରଣରୁ ପ୍ରାର୍ଥୀ କରାଯିବ ନାହିଁ ବୋଲି ଜଣାପଡ଼ିବା ପରେ ସେ ନିଜ ପୁଅକୁ ଆଣି ନବୀନ ନିବାସରେ ଭେଟିଦେଲେ। ସେ ବସିଲେ, ପୁଅ କିନ୍ତୁ ଟିକେଟ ପାଇଲେ ନାହିଁ। ଭଦ୍ରକର ଯୁଗଳ କିଶୋର ପଟ୍ଟନାୟକଙ୍କ ଅବସ୍ଥା ମଧ୍ୟ ସେଇଆ। ବୟସ କାରଣରୁ ହିଁ ତାଙ୍କ ଟିକଟ କଟିଲା। ବିଜୁ ଜନତା ଦଳରେ ଏହିପରି ଉଦାହରଣ ଅନେକ। ସତୁରୀ ଛୁଇଁଲା ମାନେ ବିଜେଡି ନେତାଙ୍କ ଟିକଟ କଟିବା ଥୟ। ଏ ନିୟମ ଉପରେ ଯଦିଓ ସ୍ବୟଂ ପାର୍ଟି ମାଲିକ। ତାଙ୍କୁ ଯେତେ ବୟସ ହେଲେ ବି ସେ ପ୍ରାର୍ଥୀ ହେବା ଥୟ। ତେଣିକି ସେ ଦଶ ମିନିଟ ସିଧା ଠିଆ ହୋଇନପାରନ୍ତୁ ପଛେ। ତେବେ ବୟସ ଓ ରୋଗ କାରଣରୁ ଏଥର ପ୍ରାୟ ଅଧ ଡଜନ ନେତାଙ୍କ ଟିକଟ କଟିଥିଲେ ମଧ୍ୟ ନବୀନବାବୁ ପାଟକୁରା ପାଇଁ ପୁଣି ଥରେ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲେ। ତାଙ୍କ ବୟସ ୮୨ ହୋଇଥିଲା। ସେ ନିର୍ବାଚନ ଘୋଷଣାର ୩ ମାସ ପୂର୍ବରୁ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ପ୍ରାର୍ଥୀ ତାଲିକା ଘୋଷଣା ହେବା ପୂର୍ବରୁ ବେଦୁବାବୁଙ୍କ ପତ୍ନୀ ଓ ପୁଅ ଆସି ନବୀନ ନିବାସରେ ନବୀନବାବୁଙ୍କୁ ଦେଖା କରିଥିଲେ। ବେଦୁବାବୁ ଆଇସିୟୁରେ ଥିବାରୁ ତାଙ୍କ ବଦଳରେ ସେ ଦି’ ଜଣଙ୍କ ମଧ୍ୟରୁ କାହାକୁ ଦଳର ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ନବୀନବାବୁ ସେମାନଙ୍କ କଥା ରଖି ନଥିଲେ। ଆଇସିୟୁରେ ଚିକିତ୍ସାଧୀନ ଥିବା ବେଦୁବାବୁଙ୍କୁ ହିଁ ବିଜେଡି ପ୍ରାର୍ଥୀ କଲେ। ଉଦ୍ଦେଶ୍ୟ କ’ଣ ଭଲ ଥିଲା? ବେଦୁବାବୁ ଟିକଟ ନେବାକୁ ନବୀନ ନିବାସ ଆସିପାରିଲେ ନାହିଁ। ଟିକଟ ତାଙ୍କ ଘରକୁ ଗଲା। ପ୍ରାର୍ଥିପତ୍ର ଦାଖଲ କରିବାର ନିୟମ ଅନୁସାରେ ସେ ପ୍ରତ୍ୟକ୍ଷରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଉପସ୍ଥିତ ହେବାର ଥିଲା। କଷ୍ଟେମଷ୍ଟେ ସେ ପ୍ରାର୍ଥିପତ୍ର ଦାଖଲ କଲେ କିନ୍ତୁ ଗଣମାଧ୍ୟମକୁ କିଛି ପ୍ରତିକ୍ରିୟା ଦେଇପାରିଲେ ନାହିଁ। କାରଣ ସେ କଥା କହିପାରୁ ନଥିଲେ। ଏହା ସତ୍ତ୍ବେ ତାଙ୍କ ଟିକଟ କଟିଲା ନାହିଁ। ପ୍ରାର୍ଥିପତ୍ର କାଏମ ରହିଲା। ତାଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ମଧ୍ୟ କୁହାଗଲା ନାହିଁ। ତାଙ୍କର ପ୍ରତିଦ୍ବନ୍ଦ୍ବୀ ବିଜେପି ନେତା ବିଜୟ ମହାପାତ୍ର ଏବେ କହିଛନ୍ତି ଯେ ସେଦିନ ସେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ହାଜର ବି ହୋଇନଥିଲେ। ଫେସବୁକ୍‌ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଗୋଟିଏ ତଥ୍ୟ ହେଲା, ଏପ୍ରିଲ ୨୧ ତାରିଖରେ ନବୀନ ପଟ୍ଟନାୟକଙ୍କର ପାଟକୁରାରେ ସଭା କରିବାର ଥିଲା। ତାହା କିନ୍ତୁ ଏପ୍ରିଲ ୧୯ ତାରିଖରେ ବାତିଲ ହେଲା। ସେହିଦିନ ବେଦୁବାବୁଙ୍କ ପୁଅକୁ ନବୀନ ନିବାସ ଡକେଇ ନବୀନବାବୁ ଅନେକ ସମୟ କ’ଣ କଥା ହୋଇଥିଲେ। ଏପ୍ରିଲ ୨୦ ତାରିଖରେ ଡାକ୍ତରଖାନାରେ ବେଦୁବାବୁଙ୍କର ମୃତ୍ୟୁ ହେଲା। ନିୟମ ଅନୁସାରେ ବିଜେଡି ଏକ ସ୍ବୀକୃତିପ୍ରାପ୍ତ ଦଳ ହୋଇଥିବାରୁ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଲା ଓ ମେ ୧୯ ତାରିଖରେ ହେବ ବୋଲି ସାନି ବିଜ୍ଞପ୍ତି ପ୍ରକାଶ ପାଇଲା। ସେଥିପାଇଁ ମେ ପହିଲା ଭିତରେ ବିଜେଡିକୁ ଜଣେ ପ୍ରାର୍ଥୀ ଦେବାକୁ ପଡ଼ିବ। ମେ ୧୯ ତାରିଖ ହେଉଛି ୨୦୧୯ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ। ପରିବାରର ଅନୁରୋଧ ସତ୍ତ୍ବେ ବେଦୁବାବୁଙ୍କ ଟିକଟ ଦେଇ ନବୀନବାବୁ କାହାର ଅଧିକ କ୍ଷତି କଲେ? ପ୍ରତିଦ୍ବନ୍ଦ୍ବୀ ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପୂରେଇ ନଦେବା ଉଦ୍ଦେଶ୍ୟ ରଖି ଯଦି ଏପରି ହୋଇଥିବ ତେବେ ଏହା କ’ଣ ଭଲ ଲୋକର କାମ? ଏହା କ’ଣ ନବୀନବାବୁଙ୍କ ଭଦ୍ରଲୋକର ଭାବମୂର୍ତ୍ତି? ଜଣେ ଲୋକର ଆସନ୍ନ ମୃତ୍ୟୁକୁ ରାଜନୀତିକ ଅସ୍ତ୍ର କରି ପ୍ରତିଦ୍ବନ୍ଦ୍ବୀଙ୍କୁ ଅଟକାଇବାର ଚେଷ୍ଟା କରିବା କୁଟିଳ ଲୋକର କାମ ନା ସତ୍ୟ ଓ ଧର୍ମନିଷ୍ଠ ଲୋକର? ତେବେ, ନବୀନବାବୁ ଖଳ ଲୋକ ହୋଇଥାନ୍ତୁ ବା ନହୋଇଥାନ୍ତୁ, ପାଟକୁରା ଓ କେନ୍ଦ୍ରାପଡ଼ା ଲୋକଙ୍କ ମଧ୍ୟରେ ଏବେ ଏଇ ଚର୍ଚ୍ଚା। ପାଟକୁରା ନିର୍ବାଚନ ବାତିଲ କରି ବିଜୟ ମହାପାତ୍ରଙ୍କ ବିଜୟ ସମ୍ଭାବନାର ଗତିରୋଧ କରିବା ଥିଲା ତାଙ୍କର ଉଦ୍ଦେଶ୍ୟ। ନିର୍ବାଚନ ଯଦି କିଛି ଦିନ ଗଡ଼ି ଯାଇଥାନ୍ତା, ମେ ୨୩ ପରେ ହୋଇଥାନ୍ତା, ଯଦି ଓଡ଼ିଶାରେ ପୁଣି ନବୀନ ପଟ୍ଟନାୟକ ସରକାର ଗଢ଼ିଥାନ୍ତେ, ତେବେ ପାଟକୁରାରେ ଓଡ଼ିଶା ସରକାରଙ୍କ ବିରୋଧରେ ଲଢ଼େଇ କରିଥାନ୍ତେ ବିଜୟ ମହାପାତ୍ର। ଶାସନ କଳ ଓ ଶାସକ ଦଳ ଏକଜୁଟ ହୋଇ ବିଜୟଙ୍କୁ ପରାସ୍ତ କରିବା ସହଜ ହୋଇଥାନ୍ତା। ଭିତରେ ଭିତରେ ବୋଧହୁଏ ଏଇ ଅଙ୍କ କଷିଥିଲେ ନବୀନ ପଟ୍ଟନାୟକ, ଯାହା ଏବେ ଭୁଲ ହୋଇଗଲା! ଏବେ ମେ ୧୯ ତାରିଖରେ ଭୋଟ ହେବ। ବେଦୁଙ୍କ ମୃତ୍ୟୁରୁ ବିଜେଡି କିଛି ଅନୁକମ୍ପା ପାଇବାର ସମ୍ଭାବନା ବି ମଉଳିଗଲା। କାରଣ ଲୋକେ ଭିତିରି ଉଦ୍ଦେଶ୍ୟ ବୁଝିଗଲେ। ନବୀନବାବୁ ଜଣେ ସରଳ ଓ ଦରଦୀ ମଣିଷ ବୋଲି ଯେଉଁ ଭାବମୂର୍ତ୍ତି ଅର୍ଜନ କରିଥିଲେ ତାହା ଧୋଇଗଲା।

Share :