ଶୀତଦିନିଆ ଗେଣ୍ଡୁଫୁଲ ଚାଷ

ଶୀତଦିନିଆ ଗେଣ୍ଡୁଫୁଲ ଚାଷ

Share :

ଡି. ଶୁଭମ ଓ କଲ୍ୟାଣୀ ପ୍ରଧାନ ଶୀତୁଆ ସକାଳର ସ୍ନିଗ୍ଧ ସୁବାସ ଆଉ କାକରବିନ୍ଦୁ ଯେମିତି ମନଲୋଭା ଠିକ୍ ସେମିତି ବଗିଚାରେ ଗେଣ୍ଡୁ ଫୁଲର ସମାହାର ମନଛୁଆଁ। ଗେଣ୍ଡୁର ମହକ ଆଉ ସୌନ୍ଦର୍ଯ୍ୟକୁ ଟିକେ ମନଭରି ଉପଭୋଗ କରିବା ପାଇଁ ଜନ ମାନସ ଶୀତ ଋତୁକୁ ହିଁ ଅନେଇ ବସିଥାଏ। କେବେ ଶୀତ ଆସିବ, ଆଉ ସେମାନେ ଗେଣ୍ଡୁ ଫୁଲର ଶୀତଳ ସ୍ପର୍ଶକୁ ଅନୁଭବ କରିବେ। ସତରେ ଶୀତ ସହ ଗେଣ୍ଡୁଫୁଲର ସମ୍ପର୍କ କେତେ ନିଆରା କହିଲେ... ଜନଜୀବନରେ ଏକ ନୂତନ ମାଦକତା ଭରିଯାଏ ଆଉ ବାଡ଼ି ବଗିଚ଼ାରେ ଗେଣ୍ଡୁ ଫୁଲ ଘର କରିବସେ। ଆସନ୍ତୁ ସେଇ ଗେଣ୍ଡୁଫୁଲକୁ କେମିତି ଚାଷ କରିବା, ସେ ବିଷୟରେ ଜାଣିବା ଆଉ ଗେଣ୍ଡୁର ମହକରେ ମହକିତ ହୋଇଯିବା। ସାଧାରଣତଃ ଗେଣ୍ଡୁଫୁଲ ଦୁଇ ପ୍ରକାରର ଥାଏ। ଆଫ୍ରିକୀୟ ଗେଣ୍ଡୁ ଓ ଫରାସୀ ଗେଣ୍ଡୁ। ଆଫ୍ରିକୀୟ ଗେଣ୍ଡୁ ଗଛ ଗୁଡିକ ଅପେକ୍ଷାକୃତ ଉଚ୍ଚ ଏବଂ ଫୁଲଗୁଡିକ ବଡ଼ ହୋଇଥାଏ। ଗଛଟି ପ୍ରଥମେ ପୂର୍ଣ୍ଣ ଉଚ୍ଚତା ପର୍ଯ୍ୟନ୍ତ ବଢିବାପରେ ଶାଖା ପ୍ରଶାଖା ବାହାରିଥାଏ। ଉନ୍ନତ କିସମ : ଜିଆଣ୍ଟ ଡବଲ ଆଫ୍ରିକାନ୍ ଅରେଞ୍ଜ/ୟେଲୋ, ପୁଷା ବାସନ୍ତୀ, ପୁଷା ନାରଂଗୀ, ସ୍ପନ୍ ୟେଲୋ/ଗୋଲ୍ଡ଼। ଫରାସୀ ଗେଣ୍ଡୁ ଗଛଗୁଡିକ ଛୋଟ ଏବଂ ଫୁଲର ଆକାର ମଧ୍ୟ ଛୋଟ ହୋଇଥାଏ। ଗଛରେ ପ୍ରଥମରୁ ଅନେକ ଶାଖା ପ୍ରଶାଖା ବାହାରିଥାଏ। ଫୁଲଗୁଡିକରେ ଲମ୍ୱା ନାଡ଼ ଦେଖାଯାଏ। ବ୍ୟବସାୟିକ ଦୃଷ୍ଟିକୋଣରୁ ଏହାକୁ ଅଧିକ ବ୍ୟବହାର କରାଯାଏ। ଉନ୍ନତ କିସମ : ବଟର ସ୍କଚ଼୍, ହନି କମ୍ୱ, ହାପି ଅରେଞ୍ଜ/ ୟେଲୋ। ଜମି କିପରି ପ୍ରସ୍ତୁତ କରିବା- ପ୍ରଥମେ ଜମିକୁ ୧୫-୨୦ ଦିନ ପୁର୍ବରୁ ୩-୪ ଓଡ଼ ଚାଷ କରି ଶେଷ ଓଡ଼ ଚ଼ାଷ ସମୟରେ ଏକର ପ୍ରତି ୧୫-୨୦ ଟନ୍ ସଢା କମ୍ପୋଷ୍ଟ ବା ୩-୪ ଟନ୍ ଜିଆ ଖତ ଦିଆଯାଇ ଛୋଟ ଛୋଟ ପଟାଳିରେ ଭଙ୍ଗାଯାଏ। ଶଯ୍ୟା (ବେଡ୍) ରେ କରୁଥିଲେ ୩୦ ସେ.ମି. ଗଭୀର ଯାଏ ମାଟିକୁ ଖୋଳି ବର୍ଗମିଟର ପ୍ରତି ୩ କି.ଗ୍ରା. ସଢା କମ୍ପୋଷ୍ଟ, ୧୫୦ ଗ୍ରାମ୍ ସିଙ୍ଗିଲ ସୁପର ଫସଫେଟ୍ ଏବଂ ୫୦ ଗ୍ରାମ୍ ମ୍ୟୁରେଟ୍ ଅଫ ପଟାସ୍ ସାର ଦିଆଯାଏ। ଚାରା ରୋପଣ- ଜଳସେଚ଼ନ ନିୟନ୍ତ୍ରଣ କରି ଚାରାଗୁଡିକୁ କଠିନ କରାଯାଏ। ସୁସ୍ଥ ସବଳ, ନିରୋଗ ଏବଂ ୪-୫ ପତ୍ର ହୋଇଥିବା ୧୦-୧୫ ସେ.ମି. ଉଚ୍ଚ ୨୦-୨୫ ଦିନର ଚାରାଗୁଡିକ ଉପରବେଳା ଲଗାଇ ଜଳସେଚ଼ନ କରାଯାଏ। କିସମ ଅନୁସାରେ ଆଫ୍ରିକୀୟ ଗେଣ୍ଡୁଗୁଡିକୁ ୪୦ ସେ.ମି./୩୦ ସେ.ମି. (୩୦,୦୦୦ ଗଛ/ଏକର) ଏବଂ ଫରାସୀ ଗେଣ୍ଡୁ ଗୁଡିକୁ ୨୦ ସେ.ମି./୧୦-୨୦ ସେ.ମି. (୮୦,୦୦୦-୧,୬୦,୦୦୦ ଗଛ/ଏକର) ବ୍ୟବଧାନରେ ଚାରା ଲଗାଯାଏ। ଗେଣ୍ଡୁଫୁଲର ବଂଶ ବିସ୍ତାର (କ) ମଞ୍ଜି ପ୍ରଣାଳୀ- ଏହି ପ୍ରଣାଳୀ ସହଜ ଏବଂ ଶୀଘ୍ର ହୋଇଥାଏ। ଏଥିପାଇଁ ଏକର ପ୍ରତି ୨୦୦-୩୦୦ ଗ୍ରାମ୍ ମଞ୍ଜି ଆବଶ୍ୟକ ହୋଇଥାଏ। ସାଧାରଣତଃ ୧-୧.୨ ମିଟର ଓସାର, ୨୦-୧୫ ସେ.ମି. ଉଚ୍ଚ ଏବଂ ସୁବିଧା ଅନୁସାରେ ୩-୬ ମିଟର ଲମ୍ୱର ତଳି ଘରା ପ୍ରସ୍ତୁତ କରାଯାଏ। ପ୍ରତି ବର୍ଗମିଟର ତଳି ଘରାରେ ୬-୧୦ କି.ଗ୍ରା. ସଢା କମ୍ପୋଷ୍ଟ ବା ଜିଆ ଖତ ମିଶାଯାଏ। ତଳି ଘରାକୁ ଫର୍ମାଲିନ୍ (୨ ପ୍ରତିଶତ) ଦ୍ୱାରା ବିଶୋଧନ କରାଯାଇପାରେ। ମଞ୍ଜିକୁ କେପଟାନ୍ କିମ୍ୱା ସେରସାନ୍ (୨ ଗ୍ରାମ୍/କି.ଗ୍ରା. ମଞ୍ଜି) ରେ ବିଶୋଧନ କରି ୬ ସେ.ମି. ବ୍ୟବଧାନରେ ଧାଡିରେ ୦.୫-୧ ସେ.ମି. ଗଭୀରରେ ଅଧିକ ବହଳ ନକରି ମଞ୍ଜି ପକାଇ ଗୁଣ୍ଡ ମାଟି/ଖତ ଘୋଡ଼ାଯାଏ। ଉତ୍ତମ ଗଜା ହେବା ପାଇଁ ୧୮-୩୦ ଡିଗ୍ରୀ ସେଲସିୟସ୍ ଉତ୍ତାପ ଆବଶ୍ୟକ ହୋଇଥିବାରୁ ଶୀତ ଊତୁରେ ତଳି ଘେରୀକୁ ନଡା ବା ପାଳ ଦ୍ୱାରା ଘୋଡାଯାଏ। ୩-୬ ଦିନରେ ଗଜା ହେବା ପରେ ନଡା ସବୁ ବାହାର କରାଯାଏ ଏବଂ ୩-୪ ସପ୍ତାହର ଚାରା ଲଗାଇବା ପାଇଁ ଉପଯୁକ୍ତ ହୋଇଥାଏ। ଅଳ୍ପ ମଞ୍ଜି ପକାଇବାର ଥିଲେ ମାଟି ଓ କମ୍ପୋଷ୍ଟକୁ ସମାନ ଅନୁପାତରେ ମିଶାଇ ଚ଼ାରା ପକାଯାଏ। ଫୁଲ ଅମଳ ସମୟକୁ ଲକ୍ଷ ରଖି ପ୍ରାୟ ତିନି ମାସ ଆଗରୁ ଚାରା ପକାଯାଏ। ପର୍ଯ୍ୟାୟ କ୍ରମେ ଚ଼ାରା ପକାଇଲେ ଅଧିକ ଦିନ ପର୍ଯ୍ୟନ୍ତ ଫୁଲ ମିଳିପାରିବ। (ଖ) କାଟ କଲମୀ- ମଞ୍ଜି ନ ହେଉଥିବା ଗେଣ୍ଡୁ ଏବଂ ସମାନ କିସମ ପାଇଁ କାଟ କଲମୀ କରାଯାଏ। କାଟିବାର ୨୦-୨୫ ଦିନ ମଧ୍ୟରେ ଚ଼ାରା ଲଗାଇବା ଯୋଗ୍ୟ ହୋଇଥାଏ। ଏଥି ପାଇଁ ଗଛର ଅଗରୁ ୬-୧୦ ସେ.ମି. ଲମ୍ୱର ଡାଳ କାଟି ତିନି ଚ଼ାରି ଗୋଟି ପତ୍ରକୁ ରଖି ଅନ୍ୟ ପତ୍ର ଛିଣ୍ଡାଇ ଦିଆଯାଏ। ଏହି କଟା ଡାଳ ଗୁଡିକୁ ମୋଟା ବାଲି ଶଯ୍ୟାରେ ଲଗାଇ ଛାଇ ଓ ପାଣି ଦିଆଯାଏ ଚେର ବୃଦ୍ଧକ ହରମୋନ୍ ବ୍ୟବହାର କରାଯାଇଥାଏ। ଆସନ୍ତୁ ଘରେ ଘରେ ଗେଣ୍ଡୁଫୁଲ ଗଛ ଲଗେଇବା ଆଉ ଶୀତୁଆ ସକାଳରେ ମଜା ନବା। ସମ୍ପାଦକ-ଶ୍ୟାମଳ ସୁବର୍ଣ୍ଣ, ବାସୁଦେବପୁର, ଭଦ୍ରକ ମୋ-୯୪୩୮୪୬୭୦୭୯

Share :